Wednesday, November 04, 2015

ତିନିଶହ ରାମାୟଣ - ୩



ଏ.କ. ରାମାନୁଜନ୍




ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ମୁଁ ବର୍ତ୍ତମାନ ଜଲଦି ଏହି ଦୁଇ କଥାଟି ମାନ ମଧ୍ୟରେ ଥିବା ପ୍ରଭେଦଗୁଡ଼ିକ ମଧ୍ୟରୁ କେତୋଟିକୁ ଦର୍ଶାଇବି । ବାଲ୍ମିକୀ ରାମାୟଣରେ ଅହଲ୍ୟା ସ୍ୱଇଚ୍ଛାରେ ଇନ୍ଦ୍ରଙ୍କୁ ଅଙ୍ଗସଙ୍ଗର ସୁଯୋଗ ଦିଅନ୍ତି । କମ୍ବର ରାମାୟଣରେ ଅହଲ୍ୟା ଜାଣିପାରନ୍ତି ଯେ ସେ ଯାହା କରୁଛନ୍ତି ତାହା ଭୁଲ । ମାତ୍ର ତଥାପି ମଧ୍ୟ ନିଶିଦ୍ଧ ଆନନ୍ଦର ଆସ୍ୱାଦନରୁ ସେ ନିଜକୁ ରୋକିପାରନ୍ତି ନାହିଁ । କବିତାଟିରୁ ଆମକୁ ଏହା ମଧ୍ୟ ବୁଝାପଡ଼େ ଯେ ତାଙ୍କର ଋଷି-ସ୍ୱାମୀ ଆତ୍ମାରେ ମଜ୍ଜିତ । ଏହାର ବର୍ଣ୍ଣନା ଅହଲ୍ୟା ହରଣ ଉପାଖ୍ୟାନକୁ କମ୍ବର ରାମାୟଣରେ ଏକ ମନସ୍ତାତ୍ତ୍ୱିକ ସୂକ୍ଷ୍ମତା ପ୍ରଦାନ କରେ । ଆହୁରି ମଧ୍ୟ ଇନ୍ଦ୍ର ଶେଷକୁ ଗୋଟିଏ ବିଲେଇ ରୂପରେ ଖସି ଚାଲିଯିବାର ଉପକ୍ରମ କରନ୍ତି । ଏହା ନିଶ୍ଚିତ ଭାବରେ ଲୋକକଥାର ଏକ ଉପାଖ୍ୟାନ । ଆମେ ଗପର ଏହି ରୂପକୁ ଏକାଦଶ ଶତାବ୍ଦୀରେ ରଚିତ କଥାସରିତ ସାରରେ ମଧ୍ୟ ଭେଟିବା । ଶେଷକୁ ଅଭିଶାପ ବଳରେ ଇନ୍ଦ୍ରଙ୍କର ଦେହସାରା ଫଳିଯାଇଛି ସହସ୍ର ଯୋନି ଏବଂ ଅହଲ୍ୟା ପାଲଟି ଯାଇଛନ୍ତି କଠୋର ପାଷାଣ । ଅବଶ୍ୟ ଇନ୍ଦ୍ରଙ୍କର ଦେହର ଯୋନିଗୁଡ଼ିକ ପରେ ଚକ୍ଷୁରେ ପରିବର୍ତ୍ତିତ ହୋଇଛି । ନିଜ ନିଜର ଦୋଷର ଫଳଶ୍ରୁତି ବଳରେ ଉଭୟଙ୍କୁ କାବ୍ୟିକ ନ୍ୟାୟ ମିଳିଛି । ଇନ୍ଦ୍ରଙ୍କର ଦେହସାରା ଫଳିଛି ତାଙ୍କର ଇପ୍ସିତ ବସ୍ତୁ ଏବଂ ପାଷାଣୀ ବନିବା ଫଳରେ ଅହଲ୍ୟା ଆଉ କାହାର ବାସନା ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବାର କ୍ଷମତା ହରାଇ ବସନ୍ତି । ଏହି ରୂପକଗୁଡ଼ିକୁ ଆମେ ବାଲ୍ମିକୀ ରାମାୟଣରେ ପାଇବା ନାହିଁ । ମାତ୍ର ଅନେକ ଦକ୍ଷିଣୀ ରାମକଥା ତଥା ଲୋକକଥାରେ ଏହି ରୂପକଗୁଡ଼ିକୁ ଆମେ ବାରମ୍ବାର ଭେଟିବା । ଏଗୁଡ଼ିକୁ ଆମେ କମ୍ବରଙ୍କର ପୂର୍ବର ତାମିଲ୍ କବିତା, ଶିଳାଲେଖ ଓ ଅନେକ ଅଣ-ତାମିଲ୍ ଉତ୍ସରେ ମଧ୍ୟ ପାଇବା । ଏଣୁ କମ୍ବର ନିଜର ରାମକଥାର ରଚନା ନିମନ୍ତେ ଯେ କେବଳ ବାଲ୍ମିକୀ ରାମାୟଣର ବ୍ୟବହାର କରନ୍ତି, ସେ କଥା ନୁହେଁ । ସେ ନିଜର ଆଞ୍ଚଳିକ ଲୋକକଥାର ପରମ୍ପରାମାନଙ୍କଠାରୁ ମଧ୍ୟ ଅନେକ ଆଙ୍ଗିକ ଧାର ଆଣନ୍ତି ।

