Tuesday, February 14, 2017

ଏକଦା ଏକ ଦିନ - ଚଉଦ ଫେବୃଆରୀ


ଇତିହାସ , ସନ୍ଥ ଭାଲେଣ୍ଟାଇନ ଓ ଏକ ପ୍ରେମର ପର୍ବ 


ଜ୍ୟୋତି ନନ୍ଦ


ଶିଷ୍ୟମାନଙ୍କ ସହ ସନ୍ଥ ଭ୍ୟାଲେଣ୍ଟାଇନ


ବିତର୍କିତ ପ୍ରସଙ୍ଗଟିର ପରିପ୍ରେକ୍ଷ୍ୟ ଭିନ୍ନ । କିନ୍ତୁ ଏମିତିରେ ଦେଖିଲେ ଫେବୃଆରୀ ୧୪ ତାରିଖର ଭାଲେଣ୍ଟାଇନ ଦିବସର ପାଳନକୁ ବର୍ତ୍ତମାନ ସମୟର ସବୁଠାରୁ ବିତର୍କିତ ପର୍ବ ହିସାବରେ ନିଆଯାଇପାରେ । ଏହି ଦିବସଟି କ୍ରମଶଃ ଏକ ପ୍ରକାର ତାରୁଣ୍ୟର ଆବେଗ ଆଉ ଉତ୍ସାହର ପ୍ରତୀକ ହୋଇ ଉଠିଛି ।

ଇତିହାସ ଦୃଷ୍ଟିରେ ତାରୁଣ୍ୟକୁ, ବିଶେଷ କରି ପ୍ରେମକୁ, ଦେହ ହେଉ କି ବିଦେହ ଉଭୟ କ୍ଷେତ୍ରରେ, ସବୁ ସମୟରେ ବିରୋଧ କରାଯାଇଛି । ସାଧାରଣତଃ ପିତୃସୁଖରୁ ବଞ୍ଚିତ ଅବହେଳିତ କିଶୋରଟି ନିଜ ପ୍ରଚେଷ୍ଟାରେ ସକ୍ଷମ ହୋଇ ପିତୃ-ପରିଚୟ-ଅର୍ଜନର ସନ୍ଧାନରେ ବାହାରି ସ୍ୱବିକ୍ରମରେ ନାୟକ ହୁଏ । ନାୟକ ହେଲାପରେ ପିତାର ଗୌରବକୁ ପୁନର୍ସଂସ୍ଥାନ କରି ଆତ୍ମବଳୀ ଦେଇ ଲୋକକଥାରେ ଅମର ହୋଇ ରହେ । ଧର୍ମପଦ ଭଳି ତରୁଣ ମାନଙ୍କର ଏହି ପରି ବୟସ୍କମାନଙ୍କ ପାଇଁ ବଳିଦାନର କାହାଣୀ ପୃଥିବୀର ପ୍ରାୟ ସବୁ ପୁରାଣରେ ଦେଖିବାକୁ ମିଳିବ । ଏହା ବୟସ୍କମାନଙ୍କର ସିଦ୍ଧାନ୍ତକୁ ତରୁଣମାନଙ୍କ ମାର୍ଫତରେ ବୈଧ କରିବାର ଏକ ସୁଚତୁର କୌଶଳ । ଆମ ପୁରାଣରେ ପୁଅ ପୁରୁ ବାପ ଯଯାତିର ବାର୍ଦ୍ଧକ୍ୟକୁ ଗୌରବର ସହ ବହନ କରି ବାପକୁ ନିଜ ଯୌବନ ସମ୍ପ୍ରଦାନ କରବା ସହ ଯାବତୀୟ ଶାରିରୀକ ଆନନ୍ଦର ସୁଯୋଗ ପ୍ରସ୍ତୁତ କରି ପୁତ୍ରପଣର ଉଜ୍ଜଳ ପ୍ରତୀକ ହୋଇ ରହିଅଛି । ଶାରିରୀକ ଭାବରେ ବୟସ୍କର ଜୟଯାତ୍ରା କହିବାକୁ ଗଲେ ସବୁଠାରେ ଆଉ ସେଇଠି ତରୁଣର ସ୍ଥାନ ତ୍ୟାଗରେ । ତେଣୁ ତରୁଣ ମାନଙ୍କର ପର୍ବଟିଏ ଉପସ୍ଥିତ ହେଲେ ଅ-ତରୁଣ ମାନଙ୍କର ମାନସିକ କ୍ଷୋଭ ଆଉ ଅସହାୟତାର ସୈଦ୍ଧାନ୍ତିକ ମାନସିକତାକୁ ବୁଝିବା ସେତେ କଷ୍ଟକର ନୁହଁ ।

