Thursday, November 05, 2015

ତିନିଶହ ରାମାୟଣ - ୪



ଏ.କ. ରାମାନୁଜନ୍


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍


ଲିଖିତରୁ ବାଚନିକ


ଆମେ ବର୍ତ୍ତମାନ ଦକ୍ଷିଣ ଭାରତୀୟ ଲୋକ ରାମାୟଣଙ୍କ ମଧ୍ୟରୁ ଗୋଟିଏ ଉପରେ ଦୃଷ୍ଟିପାତ କରିବା । ଏହି ଲୋକକଥା ଗୁଡ଼ିକ ଆମେ ରାମକଥାରେ ଖଣ୍ଡ ବିଖଣ୍ଡିତ ଆକାରରେ ପାଇବା । ଉଦାହରଣ ସ୍ୱରୂପ କନ୍ନଡ଼ ଭାଷାରେ ସୀତାଙ୍କର ଜନ୍ମ, ତାଙ୍କର ବିଭାଘର, ଅଗ୍ନିପରୀକ୍ଷା, ବନବାସ, ଲବ-କୁଶଙ୍କର ଜନ୍ମ, ସେମାନଙ୍କର ପିତା ରାମଙ୍କ ସହିତ ଯୁଦ୍ଧ, ଇତ୍ୟାଦି ବିଷୟମାନ ଭିନ୍ନ ଭିନ୍ନ କବିତାରେ ପାଇବା । ମାତ୍ର ପାରମ୍ପରିକ କଥକ (ତମ୍ବୁରି ଦାସୟାଗଣ)ଙ୍କ ଦ୍ୱାରା କଥିତ ଗୋଟିଏ ସମ୍ପୂର୍ଣ୍ଣ ରାମକଥା ଅଛି । ଏହାକୁ ପ୍ରତି ଦୁଇ ଧାଡ଼ିରେ ଏକ କୋରସ୍ ଗାଉଥିବା ଘୋଷା ସହିତ ଗାନ କରାଯାଏ । ନିମ୍ନଲିଖିତ ଆଲୋଚନା ପାଇଁ ମୁଁ ରାମ ଗୌଡ଼ା ଇ.କେ. ରାଜଶେଖର ତଥା ଏସ୍. ବାସବେୟା କରିଥିବା ପ୍ରତିଲିପିକରଣ ନିକଟରେ ଋଣି । ଏହି ଲୋକକଥା ରାବଣ (ଏଠାରେ ରାବୁଳ ଭାବରେ କଥିତ) ଏବଂ ତାଙ୍କର ରାଣୀ ମନ୍ଦେଦରୀଙ୍କ ସହ ଆରମ୍ଭ ହୁଏ । ସେମାନେ ସନ୍ତାନହୀନତା ଯୋଗୁଁ ଦୁଃଖି । ତେଣୁକରି ରାବୁଳ ବନକୁ ଯାଇ ସେଠାରେ ଭୂମି ଉପରେ ପିଠିରୁ ରକ୍ତ ନ ଗଡ଼ିବା ପର୍ଯ୍ୟନ୍ତ ଗଡ଼ିବା ଭଳି ନାନା କଷ୍ଟଦାୟକ ତପଶ୍ଚର୍ଯ୍ୟା ଆଚରଣ କରେ । ସେ ସେଠାରେ ଯୋଗୀ ରୂପକ ଶିବଙ୍କୁ ଭେଟେ । ଶିବ ତାଙ୍କୁ ଗୋଟିଏ ଅଲୌକିକ ଆମ୍ବ ଦେଇ ପଚାରନ୍ତି ଯେ ସେ ଆମ୍ବଟିକୁ ନିଜ ସ୍ତ୍ରୀ ସହିତ କିଭଳି ଭାଗ କରିବେ । ରାବଣ କହେ ଯେ, 'ମୁଁ ତାଙ୍କୁ ଆମ୍ବର ମିଠା ରସତକ ଦେବି ଏବଂ ନିଜେ ଆମ୍ବର ଟାକୁଆକୁ ଚାଟିବି ।’ ଯୋଗୀ ଜଣକ ଏହାକୁ ସହଜରେ ବିଶ୍ୱାସ ନ କରି ରାବଣଙ୍କୁ କୁହନ୍ତି, ‘ତୁମ୍ଭେ ମୋତେ ଗୋଟେ ପ୍ରକାର କଥା କହୁଛ, ହେଲେ ତମ ପେଟରେ ବିଷ ଭର୍ତ୍ତି। ମୋତେ ଲହୁଣୀ ଖୁଆଉଚ ହେଲେ ତୁମ୍ଭର ଅର୍ଥ କିଛି ଅଲଗା । ମତେ ଯଦି ମିଛ କହୁଥିବ ତେବେ ନିଜ କାମର ଫଳକୁ ନିଜେ ଭୁଞ୍ଜିବାକୁ ପଡ଼ିବ ।’  ଏଠାରେ କବି କହନ୍ତି କି ରାବୁଳ ସ୍ୱପ୍ନରେ ଗୋଟେ ଜିନିଷ ଓ ଚେଇଁଥିବା ବେଳେ ଆଉ ଗୋଟେ । ସେ ଯେତେବେଳେ ପୂଜା ପାଇଁ ଫୁଲ, ଧୂପ ସହିତ ଅଲୌକିକ ଆମ୍ବ ଧରି ଘରକୁ ଆସନ୍ତି, ସେତେବେଳେ ମନ୍ଦୋଦରି ବହୁତ ଖୁସି ହୁଅନ୍ତି । ଶିବଙ୍କୁ ପୂଜା ଓ ପ୍ରାର୍ଥନା ପରେ ରାବୁଳ ଆମ୍ବଟିକୁ ଭୋଗ କରିବା ପାଇଁ ପ୍ରସ୍ତୁତ । ମାତ୍ର ଏହି ସମୟରେ ସେ ଭାବନ୍ତି ‘ମୁଁ ଯଦି ତାକୁ ଫଳଟିକୁ ଦେବି ତା ପେଟ ତ ପୁରିବ କିନ୍ତୁ ମୁଁ ରହିବି ଭୋକିଲା ।’ ଏହା ଭାବି ସେ ନିଜେ ଫଳର ମାଂସତକ ଗିଳିପକାଇ ମନ୍ଦୋଦରିକୁ କେବଳ ଟାକୁଆ ଚାଟିବା ପାଇଁ ଦେଲେ । ସେ ଯେତେବେଳେ ଟାକୁଆଟିକୁ ବାଡ଼ିରେ ଫିଙ୍ଗିଲେ, ସେଥବରୁ ଗଜା ହୋଇ ଗୋଟିଏ ଡେଙ୍ଗା ଆମ୍ବ ଗଛ ହେଲା । ଏହି ସମୟରେ ରାବୁଳ ନିଜେ ଗର୍ଭ ହୋଇ ଗର୍ଭ ପ୍ରତିଦିନ ଏକମାସ ହିସାବରେ ବଢ଼ିବାକୁ ଲାଗିଲା ।

ଦିବସ ପରେ ଦିବସ / ହୋଇ ଲାକ ଏକମାସ
ଖାଇବାକୁ ନାନା ସାଦ / ମନରେ ହେଲା ଉନ୍ମାଦ
ଋାବୁଳ ଡାକିଲା ଶିବ / ଦେଲ ମତେ ପରାଭବ
ଦେଲ ମତେ ଗର୍ଭ କରି / ନିଶ କାଟିଣ ମୋହରି
ତୃତୀୟ ଦିବସ ଶେଷ / ଗର୍ଭରେ ତୃତୀୟ ମାସ
ଦେଲ ମତେ ଗର୍ଭ କରି / ନିଶ କାଟିର ମୋହରି
ଦିନ ଚତୁର୍ଥ ସରିଲା / ଗର୍ଭେ ଚାରି ମାସ ହେଲା
ସହିବି କୁହ କେମନ୍ତ/ ଆହେ ପ୍ରଭୁ ଲୋକନାଥ
ପଞ୍ଚମ ଦିନର ଅନ୍ତ / ହେଲା ଆସି ପାଞ୍ଚ ମାସ
ଶୁଣ ହେ କୈଳାସ ନାଥ / ଦେଲ ଯେ କଷ୍ଟ ବିଶେଷ
ରାବୁଳ କଷ୍ଟରେ ରଡି / କହେ ବଞ୍ଚିବି  କିପରି
ଛ ଦିନେ ଛ ମାସ ହୋଇ / ମାଆଲୋ ମୁଁ ଗଲି ମରି
ସାତ ଦିନେ ସାତ ମାସ/ ଲଜ୍ଜା ପାଇଲି ଅଶେଷ
ସପ୍ତମ ମାସର ଶେଷ / ଆସିଲା ଅଷ୍ଟମ ମାସ
ଶିବ ଶିବ ଡାକି କରି / ନଅ ଦିନେ ଗଲା ପୂରି 
ସେହୁ ପରିପୂର୍ଣ୍ଣ ହୋନ୍ତେ / କନ୍ୟାଟି ଏକ ଜନ୍ମନ୍ତେ 
ଛିଙ୍କୁ ଛିଙ୍କୁ ସେ ରାବୁଳ /  ସୀତା ନାକରୁ ବାହାର
ନାମ ବି ରାବୁଳ ଦେଲା / ସିତମ୍ମା ବୋଲି ଡାକିଲା 