କାବ୍ୟିକ କଳାକର୍ମରେ କମ୍ବର ବାଲ୍ମିକୀଙ୍କ ତୁଳନାରେ ଅଧିକ ନାଟକୀୟ । ପ୍ରଥମେ ରାମଙ୍କର ପଦରଜ ପଡ଼େ ଓ ପାଷାଣୀ ଅହଲ୍ୟା ଜୀବନ ପାଆନ୍ତି । ତାହା ପରେ ହିଁ ଆମେ ତାଙ୍କର ଗପ ଶୁଣିବାକୁ ପାଉ । ଉଚ୍ଚ ସ୍ଥାନରେ ରାମଙ୍କ ପାଇଁ ଅପେକ୍ଷା କରି ରହିଥିବା କୃଷ୍ଣ ପ୍ରସ୍ତର ନିଜେ ହିଁ ଏକ ଅତି ଫଳପ୍ରଦ ଓ ଉଜ୍ଜ୍ୱଳ ଚିହ୍ନ । ପାଷାଣରୁ ରକ୍ତମାଂସର ଉଷ୍ମ ମାନବ ସତ୍ତାକୁ ଅହଲ୍ୟାଙ୍କର ପୁର୍ନଜୀବନର କଥା ଏଠାରେ ପାଲଟେ ଭଗବାନଙ୍କର ସ୍ପର୍ଶ ପାଇ ଜାଗ୍ରତ ଏକ ଆତ୍ମା ବିଷୟରେ ଗୋଟିଏ ଭକ୍ତିପୂର୍ଣ୍ଣ ଆଧ୍ୟାତ୍ମିକ ଆଖ୍ୟାୟିକା ।
 
ଅନ୍ତରେ ଆମେ ଏହା କହିବୁ ଯେ ଏହି ଅହଲ୍ୟା ଅଧ୍ୟାୟଟି କଥାର ପୂର୍ବ ଉପାଖ୍ୟାନମାନ, ଯଥା ରାମଙ୍କ ଦ୍ୱାରା ତାଡକା ବଧ ଆଦି ସହିତ ଜଡ଼ିତ । ସେହି ଉପାଖ୍ୟାନରେ ସେ ଥିଲେ ଦୁଷ୍ଟନାଶକ ଓ ଐରୀ ବିନାଶକ । ମାତ୍ର ଏହି ଉପାଖ୍ୟାନରେ ଅହଲ୍ୟାର ତାରକ ହିସାବରେ ସେ ବନନ୍ତି ପ୍ରାଚୁର୍ଯ୍ୟ ଓ ଉର୍ବରତାର ବାହକ ବଳାହକ  । କମ୍ବରଙ୍କର କବିତା ସାରା ରାମ ଜଣେ ତାମିଲ୍ ନାୟକ, ଜଣେ ବଦାନ୍ୟ ଦାତା ମାତ୍ର ଶତ୍ରୁଗଞ୍ଜକ । ଅହଲ୍ୟା ଉପାଖ୍ୟାନରେ ରାମ ଯେ ସମସ୍ତ ଆତ୍ମାମାନଙ୍କୁ ଭବଦୁଃଖରୁ ମୁକ୍ତି ଦେବା ନିମନ୍ତେ ଅବତାର ଧରିଛନ୍ତି, ସେକଥା ଅହଲ୍ୟା ପୁର୍ନଜୀବନ ଲାଭ କରିବା ଫଳରେ ଉପସ୍ଥାପିତ ହୁଏ ।

ବାଲ୍ମିକୀ ରାମାୟଣରେ ରାମ ଭଗବାନ ନୁହନ୍ତି । ସେ ମାନବ ରୂପର ସୀମା ମଧ୍ୟରେ ବନ୍ଧନ ହୋଇଥିବା ଜଣେ ଭଗବତ୍ ପୁରୁଷ ମାତ୍ର । କେତେକ ପଣ୍ଡିତ ଯୁକ୍ତି କରନ୍ତି ଯେ ରାମ ଯେ ଦିବ୍ୟ ପୁରୁଷ ଓ ସେ ରାବଣ ବଧ ନିମେନ୍ତ ଅବତାର ନେଇଛନ୍ତି ସେକଥା କେବଳ ପ୍ରଥମ ଓ ଶେଷ କାଣ୍ଡରେ ହିଁ ଅଛି ଓ ସେଗୁଡ଼ିକ ପ୍ରକ୍ଷିପ୍ତ । ସେ ଯାହା ହେଉ ନା କାହିଁକି, କମ୍ବର ରାମାୟଣରେ ରାମ ନିଶ୍ଚିତ ଭାବରେ ଜଣେ ଦେବତା । ତେଣୁକରି କମ୍ବର ରାମାୟଣରୁ ଉଦ୍ଧୃତ ଉପଯୁକ୍ତ ଅଂଶଟି ଧର୍ମଭାବନା ଓ ତାତ୍ତ୍ୱିକ ରୂପକଳ୍ପର ଦାନ । କମ୍ବର ରାମାୟଣ ଦ୍ୱାଦଶ ଶତାବ୍ଦୀରେ ଲିଖିତ ଏବଂ ଏଥିରେ ତାମିଲ୍ ଭକ୍ତି ପରମ୍ପରାର ପ୍ରଭାବ ସୁସ୍ପଷ୍ଟ । ଶ୍ରୀବୈଷ୍ଣବ ସନ୍ଥମାନଙ୍କ ମଧ୍ୟରେ ସବୁଠାରୁ ପ୍ରସିଦ୍ଧ ସନ୍ଥ ନମ୍ମାଲଭାର୍ ଥିଲେ କମ୍ବରଙ୍କର ଗୁରୁ । ତେଣୁକରି କମ୍ବରଙ୍କ ପାଇଁ ରାମ ଦୁଷ୍ଟଦଳନ, ସନ୍ଥପାଳନ ଓ ସମସ୍ତ ଜୀବମଣ୍ଡଳର ତାରଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଏକ ଦେବତା । ଏହି କାର୍ଯ୍ୟକ୍ରମର ଶୃଙ୍ଖଳ ଅହଲ୍ୟାଙ୍କର ତାରଣ ସହିତ ଆରମ୍ଭ ମାତ୍ର, ଯାହାର ଅନ୍ତ ଯାଇ ରାବଣ ବଧରେ । ନମ୍ମାଲଭାର୍ ଙ୍କର ପାଇଁ ରାମ ହେଲେ ତୃଣଠାରୁ ବରୁଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁକ୍ତି ଦେଉଥିବା ପରିତ୍ରାଣାକର୍ତ୍ତା ମହୌଷଧୀ ।

ରାମଙ୍କର କୃପାରୁ

ରାମ ନାମ ବିନା ଆନ ବିଦ୍ୟା କାହିଁକି ସାଧିବ?
ଦୁବ ପିପିଲିକା ଆଦି ଯେତେ ସ୍ଥାବର ଜଙ୍ଗମ ; 
ଚତୁର୍ମୁଖ ଶିଷି ସବୁ ଘେନିଲେ ଶ୍ରୀରାମ, 
କରୁଣାସାଗର ଦେଲେ ତାଙ୍କୁ ପରମ ବୈଭବ ।

କମ୍ବରଙ୍କର ମହାନ କାବ୍ୟ ନମ୍ମାଲଭାର୍ ଙ୍କର ରାମଙ୍କର ଲୀଳାର ଏକ ବିସ୍ତୃତ ଓ ପ୍ରେମପୂର୍ଣ୍ଣ ବ୍ୟାଖ୍ୟାନ ଅଟେ ।

ଅତଏବ୍ ଦୁଇଟିଯାକ ରାମକଥାରେ ଅହଲ୍ୟା ଅଧ୍ୟାୟଟି ପ୍ରାୟ ସମାନ । ମାତ୍ର କଥନିକା ରଚିବାର ଶୈଳୀ, ରଙ୍ଗ ଓ ଓ ବିଭା ଅଲଗା ଆଲଗା । କମ୍ବରଙ୍କର କଥାର ରସ ବାଲ୍ମିକୀଙ୍କର କଥାର ଉପଯୁକ୍ତ ପରିବର୍ତ୍ତନ ଯୋଗୁଁ ହିଁ ସମ୍ଭବ । ଗୋଟିଏ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ୟନ୍ତ ପର ସମୟର ସମସ୍ତ ରାମକଥା ଗୁ଼ଡିକ ନିଜର ପୂର୍ବ ରାମକଥାମାନଙ୍କର ଆଖ୍ୟାୟିକାମାନଙ୍କର ଜ୍ଞାନ ଉପରେ ନିର୍ଭରଶୀଳ; ଏଣୁକରି ସେଗୁଡ଼ିକୁ ଆମେ ମେଟା-ରାମାୟଣ ବୋଲି କହିପାରିବା । ଏଠାରେ ମୁଁ ମୋର ପ୍ରିୟତମ ଉଦାହରଣ ନଦେଇ ରହିପାରିବି ନାହିଁ । ଅନେକ ରାମାୟଣରେ, ଉଦାହରଣ ସ୍ୱରୂପ ଷଡ଼ଦଶ ଶତାବ୍ଦୀରେ ଲିଖିତ ଆଧ୍ୟାତ୍ମ ରାମାୟଣରେ, ରାମଙ୍କୁ ବନବାସ ଭୋଗ କରିବାର ଆଦେଶ ମିଳିଲା ପରେ ସେ ସୀତାଙ୍କୁ ନେଇ ଦେଶାନ୍ତର ହୋଇ ବନଗମନ କରିବାକୁ ଚାହାନ୍ତି ନାହିଁ । ଏଥିକୁ ନେଇ ସୀତା ତାଙ୍କ ସହିତ ଯୁକ୍ତି କରନ୍ତି । ପ୍ରଥମେ ସେ ତାଙ୍କୁ ଚିରାଚରିତ ଉଦାହରଣମାନ ଦିଅନ୍ତି । ଯଥା - ସୀତା ରାମଙ୍କର ପତ୍ନୀ ହୋଇଥିବାରୁ ସେ ତାଙ୍କ ସହ ବନବାସ କରି ପତିଙ୍କର ଦୁଃଖରେ ଭାଗୀ ହେବା ବିଧେୟ ଇତ୍ୟାଦି । ମାତ୍ର ଏହାକୁ ରାମ ନିଜର ବିରୋଧ ଜାରି ରଖିବାରୁ ସେ କ୍ରୋଧରେ ଫାଟି ପଡ଼ି କୁହନ୍ତି ଯେ ଏହା ପୂର୍ବରୁ ଅଗଣିତ ରାମାୟଣ ଲେଖା ହୋଇସାରିଛି । ତୁମେ ଏପରି ଗୋଟିଏ ବି ରାମାୟଣ ଜାଣିଛ କି ଯେଉଁଥିରେ ସୀତା ରାମଙ୍କ ସହ ବନକୁ ଯାଇନାହାନ୍ତି?’ ଏଥିରେ ସମସ୍ତ ଯୁକ୍ତିତର୍କର ଅନ୍ତ ହୁଏ ଓ ସେ ରାମଙ୍କ ସହ ବନବାସ କରନ୍ତି । ତେଣୁ ଭାରତରେ କୌଣସି ଜିନିଷ ସ୍ୱତନ୍ତ୍ର ଭାବରେ କେବଳ ଥରେ ଘଟେନାହିଁ ; ଏହି ଆଖ୍ୟାୟିକାଟିକୁ ଆମେ ଏକାଧିକ ରାମାୟଣରେ ଦେଖିବାକୁ ପାଇବା । 
କମ୍ବରଙ୍କର ତାମିଲ୍ ରାମାୟଣ ଲେଖା ହେବା ପରେ ଏହା ନିଜର ସନ୍ତତି, ନିଜର ପ୍ରଭାବର ଏକ ବିଶେଷ ଅଞ୍ଚଳ ସୃଷ୍ଟିକରେ । ଲୋକେ ତେଲୁଗୁ ଦେଶରେ ତେଲୁଗୁ ଲିପିରେ ଏହାକୁ ପଢ଼ନ୍ତି, ମାଲାୟାଲାମ ଅଞ୍ଚଳର ମନ୍ଦିରମାନଙ୍କର ରୀତିନୀତିରେ ଏହା ନାଟ୍ୟରୂପ ନିଏ । ରାମକଥାର ଦକ୍ଷିଣପୂର୍ବ ଏସିଆକୁ ପ୍ରବାହରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଏ । ଏହା ପ୍ରମାଣ କରାଯାଇସାରିଛି ଯେ ଅଷ୍ଟାଦଶ ଶତାବ୍ଦୀରେ ଥାୟୀ ଭାଷାରେ ଲିଖିତ – ରାମକିଏନଇ ଅବଲମ୍ବନ ଅନେକ ଦୃଷ୍ଟିରୁ ଏହି ତାମିଲ ଗାଥା । ଉଦାହରଣସ୍ୱରୂପ, ଏହି ଥାୟୀ ରାମକଥାରେ ଅନେକ ଚରିତ୍ରମାନଙ୍କର ନାମ ସଂସ୍କୃତ ଭାଷାର ନୁହେଁ ବରଂ ସେଗୁଡ଼ିକର ଉତ୍ସ ତାମିଲ । 

ଯଥା, ସଂସ୍କୃତରେ ଯାହା ଋଷ୍ୟମୃଙ୍ଗ ତାହା ତାମିଲ ରାମାୟଣରେ କଳାଇକୋଟୁ । ଥାଇ ‘ରାମକିଏନ୍’ରେ ଆମେ ଏହି ତାମିଲ ନାମ ହିଁ ପାଇବା । ତୁଳସୀଦାସ ରଚିତ ହିନ୍ଦିଭାଷାରେ ଲିଖିତ ‘ରାମଚରିତ ମାନସ' ଏବଂ ମାଳୟ ଭାଷାରେ ଲିଖିତ ‘ହିକାୟତସେରିରାମ’ରେ ଅନେକ ବର୍ଣ୍ଣନାର ଉତ୍ସ କମ୍ବରଙ୍କର କାବ୍ୟ । ଅତଏବ ଏହି କାବ୍ୟିକ ରୁଆପୋତାମାନ ଅନେକ ମାର୍ଗ ଦେଇ ହୋଇଅଛି । ଆମେ ଏହି ପ୍ରକ୍ରିୟାର ଅନ୍ୟ ଉଦାହରଣ ମଧ୍ୟ ଦେଇପାରିବା । କେତେ ଭାଷାରେ ଯାହାପାଇଁ ଶବ୍ଦ ଉତ୍ତର ଚୀନ୍ ଦେଇ ଆସିଥିବାବେଳେ ଅନ୍ୟ କେତେକ ଭାଷାର ଏହା ଦକ୍ଷିଣ ଚୀନ୍ ରୁ ଆସିଅଛି । ଅତଏବ୍, ଇଂରାଜୀ ଓ ପ୍ରେଞ୍ଚ୍ ଭଳି କିଛି ଭାଷାରେ ‘ଟି’ ଶବ୍ଦର କିଛି ରୂପ ଥିବାବେଳେ ହିନ୍ଦୀ ଓ ଋଷୀୟଭଳି ଭାଷାମାନଙ୍କରେ ଆମେ ‘ଚା’ ଶବ୍ଦର କିଛି ରୂପ ଦେଖିବାକୁ ପାଇବା । ସେହିପରି ସନ୍ତୋଷ ଦେଶାଇଙ୍କ ମତାନୁସାରେ ରାମଙ୍କର କଥା ତିନୋଟି ମାର୍ଗରେ ଭ୍ରମଣ କରିଥିବାର ଜଣାଯାଏ । ‘ ମାର୍ଗରେ ଉତ୍ତର ଦିଗର ମାର୍ଗଟି ଗପଟିକୁ ପଞ୍ଜାବ ଏବଂ କାଶ୍ମୀରରୁ ଚୀନ୍, ତିବ୍ଦତ୍ ଓ ପୂର୍ବ ତୁର୍କିସ୍ଥାନ୍ କୁ ନେଲା; ସମୁଦ୍ର ଦେଇ ଦକ୍ଷିଣମାର୍ଗଟି ଗୁଜୁରାଟ୍ ଏବଂ ଦକ୍ଷିଣ ଭାରତରୁ ଗପଟିକୁ ଜାଭା, ସୁମାତ୍ରା ଏବଂ ମାଳୟକୁ ନେଲା । ଏବଂ ଆଉଥରେ ପୂଣି ପୂର୍ବଦିଗର ମାର୍ଗଟି ଗପଟିକୁ ବଙ୍ଗଳା ଦେଶରୁ ବର୍ମା, ଥାଇଲାଣ୍ଡ୍ ଓ ଲାଓ ଆଦି ଦେଶକୁ ନେଲା । ଭିଏତନାମ୍ ଏବଂ କାମ୍ବୋଜ ସେମାନଙ୍କର ଗପଗୁଡ଼ିକୁ କିଛିଅଂଶରେ ଜାଭା ଦ୍ୱୀପରୁ ଓ ଆଉ କିଛି ଅଂଶକୁ ପୂର୍ବଦିଗର ମାର୍ଗ ଦେଇ ଭାରତକୁ ପାଇଲେ ।

ଜୈନ କଥନ

ଆମେ ଜୈନ କଥନର ଦୁନିଆକୁ ପ୍ରବେଶ କଲେ ଦେଖିବା ଯେ, ରାମଙ୍କର ଗଳ୍ପରେ ଆଉ ହିନ୍ଦୁ ମୂଲ୍ୟବୋଧଟିମାନ ନାହିଁ । ଜୈନ ପୋଥିମାନେ ଏହି ଭାବ ପ୍ରକାଶ କରନ୍ତି ଯେ ହିନ୍ଦୁମାନେ ଓ ବିଶେଷତଃ ବ୍ରାହ୍ମଣମାନେ ରାବଣଙ୍କର ଚରିତ୍ର ସଂହାର କରି ତାଙ୍କୁ ଏକ ଖଳନାୟକରେ ପରିଣତ କରିଛନ୍ତି । ଜୈନ ପୋଥିମାନେ କେତେଗୁଡ଼ିକଏ ପ୍ରଶ୍ନ ପଚାରି ନିଜର ବକ୍ତବ୍ୟ ଆରମ୍ଭ କରନ୍ତି । ସେହି ପ୍ରଶ୍ନଗୁଡ଼ିକ ହେଲା - ମାଙ୍କଡ଼ମାନେ ରାବଣଙ୍କ ପରି କ୍ଷମତାଶାଳୀ ରାକ୍ଷସ ବୀରମାନଙ୍କୁ କିଭଳି ଭାବେ ପରାଜିତ କରିପାରିବେ ? ରାବଣଙ୍କ ଭଳି ସମ୍ଭ୍ରାନ୍ତ ଓ ଜୈନ ବ୍ୟକ୍ତି କିଭଳି ମାଂସଭକ୍ଷଣ ଓ ରକ୍ତପାନ କରିପାରିବେ ?  କୁମ୍ଭକର୍ଣ୍ଣ କିପରି ବର୍ଷକେ ଲଗାତାର ଛମାସ ଶୋଇପାରିବ ତଥା କାନରେ ଜଳନ୍ତା ତେଲ ଢଳାଗଲେ ମଧ୍ୟ ଓ ଉପରେ ହାତୀଟିମାନ ଚଢ଼ାଗଲେ ମଧ୍ୟ, କାନପାଖରେ ଯୁଦ୍ଧର ଭେରୀ, ତୁରୀ, ଶଙ୍ଖ ବଜାଗଲେ ମଧ୍ୟ ନିଦରୁ ଉଠିବ ନାହିଁ  ? ରାବଣ କୁଆଡ଼େ ଇନ୍ଦ୍ରଙ୍କୁ ହାତକଡ଼ି ପକାଇ ଲଙ୍କାକୁ ଟାଣିଆଣିଥିଲା । ଇନ୍ଦ୍ରଙ୍କୁ ଏହା କିଏ କରିପାରିବ କି? ସବୁକିଛି ତେଣୁକରି ଉଦ୍ଭଟ କଳ୍ପନା ପ୍ରସୂତ । ଏଗୁଡ଼ିକ ମିଥ୍ୟା ଏବଂ ଯୁକ୍ତିସଙ୍ଗତ ନୁହେଁ । ରାଜା ଶ୍ରେଣିକ ତାଙ୍କର ସେହି ପ୍ରଶ୍ନଗୁଡ଼ିକ ବିଷୟରେ ଚିନ୍ତା କରି ଋଷି ଗୌତମଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କୁ ସତ୍ୟ କଥା ବର୍ଣ୍ଣନା କରି ସନ୍ଦେହମୋଚନ କରିବା ପାଇଁ ଅନୁରୋଧ କରନ୍ତି । ଗୌତମ ତାଙ୍କୁ କହନ୍ତି, ‘ମୁଁ ତୁମ୍ଭଙ୍କୁ ଜୈନ ପଣ୍ଡିତମାନେ ଏ ବିଷୟରେ କ’ଣ କହନ୍ତି ତାହା କହିବି । ରାବଣ ରାକ୍ଷସ ନୁହେଁ କିମ୍ବା ସେ ମଣିଷ ଇତର ମାଂସ ଭକ୍ଷକ ନୁହେଁ । ବୁଦ୍ଧିଭ୍ରଷ୍ଟ କବି ଓ ମୁର୍ଖମାନେ ଏହିପରି ମିଛ କହନ୍ତି ।’ ଏହାପରେ ସେ ତାଙ୍କୁ ଗଳ୍ପର ନିଜ ରୂପ କହିବାକୁ ଆରମ୍ଭ କରନ୍ତି । ବିମଳ ମୁନିଙ୍କର ପୌମଚରୀୟ (ସଂସ୍କୃତ ପଦ୍ମଚରିତ ପ୍ରାକୃତ ରୂପ) ନାମକ ଜୈନ ରାମାୟଣ ବାଲ୍ମିକୀଙ୍କ ସଂସ୍କୃତ ରାମାୟଣ ବିଷୟରେ ସମ୍ପୂର୍ଣ୍ଣ ସଚେତନ । ମାତ୍ର ଏହା ନିଜେ ଦେଖୁଥିବା ହିନ୍ଦୁ ପ୍ରମାଦ ଓ ବହ୍ୱାଡ଼ମ୍ବରକୁ ଠିକ୍ କରିବାକୁ ଚେଷ୍ଟା କରେ । ଅନ୍ୟ ଜୈନ ପୁରାଣ ପରି ଏଥା ମଧ୍ୟ ଏକ ପ୍ରତିପୁରାଣ । ‘ପ୍ରତି' ଉପସର୍ଗଟି ଜୈନମାନଙ୍କର ଅତି ପ୍ରିୟ । 

