Friday, October 23, 2015

ପ୍ରଫେସର୍ କଳବର୍ଗୀଙ୍କର ହତ୍ୟା : ଆମର ମାନବବାଦ ଓ ତାଙ୍କର ମାନବବାଦ






ଏହି କିଛି ବର୍ଷ ଭିତରେ ଅନେକ ଭାରତୀୟ  ମୁକ୍ତ ଚିନ୍ତକମାନଙ୍କର ହତ୍ୟା  କରାଯାଇଅଛି ; ସେମାନଙ୍କ ମଧ୍ୟରୁ ଅନେକ ହେତୁବାଦୀ ବିଚାରଧାରାର  ଅନୁଗାମୀ ଥିଲେ ଏହି ବର୍ଷକ ଭିତରେ ଆମେ ହେତୁବାଦୀ ଚିନ୍ତକ ଓ ପ୍ରଚାରକ ଶ୍ରୀ ନରେନ୍ଦ୍ର ଦାଭୋଲକର୍ ତଥା ସାମ୍ୟବାଦୀ ନେତା, ଚିନ୍ତକ ଓ ହେତୁବାଦୀ, ହିନ୍ଦୁତ୍ତ୍ୱ ବିରୋଧି ଶ୍ରୀ  ଗୋବିନ୍ଦ  ପାନ୍-ସରେ (ସେ ବୃହତ୍ତର ଜନମାନସରେ ଶିବାଜୀଙ୍କର ଏକ ଲୋକାଭିମୁଖୀ ଜୀବନୀ ଶିବାଜୀ କୋଣ୍ ହୋତା?’ ର ଲେଖକ ଭାବରେ ପରିଚିତ) ଅନ୍ୟତମ । ପ୍ରଫେସର୍ ମଦେଶପ୍ପା ମଦିବାଲପ୍ପା କଳବର୍ଗୀଙ୍କର ୩୦ ଅଗଷ୍ଟ, ୨୦୧୫ରେ  ହତ୍ୟା ଏହି ଘୃଣ୍ୟ ଖଟଣା ଶୃଙ୍ଖଳର ଅନ୍ୟତମ ଓ ସଦ୍ୟତମ ପର୍ଯ୍ୟାୟ ଅଟେ ମାତ୍ର ଅନେକ ଦୃଷ୍ଟିରୁ ଶ୍ରୀ କଳବର୍ଗୀ ଅନ୍ୟ ଦୁଇଜଣଙ୍କଠାରୁ ଭିନ୍ନ ଓ ତାଙ୍କର ଜୀବନ ଓ ମୃତ୍ୟୁ ଆମକୁ ଭବିଷ୍ୟତର ଅନେକ ବିଭ୍ରାନ୍ତିରୁ ରକ୍ଷାକରିପାରେ ।

ଏହି ସନ୍ଦର୍ଭରେ ଭାରତର ଆଞ୍ଚଳିକ ଓ ଏସୀୟ ପରିପ୍ରେକ୍ଷୀରେ, ଏଇ ନିକଟ ଅତୀତର  କିଛି ଘଟଣାବଳୀ ଆମର ମାର୍ଗଦର୍ଶନ କରିପାରେ । ଏହି ବର୍ଷର ମଇ ମାସରେ ବଙ୍ଗଳାଦେଶରେ ବ୍ଲଗର୍ ଅନନ୍ତବିଜୟ ଦାସଙ୍କୁ ସିଲହଟ୍ ରେ ଅଜଣା ଆତତାୟୀମାନେ ହତ୍ୟା କଲେ । ଶ୍ରୀ ଦାସ ଯୁକ୍ତି ନାମକ ଗୋଟିଏ ତ୍ରୈମାସିକ ପତ୍ରିକାର ସମ୍ପାଦକ ଓ ସିଲହଟ୍ ସ୍ଥିତ ବିଜ୍ଞାନ ଓ ତର୍କବାଦୀ ପରିଷଦର ମୂଖ୍ୟ ଥିଲେ । ସେ ବଙ୍ଗଳାଦେଶରେ ଧର୍ମନିରପେକ୍ଷତା ଓ ମାନବବାଦର ପ୍ରଚାର ଓ ପ୍ରସାରରେ ଏକ ମୂଖ୍ୟ ଭୂମିକା ତୁଲାଉଥିଲେ । ସେ ଜଣେ ନାସ୍ତିକ ଥିଲେ ଓ ମୁକ୍ତମନ ନାମକ ଏକ ଗୁରୁତ୍ତ୍ୱପୂର୍ଣ ମୁକ୍ତଚିନ୍ତନ-ଭିତ୍ତିକ ୱେବସାଇଟ୍ ରେ ନିୟମିତ ଲେଖୁଥିଲେ । ଏହି କିଛି ମାସ ତଳ ପର୍ଯ୍ୟନ୍ତ ଏହି ୱେବସାଇଟ୍ ଟି ବଙ୍ଗଳାଦେଶୀ-ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଓ ପ୍ରସିଦ୍ଧ ଯୁକ୍ତିବାଦୀ ଅଭିଜିତ ରାୟଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଏହି ବର୍ଷର ଫେବ୍ରୁଆରୀ ମାସରେ ଅଲ୍ କାଏଦାର ଆତତାୟୀମାନେ ଢାକା ସହରରେ ଅଭିଜିତଙ୍କର ହତ୍ୟା କଲେ । ଏହା ପରେ ପରେ ମାର୍ଚ୍ଚ୍ ମାସରେ ଆଉ ଜଣେ ନାସ୍ତିକ ବ୍ଲଗର୍  ୱାଶିକୁର୍ ରହମାନ୍ ଙ୍କର ହତ୍ୟା କରାଗଲା । ଏଥି ପାଇଁ ଦୁଇଜଣ ଗିରଫ୍ ହୋଇସାରିଛନ୍ତି । ୨୦୧୩ ମସିହା ପରଠାରୁ ପାଞ୍ଚ ଜଣ ବ୍ଲଗର୍ ଙ୍କର ହତ୍ୟା ଇସ୍ଲାମୀୟ ଉଗ୍ରବାଦୀମାନେ ଘଟାଇ ସାରିଲେଣି । ରାଜନୈତିକ ଇସଲାମ୍ ର ବିରୋଧ କରି ଗଣ ଆନ୍ଦୋଳନର ଆୟୋଜନ କରୁଥିବା ନାସ୍ତିକମାନଙ୍କ ନିମନ୍ତେ ହେଫାଜତ୍-ଏ-ଇସଲାମ୍ ନାମକ ଏକ ମୌଳବାଦୀ ସଙ୍ଗଠନ ଖୋଲାଖୋଲି ଭାବରେ ମୃତ୍ୟୁଦଣ୍ଡର ଦାବୀ କରିଛି  । ଇସଲାମୀୟ ସ୍କୁଲ୍ ଗୁଡିକର ଶିକ୍ଷକଙ୍କର ନେତୃତ୍ତ୍ୱ ନେଇ ମେ ୨୦୧୩ ରେ ହେଫାଜତ୍ ଏକ ବୃହତ୍ ପ୍ରତି-ଆନ୍ଦୋଳନ କଲା । ଏହି ଆନ୍ଦୋଳନ ଜନିତ ହିଂସାରେ ପାଖାପାଖି ୫୦ ଜଣ ଲୋକ ମଲେ । ଏହା ପରେ ବଙ୍ଗଳାଦେଶରେ ନାସ୍ତିକ ଓ ମୁକ୍ତଚିନ୍ତକମାନଙ୍କର ହତ୍ୟାର ସଂଖ୍ୟା ବଢି ଚାଲିଛି । ଆମେ ଏଠାରେ ସିରିଆର କଥା ମଧ୍ୟ ଉଠାଇବା ଆବଶ୍ୟକ । ଆଇ.ଏସ୍.ଆଇ.ଏସ୍. ବର୍ତ୍ତମାନ ତାହାର ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ବିରୋଧିମାନଙ୍କର ଗଣହତ୍ୟା ଓ ନାରୀମାନଙ୍କର ଗଣଧର୍ଷଣ ଓ ଗଣବେଶ୍ୟାକରଣର କାର୍ଯ୍ୟକ୍ରମ ଚଳାଇଛି । କିନ୍ତୁ ଏହି ସବୁ ଘଟଣାବଳୀକୁ ଦେଖି ଆମେ କଣ ଏକଥା କହିପାରିବା ଯେ ଏସବୁ ପାଇଁ ଇସଲାମ୍ ଧର୍ମ ଓ ପରମ୍ପରା ଦାୟୀ ? କିମ୍ବା ଭାରତରେ ଘଟୁଥିବା ମୁକ୍ତଚିନ୍ତକ ମାନଙ୍କର ହତ୍ୟା ପାଇଁ  ଭାରତୀୟ ପରମ୍ପରା ଦାୟୀ? ଉଭୟ କ୍ଷେତ୍ରରେ ଉତ୍ତର ହେବ, ନା

ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ପୁଣି ଶ୍ରୀ କଳବର୍ଗୀଙ୍କ ପାଖକୁ ଫେରି ଯିବା । ଅନ୍ୟ ଦୁଇଜଣଙ୍କ ପରି ଶ୍ରୀ କଳବର୍ଗୀ ଜଣେ ତର୍କବାଦୀ ଓ ନାସ୍ତିକ ନ ଥିଲେ । ସେ ଏକ ଲିଙ୍ଗାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନିଜେ ଜଣେ ଧର୍ମନିଷ୍ଠ ଲିଙ୍ଗାୟତ ଥିଲେ ଲିଙ୍ଗାୟତ ଧର୍ମ ପରମ୍ପରାର ଦର୍ଶନର ଆଲୋଚନାରେ ତାଙ୍କର ଗୁରୁତ୍ତ୍ୱପୂର୍ଣ ସ୍ଥାନ ଓ ଅବଦାନ ରହିଛି । ମାତ୍ର ଲିଙ୍ଗାୟତ ଧର୍ମ ଧାରଣାର ଐତିହାସିକ ପରିପ୍ରେକ୍ଷୀ ସମ୍ବନ୍ଧୀୟ ତାଙ୍କର ନିଷ୍କର୍ଷଗୁଡିକ ଲିଙ୍ଗାୟତ ଧର୍ମାଧିକାରୀ ଓ ମଠର ମହନ୍ତ ମାନଙ୍କୁ ୠଚୁ ନ ଥିଲା । ସେ ମୂର୍ତ୍ତି ପୂଜାର ବିରୋଧୀ ଥିଲେ । ନିଜର ଗବେଷଣାର ଭିତ୍ତିରେ ସେ ଦାବୀ କରୁଥିଲେ ଯେ ଲିଙ୍ଗାୟତମାନେ ଆମେ ଏବେ ହିନ୍ଦୁ କହିଲେ ଯାହା ବୁଝୁଛୁ ସେହି ଅର୍ଥରେ ହିନ୍ଦୁ  ନୁହନ୍ତି । ମାତ୍ର ଏଠାରେ କହି ରଖିବା ଉଚିତ ହେବ ଯେ ଅନେକ ଶାସ୍ତ୍ରୀୟ ହିନ୍ଦୁ ପରମ୍ପରା ମଧ୍ୟ ମୂର୍ତ୍ତି ପୂଜା ପ୍ରତି ଉଦାସୀନ

ଶ୍ରୀ କଳବର୍ଗୀ ଜଣେ ସାମାଜିକ ବା ରାଜନୈତିକ କର୍ମୀ ନଥିଲେ । ସେ କନ୍ନଡ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଇତିହାସର ଜଣେ ଦରଦୀ ବ୍ୟାଖାକାର ଥିଲେ । ସେ ଭାଷାବିଜ୍ଞାନ, ଇତିହାସ ଓ ସାହିତ୍ୟର ସନ୍ଧି କ୍ଷେତ୍ରରେ, କନ୍ନଡ ଭାଷାରେ ହିଁ, ଅନେକ ଗୁରୁତ୍ତ୍ୱପୂର୍ଣ କାମ କରିଯାଇଛନ୍ତି ପ୍ରାଚୀନ କନ୍ନଡ ସାହିତ୍ୟର ଆଲୋଚନାରେ ତାଙ୍କର ନାମ ଆଗ ଧାଡିର ଗବେଷକ ଯଥା ଏ.କେ. ରାମାନୁଜନ୍ ଓ ଡି. ନାଗରାଜ୍ ଇତ୍ୟାଦି ମାନଙ୍କ ସହିତ ନିଆଯାଏମାତ୍ର ଏହି ଦୁଇଜଣଙ୍କ ପରି, ତାଙ୍କର ବିଦେଶୀ ଅନୁଷ୍ଠାନମାନଙ୍କ ସହିତ ବେଶୀ ଘନିଷ୍ଠ ସମ୍ପର୍କ ନ ଥିଲା । ପୁରାପୁରି ଦେଶୀ ଶିକ୍ଷା ଲାଭ କରି, ଦେଶୀ ଅନୁଷ୍ଠାନ ମାନଙ୍କରେ କାମ କରି, ଦେଶୀ ଭାଷାରେ ସେ ଆନ୍ତର୍ଜାତୀୟ ସ୍ତରର କାମ କରିଯାଇଛନ୍ତି । ଯଦି ସେ ଏହି କାମକୁ ଏକ ବିଦେଶୀ ଭାଷାରେ କରି ଥାଆନ୍ତେ, ତାହା ହେଲେ, ତାଙ୍କୁ ବୋଧେ ହୁଏ ଆତତାୟୀ ହାତରେ ମୃତ୍ୟୁବରଣ କରିବାକୁ ପଡି ନ ଥାଆନ୍ତା । କନ୍ନଡ ଭାଷାରେ ମାର୍ଗ ନାମରେ ଚାରି ଖଣ୍ଡରେ ବାହାରିଥିବା ତାଙ୍କର ପ୍ରବନ୍ଧ ସଙ୍କଳନ କନ୍ନଡ ବିଚାର ଜଗତ ପ୍ରତି ଏକ ଗୁରୁତ୍ତ୍ୱପୂର୍ଣ ଅବଦାନ ଅଟେ । ଏହି ସଙ୍କଳନର ଚତୁର୍ଥ ଖଣ୍ଡ ସାହିତ୍ୟ ଏକାଡେମୀ ଦ୍ୱାରା ୨୦୦୬ ମସିହାରେ ପୁରସ୍କୃତ ମଧ୍ୟ ହୋଇଛି ।

ବଚନ ସାହିତ୍ୟ କନ୍ନଡ ସାହିତ୍ୟ ଓ ସଂସ୍କୃତିକୁ  ଲିଙ୍ଗାୟତ ଧାର୍ମିକ ପରମ୍ପରାର ଏକ ବଳିଷ୍ଠ ଅବଦାନଶ୍ରୀ କଳବର୍ଗୀ ହମ୍ପି ସ୍ଥିତ କନ୍ନଡ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଥିବା ସମୟରେ (ଓ ତାହା ପରେ  ମଧ୍ୟ) କନ୍ନଡ ପୁସ୍ତକ ପ୍ରାଧିକରଣ ପାଇଁ ବଚନ ସାହିତ୍ୟର ଏକ ପନ୍ଦର ଖଣ୍ଡର ସଙ୍କଳନର ସମ୍ପାଦନା କରିଥିଲେ ବଡ ବଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବାହାରେ ରହି (ସେ ପ୍ରାୟତଃ ଧାର୍ୱାଡ୍ ସ୍ଥିତ କର୍ଣାଟକ ବିଶ୍ୱବିଦ୍ୟାଳୟଠାରେ ଅବସ୍ଥିତ ଥିଲେ), ଅଧ୍ୟାପନା କରି, ଗବେଷଣା ପାଇଁ ଅନ୍ୟର ଅର୍ଥ ଉପରେ ନିର୍ଭର ନ କରି ଓ ଭଲ ପାଠାଗାର ଇତ୍ୟାଦି ଆନୁଷଙ୍ଗିକ ସୁବିଧା ନ ଥାଇ ମଧ୍ୟ ନିଜର ଭାଷା ଓ ପରମ୍ପରା ପାଇଁ ଶୁଦ୍ଧ ଶ୍ରଦ୍ଧା ଦ୍ୱାରା ଅନୁପ୍ରାଣିତ ହୋଇ ସେ ଗବେଷଣାର ମହାନ କୃତିଟିମାନ ଛାଡି ଯାଇଛନ୍ତି ।

