Monday, November 02, 2015

ତିନିଶହ ରାମାୟଣ - ୧


ଏ.କ. ରାମାନୁଜନ୍




ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 



[ ସମ୍ପାଦକୀୟ ନୋଟ୍ - ବିଶିଷ୍ଟ କବି, ଲେଖକ ଓ ଆଲୋଚକ ଏ.କ. ରାମାନୁଜନ୍ ଙ୍କର ପ୍ରସିଦ୍ଧ ପ୍ରବନ୍ଧ ତିନିିଶହ ରାମାୟଣ ଆସନ୍ତା ଛଅ ଦିନ ଧରି ଏହି ବ୍ଲଗ୍ ରେ ଧାରାବାହିକ ଭାବରେ ଆପଣ ପଢିବାକୁ ପାଇବେ । ]

ରାମାୟଣ କେତୋଟି? ତିନିଶହ ? ତିନିହଜାର ? କେତେକ ରାମାୟଣର ଶେଷରେ ଗୋଟିଏ ପ୍ରଶ୍ନ ପଚରାଯାଏ । ଏ ପର୍ଯ୍ୟନ୍ତ କେତୋଟି ରାମାୟଣ ହେଲାଣି? ଆଉ ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ଗପଟିମାନ ମଧ୍ୟ ଅଛନ୍ତି । ଶୁଣନ୍ତୁ ସେଥିରୁ ଗୋଟିଏ ।

ଦିନେ ରାମ ନିଜର ସିଂହାସନ ଉପରେ ବିଜୟମାନ ଥିବାବେଳେ ତାଙ୍କ ଶ୍ରୀହସ୍ତରୁ ମୁଦ୍ରିକାଟିଏ ଗଳି ପଡ଼ିଲା । ଧରଣୀ ଛୁଇଁବା କ୍ଷଣି ଭୂମିରେ ଗାତଟିଏ ହେଲା ଏବଂ ମୁଦ୍ରିକାଟି ହେଲା ସେଥି ମଧ୍ୟରେ ଅଦୃଶ୍ୟ । ଗଲା, ଆଉ ଦିଶିଲା ନାହିଁ । ତାଙ୍କର ବିଶ୍ୱସ୍ତ ଭୃତ୍ୟ ହନୁମାନ ପାଦଦେଶରେ ବିଜେ ହୋଇଥାନ୍ତି । ରାମ ହନୁମାନଙ୍କୁ କହିଲେ ‘ଦେଖ, ମୋ ମୁଦ୍ରିକାଟି ହଜିଅଛି । ମୋ ଲାଗି ତାହା ଖୋଜିଆଣ ।’ ହନୁମାନଙ୍କ ପାଇଁ ଗୋଟିଏ ଗର୍ତ୍ତ ଯେତେ ଛୋଟ ହେଇଥାଉନା କାହିଁକି ସେଥିମଧ୍ୟରେ ପ୍ରବେଶ କରିବା ସମ୍ଭବ । ତାଙ୍କର ବୃହତ୍ତମ ଠାରୁ ବୃହତ୍ତମ ଓ କ୍ଷୁଦ୍ରତ୍ତମଠାରୁ କ୍ଷୁଦ୍ରତ୍ତମ ବନିବାର କ୍ଷମତା ଥିଲା । ଏଣୁ ସେ ଏକ କୁନି ରୂପ ନେଲେ ଓ ଗାତ ଭିତର ତଳକୁ ଗଲେ । ସେ ଗଲେ ଗଲେ ଏବଂ ଗଲେ ଆଉ ଗଲେ ଓ ହଠାତ୍ ପାତାଳପୁରୀରେ ଗଳିପଡ଼ିଲେ । ସେଠାରେ ଥିଲେ ତିନୋଟି ନାରୀ । ‘ଦେଖ, କୁନି ମାଙ୍କଡ଼ଟିଏ! ଏହା ଉପରୁ ଖସି ପଡ଼ିଛି!’ ସେମାନେ ତାଙ୍କୁ ଧରିନେଲେ ଓ ଗୋଟିଏ ଥାଳିଉପରେ ରଖିଲେ । ପାତାଳପୁରୀରେ ରହୁଥିବା ଭୁତମାନଙ୍କର ରାଜାଙ୍କୁ ପଶୁଟିମାନ ଖାଇବାକୁ ଭଲ ଲାଗନ୍ତି । ତେଣୁ ପରିବାପତ୍ର ସହିତ ରାତିର ମଣୋହି ହିସାବରେ ରାଜାଙ୍କ ପାଖକୁ ହନୁମାନ ମଧ୍ୟ ପଠାଗଲେ । ହନୁମାନ ଥାଳି ଉପରେ ବସିଲେ ଓ କ’ଣ କରିବେ ବୋଲି ଭାବିଲେ । 

ପାତାଳପୁରରେ ଏସବୁ ଚାଲିଥିବା ବେଳେ ରାମ ମର୍ତ୍ତ୍ୟପୁରରେ ନିଜ ସିଂହାସନରେ ବସିଥାଆନ୍ତି । ଋଷି ବଶିଷ୍ଟ ଓ ବେଦବ୍ରହ୍ମା ତାଙ୍କୁ ଭେଟିବାକୁ ଆସିଲେ । ସେମାନେ ରାମଙ୍କୁ କହିଲେ, ‘ଆମ୍ଭେ ତୁମ୍ଭ ସହ ନିରୋଳାରେ ବାର୍ତ୍ତାଳାପ କରିବାକୁ ଚାହୁଁ । ଆମ୍ଭେ ଯାହା କହିବୁ ଆମ୍ଭେ ଚାହୁଁ ନାହୁଁ କି କେହି ମଧ୍ୟ ତାକୁ ଶୁଣିବ କିମ୍ବା ସେଥିରେ ବିଭ୍ରାଟ ଉପୁଜାଇବ । ଆମ୍ଭେ ଏଥିରେ ରାଜି ତ ?  ‘ଠିକ୍ ଅଛି, ଆମ୍ଭେ କଥା ଭାଷା ହେବା’, ବୋଲି ରାମ କହିଲେ । ଏଥୁ ଅନନ୍ତରେ ସେମାନେ କହିଲେ ‘ଗୋଟିଏ ନିୟମ ଧରି ରଖ, ଆମ୍ଭେ ବାର୍ତ୍ତାଳାପ କରୁଥିବା ସମୟରେ ଯଦି କିଏ ଏଠାକୁ ଆସେ ତାହାହେଲେ ତାହାର ଶିର ହେବ ସ୍କନ୍ଧଚ୍ୟୁତ । ଏଥିରୁ ରାମ କହିଲେ, ‘ଏହାହିଁ ହେବ । ଦ୍ୱାର ଜଗିବା ପାଇଁ ସବୁଠାରୁ ବିଶ୍ୱସ୍ତ ଲୋକ କିଏ ହେବ । ହନୁମାନ ତ ମୁଦ୍ରିକା ଆଣିବା ପାଇଁ ଯାଇ ତଳେ । ରାମ ଲକ୍ଷ୍ମଣଙ୍କ ତୁଳନାରେ ଅନ୍ୟ କାହାକୁ ଅଧିକ ବିଶ୍ୱାସ କରୁନଥିଲେ, ତେଣୁ ସେ ଲକ୍ଷ୍ମଣଙ୍କୁ ଦ୍ୱାର ପାଖେ ଦଣ୍ଡାୟମାନ ହେବା ପାଇଁ କହିଲେ । ସେ ଆଦେଶ ଦେଲେ, ପ୍ରବେଶ ପାଇଁ କାହାରିକୁ ଅନୁମତି ଦେବ ନାହିଁ ।’

ଲକ୍ଷ୍ମଣ ଦ୍ୱାରପାଖରେ ଦଣ୍ଡାୟମାନ ଥିବା ସମୟରେ ଋଷି ବିଶ୍ୱାମିତ୍ର ଉଭା ହୋଇଲେ ଓ କହିଲେ, ‘ମୁଁ ରାମଙ୍କୁ ବର୍ତ୍ତମାନ ସଙ୍ଗେ ସଙ୍ଗେ ଦେଖା କରିବାକୁ ଚାହେଁ, ଏହା ଏକ ଜରୁରୀ ବ୍ୟାପାର ଅଟେ । ଆମ୍ଭକୁ କୁହ, ରାମ କେଉଁଠି?’ ଲକ୍ଷ୍ମଣ କହିଲେ, ‘ଦୟାକରି ବର୍ତ୍ତମାନ ପ୍ରବେଶ କରନ୍ତୁ ନାହିଁ, ସେ କିଛି ଲୋକଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ? 'ଏମିତି କ’ଣ ଅଛି ଯାହା ରାମ ମୋ ଠାରୁ ଲୁଚାଇବାକୁ ଚାହିଁବେ', ବୋଲି ବିଶ୍ୱାମିତ୍ର କହିଲେ । 'ମୁଁ ନିଶ୍ଚିତ ପ୍ରବେଶ କରିବି, ବର୍ତ୍ତମାନ ହିଁ ।’ ଲକ୍ଷ୍ମଣ କହିଲେ, ‘ମୋତେ ଆପଣଙ୍କୁ ଭିତରକୁ ଛାଡ଼ିବା ଆଗରୁ ଅନୁମତି ମାଗିବାକୁ ପଡ଼ିବ ।’ ତା’ହେଲେ ଭିତରକୁ ଯାଅ ପଚାର । ‘ରାମ ବାହାରକୁ ନ ଆସିବା ପର୍ଯ୍ୟନ୍ତ ମୁଁ ଭିତରକୁ ଯାଇପାରିବି ନାହିଁ, ଆପଣଙ୍କୁ ଅପେକ୍ଷା କରିବାକୁ ହିଁ ପଡ଼ିବ । ‘ତୁମେ ଯଦି ବର୍ତ୍ତମାନ ଭିତରକୁ ଯିବ ନାହିଁ, ମୋର ଉପସ୍ଥିତି ଘୋଷଣା କରିବ ନାହିଁ: ତାହାହେଲେ ମୁଁ ଅଭିଶାପ ବଳରେ ଏ ଅଯୋଧ୍ୟା ରାଜ୍ୟକୁ ଜାଳିଦେବି’ ବୋଲି ବିଶ୍ୱାମିତ୍ର କହିଲେ ।

ଲକ୍ଷ୍ମଣ ଭାବିଲେ, ‘ଯଦି ମୁଁ ବର୍ତ୍ତମାନ ଭିତରକୁ ଗଲି ତାହା ହେଲେ ମଲି, ଯଦି ନ ଯାଏ ତା’ହେଲେ ଏ କ୍ରୋଧି ମଣିଷଟି ପୁରା ରାଜ୍ୟକୁ ହିଁ ଜଳାଇଦେବ । ସମସ୍ତ ପ୍ରଜାଗଣ, ଏଥିରେ ଜୀବନଧାରଣ କରୁଥିବା ସମସ୍ତ ଜୀବଜନ୍ତୁ ନାଶ ଯିବେ । ଏହାଠାରୁ ଭଲ କି ମୁଁ ଏକୁଟିଆ ହିଁ ମୃତ୍ୟୁବରଣ କରିବି ।’ ତେଣୁ ସେ ଭିତରକୁ ଚାଲିଗଲେ । ରାମ ତାଙ୍କୁ ପଚାରିଲେ, ‘କ’ଣ ବ୍ୟାପାର?’ ‘ବିଶ୍ୱାମିତ୍ର ଆସିଛନ୍ତି ।’
‘ତାଙ୍କୁ ଭିତରକୁ ପଠାଅ ।’ ଏଥୁ ବିଶ୍ୱାମିତ୍ର ଭିତରକୁ ଗଲେ, ଯେତେବେଳକୁ ଗୋପନୀୟ କଥାବାର୍ତ୍ତା ସରିସାରିଥିଲା । ବ୍ରହ୍ମା ଓ ବଶିଷ୍ଟ ରାମଙ୍କୁ ଭେଟି ଏହା କହିବା ପାଇଁ ଆସିଥିଲେ ଯେ, ‘ମାନବ ଲୋକରେ ଆପଣଙ୍କର କାର୍ଯ୍ୟ ଶେଷ ହୋଇଅଛି । ରାମ ରୂପରେ ଆପଣଙ୍କର ଅବତାରକୁ ବର୍ତ୍ତମାନ ତ୍ୟାଗ କରିବାକୁ ପଡ଼ିବ । ଏହି ଶରୀରକୁ ତ୍ୟାଗ କରି ଊର୍ଧ୍ୱଲୋକକୁ ଗମନକରି ଦେବଗଣରେ ଯୋଗ ଦିଅନ୍ତୁ । ସେମାନେ ବାସ୍ ଏତିକି କହିବାକୁ ଚାହୁଁଥିଲେ । 

