Thursday, February 23, 2017

ଏକଦା ଏକ ଦିନ - ଏକୋଇଶି ଫେବୃଆରୀ

ମାତୃଭାଷା ଦିବସର ରକ୍ତ କଥା


ଜ୍ୟୋତି ନନ୍ଦ 


ବାଙ୍ଗଲାଦେଶର ଶହୀଦ ମୀନାର

ଏହି ସ୍ଥାପତ୍ୟଟି ଅଛି ବଙ୍ଗଳାଦେଶର ଢାକା ବିଶ୍ୱବିଦ୍ୟାଳୟର ପରିସରରେ । ଏହା ୨୧ ଫେବ୍ରୁଆରି ୧୯୫୨ ରେ ଶହିଦ ହୋଇଥିବା ବଙ୍ଗାଳୀ ଭାଷା ଆନ୍ଦୋଳନର କର୍ମୀମାନଙ୍କର ସ୍ମୃତିରକ୍ଷା କରେ । ଏହାର ଏକ ସମାନ୍ତର ସ୍ଥାପତ୍ୟ ଅଛି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀଙ୍କର । ସ୍ଥାପତ୍ୟଟିର ନାଆଁ ହେଉଛି 'ଭଉଣୀ କୋଳରେ ଜଣେ ଶହୀଦ' । ସମ୍ପ୍ରତି ଏଇ ଶିଳ୍ପକର୍ମଟି କଲିକତାର ବିରଲା ପ୍ଲାନେଟୋରିଅମର ଅପର ପାର୍ଶ୍ୱରେ ଅବସ୍ଥିତ । ସେହି ଜାଗାଟିକୁ "ଏକୁଶେ ଉଦ୍ୟାନ" ବା "ଏକୋଇଶ ର ଉଦ୍ୟାନ" ହିସାବରେ ଗତ ବର୍ଷ ଏକୋଇଶ ଫେବୃଆରୀ ୨୦୧୬ ଦିନ ଉଦଘାଟନ କରାଯାଇଥିଲା।

ସେତିତିକିରେ କ'ଣ ଆମମାନଙ୍କ ଭଳି ଯେଉଁମାନଙ୍କର ଛାତି ନିହାତି ଦୁର୍ବଳ, ସେମାନେ ଧିର ସ୍ଥିର ହୋଇ ଏଇ କଳାକର୍ମକୁ ଦେଖିପାରିବେ ? ସ୍ଥାପତ୍ୟର ପଛ ପଟରେ ନେପଥ୍ୟର ଇତିହାସ ବଖାଣ ହୋଇଛି । ଦୟାକରି ପଢିବେ । ସାମ୍ନା ପଟରେ ତିନି ଧାଡି କବିତା ଅଛି ବଙ୍ଗଳା ଭାଷାରେ:
" ଆମାଦେର୍ ଭାଇୟେର୍ ରକ୍ତେ ରାଙ୍ଗାନୋ
ଏକୁଶେ ଫେବୃଆରୀ,
ଆମି କି ଭୁଲିତେ ପାରି।"
ଯେଉଁଠି ରକ୍ତପାତ ଏତେ ନିବିଡ ସେଠାରେ ସାମାନ୍ୟ ଭାଷାର କି ସାମର୍ଥ୍ୟ ଅଛି ପ୍ରତିବନ୍ଧକ ସୃଷ୍ଟି କରିବ ? ଆଶା କରୁଛି ଆମେ ସମସ୍ତେ ଏହାର ଅର୍ଥ ବୁଝି ପାରୁଥିବା । ଆମର ପ୍ରତିବେଶୀ ରାଷ୍ଟ୍ର ବଙ୍ଗଳାଦେଶର ଅବଦୁଲ୍ ଗଫର ଚୌଧୁରୀଙ୍କର ଏଇ ବିଶ୍ୱବନ୍ଦିତ ଗୀତଟି ମୁଁ କେବେହେଲେ ପୂରା ଶୁଣିପାରେ ନାହିଁ।

