Friday, October 09, 2015

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ 


ପ୍ରଥମ ପ୍ରକାଶ - ୧୮୮୭


ଫଟେ କ୍ରେଡିଟ୍ - ୱିକିମିଡିଆ କମନସ୍ 

ପ୍ରଥମ ଅଧ୍ୟାୟ - ଶ୍ଲୋକ ୧୩ - ୨୩

ସଞ୍ଜୟ ଉବାଚ 


ତତଃ ଶଙ୍ଖାଶ୍ଚ ଭେର୍ୟ୍ୟଶ୍ଚ ପଣବାନକଗୋମୁଖାଃ ।
ସହସୈବାଭ୍ୟହନ୍ୟନ୍ତ ସଶବ୍ଦସ୍ତୁମୁଳୋ‌‌‌ଽଭବତ୍ ।୧୩।

ଅନନ୍ତର ଶଙ୍ଖ ଭେରୀ ଗୋମୁଖ ମାଦଳ । ସହସା ସେ ସୈନ୍ୟ ମଧ୍ୟେ ପଡିଲା ଚହଳ । ୧୩।

ତତଃ ଶ୍ୱେତୈର୍ହ ୟୈର୍ୟୁକ୍ତୋ ମହତି ସ୍ୟନ୍ଦନେ ସ୍ଥିତୌ ।
ମାଧବଃ ପାଣ୍ଡବଶ୍ଚୈବ ଦିବୌ ଶଙ୍ଖୌ ପ୍ରଦଧ୍ମତୁଃ । ୧୪।

ଶ୍ୱେତଅଶ୍ୱଯୁକ୍ତ ରଥେ ଶ୍ରୀକୃଷ୍ନ ଅର୍ଜୁନ । ଅନନ୍ତରେ ଶଙ୍ଖନାଦ କଲେ ଘନ ଘନ । ୧୪ ।

ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖମ୍ ଭୀମକର୍ମ୍ମା ବୃକୋଦରଃ । ୧୫ ।

ବଜାଇଲେ ପଞ୍ଚଜନ୍ୟ ପ୍ରଭୁ ଦାମୋଦର । ଦେବଦତ୍ତ ଧନଞ୍ଜୟ ପୌଣ୍ଡ୍ର ବୃକୋଦର । ୧୫ ।

ଅନନ୍ତବିଜୟଂ ରାଜା କୁନ୍ତିପୁତ୍ରୋ ଯୁଧିଷ୍ଠିରଃ ।
ନକୁଳଃ ସହଦେବଶ୍ଚ ସୁଘୋଷମଣିପୁଷ୍ପକୌ । ୧୬ ।

ମହାରାଜା ଯୁଧିଷ୍ଠିର ଧର୍ମଙ୍କ ନନ୍ଦନ । ଅନନ୍ତବିଜୟ  ବଜାଇଲେ ଘନଘନ ।।
ସୁଘୋଷ ଶଙ୍ଖକୁ ବଜାଇଲେ ଯେ ନକୁଳ । ମଣିପୁଷ୍ପ ଶଙ୍ଖ ସହଦେବ ମହାବଳ ।। ୧୬ ।

କାଶ୍ୟଶ୍ଚ ପରମେଷ୍ୱାସଃ ଶିଖଣ୍ଡୀ ଚ ମହାରଥଃ ।
ଧୃଷ୍ଚଦ୍ୟୁମ୍ନୋବିରାଟଶ୍ଚ ସାତ୍ୟକିଶ୍ଚାପରାଜିତଃ । ୧୭ ।

ଶିଖଣ୍ଡୀ ବିରାଟ ମହାରଥୀ କାଶୀପତି । ମହାବୀର ଧୃଷ୍ଟଦ୍ୟୁମ୍ନ ସାତ୍ୟକୀ ପ୍ରଭୁତି । ୧୭ ।

ଦୃପଦୋ ଦ୍ରୌପଦେୟାଶ୍ଚ ସର୍ବଶଃ ପୃଥିବୀପତେ ।
ସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ୍  ଦଧ୍ମୁଃ ପୃଥକ୍ ପୃଥକ୍ । ୧୮ ।

ଦୃପଦ ରାଜନ ପୁଣି ତାଙ୍କ ପୁତ୍ରମାନେ । ବଜାଇଲେ ସର୍ବେ ଶଙ୍ଖ ସୁଭଦ୍ରା ନନ୍ଦନେ । ୧୮ ।

ସଘୋଷା ଧାର୍ତ୍ତରାଷ୍ଟ୍ରାଣାଂ ହୃଦୟାନି ବ୍ୟଦାରୟତ୍ ।
ନଭଶ୍ଚ ପୃଥିବୀଞ୍ଚୈବ ତୁମୁଳୋଽଭ୍ୟନୁନାଦୟନ୍ । ୧୯ ।

ଧାର୍ତ୍ତରାଷ୍ଟ୍ରମାନଙ୍କର ହୃଦୟ ବିଦାରୀ । ଶଙ୍ଖଧ୍ୱନି ପୂର୍ଣହେଲା ଶୂନ୍ୟ ବସୁନ୍ଧରୀ । ୧୯ ।

ଅଥ ବ୍ୟବସ୍ଥିତାନ୍ ଦୃଷ୍ଟ୍ୱା ଧାର୍ତ୍ତରାଷ୍ଟ୍ରାନ୍ କପିଧ୍ୱଜଃ ।
ପ୍ରବୃତ୍ତେ ଶସ୍ତ୍ରସମ୍ପାତେ ଧନୁରୁଦ୍ୟମ୍ୟ ପାଣ୍ଡବଃ
ହୃଷୀକେଷଂ ତଦା ବାକ୍ୟମିଦମାହ ମହୀପତେ । ୨୦ ।

ଧାର୍ତ୍ତରାଷ୍ଟ୍ରଗଣେ ଦେଖି ଯୁଦ୍ଧରେ ଉଦ୍ୟତ । କପିଧ୍ୱଜ ରଥେ ବସି ମହାବୀର ପାର୍ଥ ।।
ଗାଣ୍ଡିବରେ ଗୁଣ ଦେଇ ବିଜୟ ସମରେ । ବୋଇଲେ ବିନୟ କରି ଦେବକୀ କୁମରେ । ୨୦ ।

ଅର୍ଜୁନ ଉବାଚ 


ସେନୋୟୋରୁଭୟୋର୍ମଧ୍ୟେ ରଥଂ ସ୍ଥାପୟ ମେଽଚ୍ୟୁତ । ୨୧ ।

ନିବେଦନ କରୁଅଛି ଆହେ ଯଦୁମଣି । ଦୁଇସେନା ମଧ୍ୟସ୍ଥଳେ ରଥ ଯାଅ ଘେନି । ୨୧ ।

ଯାବଦେତାନ୍ନିରୀକ୍ଷେଽହଂ ଯୋଦ୍ଧୃକାମାନବସ୍ଥିତାନ୍ ।
କୈର୍ମୟା ସହ ଯୋଦ୍ଧବ୍ୟମସ୍ମିନ୍ ରଣସମୁଦ୍ୟମେ । ୨୨ ।

ଦେଖିବି ହେ ବାସୁଦେବ କରି ନିରୀକ୍ଷଣ । ଯୁଦ୍ଧ ପାଇଁ ଆସିଛନ୍ତି ଯେଉଁ ବୀରଗଣ । ।
ସେମାନଙ୍କ ମଧ୍ୟେଛନ୍ତି କେଉଁ କେଉଁ ବୀର । ସେମାନଙ୍କ ସଙ୍ଗେ ଆମ୍ଭ କରିବୁ ସମର । ୨୨ ।

ଯୋତ୍ସ୍ୟମାନାନବେକ୍ଷେଽହଂ ଯ ଏତେଽତ୍ର ସମାଗତାଃ ।
ଧାର୍ତ୍ତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେଯୁଦ୍ଧେ ପ୍ରିୟଚିକୀର୍ଷବଃ । ୨୩ ।

ମନ୍ଦ ବୁଦ୍ଧି ଧାର୍ତ୍ତରାଷ୍ଟ୍ର ପ୍ରିୟ କାମନାରେ । ସମରକୁ ଆସିଛନ୍ତି ଯେଉଁ ଯେଉଁ ବୀରେ ।।
ଯାବତ ତାହାଙ୍କୁ କରିନାହୁଁ ନିରୀକ୍ଷଣ । ତାବତ ହେ କୃଷ୍ନ ରଥ କରନ୍ତୁ ସ୍ଥାପନ । ୨୩ । 

No comments:

Post a Comment