ଲକ୍ଷ୍ମଣ ରାମଙ୍କୁ କହିଲେ, ‘ଭ୍ରାତା ଆପଣ ମୋର ଶିରଚ୍ଛେଦ କରିବା ଉଚିତ ହେବ ।’ ରାମ କହିଲେ, କାହିଁକି? ଆମର ତ ଆଉ କିଛି କହିବାର ନଥିଲା, କିଛି ହିଁ ବାକି ନଥିଲା, ଏଣୁ ମୁଁ ତୁମର ଶିରଚ୍ଛେଦ କାହିଁ କରିବି?  ଲକ୍ଷ୍ମଣ କହିଲେ, ‘ଆପଣଙ୍କ ନିମେନ୍ତ ଏହା ଅକର୍ତ୍ତବ୍ୟ ହେବ । କେବଳ ମୁଁ ଆପଣଙ୍କର ଭ୍ରାତା ବୋଲି ଆପଣ ମୋତେ ଛାଡ଼ି ଦେଇ ପାରିବେ ନାହିଁ । ତା’ହେଲେ ରାମ ନାମରେ କଳଙ୍କ ଲାଗିବ । ଆପଣ ଆପଣଙ୍କର ସ୍ତ୍ରୀଙ୍କୁ ଛାଡ଼ି ନ ଥିଲେ ଆପଣ ତାଙ୍କୁ ଜଙ୍ଗଲକୁ ପଠାଇଥିଲେ, ମୁଁ ଦଣ୍ଡିତ ହେବା ଆବଶ୍ୟକ । ଏଣୁ ମୁଁ ଯାଉଛି ।’

ଯେଉଁ ଶେଷନାଗଙ୍କ ଉପରେ ବିଷ୍ଣୁ ଶୟନ କରନ୍ତି ଲକ୍ଷ୍ମଣ ସେହି ଶେଷଙ୍କର ଅବତାର ଥିଲେ । ମର୍ତ୍ତଲୋକରେ ତାଙ୍କର ମଧ୍ୟ ସମୟ ପୂର୍ଣ୍ଣ ହୋଇଥିଲା । ସେ ସିଧା ସରଜୁ ନଦୀକୁ ଗଲେ ଏବଂ ଜଳସ୍ରୋତରେ ଅଦୃଶ୍ୟ ହୋଇଗଲେ । ଲକ୍ଷ୍ମଣଙ୍କର ଦେହତ୍ୟାଗ ପରେ ରାମ, ବିଭୀଷଣ, ସୁଗ୍ରୀବ ଆଦି ନିଜର ସମସ୍ତ ଅନୁଚରମାନଙ୍କୁ ଡକାଇଲେ ଏବଂ ନିଜର ଯମଜ ପୁତ୍ର ଲବ ଓ କୁଶଙ୍କର ରାଜ୍ୟାଭିଷେକ ପାଇଁ ଆୟୋଜନ କଲେ । ଏହାପରେ ରାମ ମଧ୍ୟ ସରଜୁ ନଦୀକୁ ପ୍ରବେଶ ହୋଇଲେ । 