ଲୁହ ମାନେ ଅବୋଧ ଶିଶୁ, ସେମାନଙ୍କର ଦୋଷ କାହିଁକି ଧରିବା ? ସେମାନଙ୍କର ଅଳି ଅର୍ଦ୍ଦଳି ତ ରହିବ । ଇତିହାସରେ କିଛି ଦିନକୁ ଦେଖିବ ଜୀବନ୍ତ, ଖୁବ୍ ବେଶି ଜୀବନ୍ତ । ଏକୋଇଶୀ ଫେବ୍ରୁଆରୀ ଭଳି। ୧୯୫୨ ମସିହାର ଏକୋଇଶୀ ଫେବ୍ରୁଆରୀରେ  ପଳାଶ ଫୁଲ ହୋଇ ଫୁଟିଗଲେ ସେତେବେଳର ପୂର୍ବ ପାକିସ୍ଥାନ ବା ଆଜିର ବଙ୍ଗଳାଦେଶର ତରୁଣ ଅବଦୁସ୍ ସଲାମ, ଆବୁଲ ବରକତ୍, ରଫିକ୍, ଜବାର୍, ଶଫିଉର୍ ଆଉ ଅହିଉଲ୍ଲାହ । "ବାଙ୍ଗ୍ଲା ଭାଷା, ପ୍ରାଣେର ଭାଷା" ସ୍ଲୋଗାନ ରେ ଢାକା ରାଜପଥରେ ପ୍ରାଣବଳୀ ଦିଅନ୍ତି ଏଇ ତରୁଣ ବଙ୍ଗାଳୀ ପ୍ରଜନ୍ମ, ତତ୍କାଳୀନ ପାକିସ୍ଥାନ ସରକାରଙ୍କର ବଙ୍ଗାଳୀ ବିଦ୍ୱେଷ ବିରୁଦ୍ଧରେ ସ୍ୱର ତୋଳି । ସେଇଦିନଠାରୁ ଗୋଟିଏ ସ୍ୱତନ୍ତ୍ର ବଙ୍ଗଳାଦେଶର ଧାରଣା ଜନ୍ମ ନେଇଥିଲା ସେଠାରେ ।
ଅନେକ ରକ୍ତପାତ ପରେ ବଙ୍ଗଳାଦେଶ ହେଲା ସ୍ୱାଧୀନ ହେଲା ୧୯୭୧ରେ । ବଙ୍ଗଳା ଆଜି ଜାତିସଙ୍ଘର ସ୍ୱୀକୃତ ଭାଷା । କାରଣ ତାହା ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ଅର୍ଥାତ୍ ବଙ୍ଗଳାଦେଶର ଭାଷା । ସେଠାରେ ଏଇ ୨୧ ଫେବୃଆରୀକୁ "ଅମର ଏକୁଶେ" ହିସାବରେ ଏକ ଭାଷା ଦିବସ ହିସାବରେ ପାଳନ କରା ହୋଇ ଆସୁଛି । କିନ୍ତୁ ଏଇ ଦିନକୁ ୧୭ ନଭେମ୍ବର ୧୯୯୯ ରେ ମିଳିତ ଜାତିସଙ୍ଘର ୩୦ତମ ଅଧିବେଶନରେ ୨୮ଟି ସଦସ୍ୟ ଦେଶର ସମର୍ଥନରେ "ଆନ୍ତର୍ଜାତିକ ମାତୃଭାଷା ଦିବସ " ହିସାବରେ ସ୍ବୀକୃତି ଦିଆଯାଇଛି । ତାହାପରଠାରୁ ୨୦୦୦ ମସିହାରୁ ଏଇଦିନଟି ଆଉ ବଙ୍ଗଳାଦେଶର ଏକଚାଟିଆ ଅଧିକାର ରେ ନାହିଁ । ଦିନଟି ଆମ ସମସ୍ତଙ୍କର ଗୋଟିଏ ପ୍ରିୟ ଦିନ । ପ୍ରାୟତଃ ବିଶ୍ୱର ୧୮୮ ଟି ଦେଶର ଏହା ଏବେ ପାଳିତ ହେଉଛି । ଏପରିକି ପାକିସ୍ଥାନରେ ବି । ଯେଉଁ ପାକିସ୍ଥାନୀ ଶାସକ ଗୋଷ୍ଠୀର ଷଡଯନ୍ତ୍ର ଯୋଗୁ ଦିନେ ଜନ୍ମ ନେଇଥିଲା ମହାନ ଏକୋଈଶ ଫେବୃଆରୀ, ସେଠାରେ ଏଇ ମାତୃଭାଷା ଦିବସଟି ସେମିତି ନ ହେଲେ ବି ଧୁମଧାମରେ ପାଳନ ହୁଏ । କରାଚୀ ଓ ଇସଲାମାବାଦ ପ୍ରଭୃତି ସହରରେ ସାହିତ୍ୟ ଉତ୍ସବ ହୁଏ, ଆଲୋଚନା ଚକ୍ରଟିମାନ ଅନୁଷ୍ଠିତ ।
ଏତିକି ପଢିସାରିବା ପରେ ଏଇଠି ବସି ଆମେ କ'ଣ ଭାବିବା ? ତରୁଣମାନଙ୍କ ଭିତରେ ଭାଷା ପାଇଁ ଉନ୍ମାଦନା ଆସିଲେ, ସେମାନେ ଯେ କୌଣସି ଚରମ ତ୍ୟାଗ ପାଇଁ ପ୍ରସ୍ତୁତ ହୋଇ ଲଢି ପାରିବେ । ଆଉ କେହି ନୁହଁ । ସେମାନେ ଉଚ୍ଚ କଣ୍ଠରେ ହିଁ କହିପାରନ୍ତି, ଭାଷା ଆମର ଅଧୀକାର ଆଉ ଦାୟିତ୍ୱ ବି । ଆଉ ବାକି ଆମେ ଯେଉଁମାନେ ରହିଲୁ, ସେମାନଙ୍କର ହଲିଲା ପାଣିକୁ ଗୋଡ ବଢାଇବା କିସ ଦରକାର ? ଯଦି ଆମ ଭିତରୁ କିଏ ଲେଖକ, ତେବେ ତାହାର ଅମରତ୍ୱଟିଏ ଲୋଡା । ଅମରତ୍ୱ କହିଲେ ଓଡିଆ ସାହିତ୍ୟର ପାଠ୍ୟକ୍ରମରେ ରହିଗଲେ ହେଲା । ଆମେ ସମସ୍ତେ ନିଜକୁ ସର୍ବୋତ୍ତମ ପାଠ୍ୟ ର ଯୋଗ୍ୟତାରେ ରଖୁ । ବାକି ଅନ୍ୟ ସବୁ କଥାକୁ ଆଖିରେ ଅନ୍ଧପୁଟୁଳୀ ବାନ୍ଧି ବସିଥାଉ । କିନ୍ତୁ ଆମେ ଠିକ କାନ ଡେରି ଥାଉ ସଞ୍ଜୟ ଆଡକୁ । ସଞ୍ଜୟ କ'ଣ କହୁଛି ? ଆମେ ଯଦି ସାହିତ୍ୟ କଲୁ ତେବେ ଆମର ଲୋଡା ସଞ୍ଜୟ।

ଆଉ ଗୋଟିଏ କଥା ଆମେ ଅମର ଏକୋଈଶରୁ ଶିଖିଲୁ, ତାହା ହେଉଛି, ଭାଷାଟି ଯେ କୌଣସି ଧାର୍ମିକ ବିଭିନ୍ନତାରୁ ଉର୍ଦ୍ଧ୍ୱରେ।ମାତୃଭାଷା ଦିବସରେ ଏଇ ଦୁଇଟି କିଛି କମ ଉପଲବ୍ଧି ନୁହଁ। ଆମର କୃତବିଦ୍ୟମାନଙ୍କର ଗପ, କବିତା, ଉପନ୍ୟାସ ଆପଣମାନଙ୍କର ନିତ୍ୟ ସହଚର ହୋଇଥିବ । ସେମାନଙ୍କର ଭାଷାଭାବନା ଉପରେ ଆପଣମାନେ ହୁଏତ ଜାଣିଥାଇ ପାରନ୍ତି, ମାତ୍ର ମୋର ଧାରଣାରେ କିଛି ନାହିଁ । ହୁଏତ ସେମାନେ ଭାଷାଭାବନାଟି କୁ ନିଜର ସୃଜନାତ୍ମକ ଦୃଷ୍ଟିରେ ନିକୃଷ୍ଟ ମନେ କରୁଥାଇ ପାରନ୍ତି । କିଏ ଜାଣେ?

