Friday, February 03, 2017

ଭୂତ କଥା

ଜ୍ୟୋତି ନନ୍ଦ


ଚିତ୍ରକର ରିଚାର୍ଡ଼ ଏନିସଙ୍କର କଳାକୃତି, 'ଦି ସ୍କଲ' (୧୯୯୧)
ଫଟୋ କ୍ରେଡ଼ିଟ -  www.welcomeimages.org

ଆପଣ ଦେଖିପାରନ୍ତି ନିଶ୍ଚୟ ମୋ କାନ୍ଧରେ ନିହାତି ଅସଂସ୍କୃତ ଭାବରେ ହାତ ପକାଇଥିବା, ଅତୀତର କେଉଁ ସ୍କୁଲରୁ ପଢା ଛାଡି ରହିଥିବା, ଫ୍ରକ ପିନ୍ଧା (ଯଦିଓ ତାହାର ଫ୍ରକ ପିନ୍ଧିବାର ବୟସ ସେତେବେଳେ ଅତିକ୍ରାନ୍ତ), ଗୋଟିଏ ନିରୁଦ୍ଦିଷ୍ଟ କିଶୋରୀର ବେଣୀର ଗୋଲାପ ଫୁଲର ପୁରାତନ ଗୋପନୀୟ କଥା କୁ ନେଇ ମୋର ତତ୍କାଳୀନ କିଶୋର ଭାଗ୍ୟ କୁ ସବୁବେଳେ ହାଲକା ଈର୍ଷା କରୁଥିବା ବନ୍ଧୁଟି, ତରୁଣ ଦାନ୍ତ ଡାକ୍ତରର ଡାକରା ପାଇଁ ପଞ୍ଜିକୃତ କରିବାର ବିଫଳତା, ଆଉ ଦାନ୍ତବିନ୍ଧା କୁ ଏଡାଇ ଯିବା ପାଇଁ ସେଇ କିଶୋରୀକୁ ଆପାତତଃ ହତ୍ୟା କଲା ଭଳି ଯୌନତାର ଭାଷାରେ, ମୋ ଇଚ୍ଛା ବିରୁଦ୍ଧରେ କହିପାରିବାର ଅନ୍ତରଙ୍ଗତା ହାସଲ କରିଥିଲେ ହେଁ, ଦେଶରୁ ହଠାତ ଆଇନ ବ୍ୟବସ୍ଥା ଓ ଶାସକ କୂଳ କୌଣସି ପିସି ସରକାର ଠାରୁ ଦକ୍ଷ ଇନ୍ଦ୍ରଜାଲ ବଳରେ ଅନ୍ତର୍ହିତ ହୋଇଗଲେ, ସେ ତାହାର ହାତ ପାପୁଲିରେ ସଦା ସର୍ବଦା ଅଦୃଶ୍ୟ ଭାବରେ ସଂରକ୍ଷିତ ଥିବା ବାଘନଖରେ ମୋ ଛାତିକୁ ହଠାତ ବିଦାରି ଦେଇ ସେ ସମୟଟିର ସଦବ୍ୟବହାର କରିବାର ସମ୍ଭାବନାକୁ ମୁଁ ବି ଗୋପନ କରି ରଖିଛି ଆମର ପ୍ରିୟ ପୃଥିବୀଠାରୁ ।
ଏଇମିତି ତ ଭୂତ ଓହ୍ଲାଏ । ସବୁ ଭୂତ । ସବୁ ଭୂତଙ୍କ ଆଦି ନିବାସ ଗଙ୍ଗା, ଗୟା ବା ପୁଷ୍କର ଭଳି କ୍ଷେତ୍ରରାଜ ନୁହଁନ୍ତି । ଆଦି ନିବାସ ତାଙ୍କର ମେସିନ । ମେସିନରୁ ଭୂତ ମାଲକଛା ମାରି ଓହ୍ଲାଏ । ଆମେ ଭୂତ ବିଷୟରେ ବହୁତ କଥା ଶୁଣିଛୁ, ପଢିଛୁ । କିନ୍ତୁ ତାଜୁବର କଥା, କୌଣସି ଭୂତକୁ ଆମେ ସାକ୍ଷାତରେ ଚିହ୍ନି ପାରୁନା । ପବନ, ଭଗବାନ ଆଉ ଆମର ଅତୀତ ଭଳି ଭୂତମାନେ ସବୁବେଳେ ବିଦ୍ୟମାନ । ଆଉ ନଚିହ୍ନିଲେ ମଧ୍ୟ ଆମେ ସେମାନଙ୍କର ଉପସ୍ଥିତି ଠିକ ଟେର ପାଇଥାଉ ।
ହଁ ଏଠାରେ ମେସିନ କହିଲେ ତାହା ଆଉ କଉ ମେସିନ ନୁହଁ । ତାହା ହଉଛି ଆମର ଏଇ ମୁଣ୍ଡ । ପୃଥିବୀରେ ଯେତେ ସ୍ତନ୍ୟପାୟୀ ଅଛନ୍ତି, ସେମାନଙ୍କ ମଧ୍ୟରେ ଶରୀର ଅନୁପାତରେ ସବୁଠାରୁ ବଡମୁଣ୍ଡିଆ ହେଉଛୁ ଆମେ, ମଣିଷମାନେ । ଏଇ କଥାଟି " ଡେସମଣ୍ଡ ମରିସ" ବୋଲି ଜଣେ ପ୍ରସିଦ୍ଧ ସାମାଜିକ-ଜୈବବିଜ୍ଞାନୀ ତାଙ୍କର "ନେକେଡ ଏପ" ବୋଲି ବହିର ଆରମ୍ଭ ରେ ଲେଖିଛନ୍ତି । ସେହି ବିଶିଷ୍ଟ ବହି ସମ୍ପର୍କରେ ମୋର ଗୋଟିଏ ଅଶିଷ୍ଟ ଅନୁଭୂତି ଅଛି । ଆମର ସେହି ସମୟରେ ପ୍ରାପ୍ତବୟସ୍କଙ୍କ ସାମଗ୍ରୀର ବ୍ୟବହାର ଯଥେଷ୍ଟ ସତର୍କତାର ସହ କରିବାକୁ ପଡୁଥିଲା । "ନେକେଡ ଏପ" ର ମୁଁ ସର୍ବପ୍ରଥମ ଯେଉଁ ସଂସ୍କରଣଟି ପାଇଥିଲି, ତାହାର ପ୍ରଚ୍ଛଦରେ ଥିଲା ଗୋଟିଏ ନାରୀ ଆଉ ପୁରୁଷର ପୂର୍ଣ୍ଣ ଉଲଗ୍ନ ଅବସ୍ଥାର ପଛ ପଟର ଛବି । ତେଣୁ ଯେତେ ସବୁ ନିଷିଦ୍ଧ ସାମଗ୍ରୀ ଆମେ ପୁରୁଣା ଖବର କାଗଜରେ ଆଢୁଆଳ କରିଦେବା ପରି ମୁଁ ଏହି ବହିଟିକୁ ଗୋଟିଏ ଖବର କାଗଜର ମଲାଟ ଦେଇ ସାଥିରେ ନେଇ "ତୁଳନାତ୍ମକ ସମ୍ବିଧାନ" କ୍ଲାସ ରେ ବସିଥିଲି । ସେହି କ୍ଲାସ ପ୍ରତି ମୋର ଚିରକାଳ ଅରୁଚି । ଏହି ଭଳି ଏକ ପାଠ୍ୟପୁସ୍ତକ ବହିର୍ଭୂତ ବହି ଧରି ସେହି କ୍ଳାସକୁ ଯିବା ଏକ ପ୍ରକାରର ବାହାଦୁରୀ । ଆଉ କହିବାରେ ଦ୍ୱିଧା ନାହିଁ, ସେହି ଷ୍ଟାଇଲର ବାହାଦୁରି ଆମମାନଙ୍କୁ କିଛିମାତ୍ରାରେ ଇଣ୍ଟେଲେକ୍ଚୁଆଲ କରି ଦେଇଥିଲା । ସେ ଯାହାହେଉ "ନେକେଡ ଏପ"ର ଖବର କାଗଜର ମଲାଟରେ ଥିବା କୌଣସି ସିନେମା ସମ୍ବାଦ କାଳ ହେଲା । ମଲାଟ ଖସିଗଲା ଆଉ ମୋର କିଛି ବନ୍ଧୁ ସ୍ଥିର ନିଶ୍ଚିତ ହେଲେ ଯେ ଏହା ଏକ ଆକର୍ଷଣୀୟ ପ୍ରାପ୍ତବୟସ୍କ ସାମଗ୍ରୀ । ମୁଁ ବହିଟି ଯେତେ ସାମାଜିକ ଜୈବବିଜ୍ଞାନ ବିଷୟକ ବୋଲି ନେହୁରା ହେଲେ ବି ସେମାନେ ଅବା ଆଉ ଶୁଣନ୍ତେ କାହିଁକି ?
ସେ ବହିଟି କ୍ଲାସରୁ ମୋ ପାଖକୁ ଫେରିଲା ନାହିଁ । ଆଉ ମୋ ପାଖରେ ପ୍ରାପ୍ତବୟସ୍କ ସାମଗ୍ରୀର ଖୁଚୁରା ବିପଣନ କେନ୍ଦ୍ର ଅଛି ବୋଲି କିଛି ଲୋକଙ୍କ ଧାରଣାରେ ରହିଗଲା ।

ପରେ ମୁଁ "ନେକେଡ ଏପ"ପଢିଲି।
ଏହା ବି ଏକ ଭୂତ କଥା ।
ବଡମୁଣ୍ଡିଆ ହିସାବରେ ଆମେ ମଣିଷ ମାନେ ଗର୍ବ କରୁଥିଲା ବେଳେ ଆଉ ଗୋଟିଏ ବଡ କଥାକୁ ଆମେ ଆଦୌ ମାନିବାକୁ ପ୍ରସ୍ତୁତ ନୁହଁ । ତାହାକୁ ଆମେ ଗଡେଇ ଦେଉ ଅନ୍ୟ ଉପରେ । ବିଶେଷତଃ ଗରିଲା ମାନଙ୍କ ଉପରେ। ଡେସମଣ୍ଡ ମରିସଙ୍କ ଅନୁସାରେ ମଣିଷର ପୁରୁଷାଙ୍ଗ ସବୁ ସ୍ତନ୍ୟପାୟୀଙ୍କ ତୁଳନାରେ ବୃହତ ।
କାହା ମୁଣ୍ଡ ରେ କଅଣ ଅଛି କିଏ ଠିକ କରି କହି ପାରିବ ? ଖାଲି ଅନ୍ଦାଜ ରେ ଆମର ବାଟ ଚାଲିବା କଥା ସମସ୍ତଙ୍କ ସହିତ।
ଆମେ ଯାହାକୁ ଚିହ୍ନିଚେ ଜାଣିଚେ, ତାହାର ମୁଣ୍ଡର ଗୋଟିଏ ମୋଟାମୋଟି ଅନ୍ଦାଜ ଆମେ ଯଥେଷ୍ଟ ଆଗରୁ ପ୍ରସ୍ତୁତ କରି ରଖିଥାଉ । ସେହି ଅନୁସାରେ ଆମେ ନିଜ ନିଜର ଲକ୍ଷ୍ମଣରେଖାଟି ମାନ ତିଆରି କରି ଆମ ଶୀତ ସଞ୍ଜର ଗରମ ଚାହାର ଆନନ୍ଦ ନେଉ ।
ଆମ ମୁଣ୍ଡ ଭିତରେ ହୁଏ କଅଣ?
ପ୍ରଥମରେ ଆମ ମୁଣ୍ଡ ସବୁବେଳେ ଉଦ୍ୟମରତ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ।
ଦ୍ବିତୀୟରେ ଆମ ମୁଣ୍ଡ ସବୁବେଳେ ସଚେତନ ଆମର ବ୍ୟକ୍ତିଗତ ସୀମାବଦ୍ଧତା ସମ୍ପର୍କରେ ।
ତୃତୀୟରେ ଆମ ମୁଣ୍ଡ ସବୁବେଳେ ଆତ୍ମବିଶ୍ଳେଷଣ କରୁଥାଏ ବା ଅନ୍ତର୍ଦୃଷ୍ଟି ଜାଗ୍ରତ କରୁଥାଏ ।
ଚତୁର୍ଥରେ ଆମ ମୁଣ୍ଡ ସବୁବେଳେ ଆକ୍ରମଣାତ୍ମକ ବ୍ୟବସ୍ଥା ଗ୍ରହଣ କରୁଥାଏ ।
ପଞ୍ଚମରେ ଆମ ମୁଣ୍ଡ ସବୁବେଳେ ସଂଖ୍ୟାଗରିଷ୍ଠ ଲୋକମାନଙ୍କ ଦ୍ୟାରା ଗ୍ରହଣ କରାଯାଇଥିବା ସାମାଜିକ ପ୍ରଥାକୁ ଗ୍ରହଣ କରୁଥାଏ ।
ଷଷ୍ଠରେ ଆମ ମୁଣ୍ଡ ସବୁବେଳେ ଆମର ଦୁର୍ବଳତା ସମ୍ପର୍କରେ ସଚେତନ ରହିଥାଏ ।
ମୋଟାମୋଟି ଭାବରେ କହିଲେ, ଆମ ମୁଣ୍ଡରେ ଅହରହ ଚାଲିଛି ଗୋଟିଏ ପ୍ରକ୍ରିୟା, ଯାହାକୁ ପରିଚାଳନା ବିଶେଷଜ୍ଞମାନେ ସେମାନଙ୍କ ଭାଷାରେକହିବେ, ସ୍ୱଟ (ରୋମାନ ଅକ୍ଷର ଏସ.ଡବ୍ଲିଉ.ଓ.ଟି - ଅର୍ଥାତ ଷ୍ଟ୍ରେଙ୍ଗଥ, ୱିକନେସ, ଅପରଚ୍ୟୁନିଟି ‌ଆଣ୍ଡ ଥ୍ରେଟସ) ବିଶ୍ଳେଷଣ ।

ଲେଖାରେ ଶୀର୍ଷକ ତଳେ ପ୍ରଦତ୍ତ ଇଂଲଣ୍ଡର ଚିତ୍ରକର ରିଚାର୍ଡ ଏନିସଙ୍କର ଶିଳ୍ପକୃତିଟିର ନାଆଁ ହେଉଛି "ଦି ସ୍କଲ" । ୧୯୯୧ ମସିହାର ଏଇ ଛବିରେ ମଣିଷର ମନ ଭିତରେ ସବୁବେଳେ ଚାଲିଥିବା କର୍ମକାଣ୍ଡର ଏକ ବୈୟକ୍ତିକ ପରିପ୍ରକାଶ ଘଟିଛି।
ଆଶା କରୁଚି ଏଇ ଛବି ଭିତରେ ଆପଣ ମାନେ ଭୂତମାନଙ୍କୁ ଦେଖିପାରିବେ ।

No comments:

Post a Comment