କନ୍ନଡ଼ ଭାଷାରେ ସୀତା ଶବ୍ଦର ଅର୍ଥ ହେଲା, ସେ ଛିଙ୍କିଲା: ସେ ନିଜର ଝିଅକୁ ସୀତା ବୋଲି ଡାକିଲେ କାରଣ ତାଙ୍କର ଜନ୍ମ ଏକ ଛିଙ୍କ ଦ୍ୱାରା । ଅତଏବ ଏହି କଥାରେ ସୀତାଙ୍କର ନାମର ମୂଳ ଆମେ କନ୍ନଡ଼ ଲୋକ ବିଚାରରେ ପାଇବା । ଠିକ୍ ଯେପରି ସଂସ୍କୃତରେ ସୀତାଙ୍କର ନାମର ଉତ୍ସ ସଂସ୍କୃତ ଭାଷାର ଅବବୋଧର ଅଛି – ସୀତା (ଶିଆର)ରେ ରାଜା ଜନକଙ୍କୁ କନ୍ୟା ପ୍ରାପ୍ତ ହୋଇଥିବାରୁ ତାଙ୍କର ନାମ ସୀତା । ଏହାପରେ ରାବୁଳ ଜ୍ୟୋତିଷମାନଙ୍କ ପାଖକୁ ଯିବାରୁ ସେମାନେ ତାଙ୍କୁ କହିଲେ ଯେ ଶିବଙ୍କୁ ଦେଇଥିବା ବଚନ ପାଳନ ନ କରି ନିଜେ ଆମ୍ବର ମାଂସ ଖାଇ ସ୍ତ୍ରୀକୁ ଟାକୁଆ ଦେଇଥିବାରୁ ତାଙ୍କୁ ଏହି ଦଣ୍ଡ ମିଳିଲା । ସେମାନେ ତାଙ୍କୁ ଏହି ଉପଦେଶ ଦେଲେ ଯେ ପିଲାକୁ ଖୁଆଇ ଜାମାପଟା ପିନ୍ଧାଇ ଏପରି ଏକ ଜାଗାରେ ଛାଡ଼ି ଆସିବା ପାଇଁ ଯେପରିକି କୌଣସି ଏକ ଦମ୍ପତ୍ତି ତାକୁ ପାଇ ପାଳନ କରିବେ । ଏହାପରେ ସେ ଝିଅଟିକୁ ଏକ ବାକ୍ସରେ ପଶାଇ ଜନକଙ୍କର କ୍ଷେତରେ ଛାଡ଼ି ଆସିଲେ ।

