Tuesday, January 09, 2018

ବିଶ୍ୱାସଏକ ଲୋକତାତ୍ତ୍ୱିକ ଅବଧାରଣା - ୨

ସଞ୍ଜୟ କୁମାର ବାଗ


ଜନ୍ମ ସମୟର ଭୃଣର ଚିତ୍ର (୧୭୯୨ ମସିହା, ଏଡ଼ିନବରା)
ଏ ସେଟ ଅଫ୍ ଆନାଟମିକାଲ ଟେବଲ୍ସ ୱିଥି ଏକ୍ସପ୍ଲାନେସନ୍ସ ବହିରୁ ଆନୀତ
ଫଟୋ କ୍ରେଡି଼ - ୱିକିମିଡିଆ କମନ୍ସ୍

ଏଠାରେ ସ୍ଥାନୀୟ ପାରମ୍ପରିକ ଜୀବନଧାରାରେ ଦେଖାଯାଉଥିବା ବିଭିନ୍ନ ବିଶ୍ୱାସକୁ ଆମର ଆଲୋଚନାର ସହଜ ଅବଧାରଣା ନିମନ୍ତେ ପାଞ୍ଚଟିଭାଗରେ ବିଭକ୍ତ କରାଯାଇ ଏହାର ବିଭିନ୍ନଦିଗ ଉପରେ ଆଲୋଚନା କରାଯିବାକୁ ପ୍ରୟାସ କରାଯାଉଛି । ତେବେ, ସୀମିତ ପରିସର ଯୋଗୁଁ ବିଭାଗୀକରଣକୁ ଆଧାରକରି କେବଳ ଅବଧାରଣା ପାଇଁ ଦୁଇ ତିନୋଟି ମାତ୍ର ଉଦାହରଣ ଦିଆଯାଉଛି ।

. ଜନ୍ମ-(ପ୍ରାକ୍-ବିବାହ)ବିବାହ-ମୃତ୍ୟୁ ସମ୍ବନ୍ଧୀୟ ବିଶ୍ୱାସ

ଜନ୍ମ-ମୃତ୍ୟୁ-ବିବାହ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଗୋଟିଏ ଲୋକଗୋଷ୍ଠୀରେ ଗର୍ଭଧାରଣଠାରୁ, ପ୍ରସବ, ପ୍ରସବ ପରବର୍ତ୍ତୀ ସମୟ, ଯୌବନପ୍ରାପ୍ତି, ପ୍ରାକ୍‍-ବିବାହ, ବିବାହପରବର୍ତ୍ତୀ ସମୟ, ମୃତ୍ୟୁକାଳୀନ ତଥା ମୃତ୍ୟୁ-ପରବର୍ତ୍ତୀ ଅନେକ ସାମାଜିକ ରୀତିନୀତି ପାଳିତହୋଇଥାଏ, ଅନେକ କ୍ରିୟାକର୍ମ ଅନୁଷ୍ଠିତ ହୋଇଥାଏ । ଏବଂ, ଏହି କ୍ରିୟାକର୍ମର ଅନୁଷ୍ଠାନ ପଛରେ ଥାଏ ସମ୍ପୃକ୍ତ ଲୋକଗୋଷ୍ଠୀର ବିଭିନ୍ନ ବିଶ୍ୱାସର ଅବଧାରଣା । ଏଠାରେ ପଶ୍ଚିମ ଓଡିଶାରେ ପ୍ରଚଳିତ ଜନ୍ମ-ବିବାହ-ମୃତ୍ୟୁ ସମ୍ପର୍କିତ ବିଶ୍ୱାସର ଗୋଟିଏ ଗୋଟିଏ ଉଦାହରଣ ଦିଆଯାଉଛି

ଚାଉଳ ଠୋକା

ପଶ୍ଚିମ ଓଡିଶାର ଅନେକ ଲୋକଗୋଷ୍ଠୀରେ ଶିଶୁଟିଏ ଜନ୍ମହେଲେ ତାହାକୁ ପୂର୍ବପୁରୁଷର ଡୁମା ଭାବରେ ବିଶ୍ୱାସ କରାଯାଇଥାଏ କାରଣ, ଏଠାକାର ଅନେକ ଲୋକଗୋଷ୍ଠୀରେ ପରିବାରର କୌଣସି ବ୍ୟକ୍ତି ମରିଗଲେ ତାର ଡୁମା(ଆତ୍ମା) ପୁନର୍ବାର ସେହି ପରିବାରର ଝିଅ-ବୋହୂଙ୍କ ଗର୍ଭରେ ଆଉଥରେ ଜନ୍ମନେଇଥାଏ ବୋଲି ବିଶ୍ୱାସକରିଥାନ୍ତି । ଅତଏବ, କେଉଁ ଡୁମା ଜାଣିବାପାଇଁ ଦେବତା ଭରାହୁଏ ବା କାଳିସୀ ଡକାଯାଏ । ଏଥିପାଇଁ ଶିରା (ସାଧାରଣତଃ ଗ୍ରାମଦେବୀଦେବତାଙ୍କ ପାରମ୍ପରିକ ପୂଜକ)’ଙ୍କ ପାଖକୁ କିଛି ଚାଉଳନେଇ ଯିବାକୁ ହୋଇଥାଏ । ଶିରା ଚାଉଳ ଓ କୁକୁଡା ଧରି ପୁଞ୍ଜିପାରି (ମୁଠାମୁଠା ଚାଉଳ ଅଲଗାଅଲଗା ରଖି) ସମ୍ପୃକ୍ତ ପରିବାରର ପୂର୍ବପୁରୁଷଙ୍କ ନାମ ଉଚ୍ଚାରଣ କରିଥାଏ । ଯାହାଙ୍କ ନାମ ଉଚ୍ଚାରଣକଲାବେଳେ କୁକୁଡା ଚାଉଳ ଠୁଙ୍କିଖାଏ ସେହି ବ୍ୟକ୍ତିର ଡୁମା ଜନ୍ମନେଇଛି ବୋଲି ବିଶ୍ୱାସକରାଯାଏ । କେତେକ କ୍ଷେତ୍ରରେ ବା ଲୋକଗୋଷ୍ଠୀରେ ଏହିକାର୍ଯ୍ୟ ସମ୍ପୃକ୍ତ ଗୋଷ୍ଠୀର କୌଣସି ବୟସ୍କ ବ୍ୟକ୍ତିଙ୍କଦ୍ୱାରା ମଧ୍ୟ ଅନୁଷ୍ଠିତ ହୋଇଥାଏ । ତେବେ, ଅନେକତ୍ର ଆଜିକାଲି ଚାଉଳ ଠୋକାଇବା ପରିବର୍ତ୍ତେ ଜ୍ୟୋତିଷଙ୍କୁ ମଧ୍ୟ କୋଉ ଡୁମା ଆସିଛି ବୋଲି ପଚରାଯିବା ଦେଖାଯାଏ । 

ଟଲାଭଙ୍ଗା 

ବରକନ୍ୟାର ଯୋଟକରେ କିଛି ଅଶୁଭ ମନେକଲେ ଗ୍ରାମଦେବତା ପାଖରେ ଟଲାଭଙ୍ଗା ତଥା ତାହାର ପ୍ରତିକାର କରାଯାଇଥାଏ । ଏଥିପାଇଁ ଗ୍ରାମର ପୁଝାରୀଙ୍କ ସହାୟତାରେ ଗ୍ରାମ ଦେବୀଦେବତାଙ୍କ ପାଖରେ ପୂଜାକରାଯାଇ ଶୁଭ କାମନା କରାଯାଇଥାଏ । ଏହି ପୂଜା ସହିତ କୁକୁଡା-ପାରା ମଧ୍ୟ ବଳି ଦିଆଯାଇଥାଏ ନହେଲେ, ବରକନ୍ୟାର ବୈବାହିକ ଜୀବନ ସୁଖମୟ ହେବନାହିଁ ବୋଲି ବିଶ୍ୱାସ କରାଯାଏ । ଆଜିକାଲି, ଅନେକ ଲୋକଗୋଷ୍ଠୀରେ ଜ୍ୟୋତିଷଶାସ୍ତ୍ର ମତରେ ଗ୍ରହଦୋଷ ମନେକରି ଶାସ୍ତ୍ର ଅନୁରୂପ ହୋମ ତଥା ଅନ୍ୟ ପୂଜାପାଠ ମଧ୍ୟ କରିବା ଦେଖାଯାଏ ।

ପିତା ଗ୍ରହଣକରିବା 

ପରିବାରରେ କାହାର ମୁତ୍ୟୁହେଲେ ଶବଦାହକରି ଘରକୁ ପ୍ରତ୍ୟାବର୍ତ୍ତନ କରିବାପରେ ନିଜ ସମାଜର ବନ୍ଧୁକୁଟୁମ୍ବଙ୍କଦ୍ୱାରା ପ୍ରଦତ୍ତ ପିତା (ନିମ୍ବପତ୍ରମିଶା ପାଣି)’ ଗ୍ରହଣ କରାଯାଇଥାଏ । ସେହିପରି, ପରିବାରରେ କାହାର ମୃତ୍ୟୁହେଲେ ଅଶୁଦ୍ଧ ମନେକରାଯାଏ । ଏହି ଅଶୁଦ୍ଧି ଲୋକଗୋଷ୍ଠୀ ଅନୁସାରେ ଦଶ, ବାର, କିମ୍ବା ତେରଦିନଯାଏ ଅବ୍ୟାହତ ରହିଥାଏ । ତେବେ, ପ୍ରାୟ ଲୋକଗୋଷ୍ଠୀରେ ଶବଦାହକରି ଆସିବାପରେ ଏହି ପିତା ଗ୍ରହଣନକରିବା ପୂର୍ବରୁ ଜଳ ମଧ୍ୟ ପାନକରାଯାଇନଥାଏ । ଅତଏବ, ବନ୍ଧୁକୁଟୁମ୍ବଦ୍ୱାରା ପ୍ରଦତ୍ତ ପିତାନଖାଇ ଖାଦ୍ୟ ଗ୍ରହଣକରିବା ପାଇଁ ଏକ ପ୍ରକାର ନିଷେଧାଜ୍ଞା ଦେଖାଯାଏ ।

ଭୂତପ୍ରେତ ଓ ରୋଗବଇରାଗର ଦେବୀ ଶୀତଳାଙ୍କର ଛବି (ୱିକିମିଡିଆ କମନ୍ସ୍)
ଉନବିଂଶ ଶତାବ୍ଦୀର ତୃତୀୟ ପାଏରେ କାଳିଘାଟ ଶୈଳୀରେ ଅଙ୍କିତ ଚିତ୍ର

. ଦୈନନ୍ଦିନ ଜୀବନର ବିଶ୍ୱାସ

ଦୈନନ୍ଦିନ ଜୀବନରେ ଆମେ ଅନେକ କାର୍ଯ୍ୟ ଏକଏକ ବିଶ୍ୱାସକୁ ଅବଧାରଣାକରି କରିଥାଉ ଯଦିଓ ଏହି ଦିଗ ପ୍ରତି ଆମେ ସଚେତନ ନଥାଉ । ପ୍ରବନ୍ଧର ପ୍ରାରମ୍ଭରେ କିଛି ଉଦାହରଣଦିଆଯାଇଛି । ଏଠାରେ ଆଲୋଚନାକୁ ସହଜ କରିବାପାଇଁ ଆଉ କେତୋଟି ଉଦାହରଣ ଉଲ୍ଲେଖ କରିପାରିବା

ଖଟରୁ ପଡିଯିବା 

ରାତିରେ ଶୋଇଥିବା ଅବସ୍ଥାରେ ଛୋଟପିଲାଟିଏ ଖଟରୁ ପଡିଗଲେ ପଶ୍ଚିମ ଓଡିଶାର କିଛି ଲୋକଗୋଷ୍ଠୀର ମାଆମାନେ ଏହାକୁ ଅଶୁଭବୋଲି ମନେକରିଥାନ୍ତି । ସେମାନେ ଭାବନ୍ତି ଯେ ଆଗକୁ ପିଲାଟିର ଦେହପାଖରାପହେବାର ସମ୍ଭାବନା ଅଛି । ଅତଏବ, ଏହାର ପ୍ରତିକାରସ୍ୱରୂପ, ପାଖ ପଡୋଶୀର ସାତଘରୁ ସାତଢାଳପାଣି ଆଣି ତାହାକୁ ଏକତ୍ରକରି ପିଲାଟିକୁ ସେହି ପାଣିରେ ଗାଧୋଇ ଦିଆଯାଇଥାଏ ।

ରାଣ ଭାଙ୍ଗିବା 

କୌଣସି ବ୍ୟକ୍ତି କୌଣସି ଏକ ପ୍ରସଙ୍ଗରେ ବା ଘଟଣାକ୍ରମେ କିରିଆ କରିଥିଲେବା ରାଣ ଖାଇଥିଲେ ସାଧାରଣତଃ ସେହି କାମ ଆଉ କରିନଥାନ୍ତି । ମନେକରନ୍ତୁ, ଦୁଇଜଣ ବାନ୍ଧବୀଙ୍କ ମଧ୍ୟରେ ଝଗଡାହେଲା, ଏବଂ ଜଣେ ବାନ୍ଧବୀ ଉତ୍ତେଜନାବଶତଃ କହିଦେଲା, “ଯଦି ମୁଁ ତୋ ସାଙ୍ଗରେ କଥାହେବି ତେବେ ମୋର ମାଆର ମୁଡ୍‌କେ ଖାଏବି (ମୋ ମାଆର ମୁଣ୍ଡଖାଇବି ଅର୍ଥାତ୍‍ ମୋ ମାଆ ମରିଯିବ)” । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ପରିସ୍ଥିତି ବଦଳିଯାଏ, ଏବଂ ସେ ଦିଜଣ ପୁଣି କଥାହେବାକୁ ବା ସମ୍ପର୍କରଖିବାକୁ ଚାହାଁନ୍ତି ତେବେ, ସେମାନଙ୍କୁ କିରିଆ ଭାଙ୍ଗିବାକୁ ପଡିଥାଏ, ଏହା କିରିଆ ମୁକୁଲାବାଭାବରେ ପରିଚିତ । ଏଥିପାଇଁ ଜଣେ କେହି ହୁରିଆ-ସମ୍ପର୍କିୟ (ମାମୁଁ-ଝିଅ/ପୁଅ ବା ଭାଉଜ/ଭିଣୋଇ, ନଣନ୍ଦ/ଦିଅର, ବା ଶଳା/ଶାଳୀ) ଦରକାର ହୋଇଥାଏ । ସେ ଘରର ଓଳିତଳେ ଦିଜଣଙ୍କୁ ଠିଆକରାଇ ଗୋଟିଏ ଢାଳପାଣିରେ ଜଳନ୍ତା ଅଙ୍ଗାର ପକେଇ ଆଜିଠୁ ପାଣିରେ ଅଙ୍ଗାରପଡି ତାହାର ନିଆଁ ଲିଭିଗଲାପରି ରାଣ ବି ଲିଭିଗଲାବୋଲି ରାଣ ପକାଇଥିବା ବ୍ୟକ୍ତିର ମୁଣ୍ଡରେ ପାଣି ଢାଳିଦେଇଥାଆନ୍ତି । ଏହା ହେବାପରେ ସେ ଦେଇଥିବା ରାଣ ଭାଙ୍ଗିଗଲା ବୋଲି ବିଶ୍ୱାସ କରାଯାଏ ।

କୃଷି ଓ ଉର୍ବରତାର ମିଶରୀୟ ଦେବୀ ମିନ୍‌ (ୱିକିମିଡିଆ କମନ୍ସ୍) 

. କୃଷିକର୍ମ, ଏବଂ ଅନ୍ୟାନ୍ୟ କୌଳିକବୃତ୍ତି ସମ୍ପର୍କିତ ବିଶ୍ୱାସ

କୃଷିକର୍ମ ଏବଂ ଅନ୍ୟାନ୍ୟ କୌଳିକ ବୃତ୍ତିରେ ମଧ୍ୟ ଅନେକ ବିଶ୍ୱାସର ଅବଧାରଣା ଆମେ ଦେଖିବାକୁ ପାଉ । ଫସଲ ଭଲହେବାପାଇଁ ଅକ୍ଷୟ ତୃତୀୟାଦିନ ଧାନବୁଣିବା, ବର୍ଷାନହେଲେ ବେଙ୍ଗବେଙ୍ଗୁଲୀ ବିବାହକରିବା, ଭୀମାବିହାକରିବା, ରୋଗପୋକଦାଉରୁ ରକ୍ଷାପାଇବାପାଇଁ ରୋଗବହଲା ପାଳନକରିବା ଭଳି କିଛି ଘଟଣାକୁ ଏହାର ଉଦାହରଣଭାବରେ ଗ୍ରହଣକରାଯାଇପାରେ

ଅକ୍ଷିମୁଠି ବୁଣିବା

ଅକ୍ଷୟ ତତୃୀୟା ଦିନ ନୂଆଗଉଣିରେ ଧାନନେଇ କ୍ଷେତର ଐଶାନକୋଣରେ ଚାଷୀମାନେ ଧୂପ, ଦୀପ, ଭୋଗରାଗଦେଇ ମାଟିମାଆକୁ ପୂଜାକରିବା ସହିତ ଗୋଟିଏ କୋଣରେ କଛି ଧାନବିହନ ବୁଣିଥାଆନ୍ତି । ଏହାକୁ ଅକ୍ଷିମୁଠିକୁହାଯାଏ । ଯଦିଓ, ସେହିଦିନ କିମ୍ବା ତାପରବର୍ତ୍ତି କିଛିଦିନଭିତରେ ସେ ସେହି କ୍ଷେତରେ ଧାନବୁଣାକାର୍ଯ୍ୟ କରିବାର ସମ୍ଭାବନା ନଥିଲେ ମଧ୍ୟ ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠିବୁଣିଥାନ୍ତି କାରଣ, ଏହି ଅକ୍ଷିମୁଠି ବୁଣିବାଶୁଭ ତଥା ଏହାଦ୍ୱାରା ଫସଲ ଭଲଅମଳ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି । 

ବେଙ୍ଗବେଙ୍ଗୁଲୀ ବିବାହ

ବର୍ଷା ହେଉନଥିଲେ ବେଙ୍ଗବେଙ୍ଗୁଲୀ ଯୋଡିକୁ ବାହାଘରକଲେ ବର୍ଷାହୁଏ ବୋଲି ବିଶ୍ୱାସକରାଯାଏ । ଏହା କେବଳ ପଶ୍ଚିମ ଓଡିଶାରେ ନୁହେଁ, ସମଗ୍ର ଓଡିଶା ତଥା ଭାରତର ଅନ୍ୟାନ୍ୟ ରାଜ୍ୟ ଏପରିକି ନେପାଳ, ଏବଂ ବାଲାଂଦେଶରେ ମଧ୍ୟ ଅନେକ ଲୋକଗୋଷ୍ଠୀରେ ଏହି ପରମ୍ପରା ଅଛି । ଏହି ପରମ୍ପରାରେ ବର୍ଷାହେଉନଥିଲେ ସମ୍ପୃକ୍ତ ଲୋକଗୋଷ୍ଠୀରେ ବେଙ୍ଗବେଙ୍ଗୁଲୀର ବିବାହ ସମ୍ପୃକ୍ତ ଗୋଷ୍ଠୀରେ ପ୍ରଚଳିତ ବିବାହ ପରମ୍ପରା ଅନୁସାରେ ପାଳିତ ହୋଇଥାଏ । 

ମାଏଟ୍‍ ମଏଲନକରିବା 

କୁମ୍ଭାରମାନେ ମାଟିପାତ୍ର ତିଆରିକଲାବେଳେ ମାଟି ଚକଟିବା କାର୍ଯ୍ୟ ପାଇଁ ରଜସ୍ୱଳାନାରୀକୁ ବାରଣକରିଥାନ୍ତି ଯାହାକୁ ସେମାନେ ମାଏଟ୍‍ ମଏଲ (ମାଟିକୁ ଅପରିଷ୍କାର) କରନିବୋଲି କହିଥାନ୍ତି । ସେହିପରି, ରଜସ୍ୱଳାନାରୀକୁ କୁମ୍ଭାରଚକକୁ ମଧ୍ୟ ଛୁଇଁବାକୁ ବାରଣ କରାଯାଇଥାଏ । ଅନୁରୂପଭାବରେ, କେଉଟମାନେ ମାଛମାରିବାକୁ ବାହାରିଲାବେଳେ ବିଲେଇର ମାଉଁ ଶୁଣିଲେ ଯେଉଁ ଦିଗରେ ବାହାରି ମାଛମାରିବାକୁ ଯାଇଥାଆନ୍ତେ ତାହାର ବିପରୀତଦିଗରେବାହାରି ବୁଲିକି ଯାଇଥାଆନ୍ତି । ନହେଲେ, ଜାଲରେ ସେଦିନ ଠିକ୍‍ ପରିମାଣରେ ମାଛପଡିବନାହିଁ ବୋଲି ବିଶ୍ୱାସକରନ୍ତି । କମାରମାନେ ମଧ୍ୟ କମାରଶାଳରେ ଯତର (ପବନଦେଉଥିବା ହାତତିଆରି ଉପକରଣ)’ ମାଡିବାବେଳେ ରଜସ୍ୱଳାନାରୀକୁ ଅନୁରୂପ ବାରଣ କରିଥାନ୍ତି । 

. ଧାର୍ମିକ, ସାମାଜିକ ରୀତିନୀତି, ଏବଂ ଦେବଦେବୀ ସମ୍ପର୍କିତ ବିଶ୍ୱାସ

ସାଂସ୍କୃତିକ, ଧାର୍ମିକ, ସାମାଜିକ ରୀତିନୀତି ତଥା ବିଭିନ୍ନ ଦେବଦେବୀଙ୍କୁନେଇ ପ୍ରାୟ ସମସ୍ତ ଲୋକଗୋଷ୍ଠୀରେ ନାନାଧରଣର ବିଶ୍ୱାସ ଦେଖିବାକୁମିଳେ । ଏଠାରେ ଆମର ସମ୍ୟକ୍ ଅବଧାରଣାପାଇଁ ଏ ସମ୍ପର୍କିତ କେତୋଟି ବିଶ୍ୱାସ ବିଷୟରେ ଉଲ୍ଲେଖ କରାଯାଇପାରେ

