Sunday, February 12, 2017

ପର୍ବତରେ  ଧର୍ମୋପଦେଶ - ୫


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଚିତ୍ର 'ସର୍ମନ ଅନ ଦ ମାଉଣ୍ଟ' ( ୧୮୭୭)
ଦିନାମାର ଚିତ୍ରକର କାର୍ଲ ହାଇନରିଚ ବ୍ଲକ (୧୮୩୪-୧୮୯୦)

ଆହୁରି, "ତୁମ୍ଭେ କୌଣସି ମିଥ୍ୟା ରାଣ ନ କରି ପରମେଶ୍ୱରଙ୍କ ପ୍ରତି ଆପଣା ରାଣ ପାଳନ କର," ପୂର୍ବକାଳର ଲୋକଙ୍କ ପ୍ରତି ଉକ୍ତ ଏହି ବାକ୍ୟ ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, କୌଣସି ରାଣ କର ନାହିଁ, ଅର୍ଥାତ୍ ସ୍ୱର୍ଗ ନାମରେ କର ନାହିଁ, ଯେହେତୁ ତାହା ପରମେଶ୍ୱରଙ୍କ ସିଂହାସନ । ପୃଥିବୀ ନାମରେ କର ନାହିଁ, ଯେହେତୁ ତାହା ତାହାଙ୍କର ପାଦପୀଠ । ଯିରୁଶାଲମ ନାମରେ କର ନାହିଁ, ଯେହେତୁ ତାହା ମହାରାଜାଙ୍କର ନଗର । ଆପଣାର ମସ୍ତକର ରାଣରେ କର ନାହିଁ, ଯେହେତୁ ତାହାର ଗୋଟିଏ କେଶ ଧଳା କି କଳା କରିବା ତୁମ୍ଭର ସାଧ୍ୟ ନାହିଁ । ପୁଣି ତୁମ୍ଭର କଥା ହଁ, ହଁ ଅବା ନା, ନା ହେଉ, ଯେହେତୁ ଏଥିରୁ ଯାହା ଅଧିକ ତାହା ମନ୍ଦରୁ ଜନ୍ମେ । 

ଆଉ "ଚକ୍ଷୁର ପରିଶୋଧରେ ଚକ୍ଷୁ ଓ ଦନ୍ତର ପରିଶୋଧରେ ଦନ୍ତ," ଏହି ପୂର୍ବ ଉକ୍ତି ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, ଦୁଷ୍ଟଲୋକକୁ ବାଧା ଦିଅ ନାହିଁ; ପୁଣି କେହି ଯେବେ ତୁମ୍ଭର ଦକ୍ଷିଣ ଗାଲରେ ଚାପୁଡ଼ା ମାରେ, ତେବେ ତାହା ପ୍ରତି ବାମ ଗାଲ ଫେରାଇଦିଅ । କେହି ତୁମ୍ଭ ନାମରେ ଗୁହାରି କରି ତୁମ୍ଭର କୁର୍ତ୍ତା ନେବାକୁ ପାଞ୍ଚିଲେ ତାହାକୁ ଚୋଗା ମଧ୍ୟ ନେବାକୁ ଦିଅ । ପୁଣି କେହି ଏକ କୋଶ ଘେନି ଯିବା ପାଇଁ ତୁମ୍ଭଙ୍କୁ ବାଧ୍ୟ କଲେ ତାହା ସଙ୍ଗରେ ଦୁଇ କୋଶ ଯାଅ । ଯେଉଁ ଜନ ତୁମ୍ଭ ନିକଟରେ ମାଗେ, ତାହାକୁ ଦିଅ; ପୁଣି କେହି ତୁମ୍ଭଠାରୁ ଉଧାର ନେବାକୁ ପାଞ୍ଚିଲେ ତାହା ପ୍ରତି ବିମୁଖ ହୁଅ ନାହିଁ ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment