Monday, February 27, 2017

ପିଲାଙ୍କ ଗୀତ - 'ବିଲୁଆ ରଜା'


ମୃତ୍ୟୁଞ୍ଜୟ ରଥ (୧୮୮୨-୧୯୨୪)


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଘୋର ଜଙ୍ଗଲ ମଝିରେ ନଅର ମୋହର
ଖଟୁଛନ୍ତି ନିତି କେତେ ଛାମୁରେ ଚାକର ।

ମହାବଳ ମନ୍ତ୍ରୀ ମୋର ଚିତାବାଘ ପାତ୍ର
ଗଧିଆ ଯୋଡ଼ାଏ ଦ୍ୱାରୀ ରହିଛନ୍ତି ମାତ୍ର ।

ବାଘ ଘରେ ଗନ୍ତାଘର ଭାଲୁ କରେ ନାଟ
ନଅର ବାହାରେ ଛାଡ଼େ କୁକୁର କୁହାଟ ।

ମାଙ୍କଡ଼ ଡାଳରେ ବସି ଶିରେ ଛତା ଧରେ
ଚଅଁର ଢ଼ାଳଇ  ହାତୀ ମୋ ଗାଦିରେ ପାଖରେ ।

ମୟୁର ଗାଦି ଉପରେ ପୁଚ୍ଛକୁ ମେଲାଇ 
ରହିଥାଏ ମୋ ମୁଣ୍ଡକୁ  ମହୁଡ଼ ଚଢ଼ାଇ ।

କୁଆ, କୁମ୍ଭାଟୁଆ ମିଳି ବଜାନ୍ତି ନାଗରା 
ପହରକେ ଥରେ ଦିଏ ବିଲୁଆ ପହରା ।

କେ ପାନବରଜେ ଯାଏ, କେ ଖୋଜେ ଶିକାର
ସବୁ ଜୁଟ ହେଲେ ମୋର ବସେ ଦରବାର ।

ମନ୍ତ୍ରୀ ମୋର ମହାବଳ ସବୁ ଦିଏ ବାଣ୍ଟି
ଫିଟିଯାଏ ସଭିଙ୍କର ତହୁଁ ଦାନ୍ତପାଟି ।

ହାତୀ, ଭାଲୁ, ମାଙ୍କଡକୁ ଦିଅନ୍ତେ ଅନାଇ
ଡାଳ, ଫଳ କିଛି ତଳେ ଦିଏ ସେ ପକାଇ ।

ଚରଚା ସରନ୍ତେ ଆସି ଡଗରା ବିଲୁଆ
ରାଜ୍ୟର ବାରତା କହେ ନକରି ପରୁଆ ।

ଭାଟ ପରି ମୟୁରଟା ଛାଡ଼ୁଥାଏ ଡାକ
ରଡ଼ିଯାନ୍ତି ଥରେ ଥରେ ଦରବାରୀ ଯାକ ।

ଦେଖୁ ଦେଖୁ ହେଲା ସଞ୍ଜ ଉଠି ତତକ୍ଷଣ
ବିଲୁଆ ଭାଇଏ ମିଳି କଲେ ସଙ୍କୀର୍ତ୍ତନ ।

ସମସ୍ତେ ଚିଡ଼ିଲେ ତାଙ୍କୁ ମାତ୍ର ମୋର ଡର 
ସବୁ ବଳଠାରୁ ବଡ଼ ସିନା ବୁଦ୍ଧିବଳ । 

No comments:

Post a Comment