ଓଡିଆ କାହିଁକି ଦରିଦ୍ର?
ଲେଖକ – ଗୋପବନ୍ଧୁ ଦାସ
ଦରିଦ୍ରତା ଓଡ଼ିଶା
ଦୁର୍ଗତିର ପ୍ରଧାନ କାରଣ । ପ୍ରଧାନ କାରଣ କାହିଁକି, ଏକମାତ୍ର କାରଣ କହିଲେ ଚଳେ । ଓଡ଼ିଆ
ଦରିଦ୍ର ; ତେଣୁ ଦୁର୍ବଳ । ତା ଦେହରେ ଶକ୍ତି ନାହିଁ,
ମନରେ ସ୍ଫୁର୍ତ୍ତି ନାହିଁ, ହୃଦୟରେ ସାହସ ନାହିଁ । ତାର ସମସ୍ତଙ୍କୁ ଡର ; ସେ କାର୍ଯ୍ୟରେ ଅଳସୁଆ ଓ ନିରୁତ୍ସାହୀ । ଓଡ଼ିଆ ଯଥାର୍ଥରେ ନିର୍ବୁଦ୍ଧିଆ ନୁହେଁ
। ଓଡ଼ିଆର ଶିଳ୍ପ ବିଚକ୍ଷଣତା ଅଦ୍ୟାପି ଜାଜ୍ଜଲ୍ୟମାନ । କୋଣାର୍କର ନବଗ୍ରହ ପଥର ଓଡ଼ିଆର ହାତ ଓ
ବୁଦ୍ଧି ବଳରେ ଉପରକୁ ଉଠିଥିଲା । ତମଲୁକ ଓ ଚିଲିକା ବାଟେ ଓଡ଼ିଆ ଦେଶ ବିଦେଶରେ ଯାଇ ବାଣିଜ୍ୟ
କରୁଥିଲା । ତାଜମହଲ ତିଆରିରେ ଓଡ଼ିଆ ଇଞ୍ଜିନିୟରଙ୍କର ବୁଦ୍ଧି
ଖଟିଥିଲା । ସରୁ ସୂକ୍ଷ୍ମଲୁଗା ତିଆରି କରିବା ବିଷୟରେ ଓଡ଼ିଆର ବିଚକ୍ଷଣତା ଇତିହାସ ପ୍ରସିଦ୍ଧ ।
ଢାକା ମସଲିନ୍ ଠାରୁ ବଳି ତାରିଫ ଲୁଗା ଓଡ଼ିଆମାନେ ତିଆରି କରୁଥିଲେ । ଓଡ଼ିଆମାନେ ଆପଣା ସାହସ ଓ
ବିକ୍ରମ ବଳରେ ମୁସଲମାନ ଆକ୍ରମଣକୁ ତିନିଶହ ବର୍ଷକାଳ ହଟାଇ ରଖିଥିଲେ । ଭାରତବର୍ଷର ଅନ୍ୟାନ୍ୟ
ପ୍ରଦେଶ ତୁଳନାରେ ଓଡ଼ିଶା ସଭା ଶେଷରେ ମୁସଲମାନ ଶାସନ ତଳେ ଆସିଥିଲା । ଓଡ଼ିଶାର ଆଜି ଏସବୁ
ସୌଭାଗ୍ୟ ଯାଇଛି । ଦାରିଦ୍ର୍ୟ ଦୋଷ ଗୁଣରାଶିନାଶୀ ଓଡ଼ିଆର ଏ ଉପସ୍ଥିତ ଦରିଦ୍ରତାର କାରଣ ଅନେକ । ଓଡ଼ିଶାର ଅଧିକାଂଶ ବଡ଼ ବଡ଼ ଜମିଦାରୀ
ଓଡ଼ିଆଙ୍କ ହାତେ ନାହିଁ । ଇଂରେଜ ରାଜତ୍ୱ ଆରମ୍ଭରେ ସାମାନ୍ୟ ସାମାନ୍ୟ ରାଜସ୍ୱ ଦେଣାରେ ତାହାସବୁ
ସୁଦୂର କଲିକତାରେ ଶାଗମାଛ ଦରରେ ନିଲାମ ହୋଇ ବଙ୍ଗାଳୀମାନଙ୍କ ହାତକୁ ଯାଇଛି । ବଡ଼ ବଡ଼
ଜମିଦାରୀ ଯାଇଥିଲା ; ଏବେ ପ୍ରଜାସ୍ୱତ୍ତ୍ୱ, ମକଦ୍ଦମୀ ଓ ସରବରାକାରୀ
ସ୍ୱତ୍ତ୍ୱ ଓଡ଼ିଆଙ୍କ ହାତରୁ ଗଲାଣି । ବଙ୍ଗାଳୀ, ପଶ୍ଚିମା, ମାରୁଆଳୀ ଓ ବିଭିନ୍ନ ପ୍ରଦେଶର
ମୁସଲମାନ୍ ମାନେ ଓଡ଼ିଶାରେ ସ୍ଥାନେ ସ୍ଥାନେ ଚାଷ ଓ ବଗିଚାଦି ଆରମ୍ଭ କଲେଣି । ଓଡ଼ିଶାର ମହାଜନୀ
ମଧ୍ୟ ଏହିପରି ଅନ୍ୟ ପ୍ରଦେଶ ଲୋକଙ୍କ ହାତରେ । ବ୍ୟକ୍ତିଗତ ଭାବରେ ବା ଦଳବଦ୍ଧ ହୋଇ ବ୍ୟାଙ୍କ୍
ସୂତ୍ରରେ ଏମାନେ ଓଡ଼ିଆ ଜମିଦାର ଓ ଅନ୍ୟାନ୍ୟ ପ୍ରଜାମାନଙ୍କୁ କରଜ ଦେଇ ଶେଷରେ ସେମାନଙ୍କ
ସ୍ୱତ୍ୱ ସମ୍ପତ୍ତି ନେଇଛନ୍ତି । ଓଡ଼ିଶାର କାରବାର ମଧ୍ୟ ପରଦେଶୀଙ୍କ ହାତରେ । ପ୍ରତିବର୍ଷ ଯେ
ଲକ୍ଷ ଲକ୍ଷ ଟଙ୍କାର ଚାଉଳ ଆଦି ଶସ୍ୟ ଓଡ଼ିଶାରୁ ଅନ୍ୟଆଡେ ରପ୍ତାନି ହେଉଅଛି, ସେସବୁ କାରବାରରେ
ଓଡ଼ିଆ କେତେଜଣ ଅଛନ୍ତି । କଚ୍ଛି, ଗୁଜରାଟୀ, ମାରୁଆଳୀ ଓ ମୁସଲମାନ ଏ ବ୍ୟବସାୟକୁ ଏକ ପ୍ରକାର
ଏକଚାଟିଆ କରିଅଛନ୍ତି । ଓଡ଼ିଶାର ଅଧିକ ଭାଗ ଗଡ଼ଜାତ, ତାହାସବୁ ଜଙ୍ଗଲରେ ପୂର୍ଣ୍ଣ । କାଠ
ଓଡ଼ିଶାର ଏକ ପ୍ରଧାନ କାରବାର ଜିନିଷ । ଏ ବ୍ୟବସାୟରେ ମଧ୍ୟ ପ୍ରାୟ କେହି ଓଡ଼ିଆ ନାହାନ୍ତି ।
ଓଡ଼ିଆ କାପେଡ଼ିଙ୍କ ଭାଗ୍ୟ ଅସ୍ତ ହୋଇଅଛି । ଆଗେ ଯେଉଁମାନେ ଲୁଗା ଦୋକାନ କରି ମସ୍ତ ଧନୀ
ହୋଇଥିଲେ ଏବେ ତାଙ୍କ ପିଲା ମାଗି ଖାଇଲେଣି । ମାରୁଆଳୀମାନେ ସହରରେ ଓ ମଫସଲ ଗାଁରେ ବିଲାତି
କଳଲୁଗାର ଚକଚକିଆ ଦୋକାନ ବସାଇଛନ୍ତି । ଓଡ଼ିଆ ସେଥିରେ ଅନଳରେ ପତଙ୍ଗ ପଡ଼ିଲା ପରି ପଡୁଛନ୍ତି ।
ଓଡ଼ିଶାର ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ଅନ୍ୟ ପ୍ରଦେଶରେ ରପ୍ତାନି କରି ଲୋକେ ଲାଭବାନ ହେଉଛନ୍ତି ।
ବିଦେଶୀ ଜିନିଷ ଓଡ଼ିଶାକୁ ଆଣି ଏମାନେ ଓଡ଼ିଆଙ୍କ ଧନ ନେଉଛନ୍ତି । ରାସ୍ତାଘାଟ, ସେତୁ, କୋଠା
ତିଆରିରେ ସରକାର ଓ ଅନ୍ୟାନ୍ୟମାନଙ୍କର ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏଥିରୁ
ଅଧାଅଧି କାନତରାଟି ନିଅନ୍ତି । ଏଥିରେ ଯେ ଓଡ଼ିଆ ଅଛନ୍ତି ତାଙ୍କ ସଂଖ୍ୟା ଏତେ କମ୍ ଯେ ଥିବା
ନଥିବା ସମାନ । ଶିଳ୍ପକ୍ଷେତ୍ରରେ ଅନ୍ୟ ପ୍ରଦେଶର ଲୋକେ ଆସି କ୍ରମେ ଓଡ଼ିଆଙ୍କୁ ବେଦଖଲ କଲେଣି ।