ବିମଳ ମୁନିଙ୍କର ଜୈନ ରାମକଥା ରାମଙ୍କର ବଂଶାବଳୀ ଏବଂ ମହାନତାରୁ ଆରମ୍ଭ ହୁଏ ନାହିଁ । ବରଂ ସେ ରାବଣର ବଂଶାବଳୀ ଓ ମହାନତାରୁ କଥାଟିକୁ ଆରମ୍ଭ କରନ୍ତି । ରାବଣ ଜୈନ ପରମ୍ପରାର ୬୩ଟି ସଳାକାପୁରୁଷ ଅର୍ଥାତ ଅଗ୍ରଜଙ୍କର ମଧ୍ୟରୁ ଜଣେ । ସେ ସମ୍ଭ୍ରାନ୍ତ ପ୍ରାଜ୍ଞ । ଜୈନ ମୁନିମାନଙ୍କର ଭକ୍ତ ଏବଂ ନିଜର ସମସ୍ତ ଆଦିଭୌତିକ କ୍ଷମତା ଓ ଶସ୍ତ୍ରମାନ ସେ ତପଶ୍ଚର୍ଯ୍ୟ ଦ୍ୱାରା ଅର୍ଜନ କରନ୍ତି । ଜଣେ ଜୈନମୁନିଙ୍କୁ ଖୁସି କରିବା ପାଇଁ ସେ କୌଣସି ଅନିଚ୍ଛୁକ ନାରୀକୁ ନ ଛୁଇଁବା ପାଇଁ ବ୍ରତ ମଧ୍ୟ ନିଅନ୍ତି । ଏକ ସ୍ମରଣୀୟ ଘଟଣାବଳୀରେ ସେ ଏକ ଅଭେଦ୍ୟ ଦୁର୍ଗକୁ ଘେରାଉ କରନ୍ତି । ସେହି ରାଜ୍ୟର ରାଣୀ ତାଙ୍କୁ ଭଲପାଉଥିବାରୁ ସେ ତାଙ୍କ ପାଖକୁ ଦୂତ ପଠାନ୍ତି । ରାଣୀଙ୍କ ଠାରୁ ଦୁର୍ଗଭେଦ କରିବାର ଉପାୟ ଜାଣି ରାବଣ ଦୁର୍ଗ ଜୟକରି ରାଜାଙ୍କୁ ପରାଜିତ କରନ୍ତି । ମାତ୍ର ଦୁର୍ଗଜୟ ପରେ ରାଜ୍ୟଟିକୁ ରାଜାଙ୍କୁ ଲେଉଟାଇ ଦେଇ ରାଣୀଙ୍କୁ ନିଜ ସ୍ୱାମୀଙ୍କ ପାଖକୁ ଫେରିଯିବା ପାଇଁ ଉପଦେଶ ଦିଅନ୍ତି । ପରେ ଜ୍ୟୋତିଷମାନଙ୍କ ଠାରୁ ସେ ଯେତେବେଳେ ଜାଣନ୍ତି କି ସୀତା ନାମକ ଏକ ନାରୀ ତାଙ୍କର ଅନ୍ତର କାରଣ ହେବ ସେତେବେଳେ ସେ ହୁଅନ୍ତି ଥରହର । 

ଏହିପରି ବ୍ୟକ୍ତିତ୍ତ୍ୱର ଅଧିକାରୀ ରାବଣ ସୀତାଙ୍କର ପ୍ରେମରେ ପଡ଼ି ତାଙ୍କୁ ଅପହରଣ କରେ । ତାଙ୍କର ମନ ଜିଣିବାର ବିଫଳ ପ୍ରୟାସ କରେ । ନିଜର ପତନ ଦେଖେ ଏବଂ ଶେଷକୁ ରଣଭୂମିରେ ପ୍ରାଣତ୍ୟାଗ କରେ । ଏହି ଜୈନଗଳ୍ପଗୁଡ଼ିକର ରାବଣ ଏପରି ଏକ ଉତ୍ତେଜନା ଓ କାମନାର ଫଳଭୋଗ କରନ୍ତି ଯାହା ବିରୁଦ୍ଧରେ ସେ ମତ ନେଇଛନ୍ତି ମାତ୍ର ଯାହାକୁ ବିରୋଧ କରିବାର ତାଙ୍କର କ୍ଷମତା ନାହିଁ । ଜୈନ ରାମାୟଣର ଅନ୍ୟ ଏକ ପରମ୍ପରାରେ ସୀତା ରାବଣଙ୍କର ଝିଅ ଯଦିଓ ସେ ନିଜେ ଏହି କଥା ଜାଣନ୍ତି ନାହିଁ । ଏହି ପରିସ୍ଥିତିରେ ଟ୍ରାଜେଡ଼ିର ପସାପାଲି ମୂଳରୁ ହିଁ ତାଙ୍କ ବିରୁଦ୍ଧରେ ସ୍ଥିର ହୋଇସାରିଛି । ମୁଁ ସୀତାଙ୍କର ଜନ୍ମ ବିଷୟରେ ଆସନ୍ତା ବିଭାଗରେ କହିବି ।

ଆମର ଆଧୁନିକ ଆଖିରେ ଅବଶ୍ୟ ରାବଣ ଏକ ଟ୍ରାଜିକ୍ ପୁରୁଷ । ଜୈନମାନେ ଯେତେବେଳେ ତାଙ୍କର ରାମଗଳ୍ପ କହନ୍ତି ସେତେବେଳେ ଆମେ ରାବଣ ପାଇଁ ଦୟା ଓ ବିସ୍ମୟରେ ଭରିଯାଉ । ମୁଁ ଏହିଠାରେ ଆଉ ଏକ ପ୍ରସଙ୍ଗ କହିବା ଉଚିତ ହେବ । ଜୈନ ଚିନ୍ତାକଳ୍ପରେ ବାସୁଦେବ ଓ ପ୍ରତି-ବାସୁଦେବ (ନାୟକ ଓ ଖଳନାୟକ, ଠିକ୍ ସ୍ୱ ଓ ଅପର ପରି ପରସ୍ପର ବିରୋଧୀ ପୁରୁଷ ଜନ୍ମ ଜନ୍ମାନ୍ତର ଧରି ପରସ୍ପର ସହିତ ଲଢ଼େଇ କରିବା ପାଇଁ ବିଧି ଦ୍ୱାରା ବାଧ୍ୟ । ଲକ୍ଷ୍ମଣ ଓ ରାବଣ ଏହି ବାସୁଦେବ ଓ ପ୍ରତି-ବାସୁଦେବଙ୍କର ଅଷ୍ଟମ ଅବତାର । ସେମାନେ ଯୁଗ ପରେ ଯୁଗ ଜନ୍ମ ନିଅନ୍ତି, ଅନେକ ଦ୍ୱନ୍ଦ୍ୱ ପରେ ରଣଭୂମିରେ ପରସ୍ପରକୁ ଭେଟନ୍ତି ଓ ପ୍ରତି ଥର ବାସୁଦେବ ପ୍ରତି ବାସୁଦେବଙ୍କର ବଧ କରନ୍ତି । ରାବଣ ଅନ୍ତରେ ଜାଣି ପାରନ୍ତି ଯେ ଲକ୍ଷ୍ମଣ ତାଙ୍କର ବଧ ନିମନ୍ତେ ଅବତାର ଗ୍ରହଣ କରିଥିବା ଏହିପରି ଏକ ବାସୁଦେବ । ଶାନ୍ତି ନିମନ୍ତେ ସନ୍ଧିର ଏକ ଶେଷ ପ୍ରୟାସର ବିଫଳତା ପରେ ସେ ନିଜର ନିରାଶାକୁ ଏଡ଼ାଇ ଦେଇ ଯୁଦ୍ଧଭୂମିରେ ନିଜର ଦୈବ ନିର୍ଦ୍ଧାରିତ ଶତ୍ରୁ ଆଗରେ ଆଦିଭୌତିକ କ୍ଷମତାଶାଳୀ ଶସ୍ତ୍ରମାନ ଧରି ବିରାଜମାନ ହୁଅନ୍ତି । ଶେଷରେ ଯେତେବେଳେ ସେ ନିଜର ଚକ୍ର ଫିଙ୍ଗନ୍ତି, ତାହା କାମ କରେନାହିଁ । ଚକ୍ର ନିଜେ ଚିହ୍ନିପାରେ ଯେ ଲକ୍ଷ୍ମଣ ସ୍ୱୟଂ ବାସୁଦେବ ଓ ଏହା ତାଙ୍କର ଶୀର ଚ୍ଛେଦନ ନ କରି ତାଙ୍କର ହାତକୁ ହିଁ ଚାଲିଯାଏ । ଅତଏବ୍, ଲକ୍ଷ୍ମଣ ରାବଣଙ୍କୁ ତାଙ୍କର ନିଜର ପ୍ରିୟ ଶସ୍ତ୍ର ସାହାଯ୍ୟରେ ହିଁ ବଧ କରନ୍ତି ।

