Sunday, January 07, 2018

ବିଶ୍ୱାସ: ଏକ ଲୋକତାତ୍ତ୍ୱିକ ଅବଧାରଣା - ୧

ସଞ୍ଜୟ କୁମାର ବାଗ


ହୁଡ଼େନିଙ୍ଗ ନାମକ ଏକ ବିଲାତି ଲୋକ ପରମ୍ପରା (୧୯୦୯ ମସିହାର ଚିତ୍ର)
ଏଥିରେ ଦଳଦଳ ହୋଇ କାଠଘୋଡ଼ାରେ ସଜ୍ଜିତ ଜଣେ ଲୋକଙ୍କୁ ଧରି ଭିକ୍ଷା ମଗାଯାଏ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଲୋକଧାରା ଗୋଟିଏ ଗୋଷ୍ଠୀର ପାରମ୍ପରିକ ଜ୍ଞାନ ବା ବିଶ୍ୱାସର ପରିପ୍ରକାଶକ । ମଣିଷ ଯେତେ ଆଧୁନିକ ଜୀବନ ଜୀଇଁଲେ ମଧ୍ୟ ତାହାର ଦୈନନ୍ଦିନ ଜୀବନରେ ପାରମ୍ପରିକ ଭାବରେ ହିଁ ଆଦାନପ୍ରଦାନ କରିଥାଏ, ଓ ଆମର ବହୁବିଧ କାର୍ଯ୍ୟ ପଛରେ ଏକଏକ ବିଶ୍ୱାସ ଥାଏ । ଏକ ଲୋକଗୋଷ୍ଠୀରେ ପ୍ରଚଳିତ ବିଶ୍ୱାସ ତାହାର ଦୈନନ୍ଦିନ ଜୀବନ ତଥା ବିଚାର ଓ ବିଶ୍ୱଦୃଷ୍ଟିକୁ ବହୁ ଭାବରେ ପ୍ରଭାବିତ କରିଥାଏ । ଏପରିକି ପରିବେଶ, ପରିସ୍ଥିତି ପ୍ରସଙ୍ଗରେ ସମୟକ୍ରମେ ଲୋକଗୋଷ୍ଠୀରେ ଅନେକ ନୂତନ ବିଶ୍ୱାସର ସୃଷ୍ଟି ମଧ୍ୟ ହୋଇଥାଏ । ଉଦାହରଣସ୍ୱରୂପ— ଆମେ ଯାତ୍ରା ସମୟରେ ଆମର ରାସ୍ତା ସାମ୍ନାକୁ ବିଲେଇଟିଏ ଆସିଲେ ତାହାକୁ ଅଶୁଭ ବୋଲି ବିଶ୍ୱାସ କରିଥାଉ । ଗୁରୁବାର ଦିନକୁ ଲକ୍ଷ୍ମୀଙ୍କ ବାର ମନେ କରି ସେଦିନ କାହାକୁ ଟଙ୍କା, ଧାନ ଆଦି ଦେବାକୁ କୁଣ୍ଠାବୋଧ କରିଥାଉ । ସେହିପରି, ସମଗ୍ର ଓଡିଶାରେ ଅକ୍ଷୟ ତୃତୀୟା ଦିନ ଧାନବୁଣିବା ବା କୃଷିକାର୍ଯ୍ୟ ଆରମ୍ଭ କରିବା ଶୁଭଫଳ ଦିଏ ବୋଲି ବିବେଚନା କରାଯାଇଥାଏ ।

ସମ୍ପ୍ରତି ଗଣମାଧ୍ୟମର ପ୍ରଭାବହେଉ ବା ଅନ୍ୟ ସାଂସ୍କୃତିକ ସଂସର୍ଗରୁ ହେଉ ଓଡିଆ ଲୋକଗୋଷ୍ଠୀରେ ଏକ ଧାରଣା ସୃଷ୍ଟିହୋଇଛି ଯେ, ଧନ୍ତୋରାସ୍‌ରେ ସୁନା କିଣିବା ଶୁଭ, ଯଦିଓ ଏପରି ଏକ ଧାରଣା କିଛି ଦଶନ୍ଧି ତଳେ ନ ଥିଲା । ସେହି ପରି, ସମ୍ପ୍ରତି ଓଡିଶାର ଅନେକ ଲୋକଗୋଷ୍ଠୀର ସଦସ୍ୟ ସେମାନଙ୍କ ଗୃହରେ ‘ଲାଫିଙ୍ଗ୍‌ ବୁଦ୍ଧ’ ରଖିବା, ଆମର ଶିକ୍ଷା ତଥା ‘ଆହରିତ ବିଶ୍ୱାସ’ର ପରିଚାୟକ । ଏହିପରି ଅନେକ ପାରମ୍ପରିକ ବିଶ୍ୱାସ ଆମ ଦୈନନ୍ଦିନ ଜୀବନରେ ଦେଖିବାକୁ ମିଳେ । ଆମର ସ୍ଥାନୀୟ ସମାଜରେ ବହୁ ଜାତି, ଜନଜାତି ତଥା ବିଭିନ୍ନ ଧର୍ମଧାରା ଓ ପରମ୍ପରାର ସମନ୍ୱୟ ଦେଖିବାକୁ ପାଇଥାଉ । ଅତଏବ, ଏସବୁ ଜାତି, ଜନଜାତି, ଏବଂ ବିଭିନ୍ନ ଲୋକଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଏପରିକି ପାରିବାରିକସ୍ତରରେ ମଧ୍ୟ ନିଜସ୍ୱ ନିର୍ଦ୍ଦିଷ୍ଟ ବିଶ୍ୱାସଧାରା ଅଛି ଯାହା ପରିବାରର ସମସ୍ତ ସଭ୍ୟ ପାଳନକରିଥାନ୍ତି, ଏବଂ ଏସବୁ ସମ୍ପୃକ୍ତ ସଦସ୍ୟଙ୍କ ଜୀବନଧାରାକୁ ବହୁଭାବରେ ପ୍ରଭାବିତ କରିଥାଏ ।

ଉଦାହରଣସ୍ୱରୂପ, ପଶ୍ଚିମ ଓଡିଶାର ତାଣ୍ଡି ବଂଶର ପରିବାରର ବଡବୋହୂ ‘ଓସ୍ନାବ ଡେଗା’ ଅର୍ଥାତ୍‍ ଅନ୍ୟ ଘରର ଓଳି ଡେଇଁ ଅଣାଯାଇଥିବା ତରକାରୀ ବା ଖାଦ୍ୟପଦାର୍ଥ ଖାଆନ୍ତି ନାହିଁ । ସେହି ପରି, ଗାଢରଙ୍ଗ କିମ୍ବା କଳାରଙ୍ଗର କପଡା ବ୍ୟବହାର କରନ୍ତି ନାହିଁ କାରଣ, ଏହା ତାଙ୍କ ବଂଶର ଆରାଧ୍ୟ ଦେବୀଙ୍କର । ଅଞ୍ଚଳ ଭିତ୍ତିରେ ହେଉ ପଛେ, ଏହି ବିଶ୍ୱାସ ସମସ୍ତ ତାଣ୍ଡି ପରିବାରର ବୋହୂମାନଙ୍କ ପାଖରେ ଦେଖାଯାଏ ଏବଂ ଏହା ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ । ଅତଏବ, ଆମର ଦୈନନ୍ଦିନ ଜୀବନରେ ପାରମ୍ପରିକ ବିଶ୍ୱାସର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରାଯାଇନପାରେ ।

ଗଛ ତଳେ ଲାଫିଙ୍ଗ୍ ବୁଦ୍ଧ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମିଥ୍‍, ଗାଥା, ଗୀତ, କଥାନି, ପ୍ରବାଦ-ପ୍ରବଚନ ଭଳି ‘ବିଶ୍ୱାସ’ ଲୋକଧାରା ଅଧ୍ୟୟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଆଲୋଚନାର ବିଷୟ । ଗୋଟିଏ ଗୋଷ୍ଠୀର ଜୀବନଧାରା ତଥା ସେହି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ହେଉଥିବା ପାରମ୍ପରିକ ଆଦାନପ୍ରଦାନର ସ୍ୱରୂପ, ସେମାନଙ୍କର ଆଚାର-ବ୍ୟବହାର, ଚିନ୍ତାଧାରା, ରୀତିନୀତି, ସାଂସ୍କୃତିକ ଚେତନା ଦୈନନ୍ଦିନ ଅବଧାରଣା ସର୍ବୋପରି ସେମାନଙ୍କର ବିଶ୍ୱଦୃଷ୍ଟି ସମ୍ପର୍କରେ ଅବଗତ ହେବାକୁ ହେଲେ ସମ୍ପୃକ୍ତ ଗୋଷ୍ଠୀରେ ପ୍ରଚଳିତ ବିଶ୍ୱାସର ଅନୁଶୀଳନ ଏକ ଭିନ୍ନ ପରିଚିତି ସୃଷ୍ଟି କରିଥାଏ । ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ଅଞ୍ଚଳରେ ତଥା ଲୋକଗୋଷ୍ଠୀ ଗୁଡିକରେ ପ୍ରଚଳିତ ବିଶ୍ୱାସର ଅନୁଶୀଳନ ଲୋକତତ୍ତ୍ୱବିଦ୍‌ମାନେ କରିଛନ୍ତି ତଥା କରିଚାଲିଛନ୍ତି, ଏବଂ ସମ୍ପୃକ୍ତ ଗୋଷ୍ଠୀର ମହତ୍ତ୍ୱପୂର୍ଣ୍ଣ ଦିଗଗୁଡିକ ଅନୁଶୀଳନ କରିବା ସହିତ ଅନ୍ୟମାନଙ୍କୁ ସେସମ୍ପର୍କରେ ଅବଗତ କରାଇବାକୁ ପ୍ରଚେଷ୍ଟା କରୁଛନ୍ତି ।

ଜନ୍‍ ବୀମ୍‌ସ‌୍‌ଙ୍କ ଠାରୁ ସାମ୍ପ୍ରତିକ କାଳ ଯାଏ ଓଡିଆ ଲୋକଧାରା ତଥା ପଶ୍ଚିମ ଓଡିଶାର ଲୋକଧାରାର ଆଲୋଚନା ପ୍ରସଙ୍ଗରେ ବିଭିନ୍ନ ଉପାଦାନର ଅନୁଶୀଳନ କରାଯାଇଥିଲେ ମଧ୍ୟ ଏଠାରେ ପ୍ରଚଳିତ ବିଶ୍ୱାସର ସ୍ୱତନ୍ତ୍ର ଅଧ୍ୟୟନ କରିବା ପାଇଁ କୌଣସି ଗବେଷକ ପ୍ରୟାସ କରିନାହାନ୍ତି । ଅତଏବ, ଏଠାରେ ଏହି ଅଭାବକୁ ପୃଷ୍ଠପଟ୍ଟରେ ରଖି ପଶ୍ଚିମ ଓଡିଶାର ବିଭିନ୍ନ ଲୋକଗୋଷ୍ଠୀ ମଧ୍ୟରେ ପ୍ରଚଳିତ ବିଶ୍ୱାସ ତଥା ସେମାନଙ୍କର ପାରମ୍ପରିକ ଆଦାନପ୍ରଦାନ, ଆଚାର-ବିଚାର, ବ୍ୟବହାରଆଦିକୁ ଅନୁଶୀଳନ କରିବାକୁ ପ୍ରୟାସ କରାଯାଉଛି ।