ସୁନାରୀଡାଳ ଗୁଞ୍ଜିବା 

ପଶ୍ଚିମ ଓଡିଶାରେ ଶ୍ରାବଣ ମାସର ଅମାବାସ୍ୟା ବା ହରାଲି ଉଆସଁ ଦିନ ପ୍ରାୟ ପ୍ରତ୍ୟେକ ଘରର ଦୁଆରମୁହଁର ଛାତରେ ସୁନାରୀ ଗଛର ଡାଳ, ଅଞ୍ଚଳଭେଦରେ ବନହଳଦୀ, ଖଏଁସ ଡାଳ ମଧ୍ୟ ଗୁଞ୍ଜା ହୋଇଥାଏ, ଏବଂ ଦୁଆରସାମ୍ନା ମାଟିରେ ଲହୁାଗୁଁ (କମାରଶାଳରେ ତରଳିପଡିଥିବା ଲୁହାର ବଜର୍ତିଅଂଶ)’ ପୋତା ହୋଇଥିବା ଦେଖିବାକୁମିଳେ । ଏସବୁ ଗାଁର ଗଉଡ, ଏବଂ କମାରଙ୍କଦ୍ୱାରା ଅନୁଷ୍ଠିତ ହୋଇଥାଏ । ଏପରିକଲେ ରୋଗ, ବିପଦଆପଦ, ସାପ, ସରୀସୃପ, ଓ ଭୁତପ୍ରେତରୁ ରକ୍ଷାମିଳେ ବୋଲି ବିଶ୍ୱାସକରାଯାଏ । 

ଡୁକେର ଖେଦା 

ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା ଦିନଠାରୁ ସପ୍ତପୁରୀ ଅମାବାସ୍ୟା ବା ଭାଦବ୍ର କୃଷ୍ଣପକ୍ଷ ଅମାବାସ୍ୟାଯାଏଁ ଗେଡି ଖେଳ ଆୟୋଜିତ ହୋଇଥାଏ । ସପ୍ତପୁରୀ ଆମାବାସ୍ୟାଦିନ ସମସ୍ତ ଖେଳାଳୀ ଗେଡିଗୁଡିକୁ ଭାଙ୍ଗିରୁଜି ଏକତ୍ରକରି ଗ୍ରାମ ବାହାରେଥିବା ଗୋଟିଏ ଉଇହୁଙ୍କାରେ ପୋତିଦେଇଥାନ୍ତି । ଏହା ଡୁକେର ଖେଦାଭାବରେ ପରିଚିତ । ଡୁକେର ରୋଗବଇରାଗର ଦେବୀ । ସେ ଦେବୀ ଗାଁବାହାରକୁ ଚାଲିଗଲେ ତାଙ୍କସାଙ୍ଗରେ ଗ୍ରାମର ସମସ୍ତ ରୋଗବଇରାଗ ମଧ୍ୟ ଚାଲିଯାଏ ବୋଲି ବିଶ୍ୱାସକରାଯାଏ । ସେହିପରି, ‘ରୋଗବହଲାପାଳନକରିବା ପଛରେ ମଧ୍ୟ ଏମିତି ଏକ ବିଶ୍ୱାସଅଛି । ଗାଁର ନରିଆ, ଝାକର ରୋଗଭାରକୁ ଗ୍ରାମଦୂରବର୍ତ୍ତୀ ଏକ ନିକାଞ୍ଚନସ୍ଥାନରେ ଥିବା ବୃକ୍ଷଡାଳରେ ଓହଳାଇ ଦେଇଆସନ୍ତି । ଏହି ରୋଗଭାରକୁ ସମସ୍ତେ ପୂଜାକରିବା ସହିତ ଏଥିରେ ଅସରପା, ଓଡଶ, ଉକୁଣି, ବାଡିବଗିଚାର ଫସଲ ନଷ୍ଟକାରୀ କୀଟପତଙ୍ଗସବୁକୁ ପକାଇଦେଇଥାନ୍ତି, ଏବଂ ଏପରିକଲେ ରୋଗ-କୀଟ ଦୂରହେବା ସହିତ ବାଡିବଗିଚାର ଫସଲ କୀଟଦାଉରୁ ରକ୍ଷାପାଇଥାଏ ବୋଲି ବିଶ୍ୱାସ କରାଯାଏ । 

ଆମେରିକାର ଜଣେ ଲୋହିତ ଭାରତୀୟ ଗୁଣିଆଙ୍କର ଚିତ୍ର (୧୮୯୧ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

. ଅତି-ପ୍ରାକୃତିକ ଏବଂ ଆଧିଭୌତିକ ବିଶ୍ୱାସ

ମଣିଷ ଭିତରେ ଆଦିମକାଳରୁ ଅତି-ପ୍ରାକୃତିକ ଏବଂ ଆଧିଭୌତିକ ବିଶ୍ୱାସ ଅଛି । ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ-ନକ୍ଷତ୍ରକୁନେଇ ଆମଭିତରେ ଅନେକ ଅବଧାରଣ ପିଢିପଢିଧରି ବଳବତ୍ତର ଅଛି । ସେହିପରି, ଭୂତପ୍ରେତ ସମ୍ପର୍କରେ କେବଳ ଗ୍ରାମାଞ୍ଚଳନୁହେଁ ସହର ଏବଂ ଶିକ୍ଷିତ ଲୋକଗୋଷ୍ଠୀରେ, ଉଭୟ ଭାରତ ଏବଂ ପାଶ୍ଚାତ୍ୟ ବିକଶିତ ଦେଶରେ ମଧ୍ୟ ଅନେକ ପ୍ରକାରର ବିଶ୍ୱାସ ଦେଖିବାକୁମିଳେ । ଏପରିକି ଆନୁଷ୍ଠାନିକ ଶିକ୍ଷା ଆଉ ଜୀବନଶୈଳୀ ବି ଏହିସବୁ ବିଶ୍ୱାସକୁ ଦୂର କରିପାରିନାହିଁ । ଏଠାରେ ଆଲୋଚନାର ସହଜ ଅବଧାରଣାପାଇଁ କେତୋଟି ଉଦାହରଣ ଉଲ୍ଲେଖନୀୟ