ହିନ୍ଦୁ ରାମାୟଣମାନଙ୍କ ପରି ଏହି ଜୈନ କଥାମାନଙ୍କରେ ରାମ ରାବଣଙ୍କର ବଧ ମଧ୍ୟ କରନ୍ତି ନାହିଁ । କାରଣ ରାମ ନିଜେ ଜଣେ ବିବର୍ତ୍ତିତ ଜୈନ ଆତ୍ମା ଯେ କି ନିଜର ସମସ୍ତ କାମନା ଉପରେ ବିଜୟ ଲାଭ କରିସାରିଛନ୍ତି । ଯେହେତୁ ଏହା ତାଙ୍କର ଶେଷ ଜନ୍ମ, ସେ ଜୀବହତ୍ୟା କରିବାକୁ ଚାହାନ୍ତି ନାହିଁ । ଏଥିଯୋଗୁଁ ଲକ୍ଷ୍ମଣ ହିଁ ରାବଣଙ୍କର ବଧ କରନ୍ତି । ଫଳସ୍ୱରୂପ ସେ ନର୍କକୁ ଯାଆନ୍ତି ଓ ରାମ ପାଆନ୍ତି କୈବଲ୍ୟ ।
ଏଠାରେ ବୋଧହୁଏ ଏହା କହିବା ଜରୁରୀ ନୁହେଁ ଯେ  ପୌମଚରୀୟ ଗ୍ରନ୍ଥଟି ଜୈନ ତୀର୍ଥ ସ୍ଥାନ, ଜୈନ ମୁନିମାନଙ୍କ ବିଷୟରେ ଗଳ୍ପ, ତଥା ଜୈନ କଥା ଓ କଥନିକା ମାନଙ୍କରେ ପରିପୂର୍ଣ୍ଣ । ଜୈନମାନେ ନିଜକୁ ଯୁକ୍ତିବାଦୀ ବୋଲି ଭାବନ୍ତି ଓ ହିନ୍ଦୁମାନେ ଅତିମାତ୍ରାରେ ରକ୍ତାକ୍ତ କର୍ମକାଣ୍ଡ ଓ କଳ୍ପନାରେ ବୁଡ଼ି ରହିଥାନ୍ତି ବୋଲି ଧାରଣା ରଖନ୍ତି । ତେଣୁ କୌଣସି ପ୍ରକାରର ବଳି ତଥା ଅଲୌକିକ ଜନ୍ମ ଇତ୍ୟାଦିର ବର୍ଣ୍ଣନା ଜୈନମାନେ କରନ୍ତି ନାହିଁ । ତେଣୁକରି ଜୈନ ରାମକଥାମାନଙ୍କର ରାମ ଏବଂ ତାଙ୍କ ଭ୍ରାତାମାନଙ୍କର ଜନ୍ମ ସାଧାରଣ ଉପାୟରେ ହିଁ ହୁଏ । ସେମାନେ ରାବଣଙ୍କର ଦଶମୁଖ ପରିକଳ୍ପନାର ମଧ୍ୟ ଏକ ଯୁକ୍ତିବାଦୀ କାରଣ ଦିଅନ୍ତି । ସେମାନଙ୍କ ମତରେ ରାବଣଙ୍କର ଜନ୍ମ ସମୟରେ ରାବଣଙ୍କର ମାତାଙ୍କୁ ଏକ ନବରତ୍ନ ଜଡ଼ା ମାଳା ଦିଆଯାଇଥିଲା । ସେ ଯେତେବେଳେ ଏହାକୁ ରାବଣଙ୍କର କଳାରେ ପକାଇଲେ ସେହି ନଅଟି ରତ୍ନରେ ରାବଣଙ୍କର ମୁଖର ପ୍ରତିଫଳନ ଦେଖାଗଲା । ଏଥିଯୋଗୁଁ ତାଙ୍କର ମାତା ତାଙ୍କୁ ଦଶମୁଖ ବୋଲି ଡାକିଲେ । ସେହିପରି ମର୍କଟମାନେ ମଧ୍ୟ ମାଙ୍କଡ଼ ନୁହନ୍ତି ବରଂ ସେମାନେ ରାବଣଙ୍କର ସହିତ ସମ୍ପର୍କିତ ବିଦ୍ୟାଧରମାନଙ୍କର ଏକ କୁଳ । ରାବଣଙ୍କ ସହିତ ସେମାନଙ୍କ ସମ୍ପର୍କ ଅଣଜେଜେବାପାଙ୍କର ସମ୍ପର୍କ । ଯେହେତୁ ଏହି ବିଦ୍ୟାଧରମାନେ ବାନରମାନଙ୍କୁ ସେମାନଙ୍କର ଚିହ୍ନ ହିସାବରେ ନିଜର ପତାକାରେ ବ୍ୟବହାର କରନ୍ତି ସେମାନେ ବାନର ବୋଲି ନାମିତ ।

No comments:

Post a Comment