Tuesday, November 10, 2015

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ପ୍ରଥମ ପ୍ରକାଶ – ୧୮୮୭



ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୧ - ୧୦



ଦ୍ୱିତୀୟୋଽଧ୍ୟାୟଃ ।


ସାଂଖ୍ୟ ୟୋଗଃ 


ସଞ୍ଜୟ ଉବାଚ 



ତଂ ତଥା କୃପୟାବିଷ୍ଟମଶ୍ରୁ ପୂର୍ଣ୍ଣାକୁଳେକ୍ଷଣମ୍ ।
ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ । ୧।

କୃପାଳୁ ବିଷଣ୍ଣ ଅଶ୍ରୁପୂର୍ଣ୍ଣ ନେତ୍ର ପାର୍ଥେ । ବୋଇଲେ ଏମନ୍ତ କଥା ପ୍ରଭୁ ଗୋପୀନାଥେ । ୧।

କୃତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ତିତମ୍ ।
ଅନାର୍ୟଜୁଷ୍ଟମସ୍ୱର୍ଗମକୀର୍ତ୍ତିକରମର୍ଜ୍ଜୁନ । ୨ ।

ଏପରି ବିଷମ କାଳେ ବୋଲେ ପାର୍ଥବୀର । ଅନାର୍ଯ୍ୟ ଅସ୍ୱର୍ଗ ଯାହା ନୁହେଁ କୀର୍ତ୍ତିକର । ।
ସର୍ବଦା କରନ୍ତି ନିନ୍ଦା ଯାହା ସାଧୁ ଜନ । ଉପସ୍ଥିତ ହେଲା ତୁମ୍ଭ ମୋହ କି କାରଣ । ୨।

କ୍ଲୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱଯ୍ୟୁପପଦ୍ୟତେ ।
କ୍ଷୁଦ୍ରଂ ହୃଦୟ-ଦୌର୍ବଲ୍ୟଂ ତ୍ୟକ୍ତୋତ୍ତିଷ୍ଠ ପରନ୍ତପ । ୩।

ନକର ଅର୍ଜୁନ ତୁମ୍ଭେ କ୍ଲୂୀବତ୍ତ୍ୱ ଆଶ୍ରୟ । ତୁମ୍ଭ ପକ୍ଷେ ନୁହେ ଏହା ଉଚିତ ସମୟ ।।
କ୍ଷୁଦ୍ର ହୃଦେ ଜାତ ହୁଏ ଯେଉଁ ଦୁର୍ବଳତା । ପରିତ୍ୟାଗ କର ତାହା ଆହେ ମହାରଥା । ୩।

ଅର୍ଜ୍ଜୁୁନ ଉବାଚ


କଥାଂ ଭୀଷ୍ମମହଂ ସଂଖ୍ୟେ ଦ୍ରୋଣଞ୍ଚ ମଧୁସୂଦନ ।
ଇଷୁଭିଃ ପ୍ରତିୟୋତ୍ସାମି ପୂଜାର୍ହାବରିସୂଦନ ।୪।

ପୂଜନୀୟ ଦୁଇଜଣ ଭୀଷ୍ମ ପୁଣି ଦ୍ରୋଣ । କିପରି କରିବି ସେମାନଙ୍କ ସଙ୍ଗେ ରଣ ।।
ଯୁଦ୍ଧ କଥା ସେମାନଙ୍କୁ ବୋଲି ନ ଯୋଗାଇ । କିପରି ପେଷିବି ଶର ସେମାନଙ୍କୁ ଚାହିଁ । ୪।

ଗୁରୁନହତ୍ୱା ହି ମହାନୁଭାବାନ୍ ଶ୍ରେୟୋଭୋକ୍ତୁଂ ଭୈକ୍ଷ୍ୟମପୀହଲୋକେ । 
ହତ୍ୱାର୍ଥକାମାସ୍ତୁଂ ଗୁରୁନିର୍ହୈବ ଭୁଞ୍ଜୀୟ ଭୋଗାନ୍ ରୁଧିରପ୍ରଦିଗ୍ଧାନ୍ । ୫ ।

ଗୁରୁଜନ ମାନଙ୍କୁ ଟି ଯେବେ ନ ବଧିଣ । ଭିକ୍ଷା ଦ୍ୱାରା କରିବୁଁ ହେ ଜୀବନ ଧାରଣ ।।
ତାହା ବରଂ ଶ୍ରେୟ ଅଟେ ଆମ୍ଭର ବିଚାରେ । ଗୁରୁଜନ ବିନାଶିବା ନୁହଇ ବେଭାରେ ।।
ରକ୍ତାକ୍ତ କାମାର୍ଥ ହୋଇ କରିବା ଭୋଜନ । ଅନୁଚିତ ଅଟେ ଜାଣ ହେ ମଧୁସୂଦନ ।୫।