ଓଡିଆ ମୋଚ଼ି ପ୍ରାୟ ସହରରୁ ଲୋପ ପାଇଛନ୍ତି, ମଫସଲର କାଁ ଭାଁ କେଉଁଠାରେ ଓ ଗଡ଼ଜାତରେ କେତେକ
ଯାଗାରେ ଦେଖାଯାନ୍ତି । ସହରରେ ସେମାନଙ୍କ ସ୍ଥାନ ତେଲେଙ୍ଗା ମୋଚ଼ିମାନେ ପୂରା ଅଧିକାର କଲେଣି ।
ଏହାଛଡ଼ା ବିଦେଶୀ ଆମଦାନୀ ଯୋତା ସେମାନଙ୍କ ନାଶର କାରଣ ହୋଇଛି । ଲୁଗାବୁଣାରେ ମଧ୍ୟ ଓଡିଆ
ତନ୍ତୀ ହାତରୁ ଅନ୍ୟ ତନ୍ତୀ କାମ ଛଡ଼ାଇ ନେଲାଣି । ସବୁ କ୍ଷେତ୍ରରୁ ଓଡ଼ିଆ କ୍ରମେ ଏପରି ବେଦଖଲ
ହୋଇ ପେଟ ପୋଷିବାକୁ ବିଦେଶକୁ ପଳାଉଛନ୍ତି । ମାତ୍ର ଏସବୁ କ୍ଷେତ୍ରରେ ଯେ ଓଡ଼ିଆ ବେଦଖଲ
ହେଉଛନ୍ତି, ସେଥିପ୍ରତି କାହାରି ଦୃଷ୍ଟି ନାହିଁ । ଚାକିରି ଲାଗି ଶିକ୍ଷିତ ଓଡ଼ିଆ ଯୁବକ ବ୍ୟସ୍ତ
। ସେ କ୍ଷେତ୍ରରେ ମଧ୍ୟ ଓଡ଼ିଆଙ୍କର ପୂରା ଦଖଲ ହୋଇନାହିଁ । ଓଡ଼ିଆମାନେ ଆଖି ଫିଟାଇ ଆପଣାର ଏ
ଅବସ୍ଥା ଦେଖନ୍ତୁ । ଅନ୍ୟ ପ୍ରଦେଶ ଲୋକେ ଏ ପ୍ରଦେଶର ବ୍ୟବସାୟ ବାଣିଜ୍ୟ ଓ ଅନ୍ୟାନ୍ୟ କାରବାର
କରିବା ତାଙ୍କ ଦୋଷ ନୁହେଁ । ଉଦଜୋଗୀ ପୁରୁଷ ଆଗରେ ସମସ୍ତ ସଂସାର ଉନ୍ମୁକ୍ତ । ଯେ ଯେଉଁଠାରେ
ନିଜ ବୁଦ୍ଧିବଳ ଖଟାଇ କାର୍ଯ୍ୟ କରିପାରିଲେ ; ମାତ୍ର ନିଜ ଘରେ
ଅନ୍ୟ ଲୋକେ ଆସି କାର୍ଯ୍ୟକରି ଧନୀ ଓ ଭାଗ୍ୟବାନ ହେବେ । ଓଡିଆ କାଙ୍ଗାଳ ହୋଇ କାନ୍ଦି କାନ୍ଦି
ପେଟ ବିକଳରେ ଅନ୍ୟ ଦେଶକୁ ପଳାଇବେ । ଏହା କର୍ମଦୋଷ ଛଡ଼ା ଆଉ କଅଣ ? ଉତ୍କଳବାସୀ ନିଜର ଅବସ୍ଥା ଦେଖ, ଭାବ, ଅନ୍ୟମାନଙ୍କ ଉଦ୍ୟମରୁ ନିଜେ ଉଦ୍ୟମ କରି
ଶିଖ ।
ସମ୍ପାଦକୀୟ
ଟିପ୍ପଣୀ -
ଏହି ଲେଖାଟି ‘ସମାଜ’ର ତା ୨୩-୧-୨୬-ରିଖ ର ସଂସ୍କରଣରେ ପ୍ରକାଶିତ ହୋଇଥିଲା । ଓଡ଼ିଶାର ଓ
ଓଡ଼ିଆଙ୍କର ବର୍ତ୍ତମାନର ପରିସ୍ଥିତି କିଛି ଭିନ୍ନ ଅଟେ କି ?
ଏହି ଲେଖାଟି
ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ୍ (ନୂଆ ଦିଲ୍ଲୀ) ୨୦୦୯ ମସିହାରେ ଛାପିଥିବା ଗୋପବନ୍ଧୁ ଚୟନିକା
(ପୃଷ୍ଠା ସଂଖ୍ୟା ୨୨୮-୨୨୯) ରୁ ଉଦ୍ଧୃତ ।
No comments:
Post a Comment