ଏପରି ଜଣେ ଗବେଷକଙ୍କର ହତ୍ୟା ଆମକୁ ଏହି ବିଷୟରେ ଚେତାଉଛି ଯେ ଭାରତରେ ମାନବବାଦର ସଙ୍କଟ ମାନବ ବିଜ୍ଞାନର ମଧ୍ୟ ଏକ ସଙ୍କଟ । ବର୍ତ୍ତମାନ ପ୍ରାକ୍-ଆଧୁନିକ କାଳର ଆଲୋଚନା ନିମନ୍ତେ ଆମ ପାଖରେ ଦକ୍ଷତାର ଘୋର ଅଭାବ । ଉଦାହରଣ ସ୍ୱରୂପ, ଓଡିଆ ଭାଷାରେ ମଧ୍ୟଯୁଗୀୟ ଗ୍ରନ୍ଥର ପୋଥି ପଢି, ପାଠ ଉଦ୍ଧାର ସାରି ତର୍ଜମା କଲା ଭଳି ପାଣ୍ଡିତ୍ୟ ଚାଳିଶି ବର୍ଷ ବୟସରୁ କମ୍ ବର୍ଷ ବୟସର ବହୁତ କମ ଲୋକଙ୍କ ପାଖରେ ଅଛି । ଭାରତର ମଧ୍ୟଯୁଗ ଏ ପର୍ଯ୍ୟନ୍ତ ପୁରାପୁରି ଇତିହାସ ପାଲଟି ନାହିଁ । ଆମର ବର୍ତ୍ତମାନର ରାଜନୈତିକ ଓ ସାମାଜିକ ଜୀବନର ଅନେକ ଗୁରୁତ୍ତ୍ୱୁପୂର୍ଣ ବିଭାବର ମୂଳ ମଧ୍ୟଯୁଗୀୟ । ତାହା ହେଲେ, ମଧ୍ୟଯୁଗୀୟ ଶାସ୍ତ୍ର ଆଲୋଚନା ନିମନ୍ତେ ଆବଶ୍ୟକୀୟ ମାନବ ବିଜ୍ଞାନର କୌଶଳରେ ଦକ୍ଷତା ବିନା ଆମେ ଆମର ପରମ୍ପରାକୁ ଓ ଇତିହାସକୁ ନେଇ ଘୃଣା ଓ ଭୟର ରାଜନୀତି କରୁଥିବା ବଦମାସ ଅର୍ଧ-ଶିକ୍ଷିତ ଗୁଣ୍ଡାମାନଙ୍କ ସହିତ ଲଢିବା କେଉଁ ଭିତ୍ତିରେ ।

ଭାରତରେ ମାନବବାଦର ସଙ୍କଟର ଆଉ ଏକ ଦିଗ ହେଲା ଜ୍ଞାନ ଚର୍ଚ୍ଚା ଓ ସାଂସ୍କୃତିକ କର୍ମକୁ ନିଜର ସ୍ୱଜାତୀୟ ମାନବବାଦର ପରମ୍ପରାର ପରିପ୍ରେକ୍ଷୀରେ ନ ଦେଖି ପାଶ୍ଚାତ୍ୟମୁଖୀ ହେବା ।  ପାଶ୍ଚାତ୍ୟରେ ମାନବବାଦର ଉଦ୍ଭବ ଏକ ନିର୍ଦିଷ୍ଟ ସାମାଜିକ ପରିପ୍ରେକ୍ଷୀରେ ହୋଇଥିଲା । ଚତୁର୍ଦ୍ଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଧର୍ମ ସହିତ ରାଷ୍ଟ୍ରର ଯେଉଁ ସଙ୍ଘର୍ଷ ହେଲା, ସେଥିରେ ବ୍ୟକ୍ତି ସ୍ୱାଧୀନତାର ପକ୍ଷ ନେଉଥିବା ଲୋକେ ରାଷ୍ଚ୍ର ସପକ୍ଷରେ ଥିଲେ । ମାତ୍ର ଭାରତୀୟ ଉପମହାଦେଶରେ ମାନବବାଦର ଆଧୁନିକ ରୂପ, ନିଜର ଔପନିବେଶିକ ବିରୋଧି ଚରିତ୍ର ଯୋଗୁଁ, ରାଷ୍ଟ୍ର ବିରୋଧି ଏହି କାରଣରୁ, ଭାରତୀୟ ମାନବବାଦ ଧର୍ମ କିମ୍ବା ପରମ୍ପରା ବିରୋଧୀ ନୁହେଁ । ବିବେକାନନ୍ଦ ଓ ଗାନ୍ଧୀ ଏହାର ବଳିଷ୍ଠ ଉଦାହରଣ । ତେଣୁ ଭାରତୀୟ ମାନବବାଦୀ ଧର୍ମବିରୋଧୀ ହେବା ପାଇଁ ବାଧ୍ୟ ନୁହେଁ । ପାଶ୍ଚାତ୍ୟ ସମାଜଶାସ୍ତ୍ରର ଆଲୋଚନାରେ ଅର୍ଥୋପ୍ରାକ୍ସି ଓ ଅର୍ଥୋଡକ୍ସୀ ଭିତରେ ଏକ ତଫାତ୍ କରାଯାଏଅର୍ଥୋଡୋକ୍ସି ବୋଇଲେ ଡକ୍ସା (ବିଶ୍ୱାସ ବା ଚିନ୍ତା) କୁ ନେଇ ରକ୍ଷଣଶୀଳତା । ଅର୍ଥୋପ୍ରାକ୍ସି ବୋଇଲେ ନିର୍ଦିଷ୍ଟ ଆଚରଣ ବା ଅଭ୍ୟାସର ପରମ୍ପରାକୁ ରକ୍ଷଣଶୀଳ ଭାବରେ ବଜାୟ ରଖିବାକୁ ବୁଝାଏ ଭାରତୀୟ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ଧାରା ଆଚରଣକୁ ନେଇ ରକ୍ଷଣଶୀଳ, ମାତ୍ର ଚିନ୍ତା ବା ତଥାକଥିତ ବିଶ୍ୱାସକୁ ନେଇ ନୁହେଁ । ଅର୍ଥାତ୍, ସ୍ୱାଧୀନଚିନ୍ତା ପାଇଁ ହତ୍ୟା ବା ଅତ୍ୟାଚାରର ପରମ୍ପରା ଅଣଭାରତୀୟ । ଭାରତରେ ଏହି ନିକଟ ଅତୀତରେ ଘଟିଯାଇଥିବା ହତ୍ୟାଗୁଡିକୁ ନେଇ ମାନବ ଅଧିକାରର ହନନର ଏକ ଆଖ୍ୟାନର ମଧ୍ୟ ନିର୍ମାଣର ଚେଷ୍ଟା ହୋଇଛି । ମାତ୍ର  ଭାରତୀୟ ମାନବବାଦର ପରମ୍ପରା ଆଉ ପାଶ୍ଚାତ୍ୟ ମାନବବାଦର ପରମ୍ପରା ମଧ୍ୟରେ ଆଉ ଏକ ଗୁରୁତ୍ତ୍ୱପୂର୍ଣ ପ୍ରଭେଦ ହେଲା ଏହିକି ଯେ, ଆମର ମାନବବାଦର ଧାରା ଅଧିକାର ଭିତ୍ତିକ ନୁହେଁଆମର ମାନବବାଦର ଧାରା ସାମୁହିକତାର ପରିଭାଷା-ଭିତ୍ତିକ ଓ ସ୍ୱ ଓ ଅପର ମଧ୍ୟରେ ଆଦାନ ପ୍ରଦାନ ଉପରେ ଆଧରିତ ଅଟେ

ସିରିଆରେ ଗୃହଯୁଦ୍ଧ ଓ ତାହା ପରର ଶରଣାର୍ଥୀ ସଙ୍କଟ ପ୍ରତି ପାଶ୍ଚାତ୍ୟ ଦେଶ ଓ ସମାଜ ଗୁଡିକର ଉପେକ୍ଷାର ମନୋବୃତ୍ତିରୁ ପାଶ୍ଚାତ୍ୟ ମାନବବାଦର ଫମ୍ପାପଣ ଜଣା ପଡୁଛି । ଭାରତୀୟ ମାନବବାଦର ପରମ୍ପରାରୁ ପାଶ୍ଚାତ୍ୟ ଦେଶମାନଙ୍କର ଅନେକ କିଛି ଶିଖିବାର ଅଛିଆମର ମାନବବାଦର ପରମ୍ପରା  ପାଶ୍ଚାତ୍ୟ ମାନବବାଦର ପରମ୍ପରା ଭଳି ଏକ ସ୍ୱତନ୍ତ୍ର ପରମ୍ପରା । ଆମର ଚତୁର୍ପାଶ୍ୱର ଘଟଣାବଳୀକୁ ଆମେ ନିଜର ପରମ୍ପରାର କଷଟି ପଥରରେ ପରଖି ପାରିଲେ ଆମର ଅନୁଭୁତି ତଥା ଅବବୋଧ ଅଧିକ ଶାଣିତ ହେବ ଓ ଆମେ ନିଜର ପରିବେଶର ଉପଯୋଗୀ କର୍ତ୍ତବ୍ୟ କର୍ମ କରିପାରିବା । 

ବି.ଦ୍ର. : ଏହି ଲେଖାଟିର ଏକ ରୂପ ୨୦.୧୦.୨୦୧୫ ତାରିଖ (ମଙ୍ଗଳବାର) ଦିନର ଦୈନିକ 'ସମାଜ'ର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା । 

No comments:

Post a Comment