Living in Bhubaneswar
Monday, October 19, 2015
କଳା କଳେବର କହ୍ନାଇ
କବି – ଭକ୍ତ ଦାସ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=RdTHv7Xbo5A
କଳା କଳେବର କହ୍ନାଇ ସଙ୍ଗେ ରୋହିଣୀସୁତ
କରନ୍ତି ମଥୁରା ବିଜୟେ ଦାଣ୍ତେ ଦେଖ ସଙ୍ଗାତ
।
ଖସିପଡୁଛି କି ଆକାଶୁ କି ଏ ଗଙ୍ଗାଯମୁନା
କ୍ଷୀରସଙ୍ଗେ ପ୍ରାଣଶୋଷିଲେ ନାଶଗଲା ପୁତନା
।
ଗହନକାନନ ବନରେ ଘୋର ବରଷାକାଳ
ଗିରି ବାମକରେ ଧଇଲେ ନନ୍ଦ ଯଶୋଦା ବାଳ
।
ଘରେ ନରହନ୍ତି ଗଉଡେ ବଡ ଅଧମ ଜାତି
ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି
।
ଉଇଁ ଆସୁଛି କି ପୂର୍ଣ୍ଣୀମା ଶଶୀ ମଧୁସାଗରୁ
ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ
।
ଚନ୍ଦନବେଶ ମୁଁ କରନ୍ତି ମୋର ହେଉଛି ମନ
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ
।
ଛନକା ପଶିଲା ଛାତିରେ ଜାତିକୁଳ ଉପେକ୍ଷି
ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନଦେଖି
।
ଜହର ସଙ୍ଗତେ ମହୁର ଆସି ହେଲା ନିୟତ
ଯୁବତୀ କୁଳକୁ ଦଇବ କଲା ଏ ହତପାତ
।
ଝଡିପଡୁଛି କି ଝୁଣ୍ଟିଆ ଝସକେତନ ଘାତେ
ଝାଳ ବିନ୍ଦୁବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ
।
ନୟନ ଉପରେ ଭ୍ରୁଲତା କିଏ କାମ କମାଣ
ନୁହନ୍ତି ଏତ ଏ କାହାରି ସଭି ଗୋପୀଙ୍କ ପ୍ରାଣ
।
ଟୋପିଟୋପି କରି ଚନ୍ଦନ ମଣ୍ତିଛନ୍ତି କି ସେ ଯେ
ଏକିବାରେ ଚାହାଁ ମଥୁରା ଦାଣ୍ତେ ଗୋବିନ୍ଦ ବିଜେ
।
ଠାବେଠାବେ ଗୋଳଚହଳ ସିଙ୍ଗା ବେଣୁବଇଁଶୀ
ଠିଆହୋଇ ଭକ୍ତଦାସ ତା ଦାଣ୍ତେ ଦେଖନ୍ତି ଆସି
।
ଡାକନ୍ତି ଏକକୁ ଆରେକ ଆସ ଜୀବଜୀବନ
ଡୋଳାରେ ଏ ରୁପ ଦେଖିବା ଆସ ମଧୁସୂଦନ
।
ଢଳିଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣି
ଢାଳନ୍ତି କିରୁପେ ଡୋଳାକୁ କେଉଁ ଛଟକେ ଆଣି
।
ଅଳଙ୍କାରେ ସରୁକାଇଁଚ ମଣ୍ତିଛନ୍ତି କି କରେ
ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ
।
ରାମ କୃଷ୍ଣ ବେନିଭାଇଗୋ ଦୁହେଁ ଦୁହିଁକି ତୋରା
ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗହନେ ତାରା
।
ଲାଜ ଭୟ ତେଜି କରିବା କୃଷ୍ଣ ସଙ୍ଗେ ପୀରତି
ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି
।
ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ
ହସୁଥିବୁ ତାଙ୍କ ସଙ୍ଗତେ ବସିଥିବୁ ଗୋ କୋଳେ
।
ଛାଡି ଲଜ୍ଜା ଭୟ ତା ରୁପ ଦରପଣେ ମାଜିବା
ଛାର ଭକ୍ତଦାସ କହେତା ଧ୍ୟାୟି ରଜନୀ ଦିବା ।
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment