Monday, February 20, 2017

ପର୍ବତରେ  ଧର୍ମୋପଦେଶ - ୬

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ପୃଥିବୀର ପ୍ରଥମ ଛପା ବାଇବେଲ, ଗୁଟେନବର୍ଗ ବାଇବେଲ (୧୪୫୫ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

"ତୁମ୍ଭର ପ୍ରତିବାସୀକି ପ୍ରେମ କରିବ, ଓ ଶତୃକୁ ଘୃଣା କରିବ," ଏହି ପୂର୍ବ ଉକ୍ତି ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, ତୁମ୍ଭ ଶତୃକୁ ପ୍ରେମ କର; ପୁଣି ଯେଉଁମାନେ ତୁମ୍ଭକୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର । ତହିଁରେ ଯେ ଦୁଷ୍ଟ ଓ ସାଧୁ ଲୋକଙ୍କ ଉପରେ ଆପଣାର ସୂର୍ଯ୍ୟ ଉଦୟ କରାନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ଜଳ ବର୍ଷାନ୍ତି, ଏମନ୍ତ ଯେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ୍ଭେମାନେ ତାହାଙ୍କର ସନ୍ତାନ ହେବ । ଯେହେତୁ ଯେଉଁମାନେ ତୁମ୍ଭଙ୍କୁ ପ୍ରେମ କରନ୍ତି, କେବଳ ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ଫଳ ହେବ ? କରଗ୍ରାହୀମାନେ କଣ ଏପରି କରନ୍ତି ନାହିଁ ? ଆଉ ତୁମ୍ଭେମାନେ ଯେବେ କେବଳ ଆପଣା ଭାଇମାନଙ୍କୁ ନମସ୍କାର କର, ତେବେ କି ଅଧିକ କର୍ମ କର ? ପରଜାତୀୟମାନେହିଁ କି ସେରୁପ କରନ୍ତି ନାହିଁ ? ଅତଏବ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ ଅଟନ୍ତି, ତୁମ୍ଭେମାନେ ସେପରି ସିଦ୍ଧ ହୁଅ ।

ସାବଧାନ, ମନୁଷ୍ୟମାନଙ୍କୁ ଦେଖାଇବା ପାଇଁ ସେମାନଙ୍କ ଗୋଚରରେ ଧର୍ମକର୍ମ କର ନାହିଁ, ତାହା କଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କଠାରୁ କୌଣସି ଫଳ ପାଇବ ନାହିଁ । ଏଣୁ ଯେତେବେଳେ ଦାନ କର, ସେତେବେଳେ କପଟୀ ଲୋକେ ଯେମନ୍ତ ମନୁଷ୍ୟଠାରୁ ପ୍ରଶଂସା ପାଇବା ପାଇଁ ଭଜନାଳୟରେ ଓ ରାଜଦାଣ୍ଡରେ ତୂରୀ ବଜାନ୍ତି, ସେପରି କର ନାହିଁ; ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ସେମାନେ ଆପଣା ଫଳ ପାଇଥାନ୍ତି । ପୁଣି ତୁମ୍ଭେ ଯେତେବେଳେ ଦାନ କର, ସେତେବେଳେ ତୁମ୍ଭର ଦକ୍ଷିଣ ହସ୍ତ କଣ କରୁଅଛି, ତାହା ବାମ ହସ୍ତକୁ ଜଣାଅ ନାହିଁ । ଏହି ରୂପେ ତୁମ୍ଭର ଦାନ ଗୋପନରେ ହେବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।      


ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment