Sunday, October 18, 2015

ଧର୍ମ, ଜନସଂଖ୍ୟା ଓ ପରିସଂଖ୍ୟାନର ଖେଳ



ଗତ ୨୬. ୦୮.୨୦୧୫ (ବୁଧବାର) ତାରିଖ ଦିନ ଭାରତର ବହୁଳ ପ୍ରସାରିତ ଇଂରାଜୀ ଖବର କାଗଜ ଟାଇମ୍ସ୍ ଅଫ୍ ଇଣ୍ଡିଆ ପ୍ରଥମ ପୃଷ୍ଠାର ମୂଖ୍ୟ ଖବର ଭାବରେ ଘୋଷଣା କଲେ ଯେ ହିନ୍ଦୁ ପପୁଲେସନ୍ ଡିକ୍ଲାଇଣ୍ଡ୍, ମୁସଲିମସ୍ ଇନକ୍ରିଜଡ୍ : ସେନ୍ସସ୍ଅର୍ଥାତ୍,ହିନ୍ଦୁ ଜନସଂଖ୍ୟା କମିଲା, ମୁସଲିମ୍ ମାନଙ୍କର ବଢିଲା : ଜନଗଣନାଠିକ୍ ସେହି ଦିନର ଦି ହିନ୍ଦୁଇଂରାଜୀ ଖବରକାଗଜର  ପ୍ରଧାନ ଖବରର ଶୀର୍ଷକ ଥିଲା -  ମୁସଲିମ୍ ପପୁଲେସନ୍ ଗ୍ରୋଥ୍ ସ୍ଲୋଜ୍ଅର୍ଥାତ୍,ମୁସଲିମ୍ ଜନସଂଖ୍ୟା ବୃଦ୍ଧିହାର କମିଛିଏ ଉଭୟ ଖବର କାଗଜ ତାହା ପୂର୍ବ ଦିନର ଏକ ଘଟଣାର ପ୍ରତିକ୍ରିୟା ଭାବରେ ଏପରି ଶୀର୍ଷକ ପ୍ରକାଶ କରିଥିଲେ । ଗତ ୨୫.୦୮.୨୦୧୫ ତାରିଖ (ମଙ୍ଗଳବାର) ଦିନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନ୍.ଡି.ଏ.) ସରକାର ଧର୍ମ ଭିତ୍ତିକ ଜନଗଣନାର ବିବରଣୀ ଜାରି କଲେ । ଅନେକ ମାସ ହେଲା ଏହି ପରିସଂଖ୍ୟାନ ଉପଲବ୍ଧ ହେବା ସତ୍ତ୍ୱେ ଏହା ଏବେ ହିଁ କାହିଁକି ଜାରି ହେଲା, ଆମେ ଏଇଲେ ସେହି ପ୍ରଶ୍ନର ଉତ୍ତର ଟିକେ ପରେ ଖୋଜିବା ହେଲେ  ଟାଇମ୍ସ୍ ଅଫ୍ ଇଣ୍ଡିଆ ତଥା ଦି ହିନ୍ଦୁ ଏ ପରି ପରସ୍ପର ବିରୋଧି ଶୀର୍ଷକ ଜାରୀ କରିବାର ମାନେ କଅଣ ଓ ସତ୍ୟ ତାହା ହେଲେ କଅଣ? ଏହାର ଉତ୍ତର ଚୁମ୍ବକରେ ଦେବା ସମ୍ଭବ ନୁହେଁ । କିନ୍ତୁ ଆସନ୍ତୁ ଚେଷ୍ଟା କରି ଦେଖିବା ।

ଅସଲ କଥା ହେଲା, ୨୦୦୧ ଓ ୨୦୧୧ ମସିହାର ଜନଗଣନା ମଧ୍ୟରେ ହିନ୍ଦୁ ଜନସଂଖ୍ୟା କମିନାହିଁ, ବଢିଛି । ୨୦୦୧ ମସିହାରେ ହିନ୍ଦୁ ଜନସଂଖ୍ୟା ଥିଲା ୮୨.୭୬ କୋଟି । ଏହା ୨୦୧୧ ଜନଗଣନା ଅନୁସାରେ ବଢିକରି ୯୬.୬୩ କୋଟି ହୋଇଛି । ୨୦୦୧ ମସିହାରେ ମୁସଲିମ୍ ଜନସଂଖ୍ୟା ୧୩.୮୨ କୋଟି ଥିଲା ଓ ୨୦୧୧ ଜନଗଣନା ଅନୁସାରେ ବଢିକରି ୧୭.୨୨ କୋଟି ହୋଇଛି ।  ବୋଇଲେ, ଏହି ଦଶ ବର୍ଷ ଭିତରେ ହିନ୍ଦୁ ଜନସଂଖ୍ୟାରେ  ଶତକଡା ୧୬.୭୬ ଭାଗ ବୃଦ୍ଧି ଘଟିଛି । ତଥା, ମୁସଲିମ୍ ଜନସଂଖ୍ୟାରେ ଏହି ଦୁଇ ଜନଗଣନା ଭିତରେ ଶତକଡା ୨୪.୬୦ ଭାଗ ବଢିଛି । ଅର୍ଥାତ୍, ଉଭୟ ହିନ୍ଦୁ ମାନଙ୍କର  ଓ ମୁସଲମାନ୍ ମାନଙ୍କର ଜନସଂଖ୍ୟା ଏହି ଦଶ ବର୍ଷ ଭିତରେ ବଢିଛି, ମାତ୍ର ମୁସଲମାନମାନଙ୍କର ଜନସଂଖ୍ୟା ବୃଦ୍ଧିର ହାର ହିନ୍ଦୁ ଜନସଂଖ୍ୟା ବୃଦ୍ଧିର ହାରଠାରୁ ଅଧିକ । ୨୦୦୧ ଜନଗଣନା ଅନୁସାରେ ହିନ୍ଦୁମାନେ ଭାରତବର୍ଷର ସମୁଦାୟ ଜନସଂଖ୍ୟାର ଶତକଡା ୮୦.୫ ଭାଗ ଥିଲେ ୨୦୧୧ ଜନଗଣନା ସମୟକୁ ଏହା ଶତକଡା ୭୯.୮ ଭାଗକୁ ଖସି ଆସିଥିଲା ।ସେହିପରି, ମୁସଲମାନ ଜନସଂଖ୍ୟା ୨୦୦୧ ଜନଗଣନା ଅନୁସାରେ ସମୁଦାୟ ଜନସଂଖ୍ୟାର ଶତକଡା ୧୩.୪ ଭାଗ ଥିଲା ଓ ୨୦୧୧ ଜନଗଣନା ବେଳକୁ ଏହା ଶତକଡା ୧୪.୨ ଭାଗକୁ ବଢିଯାଇଥିଲା ।

ଏହି ପରିସଂଖ୍ୟାନକୁ ଭିତ୍ତିକରି କେତେକ ସଙ୍ଗଠନ ଏହା ପ୍ରଚାର କରୁଛନ୍ତି ଯେ ଏପରି ଧାରା ଜାରି ରହିଲେ ଭାରତରେ ହିନ୍ଦୁମାନେ ସଂଖ୍ୟାଗରିଷ୍ଠତା ହରାଇବେ । ମାତ୍ର ପରିସଂଖ୍ୟାନଗତ ଦୃଷ୍ଟିରୁ ଏହା ସତ ନୁହେଁ। ୧୯୮୧ ଓ ୧୯୯୧ ମସିହା ମଧ୍ୟରେ ମୁସଲମାନ ଜନସଂଖ୍ୟାରେ ଶତକଡା ୩୪.୫୦ ଭାଗ ବୃଦ୍ଧି ଘଟିଥିଲା । ୧୯୯୧-୨୦୦୧ ଦଶକରେ ମୁସଲମାନ ଜନସଂଖ୍ୟା ବୃଦ୍ଧିହାର ଶତକଡା ୨୯.୫ ଭାଗ ଥିଲା ଆମେ ଆଗରୁ କହିଛୁ ଯେ ୨୦୦୧-୨୦୧୧ ଦଶକରେ ଏହି ବୃଦ୍ଧିହାର ଥିଲା ଶତକଡା ୨୪.୬୦ ଭାଗ । ଅର୍ଥାତ୍ ମୁସଲମାନ ଜନସଂଖ୍ୟା ନିଶ୍ଚିତ ଭାବରେ ବଢୁଛି । ମାତ୍ର ମୁସଲମାନ ଜନସଂଖ୍ୟାର ବୃଦ୍ଧିହାର ଅତି ତଡିତ୍ ଗତିରେ କମୁଛି ; କୋଡିଏ ବର୍ଷ ତଳର ହାର ଓ ଏବେର ହାର ଭିତରେ ଶତକଡା ଦଶ ଭାଗର ହ୍ରାସ ଘଟିଛି । ଏହାର ମାନେ ହେଲା, ଏବେ ଯେଉଁ ହାରରେ ମୁସଲମାନ ଜନସଂଖ୍ୟା ବଢୁଛି, ଭବିଷ୍ୟତରେ ସେହି ହାର କମିବ, କାରଣ ଅତୀତରେ ମଧ୍ୟ କମିଛିଯଦି ଏହି ପରିସଂଖ୍ୟାନକୁ ହିନ୍ଦୁ ଜନସଂଖ୍ୟା ଅଭିବୃଦ୍ଧି ହାର ସହିତ ତୁଳନା କରିବା ତାହେଲେ ଆମେ ଦେଖିବା ଯେ ୧୯୮୧-୧୯୯୧ ଦଶକରେ ହିନ୍ଦୁ ଜନସଂଖ୍ୟାରେ  ଶତକଡା ୨୫.୧ ଭାଗ, ୧୯୯୧-୨୦୦୧ ଦଶକରେ ଶତକଡା ୨୦.୩ ଭାଗ ଓ ୨୦୦୧-୨୦୧୧ ଦଶକରେ ୧୬.୮ ଭାଗ ବୃଦ୍ଧି ଘଟିଛି । ମାନେ କୋଡିଏ ବର୍ଷ ଭିତରେ ହିନ୍ଦୁ ଜନସଂଖ୍ୟା ବୃଦ୍ଧିହାର ପାଖାପାଖି ଶତକଡା ଆଠ ଭାଗ ହିଁ କମିଛି । ଅର୍ଥାତ୍ ମୁସଲମାନଙ୍କର ଜନସଂଖ୍ୟା ବୃଦ୍ଧିର ହାର ହିନ୍ଦୁମାନଙ୍କ ଜନସଂଖ୍ୟା ବୃଦ୍ଧିର ହାର ତୁଳନାରେ ଅଧିକ ତଡିତ୍ ବେଗରେ କମୁଛି । ଏହି ଧାରା ଜାରୀ ରହିଲେ ମୁସଲମାନ ଓ ହିନ୍ଦୁ ଜନସଂଖ୍ୟା ବୃଦ୍ଧିହାର ଦିନେ ସମାନ ହୋଇଯିବ ।

ଆମେ ଯଦି ଉପରର ପରିସଂଖ୍ୟାନକୁ ନିରିଖେଇକରି ଦେଖିଥିବା ତାହେଲେ ଆମେ ଲକ୍ଷ୍ୟ କରିଥିବା ଯେ ୨୦୧୧ ମସିହାରେ ମୁସଲମାନ ଜନସଂଖ୍ୟାର ବୃଦ୍ଧିହାର ୧୯୯୧ ମସିହାର ହିନ୍ଦୁ ଜନସଂଖ୍ୟା ବୃଦ୍ଧିହାର ସହିତ ପ୍ରାୟ ସମାନ । ଏହାର ମାନେ ହେଲା, ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ମୁସଲମାନ ମାନେ ଅତି ବେଗର ସହ ସଫଳ ହେଉଛନ୍ତି , ମାତ୍ର ସେମାନେ ଏବେ ମଧ୍ୟ ଭାରତର ହିନ୍ଦୁମାନଙ୍କଠାରୁ କୋଡିଏ ବର୍ଷ ପଛରେ ପଡିଛନ୍ତି । ଯେଉଁ ହାରରେ ମୁସଲମାନ ଓ ହିନ୍ଦୁମାନଙ୍କର ଜନସଂଖ୍ୟା ବଢିବାର ହାର କମି ଚାଲିଛି, ସେହି ଧାରା ଜାରୀ ରହିଲେ ୨୦୬୧ ମସିହା ପରଠାରୁ ଉଭୟଙ୍କର ଜନସଂଖ୍ୟା ଆଉ ପ୍ରାୟ ବଢିବ ନାହିଁ ; ସେତେବେଳେ,ହିନ୍ଦୁମାନଙ୍କର ସଂଖ୍ୟା ୧୪୦.୨୫ କୋଟି (ସମୁଦାୟ ଜନସଂଖ୍ୟାର ଶତକଡା ୮୧.୦୬ ଭାଗ) ହୋଇଥିବ, ଓ ମୁସଲମାନମାନଙ୍କର ଜନସଂଖ୍ୟା ୨୯.୨୪ କୋଟି (ସମୁଦାୟ ଜନସଂଖ୍ୟାର ଶତକଡା ୧୬.୮୯ ଭାଗ) ହୋଇଥିବ । ଅର୍ଥାତ୍, ଏବେର ଜନସଂଖ୍ୟାର ଅଭିବୃଦ୍ଧି ହାରର ଭିତ୍ତିରେ ଏହା ଦମ୍ଭର ସହ କୁହାଯାଇ ପାରେ ଯେ ଭାରତ ସବୁବେଳେ ଏକ ହିନ୍ଦୁ-ସଂଖ୍ୟାଗରିଷ୍ଠ ଦେଶ ରହିବ ।ମାତ୍ର କିଛି ଭାବରେ ମୁସଲମାନ ମାନେ ହିନ୍ଦୁମାନଙ୍କ ଠାରୁ ଅଗ୍ରଣୀ ମଧ୍ୟ ଅଟନ୍ତି । ଲିଙ୍ଗଗତ ଅନୁପାତ ଦୃଷ୍ଟିରୁ ମୁସଲମାନମାନେ ହିନ୍ଦୁମାନଙ୍କ ଠାରୁ ଆଗରେ । ୨୦୧୧ ଜନଗଣନା ଅନୁସାରେ ପ୍ରତି ୧୦୦୦ ପୁରୁଷରେ ହିନ୍ଦୁମାନଙ୍କ ଭିତରେ ୯୪୭ ମହିଳା ଥିଲା ବେଳେ ମୁସଲମାନମାନଙ୍କ ଭିତରେ ୯୫୮ ଜଣ ମହିଳା ଅଛନ୍ତି ।  

କିନ୍ତୁ ଆମେ ଏ ପ୍ରଶ୍ନ ପଚାରିବା ଉଚିତ ହେବ କି ଗତ କିଛି ଦଶକ ଧରି ମୁସଲମାନ ଜନସଂଖ୍ୟାର ବୃଦ୍ଧିହାର ହିନ୍ଦୁମାନଙ୍କଠାରୁ ଅଧିକ କାହିଁକି ରହୁଛି? ଆମେ ଆଉ ଟିକିଏ ଆଗରୁ ଦେଖିଲେ ଯେ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ମୁସଲମାନମାନେ ଅତି ବେଗର ସହ ସଫଳ ହେଉଥିଲେ ସୁଦ୍ଧା ହିନ୍ଦୁମାନଙ୍କଠାରୁ କୋଡିଏ ବର୍ଷ ପଛରେ ପଡିଛନ୍ତି । ଆମେ ଏ ସଂକ୍ରାନ୍ତରେ ଦୁଇଟି ପ୍ରଶ୍ନର ସଚ୍ଚୋଟ ଭାବରେ ଉତ୍ତର ଖୋଜିଲେ ଆମର ଭ୍ରାନ୍ତି ଦୂର ହୋଇ ପାରେ । ପ୍ରଥମ ପ୍ରଶ୍ନ ହେଲା, ମୁସଲମାନ ମାନେ ହିନ୍ଦୁମାନଙ୍କ ଠାରୁ ଖାଲି ଜନସଂଖ୍ୟା ନିୟନ୍ତ୍ରଣରେ ପଛରେ ଅଛନ୍ତି ନା ସେମାନେ ଅନ୍ୟ ବିଭିନ୍ନ ଭାବରେ ମଧ୍ୟ ପଛୁଆ ? ଦ୍ୱିତୀୟ ପ୍ରଶ୍ନଟି, ଯାହା କି ପ୍ରଥମ ପ୍ରଶ୍ନ ସହିତ ସମ୍ପର୍କିତ, ତାହା ହେଲା ଯେ ଉଭୟ ଜନଗୋଷ୍ଠିର କମୁଥିବା ଜନସଂଖ୍ୟା ଅଭିବୃଦ୍ଧି ହାରର କାରଣ କଅଣ ?

ସଚାର୍ କମିଟି ରିପୋର୍ଟ୍ ଓ ଅନ୍ୟାନ୍ୟ ଅନେକ ସୂତ୍ରରୁ ଆମେ ଜାଣୁ ଯେ ଅଧିକାଂଶ ଦୃଷ୍ଟିରୁ ଭାରତର ମୁସଲମାନମାନଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥା ଆଦିବାସୀ ମାନଙ୍କ ସହିତ ତୁଳନୀୟ, ଓ ସେମାନେ ଶିକ୍ଷା, ସାକ୍ଷରତା, ସ୍ୱାସ୍ଥାବସ୍ଥା ଇତ୍ୟାଦିରେ ପଛୁଆ । ଆମେ ସାରା ଦୁନିଆର ଅଭିଜ୍ଞତାରୁ ଜାଣୁ ଯେ ଶିକ୍ଷା ଓ ସ୍ୱାସ୍ଥ୍ୟଗତ ଦିଗରୁ ପଛୁଆ ଜନଗୋଷ୍ଠିର ପରିବାର ମାନଙ୍କରେ ମାଁ ମାନେ ଅଧିକ ପିଲା ଜନ୍ମ କରନ୍ତି କାରଣ, ଗୋଟିଏ ଗରୀବ, ଅଶିକ୍ଷିତ, ରୋଗ ପ୍ରପୀଡିତ ପରିବାର ପାଇଁ ଅଧିକ ସଂଖ୍ୟକ ପିଲା ଓ ବଡ ପରିବାର ବୀମା ଭଳି କାମ କରେ । ଯେହେତୁ ଗତ କୋଡିଏ ବର୍ଷ ଭିତରେ ଭାରତରେ ଉଭୟ ହିନ୍ଦୁ ଓ ମୁସଲମାନ ମାନଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଭାବରେ ପ୍ରଗତି ଘଟିଛି (ଆଶାନୁରୂପ ଭାବରେ ନହେଲେ ମଧ୍ୟ), ତେଣୁକରି ଉଭୟ ଜନଗୋଷ୍ଠୀର ଜନସଂଖ୍ୟା ବୃଦ୍ଧି ହାର ଏହି କାଳ ମଧ୍ୟରେ କମିଛି । ସ୍ୱର୍ଗୀୟା ଇନ୍ଦିରା ଗାନ୍ଧି କହୁଥିଲେ ଯେ –ଡେଭେଲପମେଣ୍ଟ୍ ଇଜ୍ ଦ ବେଷ୍ଟ୍ କଣ୍ଟ୍ରାସେପ୍ସନ୍’ – ଓଡିଆରେ କହିଲେ, ବିକାଶ ହିଁ ସର୍ବଶ୍ରେଷ୍ଠ ଗର୍ଭନିରୋଧକ ।

ହେଲେ ଏଠାରେ ଆମକୁ କହି ରଖିବା ଉଚିତ ହେବ ଯେ ଏହା ସମ୍ଭବ ଯେ ୨୦୧୧ ମସିହାର ପୂର୍ବର ସ୍ୱାଧିନତ୍ତୋର ଭାରତରେ ସବୁତକ ଜନଗଣନା ନିଜର ଡିଜାଇନ୍ ଗତ ଭୁଲ୍ ଯୋଗୁଁ ହିନ୍ଦୁମାନଙ୍କ ସଂଖ୍ୟାର ଆକଳନ ଭୁଲ୍ କରି ଅଧିକ ଭାବରେ ରିପୋର୍ଟ୍ କରିଥାଇ ପାରନ୍ତି । ଜନଗଣନାର ପୂର୍ବ ପଦ୍ଧତି ଅନୁସାରେ ଯଦି ଜଣେ ମୁସଲମାନ, ଖିରସ୍ଥାନ, ଶିଖ, ଜୈନ, ବୌଦ୍ଧ, କିମ୍ବା ପାର୍ସୀ ନୁହେଁ ତାହେଲେ ସେ ଜଣେ ହିନ୍ଦୁ । ମାତ୍ର ୨୦୧୧ର ଜନଘଣନାରେ ପ୍ରଥମ ଥର ପାଇଁ ଗୋଟିଏ ଅଧିକା ଖୋପ - ଅନ୍ୟ ଧର୍ମ / ଧର୍ମହୀନ - ଉପଲବ୍ଧ କରାଗଲା ଏଣୁ ୨୦୧୧ ଜନଗଣନାରେ ନିଜକୁ ଅନ୍ୟ ଧର୍ମ / ଧର୍ମହୀନ ଭାବରେ ଘୋଷିତ କରିଥିବା ଅନେକ ଲୋକ, ଆଗରୁ ନିଜକୁ ହିନ୍ଦୁ ବୋଲି ଘୋଷିତ କରିଥାଇପାରନ୍ତି ।୨୦୧୧ ଜନଗଣନାରେ ହିନ୍ଦୁମାନଙ୍କ ଅଭିବୃଦ୍ଧି ହାର କମିବାର ଏହା ଏକ କାରଣ ହୋଇପାରେ । ଯେହେତୁ ନିୟମ ଅନୁସାରେ ହିନ୍ଦୁ ଭାବରେ ଘୋଷିତ ନହେଲେ ଜଣେ ଅନୁସୂଚିତ ଜାତିର ଲୋକ ସଂରକ୍ଷଣର ଲାଭ ନେଇପାରିବ ନାହିଁ, ତେଣୁକରି ଅନେକ ଧର୍ମାନ୍ତରିତ ଦଳିତ ନିଜକୁ ଭୁଲ୍ ଭାବରେ ହିନ୍ଦୁ ଭାବରେ ପୂର୍ବ ଜନଗଣନାରେ ଲେଖେଇଥାଇ ପାରନ୍ତି । ମାତ୍ର ଏପରି ଲୋକଙ୍କର ସଂଖ୍ୟା ଏତେ ବେଶି କେବେ ନ ହୋଇପାରେ ଯେ ଏହା ବର୍ତ୍ତମାନର ବିଭିନ୍ନ ଧର୍ମାବଲମ୍ବୀମାନଙ୍କର ଜନସଂଖ୍ୟାର ଆକଳନରେ ଦର୍ଶନୀୟ ପରିବର୍ତ୍ତନ ଆଣିବ ।

ବିଭିନ୍ନ ଧାର୍ମିକ ଗୋଷ୍ଠିର ଜନସଂଖ୍ୟାର ଅନୁପାତକୁ ନେଇ ଭୟର ରାଜନୀତି କରିବାର କୌଣସି କାରଣ ନାହିଁ । ହେଲେ ୨୦୧୫ ଅଗଷ୍ଟ ମାସରେ ଧର୍ମ ସମ୍ପର୍କିତ ଜନଗଣନା ପରିସଂଖ୍ୟାନକୁ ଯେପରି ଜାରି କରାଗଲା ତାହା କେନ୍ଦ୍ର ସରକାରର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ । ଏଥର ବିନା ସାମ୍ବାଦିକ ସମ୍ମିଳନୀରେ, କୌଣସି ପ୍ରାରମ୍ଭିକ ସୂଚନା ନଦେଇ, ଖାଲି ଗୋଟିଏ ପ୍ରେସ୍ ବିଜ୍ଞପ୍ତି ସହିତ ଏହି ପରିସଂଖ୍ୟାନ ଜାରୀ କରାଗଲା । ପରିସଂଖ୍ୟାନର କୌଣସି ଐତିହାସିକ ସନ୍ଦର୍ଭ ଦିଆଯାଇନଥିଲା । ଜନଗଣନା କର୍ମକର୍ତ୍ତାଙ୍କୁ ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ପାଇଁ ଆଧିକାରିକ ସ୍ତରରେ ମନା କରାଯାଇଥିଲା । ଆଗକୁ ଥିବା ନିର୍ବାଚନ ଗୁଡିକ ପାଇଁ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଏକ ଚକ୍ରାନ୍ତ ନୁହେଁ ତ

No comments:

Post a Comment