ଏହାସବୁ ଘଟୁଥିବା ସମୟରେ ପାତାଳ ଲୋକରେ ହନୁମାନ ଥିଲେ । ଶେଷରେ ଭୁତରାଜାଙ୍କ ସମ୍ମୁଖକୁ ତାଙ୍କୁ ନିଆଗଲା ପରେ ସେ ରାମଙ୍କର ନାମ ଜପିବାରେ ଲାଗିଲେ । ‘ରାମ ରାମ ରାମ...’ ଏଥୁ ଭୁତରାଜ ପଚାରିଲେ, ‘କିଏ ତୁମେ?’ ‘ହନୁମାନ’

‘ହନୁମାନ?’ ତୁମେ ଏଠାକୁ କାହିଁକି ଆସିଲ । 

ରାମଙ୍କର ମୁଦ୍ରିକା ଗୋଟିଏ ଗାତରେ ପଡ଼ିଲା, ମୁଁ ତାଙ୍କୁ ନେବାପାଇଁ ଆସିଛି ।’

ଏଥିରୁ ରାଜନ ଚାରିଆଡ଼େ ଦୃଷ୍ଟି ପକାଇଲେ । ହନୁମାନଙ୍କୁ ଦେଖାଇଲେ ଗୋଟିଏ ଥାଳ । ଥାଳିଟି ଉପରେ ଥିଲା ସହସ୍ର ସହସ୍ର ମୁଦ୍ରିକାଟିମାନ, ସେ ସବୁଗୁଡ଼ିକ ଥିଲା ରାମଙ୍କର ମୁଦ୍ରିକା । ରାଜନ ଥାଳିଟିକୁ ହନୁମାନଙ୍କ ପାଖକୁ ଆଣି ତଳେ ଥୋଇଲେ ଓ କହିଲେ, ‘ତୁମର ରାମଙ୍କର ମୁଦ୍ରିକାଟି ତୁମେ ଉଠାଅ ଏବଂ ନିଅ ।’ ସବୁଗୁଡ଼ିକ ଥିଲା ଏକଦମ୍ ଏକାଭଳି । ହନୁମାନ ନିଜର ମୁଣ୍ଡ ହଲାଇଲେ ଏବଂ କହିଲେ, ‘ମୁଁ ଜାଣିନାହିଁ ଏହା ଭିତରୁ କେଉଁଟି ।’ ଭୁତରାଜ କହିଲେ, ‘ଏହି ଥାଳିରେ ଯେତୋଟି ମୁଦ୍ରିକାଟିମାନ ଅଛି ଠିକ୍ ସେତିକିଟି ରାମ ଅବତରି ସାରିଛନ୍ତି । ତୁମ୍ଭେ ଯେତେବେଳେ ମର୍ତ୍ତ ଲୋକକୁ ଫେରିବ ଆଉ ରାମଙ୍କୁ ପାଇବ ନାହିଁ । ଏହି ରାମଙ୍କର ଅବତାର ବର୍ତ୍ତମାନ ପୂର୍ଣ୍ଣ ହୋଇଅଛି । ଯେତେବେଳେ ଏକ ରାମାବତାରର ଅନ୍ତ ହୁଏ, ସେତେବେଳେ ତାଙ୍କର ମୁଦ୍ରିକାଟି ଗଳିପଡ଼େ । ମୁଁ ସେଗୁଡ଼ିକୁ ସଂଗ୍ରହ କରି ରଖେ । ତୁମ୍ଭେ ବର୍ତ୍ତମାନ ଯାଇପାର । ଏହା ଶୁଣି ହନୁମାନ ପ୍ରସ୍ଥାନ କଲେ ।

