Friday, November 27, 2015

ପିଲାଙ୍କ ଗୀତ - ଆ' ଜହ୍ନମାମୁଁ 


କବି - ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩)



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ଆ ଜହ୍ନମାମୁଁ ଓହ୍ଲେଇ ଆ'
ମୋ ଧନମଣିକି ଗେହ୍ଲେଇ ଯା,
ଟିକାଟିଏ ଯା' ଦେଇ, 
ମୁଣ୍ଡେ ଟିକା ନାଇ ଧନମଣି ମୋର 
ନାଚିବ ତା'-ଧେଇ-ଧେଇ ।

ଆ ଜହ୍ନମାମୁଁ ଶରଗଶଶୀ
ମୁରୁକି ମୁରୁକି ଦବୁଟି ହସି 
ହସିବ ମୋ ଧନମଣି,
ତୋ' ହସ ମିଠା କି ଧନ ହସ ମିଠା
ହେବ ସିନା ଜଣାଜଣି ।
ଆ' ଜହ୍ନମାମୁଁ ଖେଳିବା ପୁଚି
ମେଘ ଉହାଡରେ ଯାଆନା ଲୁଚି 
ଗଡି ଯାଉଅଛି ବେଳ,
ଧମମଣି ସାଙ୍ଗେ ଖେଳିବୁ ନାହିଁକି
ଆସି ଲୁଚକାଳି ଖେଳ ?

ଆ' ଜହ୍ନମାମୁଁ କତିକି ଧାଇଁ
ଧନା ପରା ତୋତେ ରହିଛି ଚାହିଁ -
ଅଗଣାରେ ଶେଯ ପାରି,
ଥକା ହୋଇ ଦୁହେଁ ଶୋଇପଡିବ ରେ
ନିଦ ଯେବେ ଦେବ ଘାରି ।

ମୂଳ ରଚନା 'ଜହ୍ନମାମୁଁ' ପତ୍ରିକାର ଫାଲ୍ଗୁନ ୧୩୩୯ ସଂଖ୍ୟାରେ ପ୍ରକାଶିତ । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ । 


No comments:

Post a Comment