ନ ଚୈତଦ୍ ବିଦ୍ମଃ କତରନୋଗରୀୟୋ ୟଦ୍ ବାଜୟେମ ଯଦିବା ନୋ ଜୟେୟୁଃ ।
ଯାନେବ ହତ୍ୱା ନ ବୀଜୀଷାମ ସ୍ତେଽବିସ୍ଥିତାଃ ପ୍ରମୁଖେ ଧାର୍ତ୍ତରାଷ୍ଟ୍ରଃ । ୬।

ଏହି ଘୋର ଯୁଦ୍ଧ ମଧ୍ୟେ ଜୟ ଯେ ଅଜୟ । କାହାର ଅଧିକ ହେବ ନଜାଣ ନିଶ୍ଚୟ ।।
ଏହି ଯୁଦ୍ଧ ମଧ୍ୟେ ଯେଉଁ ମାନଙ୍କୁ ବିନାଶ । କରି ପୂର୍ଣ୍ଣ ନୋହିବ ଯେ ଆମ୍ଭ ଅଭିଳାଷ ।।
ସେବି ଧୃତରାଷ୍ଟ୍ର ରାଜାଙ୍କର ପୁତ୍ରମାନେ । ଆବସ୍ଥିତ ହୋଇଛନ୍ତି ଆମ୍ଭ ବିଦ୍ୟମାନେ । ୬ ।

କାର୍ପଣ୍ୟଦୋଷୋପହତସ୍ୱଭାବଃ ପୃଚ୍ଛାମି ତ୍ୱାଂ ଧର୍ମସମୂଢ ଚେତାଃ ।
ୟଚ୍ଛ୍ରେୟଃସ୍ୟାନ୍ନିଶ୍ଚିତଂ ବ୍ରୁହି ତନ୍ନେ ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ । ୭ ।

କୁଳ କ୍ଷୟେ ଜାତ ହୁଏ ଯେଉଁ ଯେଉଁ ଦୋଷ । ସେହି ଦୋଷୁଁ ହୋଇଅଛି ଆମ୍ଭ ବୁଦ୍ଧି ନାଶ ।।
ବୁଦ୍ଧିନାଶ ହୋଇବାରୁ ଧର୍ମ-ଅନ୍ଧ-ଚିତ୍ତ । ହୋଇ ମୁହିଁ ପଚାରୁଛି ଆହେ ଗୋପୀନାଥ ।।
ତୁମ୍ଭ ଶିଷ୍ୟ ଅଟେ ଯେଣୁ ମୁହିଁ ଭଗବାନ । ପାଦପଦ୍ମେ ପଶିଅଛି ପୁଣି ଯେ ଶରଣ ।।
ଆମ୍ଭପକ୍ଷେ ଯେଉଁ କଥା ଅଟଇ ଉଚିତ । ଅନୁଗ୍ରହ କରି ତାହା କହ ଜରନ୍ନାଥ ।୭।

ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍ ୟଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ।
ଅବାପ୍ୟ ଭୂମାବସପତ୍ନମୃଦ୍ଧଂ ରାଜ୍ୟଂ ସୁରାଣାମପି ବାଧିପତ୍ୟମ୍ । ୮।

ଅକଣ୍ଟକ ରାଜ୍ୟ କିମ୍ବା ସ୍ୱର୍ଗର ରାଜତ୍ତ୍ୱ । ପାଇଲେ ହେଁ ହେବ ନିଶ୍ଚେ ଇନ୍ଦ୍ରିୟ ସନ୍ତପ୍ତ ।୮।

 ସଞ୍ଦୟ ଉବାଚ 


ଏବମୁକ୍ତ୍ୱା ହୃଷୀକେଶଂ ଗୁଡାକେଶଃ ପରନ୍ତପଃ ।
ନ ଯୋତ୍ସ୍ୟ ଇତି ଗୋବିନ୍ଦମୁକ୍ତ୍ୱା ତୂଷ୍ଣୀଂ ବଭୂବ ହ ।୯।

ଫାଲଗୁନୀ ହୃଷୀକେଶେ ଏତେକଥା ବୋଲି । ମଉନ ହୋଇଲେ ଯୁଦ୍ଧ ନ କରିବି ବୋଲି ।୯।

ତମୁବାତ ହୃଷୀକେଶଃ ପ୍ରହସନ୍ନିବ ଭାରତ ।
ସେନୟୋରୁଭୟୋର୍ମଧ୍ୟେ ବିଷୀଦନ୍ତମିଦଂ ବଚଃ । ୧୦।

ଯୁଦ୍ଧମଧ୍ୟେ ବିଷଣ୍ଣ ବଦନେ ଅରଜୁନେ । ସମ୍ବୋଧିଲେ ହୃଷୀକେଶ ସହାସ୍ୟ ବଦନେ । ୧୦।

No comments:

Post a Comment