ଅତିପ୍ରାକୃତିକ ବିଶ୍ୱାସ 

ଦ୍ୱିତୀୟା ଜହ୍ନକୁ ଦର୍ଶନକରିବା ଏବଂ ତାହାକୁ ପ୍ରଣିପାତକରିବା ଶୁଭବୋଲି ମନେକରାଯାଏ । ସେହିପରି, ଯଦିଓ ଖାଲିଆଖିରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ଦେଖିବାପାଇଁ ସମସ୍ତଙ୍କୁ ମନାକରାଯାଏ । ତେବେ, ଗର୍ଭବତୀନାରୀଙ୍କୁ ଏହି ସମୟରେ ବାହାରକୁ ବାହାରିବାପାଇଁ ମଧ୍ୟ ମନାକରାଯାଏ କାରଣ, ଜନ୍ମିତ ସନ୍ତାନ ଗ୍ରହଣଖଣ୍ଡିଆହେବାର ସମ୍ଭାବନାଥାଏ ବୋଲି ସମ୍ପୃକ୍ତ ଗୋଷ୍ଠୀର ସଦସ୍ୟ ବିଶ୍ୱାସକରିଥାନ୍ତି । ଅନୁରୂପଭାବରେ, ଉଲ୍‌କାପାତ ସମୟରେ କୌଣସି ମନସ୍କାମନାକଲେ ତାହା ପୂର୍ଣ୍ଣହୋଇଥାଏ ବୋଲି ମଧ୍ୟ କେତେକ ଲୋକଗୋଷ୍ଠୀର ସଦସ୍ୟ ବିଶ୍ୱାସକରିବା ଦେଖାଯାଏ । 

ଆଧିଭୌତିକ ବିଶ୍ୱାସ

ପ୍ରାୟ ପ୍ରତ୍ୟେକ ଲୋକଗୋଷ୍ଠୀ ଅନେକ ସଦସ୍ୟ ଡୁମା-ଦେବତା, ଭୁତ-ପ୍ରେତ ତଥା ଡାଆଣି ବା ପାଙ୍ଗନନାଶନପ୍ରତି ବିଶ୍ୱାସକରିବା ଦେଖାଯାଏ । ଏହି ବିଶ୍ୱାସ ଗ୍ରାମାଞ୍ଚଳ ତଥା ଅନୁନ୍ନତ ଅଞ୍ଚଳରେ ବହୁଳଭାବରେ ଦେଖାଯିବାବେଳେ ସହରାଞ୍ଚଳ ତଥା ଆନୁଷ୍ଠାନିକ ଶିକ୍ଷା ଗ୍ରହଣକରିଥିବା ଲୋକଗୋଷ୍ଠୀରେ ମଧ୍ୟ ଅନେକ ପରିମାଣରେ ଦୁର୍ଲଭନୁହେଁ । 

ଡୁମାଧରିବା 

କେତେକ ଲୋକଗୋଷ୍ଠୀରେ ତଥା ଅଞ୍ଚଳଭେଦରେ କୌଣସି ସଦସ୍ୟଙ୍କଠାରେ କୌଣସି କାରଣରୁ ଅସ୍ୱାଭାବିକତା ଦେଖାଦେଲେ ବା ସ୍ୱାସ୍ଥ୍ୟଗତ ଅସନ୍ତୁଳନ ଆସିଲେ ଡୁମାଧରିଛି ବୋଲି ମନେକରାଯାଇଥାଏ, ଏବଂ ପ୍ରତିକାରସ୍ୱରୂପ ଗୁଣିଆଡାକି ବିଧିବିଧାନ କରାଯାଇଥାଏ । ଏସବୁକୁ କେତେକ ବିଦ୍ୱାନ ଅନ୍ଧବିଶ୍ୱାସବୋଲି କହନ୍ତି କିନ୍ତୁ ସମ୍ପୃକ୍ତ ଗୋଷ୍ଠୀ ବା ସଦସ୍ୟପାଇଁ ଏହା କେବଳ ବିଶ୍ୱାସ ମାତ୍ର । ତେବେ, ଉଲ୍ଲେଖନୀୟ ଯେ ଶିକ୍ଷିତ ଲୋକଗୋଷ୍ଠୀରେ ମଧ୍ୟ ଏଭଳି ନହେଲେ ବି ଅନ୍ୟ ଅନେକ ବିଶ୍ୱାସ ଦେଖାଯାଏ ଯାହାକୁ ଆମେ ସେହି ଅର୍ଥରେ ଅନ୍ଧବିଶ୍ୱାସଭାବରେ ଗ୍ରହଣକରିପାରିବା । ଅନ୍ଧବିଶ୍ୱାସପରିଭାଷାଟି ଗୋଟିଏ ଗୋଷ୍ଠୀପ୍ରତି ଅନ୍ୟ ଗୋଷ୍ଠୀର ସଦସ୍ୟଙ୍କ ଏକ ସ୍ୱ-ଅବଧାରଣା ମାତ୍ର । ତେବେ, ଏହିସବୁ ଅବଧାରଣାପ୍ରତି ବିଶ୍ୱାସକରୁଥିବା ସଦସ୍ୟଙ୍କୁ ଅନେକ ସମୟରେ ସ୍ୱାସ୍ଥ୍ୟଗତକାରଣରୁ ବହୁମୂଲ୍ୟ ଦେବାକୁ ପଡିଥାଏ ।

ଡାଆଣୀ/ଗୁଣିଆ 


ଭୁତଧରିବାଭଳି ଅନେକ ଲୋକଗୋଷ୍ଠୀରେ କିଛି ସ୍ତ୍ରୀ ତଥା ପରୁଷଲୋକଙ୍କୁ ଡାଆଣୀ ଆଖ୍ୟାଦେବା ସହିତ ସେମାନେ ସମାଜର ଅନେକ ଅନିଷ୍ଟସାଧନକରନ୍ତି ବୋଲି ବିଶ୍ୱାସକରାଯାଏ । ଫଳସ୍ୱରୂପ, ସମ୍ପୃକ୍ତ ବ୍ୟକ୍ତି ବା ମହିଳାଙ୍କୁ ମାନସିକ ଏବଂ ଶାରିରୀକ ଅତ୍ୟାଚାର ସହିବାକୁ ପଡେ । ଏବଂ, ଏହିଧାରା ଯେ ସମ୍ପ୍ରତି ମଧ୍ୟ ବଳବତ୍ତର ଅଛି ତାହା ଆମେ ପ୍ରତିଦିନ ଖବରକାଗଜରେ ପ୍ରକାଶିତ ଏ ସମ୍ପର୍କିତ ଘଟଣାବଳୀରୁ ଦେଖିବାକୁପାଉଛୁ । ଏହି ଡୁମାଧରିବା, ଡାଆଣିଲାଗିବା, ପାଙ୍ଗନ-ନାଶନ, ଆଖିପକାଇବା ଭଳି ବିଶ୍ୱାସଗୁଡିକ ନିଶ୍ଚିତଭାବରେ ଋଣାତ୍ମକ । ଏହି ବିଶ୍ୱାସର ପରିଣାମସ୍ୱରୂପ ସମ୍ପୃକ୍ତ ସଦସ୍ୟଙ୍କୁ ଗୋଷ୍ଠୀର ଅନ୍ୟସଦସ୍ୟଙ୍କଠୁ ଅନେକ ମାନସିକ-ଶାରୀରିକ ଅତ୍ୟାଚାର ସହିବାକୁପଡିଥାଏ, ଏପରିକି ଜୀବନପ୍ରତି ବିପଦ ମଧ୍ୟ ଦେଖାଦେଇଥାଏ । ତେବେ, ଏସବୁକୁ ଯେ ଲୋକତତ୍ତ୍ୱରେ ଅଧ୍ୟୟନ କରାଯାଇନପାରେ ଏହା କହିବା ଭ୍ରମାତ୍ମକ, ବରଂ ଏଗୁଡିକର ଅଧ୍ୟୟନକରିବା ସହିତ ଏହାର ଋଣାତ୍ମକ ଏବଂ ଘାତକଦିଗପ୍ରତି ସଚେତନତା ସୃଷ୍ଟିକରିବା ଲୋକତତ୍ତ୍ୱବିଦ୍‍ ତଥା ବିଦ୍ୱାନମାନଙ୍କର କର୍ତ୍ତବ୍ୟ, ଏହାକୁ କେବଳ ଅନ୍ଧବିଶ୍ୱାସବୋଲି ବା ମୁର୍ଖ, ଅଶିକ୍ଷିତ, ଏବଂ ଗ୍ରାମ୍ୟଜନତାର ବିଶ୍ୱାସଭାବରେ ସୀମିତରଖିବା ଉଚିତ ମନେକରାଯାଇନପାରେ ।

No comments:

Post a Comment