ଅନ୍ୟପକ୍ଷରେ ସବୁ ସମୟରେ ବିଚାର କରାଯାଇଛି ଯେମିତି ପ୍ରେମଟି ଅଶାସ୍ତ୍ରୀୟ । କେବଳ ଦେବତାମାନଙ୍କର ଶାରୀରିକ ସମ୍ପୃକ୍ତିର ପୌରାଣିକ ଉତ୍ସବ ଯାହା, ମାନବମାନଙ୍କ ପାଇଁ କେବଳ ପଠନଯୋଗ୍ୟ ସାମଗ୍ରୀ ମାତ୍ର । ଆମେ ରାଧାକୃଷ୍ଣଙ୍କ ଲୀଳାରେ ବିଭୋର ହେଉ । କିନ୍ତୁ ସେଇ ଭଳି, ଅର୍ଥାତ, ରାଧାକୃଷ୍ଣଙ୍କ ଭଳି ଜୀବନଟିଏ ଜିଇଁବା ପାଇଁ ଯଦି କେହି ଚାହେଁ,  ତେବେ ଆମର ସମାଜ ତଥା ଶାସ୍ତ୍ରଜ୍ଞମାନେ କେଉଁ ପ୍ରକାରର ପଦକ୍ଷେପ ନେବେ, ତାହା ଆପଣମାନେ ବେଶ୍ ଭଲଭାବରେ ଜାଣନ୍ତି । କହିବାର କଥା ହେଉଛି ପୁରାଣରେ ଦେବତା ମାନଙ୍କର ଯେଉଁ ଜୀବନଧାରାକୁ ଆମେ ଶ୍ରଦ୍ଧାର ସହ ଅଧ୍ୟାୟେ ଅଧ୍ୟାୟେ ପାଠ କରୁ, ତାହା ସହିତ  ଆମର ବ୍ୟକ୍ତିଗତ ଜୀବନଧାରାର ପାର୍ଥକ୍ୟ ବହୁଳ ଭାବରେ ରହିଛି । ସେଇ ପାର୍ଥକ୍ୟଟି ମୂଖ୍ୟତଃ ପ୍ରେମର ଅବଧାରଣାକୁ କୁ ନେଇ । 

ଦେବତା-ଜୀବନରେ ରମଣୀ ଆଉ ମାନବ-ଜୀବନରେ ରମଣୀ ମଧ୍ୟରେ ପାର୍ଥକ୍ୟ ବେଶ୍ ସୁସ୍ଫଷ୍ଟ । ଦେବତାମାନଙ୍କର ପ୍ରେମରେ କୌଣସି ପ୍ରତିବନ୍ଧକ ନଥାଏ । ନିୟତି କୌଣସି ଜନ ଅଗୋଚର ସ୍ଥାନକୁ ବାଘ ବେଶରେ ଆସି ଅପେକ୍ଷାରତା କିଶୋରୀ ଗୌରୀର ଉତ୍ସ୍ୱାସର ରକ୍ତପାନ କଲାପରି କାହାଣୀ ଦେବତାମାନଙ୍କର ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ଦେବତାମାନେ ପ୍ରେମିକ ଏବଂ ପୁରାଣ ସାରା ସେମାନଙ୍କର ପ୍ରେମର ଆଉ ବୀରତ୍ୱର ଜୟଗାନ । ମଣିଷ ମାନଙ୍କ ପାଇଁ ପ୍ରେମ ନିଷିଦ୍ଧ ଫଳ । କାମର ଦେବତାକୁ ନିଜେ ଦେବତାମାନେ ଜାଳିବା ଭଳି ଘଟଣା ଘଟାଇ ସେଇ ବିଶେଷ ଦେବତାକୁ ନିଜେ ଦେବତା ମାନେ ହିଁ ଗୌଣ କରିଦେଇଛନ୍ତି । 

ଆମ କାବ୍ୟପରମ୍ପରାରେ ଶୃଙ୍ଗାରର ଭୂରିଭୂରି ପ୍ରୟୋଗ ଥିଲାବେଳେ, ଶୃଙ୍ଗାର ନ ଲେଖିଲେ କବି ନୁହେଁ ବୋଲି କହୁଥିବା ବେଳେ, ଯେଉଁ ଶୃଙ୍ଗାରଟିକୁ ସଚରାଚର ଦେଖାଯାଏ, ତାହା ଦେବତା-ଆଶ୍ରିତ ଓ ନାୟକ ବା ରାଜା ମହାରାଜାଙ୍କ ଶୟନକକ୍ଷର ପରିବର୍ଦ୍ଧିତ ସଂସ୍କରଣ ମାତ୍ର । ସମାଜସ୍ୱୀକୃତ ଶାରିରୀକ ସମ୍ପର୍କକୁ ନେଇ ଅନେକ ଚିତ୍ରକାବ୍ୟ-ବନ୍ଧୋଦୟ ରଚିତ ହୋଇଛି । ମାତ୍ର ସାଧାରଣ ମଣିଷର ପ୍ରେମ ସେଠାରେ ଅନୁପସ୍ଥିତ । ଏହି ପ୍ରକାର ପ୍ରେମକୁ ସ୍ଥିତାବସ୍ଥାର ବିଦ୍ରୋହ ଭଳି ବିବେଚନା କରାଯାଇଛି । ତେଣୁ ପ୍ରେମର ପର୍ବ ପାଳନର ବିରୋଧ କୌଣସି ପରିବର୍ତ୍ତନର ବିରୋଧ ବୋଲି ଦେଖାଯାଇପାରେ ।

ବୌଦ୍ଧଯୁଗରୁ ଭାରତର ଇତିହାସରେ ଗୋଟିଏ ଧାରଣାକୁ ସାଂସ୍କୃତିକତାର ପୁଟ ଦେଇ ମହିମାମଣ୍ଡନ କରି ପ୍ରଚଳନ କରାଗଲା । ସେଇ ଧାରଣାଟି ହେଉଛି ବ୍ରହ୍ମଚର୍ଯ୍ୟ ଦ୍ୱାରା ଶରୀର ଉପରେ ଆଧିପତ୍ୟ ବା ବିଜୟ । ଶାରୀରିକ ଶୁଚିତାର ସର୍ବଶ୍ରେଷ୍ଠ ରୂପ ବ୍ରହ୍ମଚର୍ଯ୍ୟ ବୋଲି ଗାନ୍ଧି ଯୁଗରେ ଆଉ ଖ୍ରୀଷ୍ଟୀୟ କାଥୋଲିକ ମାନଙ୍କର ଧାର୍ମିକ ଅନୁବନ୍ଧିତ ଇଂରେଜ ଶାସନରେ ବହୁଳ ଭାବରେ କୁହାଗଲା । ଫଳସ୍ୱରୂପ ଭାରତୀୟ ମାନସିକତାରେ ବ୍ରହ୍ମଚର୍ଯ୍ୟର ଗୁରୁତ୍ୱ ପରିପ୍ରେକ୍ଷୀରେ କୌଣସି ପ୍ରେମର ପର୍ବ ପାଳନ ଗ୍ରହଣୀୟ ହେବା ଏତେ ସହଜ ନୁହଁ ।

ଭାଲେନ୍ତାଇନ ଦିବସ ବୋଲି ଯେଉଁ ପର୍ବ ପାଳନ ଫେବୃଆରୀ ଚଉଦ ତାରିଖରେ ହେଉଛି, ତାହା ପ୍ରକୃତରେ କାଥୋଲିକ ଚର୍ଚ୍ଚର ଏକ ଅଣଖ୍ରୀଷ୍ଟୀୟ ଉତ୍ପାଦକ-ଉତ୍ସବ ସହ ଜଣେ ଖ୍ରୀଷ୍ଟୀୟ ଶହୀଦଙ୍କର ମୃତ୍ୟୁପାଳନକୁ ଯୋଡି ନିର୍ମାଣ କରାଯାଇଥିବା ଏକ ପ୍ରେମର ପର୍ବ  ।