ଏହିପରି ପ୍ରତ୍ୟେକ ରାମଙ୍କ ପାଇଁ ଯେ ଗୋଟିଏ ଲେଖାଏ ରାମାୟଣ ଅଛି, ସେକଥା ବୁଝାଇବା ପାଇଁ ଏହି ଗପଟି କୁହାଯାଇଥାଏ । ଗତ ପଚିଶ ଶହ ବର୍ଷ ଭିତରେ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଯେତିକି ସଂଖ୍ୟାରେ ରାମାୟଣ ଲେଖା ଯାଇ ଅଛି ଏବଂ ତଦ୍ୱାରା ଯାହା ପ୍ରଭାବ ପଡ଼ିଛି, ତାହା ସତରେ ଏକ ଆଶ୍ଚର୍ଯ୍ୟଜନକ ବ୍ୟାପାର । ରାମଙ୍କର କଥା ଯେଉଁ ସବୁ ଭାଷା ମାନଙ୍କରେ କୁହା ଯାଇଅଛି ଏବଂ ଲେଖା ଯାଇଅଛି ତାହାର ଏକ ତାଲିକା କଲେ ଫକାସ୍ ଉଡ଼ିଯିବ । ଅନାମିୟ, ବାଲି ଦେଶୀୟ, ବଙ୍ଗାଳି, କାମ୍ବୋଦିଅ, ଚୈନିକ, ଗୁଜୁରାତି, ମାଳୟ ଦେଶୀୟ, ମରାଠି, ଓଡ଼ିଆ, ପ୍ରାକୃତ, ସଂସ୍କୃତ, ସାନ୍ତାଳି, ସିଂହଳୀ, ତାମିଲ୍, ତେଲୁଗୁ ତଥା ଅନେକ ପ୍ରାଶ୍ଚାତ୍ୟ ଭାଷାଟିମାନ ।

ଶତାବ୍ଦୀ ଶତାବ୍ଦୀ ଧରି ଏହି ମଧ୍ୟରୁ କେତେକ ଭାଷାଗୁଡ଼ିକରେ ଏକାଧିକ ରାମ କଥା ମଧ୍ୟ ଅନୁସୃଜିତ ହୋଇଛି । କେବଳ ସଂସ୍କୃତରେ ହିଁ କାବ୍ୟ, ପୁରାଣ ଆଦି ଅନେକ ସାହିତ୍ୟିକ ବିଭାଗରେ ପଚିଶରୁ ଅଧିକ ରାମ କଥା ଆମେ ପାଇବା । ଯଦି ଉଭୟ ଶାସ୍ତ୍ରୀୟ ତଥା ଲୌକିକ ପରମ୍ପରାରେ ନାଟକ ଓ ନୃତ୍ୟନାଟିକା ଆଦିକୁ ଆମେ ହିସାବ କରିବା ତେବେ ରାମାୟଣମାନଙ୍କ ସଂଖ୍ୟା ତ ଆହୁରି ବଢ଼ିଯିବ । ଏଥିରୁ ଆମକୁ ଅନେକ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସୀୟ ସଂସ୍କୃତିମାନଙ୍କର ସ୍ଥାପତ୍ୟ ମୁଖା ନାଟକ, କଣ୍ଢେଇନାଚ ଓ ଛାୟା ନାଟିକା, ଇତ୍ୟାଦିକୁ ଯୋଡ଼ିବାକୁ ପଡ଼ିବ । କ୍ୟାମିଲ୍ ବୁଲ୍କେ (୧୯୫୦ନାମକ ଜଣେ ରାମାୟଣର ଛାତ୍ର) ଏହିପରି ସମୁଦାୟ ତିନିଶହ ରାମାୟଣ ଅଛି ବୋଲି ହିସାବ କରିଥିଲେ । ତେଣୁକରି ଚତୁର୍ଦ୍ଧିଶ ଶତାବ୍ଦୀର କନ୍ନଡ଼ କବି କୁମାରବ୍ୟାସ ଏକ ମହାଭାରତ ପ୍ରବନ୍ଧ କରିବା ପାଇଁ ନିଷ୍ପତ୍ତି ନେଲେ । କାରଣ ରାମାୟଣର କବିମାନଙ୍କର ଭାରାରେ ପୃଥିବକୁ ତୋଳି ଧରିଥିବା ବାସୁକୀ ଦୀର୍ଘଶ୍ୱାସ ଛାଡ଼ୁଥିବାର ସେ ଶୁଣିବାକୁ ପାଇଲେ । 

ଏହି ପ୍ରବନ୍ଧରେ ମୁଁ ନିଜ ପାଇଁ ତଥା ଅନ୍ୟମାନଙ୍କ ପାଇଁ ଗୋଟିଏ କଥାର ଭିନ୍ନ ଭିନ୍ନ ସଂସ୍କୃତି, ଭାଷା ଓ ଧାର୍ମିକ ପରମ୍ପରାରେ ସୃଷ୍ଟି ହୋଇଥିବା ଏହି ଶହ ଶହ ରାମାୟଣଟି ମାନ କିଭଳି ପରସ୍ପର ସହିତ ସମ୍ପର୍କିତ ତାହା ଜାଣିବାକୁ ଚେଷ୍ଟା କରିଛି । ଏହି ଗୋଟିଏ କଥା କିଭଳି ଭାବରେ ଅନ୍ତର୍ହିତ, ବିସ୍ଥାପିତ ଓ ଅନ୍ତର୍ଭେଦିତ ହୋଇଛି, ତାହା ମଧ୍ୟ ବୁଝିବା ପାଇଁ ମୁଁ ଚେଷ୍ଟା କରିବି । ଏଣୁକରି ଏହି ପ୍ରବନ୍ଧଟି ଲେଖିବା ନିମନ୍ତେ ମୁଁ ରାମାୟଣର ପୂର୍ବ ଅନୁବାଦକ ଓ ଆଲୋଚକମାନଙ୍କ ପାଖରେ ଋଣି ।

ବାଲ୍ମିକୀ ଓ କମ୍ବର: ଦୁଇଟି ଅହଲ୍ୟା


ଏହା କହିବା ଅନାବଶ୍ୟକ ଏହି ଶହ ଶହ ରାମାୟଣର କଥା ପରସ୍ପରଠାରୁ ଭିନ୍ନ । ମୁଁ ଏହିଠାରେ ଜାଣିଶୁଣି କଥା ଶବ୍ଦଟିର ବ୍ୟବହାର କରୁଛି ଏବଂ ପ୍ରକାର କିମ୍ବା ରୂପର ବ୍ୟବହାର କରୁନାହିଁ । କାରଣ ପ୍ରକାର କିମ୍ବା ରୂପ ଶବ୍ଦମାନଙ୍କର ବ୍ୟବହାର କଲେ ଆମେ ବୋଧହୁଏ ଏହା ବୁଝାଉ ଯେ ରାମାୟଣର ଗୋଟିଏ ମୁଳ ଅପରିବର୍ତ୍ତନୀୟ ରୂପ ଅଛି । ବାଲ୍ମିକୀଙ୍କର ସଂସ୍କୃତ ରାମାୟଣ (ଯାହା ସଂସ୍କୃତ ଭାଷାରେ ସବୁଠାରୁ ସମ୍ମାନସ୍ପଦ ଓ ପୁରାତନ) କୁ ଏହିପରି ଏକ ମୁଳ ଅପରିବର୍ତ୍ତନୀୟ ବହି ବୋଲି ଆମେ ଧରିନେଉ । କିନ୍ତୁ ଆମେ ଏହି ପ୍ରବନ୍ଧରେ ଦେଖିବା ଯେ ସବୁବେଳେ ବାଲ୍ମିକୀଙ୍କର ରାମାୟଣ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଗତିକରେ ନାହିଁ । ଆମ୍ଭେ ଏହିଠାରେ କିଛି ପ୍ରକାରଭେଦ ବିଷୟରେ ସଚେତନ ରହିବା ଉଚିତ ହେବ । 

ରାମାୟଣ ପରମ୍ପରା ହିଁ ରାମଙ୍କର ଗଳ୍ପ (ରାମକଥା) ଏବଂ ନିର୍ଦ୍ଧିଷ୍ଟ ବ୍ୟକ୍ତି ଯଥା ବାଲ୍ମିକୀ, କୃତିବାସ ଓ କମ୍ବର ଆଦିଙ୍କ ଦ୍ୱାରା ସୃଷ୍ଟି ନିର୍ଦ୍ଧିଷ୍ଟ ବହିକୁ ଅଲଗା ଅଲଗା କରି ଦେଖେ । ଯଦିଓ ଏହି ବହିଗୁଡ଼ିକ ଜନଶୃତିରେ ରାମାୟଣ ଭାବେ କଥିତ, ବହୁତ କମ୍ ବହିର ଶୀର୍ଷକ ପ୍ରକୃତରେ ରାମାୟଣ । ଉଦାହରଣ ସ୍ୱରୂପ ଆମେ ରାମ ଅବତାର, ରାମଚରିତ ଓ ରାମକିଏନ୍ ବୋଲି ଶୀର୍ଷକଗୁଡ଼ିକ ଉଲ୍ଲେଖ କରିପାରିବା । ଏହି ବହିଗୁଡ଼ିକର ବାଲ୍ମିକୀ କୃତ ରାମକଥା ସହିତ ସମ୍ପର୍କ ମଧ୍ୟ ଭିନ୍ନ ଭିନ୍ନ । କଥା ଏବଂ କାବ୍ୟ ମଧ୍ୟରେ ଥିବା ପାରମ୍ପରିକ ପ୍ରଭେଦକୁ ଆମେ ଫ୍ରେଞ୍ଚ୍ରେ ସୁଜେ ଏବଂ ରେସି ମଧ୍ୟରେ ପ୍ରଭେଦ ଏବଂ ଇଂରାଜୀରେ ଥିବା ଷ୍ଟୋରି ଓ ଡିସ୍କୋର୍ସ୍ ମଧ୍ୟରେ ଥିବା ପ୍ରଭେଦ ସହିତ ସମାନ୍ତଭାବରେ ଦେଖିପାରିବା । ଏହି ପ୍ରଭେଦ ବାକ୍ୟ ଏବଂ ବାକ୍ କର୍ମ (ସ୍ପିଚ୍ ଆକ୍ଟ) ମଧ୍ୟରେ ଥିବା ପ୍ରଭେଦ ସହିତ ସମର୍ଥବୋଧକ ଅଟେ । ଦୁଇଟି କଥାରେ ଥିବା ଗଳ୍ପ ବା ଷ୍ଟୋରି ଏକ ହୋଇପାରେ ମାତ୍ର ଡିସ୍କୋର୍ସ ହୋଇପାରେ ଅତିମାତ୍ରାରେ ଭିନ୍ନ । କଥାର ଢାଞ୍ଚା ତଥା ଘଟଣାମାନଙ୍କର ସଙ୍ଗଠନ ଏକା ହୋଇପାରେ; ମାତ୍ର ଶୈଳୀ, ବିସ୍ମୃତି, ସ୍ୱର ଏବଂ ତଦ୍ଜନିତ ଲକ୍ଷାର୍ଥ ମଧ୍ୟ ହୋଇପାରେ ଅତି ମାତ୍ରାରେ ଭିନ୍ନ । ବର୍ତ୍ତମାନ ଆମେ ‘ଏକ ହିଁ’ ଅଧ୍ୟାୟର ଦୁଇଟି ବର୍ଣ୍ଣନା ପଢ଼ିବା । ଦୁଇଟିଯାକ ନେରେଟିଭ୍ ର ଅର୍ଥାତ୍ କଥନିକାର ଏକ ହିଁ ସୋପାନରେ ଦେଖାଦିଅନ୍ତି । ପ୍ରଥମ ଉଦାହରଣଟି ବାଲ୍ମିକୀଙ୍କର କାଳକାଣ୍ଡରୁ ଉଦ୍ଧୃତ, ଦ୍ୱିତୀୟଟି କମ୍ବରଙ୍କ ତାମିଲ ରାମବତାରର କାଳକାଣ୍ଡର ଅନ୍ୟତମ, ଉଭୟ ବର୍ଣ୍ଣନା କରନ୍ତି ଅହଲ୍ୟାଙ୍କର କାହାଣୀ ।

No comments:

Post a Comment