Tuesday, November 17, 2015

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ





ପ୍ରଥମ ପ୍ରକାଶ – ୧୮୮୭



ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୧୧ - ୧୮ 


ଶ୍ରୀ ଭଗବାନୁବାଚ 


ଅଶୋଚ୍ୟାନନ୍ୱଶୋଚ୍ୟସ୍ ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ।
ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ ।୧୧।

ହେ ଅର୍ଜ୍ଜୁନ ବୋଲୁଅଛୁ, କଥା ଜ୍ଞାନୀ ପରି । ମାତ୍ର ବୋଲୁନାହଁ ଜ୍ଞାନକଥା ଅନୁସରି।।
ନ ଅଟନ୍ତି ଶୋଭନୀୟ ଯେଉଁ ବନ୍ଧୁଗଣ । ସେମାନଙ୍କ ପାଇଁ ଶୋକ କର ଆକାରଣ ।।
ମୃତ ବା ଜୀବିତ ବନ୍ଧୁମାନଙ୍କ ନିମନ୍ତେ । ଶୋଚନା କରନ୍ତି ନାହିଁ କଦାଚ ପଣ୍ଡିତେ । ୧୧।

ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧୀପାଃ ।
ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍ । ୧୨।

ଆମ୍ଭେ ତୁମ୍ଭେ ପୁଣ ଏହି ନରପତି ଗଣ । ପୂର୍ବକାଳେ ସର୍ବ ଲୋକେ ଥିଲେ ବର୍ତ୍ତମାନ ।।
ବର୍ତ୍ତମାନ ଅଛୁ ପୁଣି ଥିବେ ଭବିଷ୍ୟତେ । ଶୋଚନା କରୁଛ ତେବେ ବୋଲି କି ନିମନ୍ତେ । ୧୨। 

ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ୟୌବନଂ ଜରା ।
ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି । ୧୩ ।

ଦେହମାନେ ଏ ସଂସାରେ ଯେଉଁପରି ଜାଣ । କୌମାର ଯୌବନ ଜରା ପ୍ରାପ୍ତ ହୋନ୍ତି ପୁଣ ।।
ହେହି ପରି ଏହି ଦେଶ ନାଶ ହୋଇଗଲେ । ଆଉ ଏକ ଦେହ ପ୍ରାପ୍ତ ହୁଅନ୍ତି ସେ ଭଲେ ।।
ଏଥିରେ କିମ୍ପାଇଁ ତୁମ୍ଭେ କରୁଛ ଶୋଚନା । ଜ୍ଞାନୀଏଁ ନୁହନ୍ତି ଏଥି ନିମନ୍ତେ ବିମନା । ୧୩ ।

ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।
ଆଗମାପାୟିନୋଽନିତ୍ୟାସ୍ତାଂସ୍ତିତିକ୍ଷସ୍ୱ ଭାରତ । ୧୪।

ଶୀତ ଉଷ୍ଣ ସୁଖ ଦୁଃଖ ଭୁଞ୍ଜନ୍ତି ଇନ୍ଦ୍ରିୟ । କେବେବା ଜନ୍ମଇ ଏହା କେବେ ପାଏ ଲୟ ।।
କିମ୍ପା ଚିନ୍ତା କର କ୍ଷଣସ୍ଥାୟୀ ବିଷୟରେ । ଶୋଚନା କରନ୍ତି ନାହିଁ ଏ କଥାକୁ ଧୀରେ । ୧୪।

ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଉ । 
ସମଦୁଃଖସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ । ୧୫ ।

ଏ ସମ୍ବନ୍ଧ ଯେମାନଙ୍କୁ ନ କରେ ବ୍ୟଥିତ । ସେହିମାନେ ମୁକ୍ତି ଲାଭ ପାଇଁ ଉପଯୁକ୍ତ ।୧୫।

ନାସତୋ ବିଦ୍ୟତେ ଭାବୋ ନାଭୋବୋ ବିଦ୍ୟତେ ସତଃ । 
ଉଭୟୋରପି ଦୃଷ୍ଟୋଽନ୍ତସ୍ ତ୍ୱ ଅନୟୋସ୍ ତତ୍ତ୍ୱଦର୍ଶିଭିଃ । ୧୬ ।

ଅସତ ସ୍ୱଭାବ କିମ୍ବା, ସତ୍ୟର ଅଭାବ । ନ ହୁଅଇ କଦାଚିତ ଜାଣ ହେ ପାଣ୍ଡବ ।।
ଏହି ଦୁଇ ପରିଣାମ ତତ୍ତ୍ୱଦର୍ଶୀମାନେ । ଦେଖିଛନ୍ତି ବିଶେଷରେ ଆତ୍ମତତ୍ତ୍ୱଜ୍ଞାନେ । ୧୬ ।

ଅବିନାଶି ତୁ  ତଦ୍ ବିଦ୍ଧି ୟେନ ସର୍ବମିଦଂ ତତମ୍ ।
ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ୍ କର୍ତ୍ତୁମର୍ହତି । ୧୭ ।

ଅବିନାଶୀ ଆତ୍ମା ଏହି ଶରୀର ମଧ୍ୟରେ । ସାକ୍ଷୀ ରୂପେ ଅବସ୍ଥିତ ଥାନ୍ତି ନିରନ୍ତରେ ।।
ଦେହ ମଧ୍ୟ ସ୍ଥିତ  ଆତ୍ମା ଅକ୍ଷୟ ପୁରୁଷ । କେହି କରିପାରେ ନାହିଁ ତାହାକୁ ବିନାଶ । ୧୭।

ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।
ଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ ୟୁଦ୍ଧସ୍ୟ ଭାରତ । ୧୮।

ତତ୍ତ୍ୱଦର୍ଶୀ ଜ୍ଞାନୀଗଣ କରନ୍ତି ବିଚାର । ଅନିତ୍ୟ ଅଟଇ ଏହି ଭୌତିକ ଶରୀର ।।
ଅବିନାଶୀ ଅପ୍ରମେୟ ଆତ୍ମା ଯେ ଅଟଇ ।  ଏକଥା ବିଚାରି ଯୁଦ୍ଧ କର ମନ ଦେଇ । ୧୮ ।  

No comments:

Post a Comment