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ରୋମୀୟମାନେ ତରୁଣ ମାନଙ୍କର ଏକ ବାର୍ଷିକ ଉତ୍ସବ ପାଳନ କରୁଥିଲେ । ସେଇ ଉତ୍ସବଟି ଦେବତା ଲୁପେରକସ୍ ଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା । ଉତ୍ସବ ପାଳନ ସ୍ଥଳକୁ ଗୋତିଏ ବଡ ବାକ୍ସ ଅଣାଯାଉଥିଲା । ବାକ୍ସରେ କିଶୋରୀମାନଙ୍କର ନାଆଁ ଚିରକୁଟରେ ଲେଖି ପକାଯାଉଥିଲା । ତାହା ପରେ ଉପସ୍ଥିତ ହେଉଥିଲେ ଅତ୍ୟନ୍ତ ଉଲ୍ଲାସର ସହ କିଶୋର ଦଳ । ଜଣକ ପରେ ଜଣେ କିଶୋର ଲଟେରି ଉଠାଉଥିଲେ । ଯାହା କପାଳକୁ ଯିଏ ଉଠିଲା ସେ ତାହାକୁ ଧରି ଉଭାନ ହୋଇଯାଉଥିଲା । ଏହିଭଳି ଉଭାନ ହୋଇ ଏକାଠି ରହିବା ବିଧାନ ଚିରକାଳ ପାଇଁ ନୁହଁ । ତାହାର ଗୋଟିଏ ସମୟସୀମା ଥିଲା । ବର୍ଷକ ପାଇଁ,ପରବର୍ତ୍ତି ଲଟେରି ହେବା ଯାଏଁ । ଏହି ଭଳି ଏକ ପ୍ରଥାକୁ ପ୍ରାୟ ଆଠ ଶହ ବର୍ଷ ପରେ, ଅର୍ଥାତ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ପରିବର୍ତ୍ତନ କରିବା ପାଇଁ ଚର୍ଚ୍ଚର କର୍ମକର୍ତ୍ତାମାନେ ସ୍ଥିର କଲେ । ସେମାନେ ଦେବତା ଲୁପେରକସ୍ ଙ୍କ ସ୍ଥାନରେ ଆଉ ଜଣେ କାହାକୁ ବସାଇବାକୁ ଚାହୁଁଥିଲେ, ଯିଏକି ପ୍ରେମର ଏକ ବିଶ୍ୱସ୍ତ ପ୍ରତୀକ ହୋଇପାରିବେ ।

ଠିକ୍ ସେତିକିବେଲେ କାହାଣୀ ଭିତରକୁ ପ୍ରବେଶକଲେ ସନ୍ଥ ଭାଲେନ୍ତାଇନ୍, ଖ୍ରୀଷ୍ଟୀୟ ୨୭୦ ରେ ଜଣେ ଶହୀଦ । ଦେବତା ଲୁପେରକସ୍ ଙ୍କ ସ୍ଥାନରେ ସେ ବିବେଚିତ ହେଲେ ପ୍ରେମର ପ୍ରତୀକ ଭାବରେ ଚର୍ଚ୍ଚର କର୍ମକର୍ତ୍ତାମାନଙ୍କ ଦ୍ୱାରା, ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ । ଖ୍ରୀଷ୍ଟୀୟ ୨୭୦ରେ ରୋମ୍ ରେ ଭାଲେନ୍ତାଇନ୍ ବୋଲି ଜଣେ ବିଶପ ତକ୍ରାଳୀନ ସମ୍ରାଟ କ୍ଲାଉଡିଅସ ଦ୍ୱିତୀୟଙ୍କର ବିରାଗ ଭାଜନ ହୋଇଥିଲେ । ପୃଥିବୀର ଇତିହାସରେ ରୋମୀୟ ନରପତିମାନଙ୍କ ଭଳି କ୍ରୁରତା ଅନ୍ୟତ୍ର ଦେଖାଯାଏ ନାହିଁ । କ୍ଲାଉଡିଅସଙ୍କର ବିଶ୍ୱାସ ଥିଲା ଯେ ବିବାହିତ ପୁରୁଷମାନେ ସୈନ୍ୟବାହିନୀ ନିମନ୍ତେ ନିହାତି ଅପାରଗ । କାରଣ ସେମାନେ ନିଜନିଜର ସ୍ତ୍ରୀ ପୁତ୍ର ଆଦିଙ୍କୁ ଛାଡି ଦୂର ସ୍ଥାନକୁ ଯାଇ ଯୁଦ୍ଧ କରିବାକୁ ସବୁବେଳେ ଅନିଚ୍ଛୁକ ହେବେ । ଏଣେ ରାଜାର ସବୁସମୟରେ ଦରକାର ଯୁଦ୍ଧ । 

ରାଜା କ୍ଲାଉଡିଅସ ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ବାଟ ବାହାର କଲେ । ଶିର ନଥିଲେ ଶିରପୀଡା ଆସିବ ନାହିଁ । ସେ ଖ୍ରୀଷ୍ଟୀୟ ୨୭୦ରେ  ସମସ୍ତ ବିବାହକୁ ନିଷିଦ୍ଧ କରି ଏକ ଘୋଷଣାନାମା ଜାରି କଲେ । ଠିକ ଏହି ସମୟରେ ଇନ୍ତେରାମନାର ବିଶପ ଥାଆନ୍ତି ଭାଲେନ୍ତାଇନ । ସେ ରାଜାଦେ କୁ ଖାତିର ନକରି ସମସ୍ତ ପ୍ରେମିକମାନଙ୍କୁ ଗୁପ୍ତରେ ସାକ୍ଷାତ କରିବାକୁ ନିମନ୍ତ୍ରଣ କରୁଥିଲେ ଓ ସେମାନଙ୍କର ବିବାହକର୍ମ ନିଜେ ସମ୍ପାଦିତ କରୁଥିିଲେ । କ୍ଲାଉଡିଅସ ଏହି ‘ପ୍ରେମିକମାନଙ୍କର ବନ୍ଧୁଙ୍କର ଖବର ପାଇଗଲେ । ତାଙ୍କୁ ଡକରା ଆସିଲା ରାଜନଅରରୁ । ରାଜା କ୍ଲାଉଡିଅସ କିନ୍ତୁ ଏହି ତରୁଣ ଖ୍ରୀଷ୍ଟୀୟ ଧର୍ମଯାଜକଙ୍କ ସାହସ ଆଉ ଧାର୍ମିକ ବିଶ୍ୱାସ ପ୍ରତି ଆନୁଗତ୍ୟ ଦ୍ୱାରା ପ୍ରଭାବିତ ହେଲେ । ଚେଷ୍ଟା କଲେ ଭାଲେନ୍ତାଇନଙ୍କୁ ନିଜ ଧର୍ମ ଆଡକୁ ଟାଣିବା ପାଇଁ । ସେ କିନ୍ତୁ ଖ୍ରୀଷ୍ଟ ଧର୍ମ ରେ ଦୃଢ ରହିଲେ ।

ଫେବୃଆରୀ ୨୪,୨୭୦ ଖ୍ରୀଷ୍ଟାବ୍ଦରେ ପ୍ରଥମରେ ପଥର ମାଡ ଓ ପରେ ମୁଣ୍ଡକାଟି ଭାଲେନ୍ତାଇନଙ୍କୁ ହତ୍ୟା କରାଯାଇଥିଲା । ଇତିହାସ କହେ ଜେଲରେ ଥିଲାବେଳେ ଭାଲେନ୍ତାଇନ ପ୍ରେମରେ ପଡିଥିଲେ । ତାଙ୍କର ପ୍ରେମିକାର ନାଆଁ ଆସ୍ତେରିସ । ସେ ବନ୍ଦୀ ଥିବା ଜେଲ୍ ର ଜେଲରଙ୍କ ଝିଅ ସେ । ଜନ୍ମରୁ ଦୃଷ୍ଟିହୀନ । ନିଜର ଆଧ୍ୟାତ୍ମିକ ପ୍ରଭାବରେ ସେ ଆସ୍ତେରିସର ଦୃଷ୍ଟିଶକ୍ତି ଫେରାଇ ଆଣି ପାରିଥିଲେ । ନିଜର ପ୍ରିୟତମାକୁ ବିଦାୟ ପତ୍ରରେ ସେ ସନ୍ତକ କରିଥିଲେ - 'ଇତି ତୁମର ଭାଲେନ୍ତାଇନ' ।

‘ଇତି ତୁମର ଭାଲେନ୍ତାଇନ୍’ ତାହାପରଠାରୁ ଏକ ବହୁ ବ୍ୟବହାରକାରୀ ଆବେଗର ବାକ୍ୟ ହୋଇ ରହିଆସିଛି ।

ସନ୍ଥ ଭାଲେନ୍ତାଇନଙ୍କୁ ବିକଳ୍ପ ହିସାବରେ ପାଇଗଲା ପରେ ଚର୍ଚ୍ଚର କର୍ମକର୍ତ୍ତାମାନେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ପ୍ରଚଳିତ ମଧ୍ୟ-ଫେବୃଆରୀର ରୋମୀୟମାନଙ୍କର ସେହି ଲୁପେରିସୀୟ ଉତ୍ସବକୁ ବାତିଲ କରିଦେଲେ । ସେତେବେଳେକୁ ତ ରୋମରେ ତଥା ଇଉରୋପ ଭୂଖଣ୍ଡରେ ଚର୍ଚ୍ଚର ସମ୍ପୂର୍ଣ୍ଣ ଆଧିପତ୍ୟ ପ୍ରତିଷ୍ଠିତ ହୋଇସାରିଥିଲା । ୪୯୬ ଖ୍ରୀଷ୍ଟାବ୍ଦରେ ପୋପ ଗେଲାସିଅସ ଲୁପେରିସୀୟ ଉତ୍ସବକୁ ନିଷିଦ୍ଧ ଘୋଷଣା କଲେ । କିନ୍ତୁ ଚତୁରତାର ସହ ସେ ରୋମୀୟମାନଙ୍କର ସେହି ପ୍ରିୟ ସମ୍ଭାବନାର ଖେଳ ତଥା ଉତ୍ସବ ସ୍ଥଳରେ ବାକ୍ସ ଆଉ ବାକ୍ସରୁ ଉଠୁଥିବା ଲଟେରୀକୁ ବାତିଲ କରିନଥିଲେ । ତାହା ଜାରି ରହିଥିଲା ସାମାନ୍ୟ ପରିବର୍ତ୍ତନ  ସହ । 

ଆଗରୁ ଲୁପେରିସୀୟ ଉତ୍ସବରେ ବାକ୍ସରେ ଲେଖାହୋଇ ରହୁଥିଲା ଓ ଲଟେରିରେ ଉଠୁଥିଲା କିଶୋରୀମାନଙ୍କ ନାଆଁ । କିନ୍ତୁ ଏହି ପରିବର୍ତ୍ତନରେ ବାକ୍ସରେ ଲେଖାହୋଇ ରହିଲା ବିଭିନ୍ନ ଖ୍ରୀଷ୍ଟୀୟ ସନ୍ଥମାନଙ୍କର ନାଆଁ । ଉଭୟ ସ୍ତ୍ରୀ ଓ ପୁରୁଷ ମାନେ ଲଟେରି ଉଠାଉଥିଲେ । ଆଉ ଯାହା ଭାଗ୍ୟରେ ଯେଉଁ ସନ୍ଥ ପଡୁଥିଲେ, ତାକୁ ବର୍ଷସାରା ସେହି ସନ୍ଥଙ୍କ ଜୀବନୀ ଆଉ ଆଦର୍ଶକୁ ଅନୁସରଣ କରିବାକୁ ପଡୁଥିଲା । ଅବଶ୍ୟ ଗୋଟିଏ ରୋମୀୟ କିଶୋର ପକ୍ଷରେ କୌଣସି କିଶୋରୀ ପରିବର୍ତ୍ତେ ଏହିପରି ଜଣେ ସନ୍ଥଙ୍କ ସହ କାଳାତିପାତ କରିବାର ବିଧାନ ଅବଶ୍ୟ ସେତେଟା ଆନନ୍ଦଦାୟକ ହୋଇନଥିବ ନିଶ୍ଚୟ ।

ଇତିହାସ ଅନୁସାରେ ଭାଲେନ୍ତାଇନ ପର୍ବର ଶେଷ କଥାଟି ଲେଖା ହୋଇଥିଲା ଜଣେ ମଧ୍ୟଯୁଗୀୟ କବିଙ୍କ ଦ୍ୱାରା । ସେ ହେଉଛନ୍ତି ଇଂରେଜ କବି ଜିଓଫେ ଚସର । ସେ ତାଙ୍କର କବିତାର ପାତ୍ରପାତ୍ରୀମାନଙ୍କୁ ସବୁବେଳେ ଏକ ଐତିହାସିକ ପରିପ୍ରେକ୍ଷ୍ୟ ଦେଇଥାଆନ୍ତି ।୧୩୭୫ ଖ୍ରୀଷ୍ଟାବ୍ଦରେ ସେ ପାର୍ଲିଆମେଣ୍ଟ ଅଫ ଫାଉଲସ ବୋଲି କବିତାରେ ‘ସନ୍ଥ ଭାଲେନ୍ତାଇନଙ୍କ ଦିନ’ର ଉଲ୍ଲେଖ ପ୍ରଥମେ କରିଛନ୍ତି । ଏହି ଦିନ, ଅର୍ଥାତ, ଫେବୃଆରୀ ମାସର ୧୪ ତାରିଖ ବହୁକାଳରୁ ପ୍ରେମର ପର୍ବ ହିସାବରେ ପାଳିତ ହୋଇ ଆସୁଥିବାର କଥା ସେ ଲେଖିଛନ୍ତି ତାଙ୍କ କବିତାରେ, ଯାହାର ଆଦୌ ଐତିହାସିକ ସତ୍ୟତା ନାହିଁ । ଚସରଙ୍କ ଅନୁସାରେ ଏହି ଦିନ ସମସ୍ତ ପ୍ରେମୀ, ପକ୍ଷୀଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ, ନିଜ ନିଜର ପ୍ରେମାଷ୍ପଦ ସହ ମିଳିତ ହୋଇଥାନ୍ତି । ଏହା ବିଶ୍ୱରେ ପ୍ରେମର ଏକ ଛୁଟିଦିନ । ତାହା ପରଠାରୁ ଭାଲେନ୍ତାଇନକୁ ଗୋଟିଏ ଦିନ, ତାରିଖ ଓ ଉଦ୍ଦେଶ୍ୟ ମିଳିଗଲା । ଏବଂ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଅବ୍ୟାହତ ରହିଛି ।

2 comments:

  1. ଅତି ସୁନ୍ଦର ଅବତାରଣା, ବନ୍ଧୁ... ଏଥର ମୁଁ ଅଭିଭୂତ... ତଥାପି କିଛି ମନ୍ତବ୍ୟ ଗ୍ରହଣଯୋଗ୍ୟ ନୁହେଁ ମୋ ପାଇଁ... କିନ୍ତୁ ତାହାର ଉଲ୍ଲେଖ ନ କରିବା ଭଲ। ଧନ୍ୟବାଦ।

    ReplyDelete
  2. ସଶ୍ରଦ୍ଧ ସପ୍ରେମ ସହୃଦୟ ଶୁଭେଚ୍ଛା...!
    ଆପଣ ସପରିବାର ସକୁଶଳ ସୁଖ-ଶାନ୍ତି-ପ୍ରେମରେ ରୁହନ୍ତୁ।
    ଆପଣଙ୍କର ଜୀବନର ଚଲାପଥ ସମୃଦ୍ଧ ହେଉ; ଏହା ହିଁ ପ୍ରାର୍ଥନା ।
    -ପ୍ରଭୂ

    ReplyDelete