Thursday, February 09, 2017

ମହିମା ଭକ୍ତି କବିତା - 'ସଂସାର ତାରିବା ନିମନ୍ତେ ହେ'


କବି - ଭୀମ ଭୋଇ


କାଲିଫର୍ଣ୍ଣିଆର ମରୁଭୂମିରେ ସୂର୍ଯ୍ୟାସ୍ତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସଂସାର ତାରିବା ନିମନ୍ତେ ହେ ।ପଦ।

ଅନାଦି ସେ ବ୍ରହ୍ମ । ଏକାକ୍ଷର ଧର୍ମ ।
ବୈଷ୍ଣବରୂପ ଏ ଜଗତେ ହେ ।୧।

ତିନିପୁର ଯାକ । ପଡ଼ୁଅଛି ଡାକ ।
ନ ଚିହ୍ନି ଆଜ ପରିଯନ୍ତେ ହେ ।୨।

ଚକ୍ଷୁ ଥାଉଁ କଣା । ବୁଦ୍ଧି ଥାଉଁ ବଣା ।
ବାତୁଳ ହେଲେଣି ସମସ୍ତେ ହେ ।୩।

ଯେ ହେବ ମନୁଷ୍ୟ । ଜାଣିବ ଅବଶ୍ୟ ।
ବୁଝାଇ କହୁଅଛି ଯେତେ ହେ ।୪।

ଭଜିଲେ ଏ ଦୀକ୍ଷା । ହେତୁ ରହେ ଏକା ।
ଚେତାରେ ଧର ଅନ୍ତର୍ଗତେ ହେ ।୫।

ଭଣେ ଭୀମ କନ୍ଧ । ସୁଧା ମକରନ୍ଦ ।
ସୁଜନେ ପିଅ ଅନୁବ୍ରତେ ହେ ।୬।

No comments:

Post a Comment