ମୁଁ ଭୁବନେଶ୍ୱରରେ ଅଛି । ଆଜି ମାତୃଭାଷାର ଦିବସ ସମ୍ପର୍କରେ କୌଣସି ଉତ୍ସାହପ୍ରଦ ସୂଚନା ମୋ ପାଖରେ ନାହିଁ । ଆଜି ଅମର ଏକୋଈଶ ପାଳନ ଅବସରରେ ବଙ୍ଗଳାଦେଶର ଗୋଟିଏ ଚାନେଲ କିଛି ଲୋକଙ୍କୁ ପଚାରିଥିଲେ, ବାଙ୍ଗ୍ଲା ଭାଷାରେ ଆପଣଙ୍କର ସବୁଠାରୁ ପ୍ରିୟ ଶବ୍ଦର କଥା କହିଲେ କେଉଁ ଶବ୍ଦଟି ମନକୁ ଆସୁଛି ? ସବୁଠାରୁ ବେଶି ଯେଉଁ ଉତ୍ତର ଟି ଥିଲା, ତାହା ହେଉଛି, ମାଆ ।

ପ୍ରତି ଦୁଇ ସପ୍ତାହରେ ପୃଥିବୀରୁ ଗୋଟିଏ ଭାଷା ମରେ । ପ୍ରତି ଭାଷା ମରିବା ସହିତ, ପୃଥିବୀଟି ଆଉଟିକିଏ ଅଧିକ ସଙ୍କୁଚିତ ହୋଇଯାଏ । ସଙ୍କୁଚିତ ଏଇଥିପାଇଁ ହୁଏ, କାରଣ ଆମେ ଯେତେ ଅଧିକ ଭାଷାରେ ପୃଥିବୀକୁ ଡାକିବୁ ପୃଥିବୀର ସେତିକି ଶବ୍ଦ-ଧ୍ୱନୀ-ଭିତ୍ତିକ ବ୍ୟାପ୍ତି ରୂପ ରହିବ। ଓନା-ଭାରତୀୟ ବୋଲି ଗୋଟିଏ ସମ୍ପ୍ରଦାୟର ଶେଷ ପ୍ରତିନିଧି ଥିଲା ଆଞ୍ଜେଲା ଲୋଇଜ୍ । ଆଞ୍ଜେଲା ସେଇ ସମ୍ପ୍ରଦାୟଙ୍କ ଭାଷା କହିବାରେ ଶେଷ ଓ ଏକମାତ୍ର ମହିଳା । ସେ ଯାହା କହୁଥିଲା ତାହା କେବଳ ନିଜେ ବୁଝୁଥିଲା । ୧୯୭୪ରେ ସେ ପ୍ରାଣତ୍ୟାଗ କଲା । ଓନା-ଭାରତୀୟ ମାନେ ଅନେକ ଦେବତାଙ୍କୁ ପୂଜା କରୁଥିଲେ । ସେମାନଙ୍କର ମଧ୍ୟରେ ଶ୍ରେଷ୍ଠ ଦେବତା ଥିଲେ, ପେମାଲକ୍ ।ପେମାଲକ୍ ର ଅର୍ଥ ହେଉଛି; "ଶବ୍ଦ"।

ଶେଷକଥା: ୨୧ ଫେବ୍ରୁଆରୀରେ, ୧୮୪୮ ମସିହାରେ କମ୍ୟୁନିଷ୍ଟ ପାର୍ଟିର ଇସ୍ତାହାର ମାର୍କସ ଓ ଏଞ୍ଜେଲସଙ୍କ ଦ୍ୱାରା ପ୍ରଥମଥର ପ୍ରକାଶିତ ହୋଇଥିଲା।

No comments:

Post a Comment