ସୀତାଙ୍କର ଜନ୍ମ ପରେ ହିଁ ଏହି କଥାରେ କବି ରାମ ଓ ଲକ୍ଷ୍ମଣଙ୍କର ଜନ୍ମ ତଥା ଦୁଃସାହସିକ କର୍ମମାନଙ୍କର ବର୍ଣ୍ଣନା ଗାଇବା ଆରମ୍ଭ କରନ୍ତି । ଏହାପରେ ସୀତାଙ୍କର ସ୍ୱୟମ୍ବର ବିଷୟରେ ଏକ ଦୀର୍ଘ ବିଭାଗ ଆସେ ଯେଉଁଥିରେ ରାବୁଳ ସ୍ୱୟମ୍ବରକୁ ଆସି ଶିବଧନୁକୁ ଉଠାଇ ନ ପାରି ଅପମାନିତ ହୁଏ । ରାମ ଶିବଧନୁ ଉତ୍ତୋଳନ କରି ସୀତାଙ୍କୁ ବିବାହ କରନ୍ତି । ଏହାପରେ ସୀତା ରାବୁଳ ଦ୍ୱାରା ଅପହୃତ ହୁଅନ୍ତି । ରାମ ନିଜର ବାନର ମିତ୍ରମାନଙ୍କ ସାହାଯ୍ୟରେ ଲଙ୍କା ଅବରୋଧ କରନ୍ତି ଏବଂ ଏକ କ୍ଷୁଦ୍ର ବିଭାଗରେ ସେ ସୀତାଙ୍କୁ ଲେଉଟାଇ ଆଣି ରାଜା ଭାବରେ ଅଭିଷିକ୍ତ ହୁଅନ୍ତି । କବି ଏହା ପରେ ଆଉଥରେ ସୀତାଙ୍କର ପରୀକ୍ଷା ଓ କ୍ଳେଶର କାହାଣୀକୁ ଲେଉଟନ୍ତି । ଲୋକାପବାଦ ପାଇ ଦେଶାନ୍ତରୀ ହେବାପରେ ସେ ଯମଜ ପୁତ୍ରସନ୍ତାନ ଜନ୍ମ ଦିଅନ୍ତି । ଯେଉଁମାନେ ବଡ଼ ହୋଇ ହୁଅନ୍ତି ମହାନ ବୀର । ସେମାନେ ରାମଙ୍କର ଯଜ୍ଞାଶ୍ୱକୁ ବନ୍ଦୀ କରନ୍ତି ଏବଂ ଅଶ୍ୱକୁ ରକ୍ଷା କରିବା ପାଇଁ ଉଦ୍ଧିଷ୍ଟ ସେନାକୁ ପରାସ୍ତ କରନ୍ତି । ଏହା ଫଳରେ ସେମାନେ ନିଜର ମାତାପିତାଙ୍କୁ ଶେଷଥର ପାଇଁ ଏକତ୍ର କରାନ୍ତି । ଏଠାରେ କେବଳ କଥାର ଗୁରୁତ୍ୱ ଅଲଗା ଆଲଗା ସେ କଥା ନୁହେଁ, କଥକ ଜଣକ ସବୁ ସ୍ଥାନରେ ସୀତା, ତାଙ୍କର ଯଉବନ, ତାଙ୍କର ଜନ୍ମ, ଜନକଙ୍କ ଦ୍ୱାରା ତାଙ୍କର ପାଳନ, ତାଙ୍କର ବିବାହ, ତାଙ୍କର ଅପହରଣ ତଥା ତାଙ୍କର ଲେଉଟାଣିକୁ ଫେରି ଆସିବା ପାଇଁ ବ୍ୟଗ୍ର । ତାଙ୍କର ଦେଶାନ୍ତର, ଗର୍ଭ ତଥା ସ୍ୱାମୀଙ୍କ ସହିତ ପୁନଃ-ଏକତ୍ରୀକରଣ ବିଷୟରେ ବିଭାଗମାନ, ରାମ ଓ ଲକ୍ଷ୍ମଣଙ୍କର ଜନ୍ମ, ବନବାସ ତଥା ରାବଣ ବିରୁଦ୍ଧରେ ଯୁଦ୍ଧ ଆଦି ବିଷୟର ବିଭାଗମାନଙ୍କର ଦୈର୍ଘ୍ୟ ସହତ ତୁଳନୀୟ । ଜଣେ ପୁରୁଷ ରାବଣଙ୍କର ଗର୍ଭରୁ ସାତାଙ୍କର ଅପ୍ରାକୃତିକ ଜନ୍ମ ଗପଟିକୁ ଗୋଟିଏ ନୂଆ ଆଙ୍ଗିକର ପ୍ରସ୍ଥାବନାମାନ ଆଣେ । ଭାରତୀୟ ସାହିତ୍ୟରେ ବାରମ୍ବାର ଦେଖାଯାଉଥିବା ପୁରୁଷଙ୍କର ଗର୍ଭ ଓ ସନ୍ତାନ ଜନ୍ମ ନେଇ ଇର୍ଷା, ବାପାମାନଙ୍କର ଝିଅମାନଙ୍କ ପ୍ରତି ଇଡିପୀୟ କାମନାର ଭାରତୀୟ ଥିମ୍ ତଥା ଏହି କ୍ଷେତ୍ରରେ ଜଣେ ଝିଅ ତା’ର ଅଗମ୍ୟଗମ୍ୟକ ପିତାର ମୃତ୍ୟୁର କାରଣ ବନିବା ଇତ୍ୟାଦି । ଅବଶ୍ୟ ରାବଣର କନ୍ୟା ହିସାବରେ ସୀତାଙ୍କର ପରିଚୟ ଅନ୍ୟଠାରେ ଅଜଣା ନୁହେଁ । ଜୈନ କଥାମାନଙ୍କର ଗୋଟିଏ ପରମ୍ପରାରେ (ଉଦାହରଣ ସ୍ୱରୂପ ବାସୁଦେବହିମ୍ବ୍ଦି ) ତଥା କନ୍ନଡ଼ ଏବଂ ତେଲୁଗୁ ଲୋକ ପରମ୍ପରାମାନଙ୍କର ଆଉ ଅନେକ ଦକ୍ଷିଣପୂର୍ବ ଏସୀୟ ରାମକଥାମାନଙ୍କର ଆମେ ଏହାକୁ ଦେଖିବାକୁ ପାଇବା । କେତେକ କଥାରେ ରାବଣ ନିଜର ଯୁବାବସ୍ଥାରେ ଜଣେ ଯୁବତୀର ଧର୍ଷଣ କରିବାରୁ ଯୁବତୀ ଜଣକ ପ୍ରତିଶୋଧର ବ୍ରତ ନେଇ ତାଙ୍କର ଝିଅ ହିସାବରେ ହିଁ ତାଙ୍କର ଧ୍ୱଂସ କରିବା ପାଇଁ ଆଉ ଥରେ ଜନ୍ମନିଏ । ଅତଏବ ବାଲ୍ମିକୀଙ୍କ ରାମାୟଣରେ ଦେଖାଯାଉନଥିବା ବିଷୟମାନ ଆମେ ବାଚନିକ ପରମ୍ପରାର ରାମକଥାମାନଙ୍କରେ ଦେଖିବାକୁ ପାଇବା । 

ଏକ ଦକ୍ଷିଣପୂର୍ବ ଏସୀୟ ଉଦାହରଣ


ଆମେ ଭାରତ ବାହାରକୁ ଦକ୍ଷିଣପୂର୍ବ ଏସୀଆକୁ ଗଲେ ତିବ୍ଦତ, ଥାଇଲାଣ୍ଡ୍ କିମ୍ବା ଲାଓ, କାମ୍ବୋଜ, ମାଲେସିଆ, ଜାଭା ତଥା ଇଣ୍ଡୋନେସିଆ ଆଦି ଦେଶମାନଙ୍କରେ ଭିନ୍ନ ପ୍ରକାରର ରାମକଥାମାନଙ୍କୁ ଭେଟିବା । ଏଠାରେ ଆମେ ଥାଇ ରାମକୀର୍ତ୍ତୀରୁ କେତୋଟି ଉଦାହରଣ ଦେଖିବା । ସନ୍ତୋଷ ଦେଶାଇଙ୍କ ଅନୁସାରେ ଥାଇ ଜନଜୀବନ ଉପରେ ରାମକଥା ଭଳି ପ୍ରଭାବ ଅନ୍ୟ କୌଣସି ହିନ୍ଦୁ ମୂଳର ଜିନିଷ ପକାଇପାରି ନାହିଁ । ବୌଦ୍ଧ ମନ୍ଦିରମାନଙ୍କର କାନ୍ଥରେ ଥିବା ଚିତ୍ର ଏବଂ କାରୁକାର୍ଯ୍ୟ, ଗ୍ରାମ ଏବଂ ନଗରମାନଙ୍କରେ ଅଭିନିତ ହେଉଥିବା ନାଟକମାନ, ଥାୟୀ ନୃତ୍ୟନାଟିକା, ଏହି ସବୁକିଛି ଉପରେ ରାମକଥାର ଛାପ ଆମେ ଦେଖିବାକୁ ପାଇବା । ଥାୟୀ ଭାଷାରେ ଜଣକ ପରେ ଜଣେ ଅନେକ ରାମନାମ୍ମୀ ରାଜା ରାମାୟଣର ବିଭିନ୍ନ ଅଧ୍ୟାୟମାନ ଲେଖିଯାଇଛନ୍ତି । ରାଜାରାମ ପ୍ରଥମ ପଚାଶ ହଜାର ଶ୍ଳୋକର ଏକ ରାମାୟଣ ରାଚନା କରିଛନ୍ତି । ଏଥିରେ ରାଜା ରାମ ଦ୍ୱିତୀୟ ନୃତ୍ୟ ନିମନ୍ତେ ଅନେକ ଅଧ୍ୟାୟ ଯୋଡ଼ିଥିଲେ । ସେହିପରି ରାଜା ଷଷ୍ଠ ରାମ ଏଥିରେ ବାଲ୍ମିକୀ ରାମାୟଣରୁ ଉଦ୍ଧୃତ ଅନେକ ଅଧ୍ୟାୟ ସନ୍ନିବେଶିତ କଲେ । ରାମାୟଣର ଅନେକ ଯାଗାଗୁଡ଼ିକର ନାମ ରାମଙ୍କର ସହିତ ସମ୍ବନ୍ଧିିତ ଅନେକ କିମ୍ବଦନ୍ତି ସହିତ ଜଡ଼ିତ; ଲୋପପୂରୀ (ସଂସ୍କୃତର ଲବପୂରୀ, ଖିଦ୍କିନ୍ (ସଂସ୍କତର କିସ୍କିନ୍ଦା ଏବଂ ଖେମର ଓ ଥାୟୀ କଳାର ଭଗ୍ନାବେଶରେ ପୂର୍ଣ୍ଣ ଅୟୁଥିଆ (ସଂସ୍କୃତରେ ଅଯୋଧ୍ୟା) କୁ ଆମେ ଉଦାହରଣ ଭାବରେ ନେଇପାରିବା । ଥାୟୀ ରାମକିର୍ତ୍ତୀ କିମ୍ବା ରାମ କିଏନ୍ (ରାମ କଥା) ମାନବ, ଦାନ ତଥା ବାନର ଆଦି ତିନିପ୍ରକାରର ଚରିତ୍ରମାନଙ୍କର ପ୍ରଜନ୍ମର ଆଖ୍ୟାନ ସହିତ ଆରମ୍ଭ ହୁଏ । କାଣ୍ଡର ଦ୍ୱିତୀୟ ଭାଗ ରାମ ଏବଂ ତାଙ୍କର ଭ୍ରାତାମାନଙ୍କର ଦାନବମାନଙ୍କ ସହିତ ପ୍ରଥମ ଭେଟ, ରାମଙ୍କର ବିବାହ ଏବଂ ବନବାସ ଓ ସୀତାଙ୍କର ଅପହରଣ ତଥା ରାମଙ୍କର ବାନରକୁଳ ସହିତ ଭେଟର ବର୍ଣ୍ଣନା କରନ୍ତି । ଏହା ଯୁଦ୍ଧ ପାଇଁ ପ୍ରସ୍ତୁତି, ହନୁମାନଙ୍କର ଲଙ୍କାଗମନ ଏବଂ ଲଙ୍କା ଦହନ, ସେତୁବନ୍ଧ ନିର୍ମାଣ, ଲଙ୍କା ଅବରୋଧ, ରାବଣଙ୍କର ପତନ, ତଥା ସୀତାଙ୍କ ସହିତ ରାମଙ୍କର ପୁନଃର୍ମିଳନର ବର୍ଣ୍ଣନା କରେ । ତୃତୀୟଭାଗ ଲଙ୍କାରେ ଏକ ବିଦ୍ରୋହର ବର୍ଣ୍ଣନା କରେ ଯାହାକୁ ଶାନ୍ତ କରିବା ପାଇଁ ରାମ ତାଙ୍କ ଦୁଇ ଅନୁଜଙ୍କୁ ପଠାନ୍ତି । ଏହି ଭାଗ ସୀତା ବନବାସ, ଲବକୁଶଙ୍କର ଜନ୍ମ, ସେମାନଙ୍କର ରାମଙ୍କ ସହିତ ଯୁଦ୍ଧ, ସୀତାଙ୍କର ଭୂସମାଧି ତଥା ରାମ ଏବଂ ସୀତାଙ୍କର ପୁର୍ନମିଳନ ନିମନ୍ତେ ଦେବତାମାନଙ୍କର ଆଗମନ ଆଦି ବିଷୟ ବର୍ଣ୍ଣନା କରେ । ଯଦିଓ ବାଲ୍ମିକୀ ରାମାୟଣର ଅନେକ ଘଟଣା ଏଠାରେ ମଧ୍ୟ ଘଟେ, ଅନେକ ଜିନିଷର ରୂପ ଏଠାରେ ଅଲଗା । ଯଥା ଦକ୍ଷିଣ ଭାରତୀୟ ଲୋକ ରାମାୟଣମାନ ଓ ଜୈନ, ବଙ୍ଗାଳି ଓ କାଶ୍ମିରୀ ରାମାୟଣମାନଙ୍କ ପରି ଏଠାରେ ମଧ୍ୟ ସୀତାଙ୍କର ବନବାସର କାରଣ ନିମନ୍ତେ ଏକ ନାଟକୀୟ ତର୍କ ପ୍ରସ୍ତାବ କରାଯାଏ ।

ସୂପର୍ଣ୍ଣଖାର ଝିଅ ସୀତାଙ୍କୁ ନିଜର ମାତାଙ୍କର ନାସାକର୍ଣ୍ଣ ଛେଦନର ପ୍ରତିଶୋଧ ନେବା ପାଇଁ ଅପେକ୍ଷା କରି ବସିଛି । ସେଥି ନିମନ୍ତେ ସେ ଅଯୋଧ୍ୟା ଆସି ସୀତାଙ୍କର ଉଆସରେ ଦାସୀ ହିସାବରେ କାମ କରିବାକୁ ଆରମ୍ଭ କରେ । ଥରେ ସେ ସୀତାଙ୍କୁ ରାବଣଙ୍କର ଗୋଟିଏ ଚିତ୍ର ଆଙ୍କିବା ପାଇଁ ପ୍ରରୋଚିତ କରେ । ଗଳ୍ପର କିଛି ରୂପରେ ଏହି ଚିତ୍ରଟିକୁ ଲିଭାଇବା ଅସମ୍ଭବ ହୋଇପଡ଼େ । କାହାଣୀର ଅନ୍ୟ କେତେକ ରୂପରେ ଚିତ୍ରଟି ଜୀବନ୍ତ ରୂପ ଧାରଣ କରେ । ଉଭୟ କ୍ଷେତ୍ରରେ ରାମଙ୍କର ଆଖିକୁ ଏହି ଘଟଣାଟି ଆସେ । ଇର୍ଷାର ଜ୍ୱାଳାରେ ସେ ସୀତାଙ୍କୁ ମୃତ୍ୟୁଦଣ୍ଡ ଦିଅନ୍ତି । ଦୟାବାନ ଲକ୍ଷ୍ମଣ ସୀତାଙ୍କୁ ନ ମାରି ବନରେ ଛାଡ଼ି ଆସନ୍ତି । ଯଦିଓ ପ୍ରାଣଦଣ୍ଡର ସାକ୍ଷ୍ୟ ସ୍ୱରୂପ ଗୋଟିଏ ମୃଗର ହୃଦୟ ସେ ଘେନିଯାଆନ୍ତି ।

ଏହି ଥାୟୀ କାହାଣୀରେ ରାମ ଏବଂ ସୀତାଙ୍କର ପୁର୍ନମିଳନ ମଧ୍ୟ ଭିନ୍ନ ଭାବରେ ହୁଏ । ରାମ ଯେତେବେଳେ ଜାଣିପାରନ୍ତି ଯେ ସୀତା ଅଦ୍ୟପି ଜୀବିତ, ସେ ନିଜେ ମୃତ ବୋଲି ପ୍ରଚାର କରନ୍ତି । ଏହା ସେ କରନ୍ତି ସୀତାଙ୍କୁ ଲେଉଟାଇ ଆଣିବା ପାଇଁ । ସୀତା ତାଙ୍କୁ ଦେଖିବା ପାଇଁ ଦୌଡ଼ି ଆସନ୍ତି, ମାତ୍ର ଯେତେବେଳେ ସେ ଜାଣିପାରନ୍ତି ଯେ ସେ ପ୍ରବଞ୍ଚନାର ଶିକାର ହୋଇଛନ୍ତି, ସେ କ୍ରୋଧରେ ଫାଟି ପଡ଼ନ୍ତି । ଅସହାୟ କ୍ରୋଧରେ ସେ ଭୂଦେବୀକୁ ତାଙ୍କୁ ଗ୍ରହଣ କରିନେବା ପାଇଁ ପ୍ରାର୍ଥନା କରନ୍ତି । ହନୁମାନଙ୍କୁ ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କୁ ପାତାଳ ଦେଶକୁ ପଠାଯାଏ । ମାତ୍ର ସେ ଲେଉଟିବା ପାଇଁ ମନା କରନ୍ତି । ଶେଷକୁ ଶିବଙ୍କର ଶ୍ରମ ବଳରେ ରାମ ଏବଂ ସୀତା ଏକତ୍ର ହୁଅନ୍ତି ।

ପୁନଃ, ଜୈନ ଏବଂ ଦକ୍ଷିଣ ଭାରତୀୟ ଲୋକଗାଥାମାନଙ୍କର ଉଦାହରଣ ପରି ଏହି ଥାୟୀ ରାମାୟଣରେ ସୀତାଙ୍କର ଜନ୍ମର ବିବରଣୀ ବାଲ୍ମିକୀଙ୍କର ଲିଖିତ ବିବରଣୀ ଠାରୁ ଭିନ୍ନ । ଏଠାରେ ଦଶରଥଙ୍କର ଯଜ୍ଞ ପରେ ତାଙ୍କୁ ଯଜ୍ଞର ଫଳସ୍ୱରୂପ ଏକ ଅନ୍ନର ଲଡ଼ୁ ମିଳେ । ବାଲ୍ମିକୀ ବର୍ଣ୍ଣିତ ଚାଉଳ ଖିରି ନୁହେଁ । ଏଥିରୁ ଗୋଟିଏ କାକ କିଛି ଚାଉଳ ଚୋରେଇ ନେଇ ରାବଣଙ୍କର ସ୍ତ୍ରୀଙ୍କୁ ଦିଏ । ସେ ଏହା ଖାଆନ୍ତି ଓ ସୀତାଙ୍କୁ ଜନ୍ମ ଦିଅନ୍ତି । ତାଙ୍କର ନିଜ ଝିଅ ଯେ ତାଙ୍କ ମୃତ୍ୟୁର କାରଣ ବନିବ, ଏହିପରି ଏକ ଭବିଷ୍ୟବାଣୀ ଶୁଣିବା ପରେ ରାବଣ ସୀତାଙ୍କୁ ସମୁଦ୍ରକୁ ଫିଙ୍ଗି ଦିଏ । ସମୁଦ୍ରର ଦେବୀ ସୀତାଙ୍କୁ ରକ୍ଷା କରନ୍ତି ଓ ତାଙ୍କୁ ଜନକଙ୍କ ପାଖକୁ ନିଅନ୍ତି ।

