ପିଲାଙ୍କ ଗୀତ - ଧୋ'ରେ ବାଇଆ ଧୋ'
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୧୮୯୭ - ୧୯୭୮)
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ଧୋ' ରେ ବାଇଆ ଧୋ'
ଯୋଉ କିଆରିରେ ଗହଳ ମାଣ୍ଡିଆ
ସେଇ କିଆରୀରେ ଶୋ ।୦।
ଉଞ୍ଚ ପରବତ କୁଞ୍ଚିକୁଞ୍ଚିକା ଲୋ
ନିଦୁରୁ ମାଉସୀଘର
ଆ' ଲୋ ମାଉସୀ ଶୁଆଇ ଦେଇ ଯା'
କଳାକାଇଞ୍ଚକୁ ମୋର । ୧।
ଝିରି ଝିରି ପାଣି ଝରଣାକୂଳେ ଲୋ
ଝୁଲୁଛି ବାଇଆ ହାତୀ,
ମୋ ବାଇଆ ହାତୀ କୋଳରେ ଝୁଲଇ
ପାହି ଯିବାଯାଏଁ ରାତି ।୨।
ବାଇଆ ଧନକୁ ନିଦ ମାଡିଲାଣି
ଘନ ଘନ ମାରେ ହାଇ,
ଘୂମାଇ ପଡ଼ ରେ ମୋ ରଙ୍କପସରା
ଦୁଧ କଳେ କଳେ ଖାଇ ।୩।
ମୂଳ ରଚନା କବିଚନ୍ଦ୍ର ଗୀତାବଳୀର ଚତୁର୍ଥ ଖଣ୍ଡରେ ଅନ୍ତର୍ଭୁକ୍ତ । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।
No comments:
Post a Comment