ଆହୁରି, ରାମ ବିଷ୍ଣୁଙ୍କର ଅବତାର ବୋଲି ଗଣା ହେଲେ ମଧ୍ୟ ଥାଇଲାଣ୍ଡ୍ ରେ ସେ ଶିବଙ୍କଠାରୁ ବଡ଼ ନୁହନ୍ତି । ତାଙ୍କୁ ମୂଳତଃ ଏକ ମାନବୀୟ ବୀର ଭାବରେ ଧରାଯାଏ । ରାମକିର୍ତ୍ତୀକୁ ଏକ ଧାର୍ମିକ ପୁସ୍ତକ ହସାବରେ ଗଣାଯାଏ ନାହିଁ । ଯଦିଓ ଥାଇଲାଣ୍ଡ୍ ରେ ଲୋକମାନେ ଏହି କଥାକୁ ଏକ ଦୃଷ୍ଟାନ୍ତମୂଳକ ଉପାଖ୍ୟାନ ହିସାବରେ ଗ୍ରହଣ କରନ୍ତି, ତଥା ନିଜ ଜୀବନକୁ ଏହା ଉପରେ ଆଧାରିତ କରିବାକୁ ଚେଷ୍ଟା କରନ୍ତି । ଥାୟୀମାନେ ମୁଖ୍ୟତଃ ସୀତାଙ୍କର ଅପହରଣ ତଥା ଯୁଦ୍ଧର ବର୍ଣ୍ଣନା ଥିବା ଅଧ୍ୟାୟଗୁଡ଼ିକୁ ଅଧିକ ଉପଭୋଗ କରନ୍ତି । ହିନ୍ଦୁ ରାମକଥାଗୁଡିକର କେନ୍ଦ୍ରରେ ଥିବା ମିଳନ ଓ ବିଚ୍ଛେଦମାନ ଏଠାରେ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯୁଦ୍ଧ, ଯୁଦ୍ଧ ବିଦ୍ୟା ତଥା ଅଲୌକିକ ଶସ୍ତ୍ର ଆଦିମାନଙ୍କର ବର୍ଣ୍ଣନା ଏଠାରେ ଅଧିକ ଗୁରୁତ୍ୱପୂର୍ଣ୍ଣ । ଥାୟୀ ରାମକିର୍ତ୍ତୀର ଯୁଦ୍ଧ କାଣ୍ଡ ଅନ୍ୟ କୌଣସି କାଣ୍ଡ ଅପେକ୍ଷା ଅଧିକ ବିସ୍ତୃତ ତଥା ବର୍ଣ୍ଣନାପୂର୍ଣ୍ଣ । ମାତ୍ର କନ୍ନଡ଼ ଲୋକ ରାମାୟଣମାନଙ୍କରେ ଏସବୁର ବର୍ଣ୍ଣନା ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଦେଶାଇ କୁହନ୍ତି କି ଯୁଦ୍ଧ ଉପରେ ଏହି ଥାୟୀ ଗୁରୁତ୍ୱ ମହତ୍ୱପୂର୍ଣ୍ଣ ଅଟେ । ଥାୟୀ ଇତିହାସ ଯୁଦ୍ଧପୂର୍ଣ୍ଣ ତଥା ବଞ୍ଚି ରହିବା ତାଙ୍କ ପାଇଁ ଏକ ବିରାଟ ଚିନ୍ତାର ବିଷୟ ଥିଲା । ଏଣୁ ରାମକିର୍ତ୍ତୀ ପାରିବାରିକ ମୂଲ୍ୟବୋଧ ତଥା ଆଧ୍ୟାତ୍ମିକତା ଉପରେ ବେଶୀ ଗୁରୁତ୍ୱ ଦିଏନାହିଁ । ରାମଙ୍କ ଅପେକ୍ଷା ହନୁମାନଙ୍କୁ ଏହି ରାମକଥା ବେଶୀ ଭଲପାଏ । ହିନ୍ଦୁ ରାମାୟଣ ପରି ହନୁମାନ ଏଠାରେ ନା ଭକ୍ତ ନା ବ୍ରହ୍ମଚାରୀ । ରାମକିର୍ତ୍ତୀରେ ହନୁମାନ ଜଣେ କାମିନୀରଙ୍କା ବ୍ରାହ୍ମଣ ଯିଏ ଲଙ୍କାର ଅନ୍ତପୁରମାନଙ୍କୁ ଦେଖିବା ପୂର୍ବରୁ କିଛି ବେଶୀ ଚିନ୍ତାକରେ ନାହିଁ । ବାଲ୍ମିକୀ କିମ୍ବା କମ୍ବରଙ୍କର ହନୁମାନ ପରି ସେ ଶୟନରତା ପରଦାରାକୁ ଦେଖିବା ଅନୀତି ବୋଲି ଭାବନ୍ତି ନାହିଁ ।

ଏଠାରେ ରାବଣ ମଧ୍ୟ ଭିନ୍ନ । ରାମକିର୍ତ୍ତୀ କାବ୍ୟଟି ରାବଣର ଜ୍ଞାନ ଓ ଯୋଗାଡ଼ିଆପଣକୁ ପ୍ରଶଂସାପୂର୍ଣ୍ଣ ଚକ୍ଷୁରେ ଦେଖେ । ତାଙ୍କ ଦ୍ୱାରା ସୀତାଙ୍କର ଅପହରଣକୁ ପ୍ରେମର ଫଳଶୃତି ବୋଲି ଦେଖୁଥିବାରୁ ଏହି ଅପହରଣ ପ୍ରତି ସମବେଦନା ସୁସ୍ପଷ୍ଟ । ଜଣେ ନାରୀ ପାଇଁ ରାବଣର ନିଜ ପରିବାର, ରାଜ୍ୟ ଓ ଜୀବନ ତ୍ୟାଗକୁ ଥାୟୀମାନେ ଉଦାର ଭାବରେ ଗ୍ରହଣ କରନ୍ତି । ମୃତ୍ୟୁ ସମୟରେ ତାଙ୍କର କଥା ଉନବିଂଶ ଶତାବ୍ଦୀର ଏକ ପ୍ରସିଦ୍ଧ ପ୍ରେମ କବିତା କଥା ବ୍ୟାଙ୍କକ୍ ର ଗୋଟିଏ ୱାଟ୍ ର ଶିଳାଲେଖର ବିଷୟବସ୍ତୁ । ଥାୟୀ ଚରିତ୍ରମାନ ବାଲ୍ମିକୀଙ୍କର ଚରିତ୍ର ପରି ନୁହନ୍ତି । ସେମାନେ ଭଲ ଓ ଭେଲର ଏକ ମାନବୀୟ ଶ୍ରମିଶ୍ରଣର ଫଳଶୃତି ତଥା ଭ୍ରାନ୍ତିଯୁକ୍ତ । ଏଠାରେ ରାବଣର ପତନ ଅବସାଦ ଜନ୍ମାଏ । ବାଲ୍ମିକୀ ରାମାୟଣ ପରି ରାବଣଙ୍କର ପତନରେ ଅମିଶ୍ରିତ ଆହ୍ଲାଦ ଆମେ ଏଠାରେ ପାଇବା ନାହିଁ । 

No comments:

Post a Comment