ବିଶ୍ୱାସ: ସଂଜ୍ଞା, ଏବଂ ବିଭାଗୀକରଣ



ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗ, ବିଚାର ତଥା ଅବଧାରଣାକୁ ସାଧାରଣତଃ ଆମେ ଏକ ବିଶ୍ୱାସଭାବରେ ଗ୍ରହଣ କରିଥାଉ । ଏହା ସହିତ ଆମର ପାରମ୍ପରିକ ଜ୍ଞାନ ତଥା ସାମାଜିକ ସାଂସ୍କୃତିକ ଏବଂ ମାନସିକ ଅବଧାରଣା ଜଡିତ ଥାଏ । ଆମେ ଆମର ଚାରିପାଖରେ ଘଟୁଥିବା ଘଟଣା, ଆମର ଦୈନନ୍ଦିନ ଜୀବନର ବିଭିନ୍ନ କାର୍ଯ୍ୟକଳାପ, ସାମାଜିକ ରୀତିନୀତି, ପ୍ରକୃତି ଏବଂ ପରିବେଶ, ଆମର କର୍ମ ପରିସରରେ ପାରମ୍ପରିକ ଭାବରେ ହିଁ ଆଦାନପ୍ରଦାନ କରିଥାଉ । ଏହି ଆଦାନପ୍ରଦାନ ଭିତରେ ଅନେକ ବିଶ୍ୱାସଗତ ଅବଧାରଣା ଥାଏ ଯାହାକୁ ଆମେ ସାଧାରଣତଃ ଦ୍ୱିଧାହୀନ ଭାବରେ ଗ୍ରହଣ କରି ନେଇଥାଉ । 

ଏଠାରେ ସ୍ଥାନୀୟ ପାରମ୍ପରିକ ଜୀବନଧାରାରେ ଦେଖାଯାଉଥିବା ବିଭିନ୍ନ ବିଶ୍ୱାସକୁ ଆମର ଆଲୋଚନାର ସହଜ ଅବଧାରଣା ନିମନ୍ତେ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବାକୁ ପ୍ରୟାସ କରାଯାଉଛି । ତେବେ, ସୀମିତ ପରିସର ଯୋଗୁଁ ବିଭାଗୀକରଣକୁ ଆଧାରକରି କେବଳ ଅବଧାରଣା ପାଇଁ ଦୁଇ ତିନୋଟି ମାତ୍ର ଉଦାହରଣ ଦିଆଯାଉଛି ।

ଉଦାହରଣସ୍ୱରୂପ— ଆମେ ପ୍ରାୟ ସମସ୍ତେ ଜାଣୁ ଯେ, ଶୁକ୍ରବାର ଦିନ ମାଁ ସନ୍ତୋଷୀଙ୍କୁ ବିଶ୍ୱାସ କରୁଥିବା ଅନେକ ଲୋକ ଖଟା ଖାଆନ୍ତି ନାହିଁ । ସେହି ପରି, ବାପାମାଆ, ଶାଶୁଶ୍ୱଶୁର ତଥା ପରିବାରର ଅନ୍ୟ ଗୁରୁଜନମାନଙ୍କୁ ପାଦ ଛୁଇଁ ପ୍ରଣାମ କରିବା ମଧ୍ୟ ଆମର ଏକ ବିଶ୍ୱାସ । ଅନେକ ପରିବାରରେ ଘରର ବୋହୂ ଓଢଣା ନ ଦେଇ ଶ୍ୱଶୁର ତଥା ଶ୍ୱଶୁର ଘରର ଅନ୍ୟ ଗୁରୁଜନଙ୍କ ସାମ୍ନାରେ ଠିଆ ମଧ୍ୟ ହୁଅନ୍ତି ନାହିଁ (ହୁଏତ ଏହି ପରମ୍ପରା ସବୁ ପରିବାରରେ ବା ସମସ୍ତ ଅଞ୍ଚଳରେ ନ ଥାଇପାରେ) । ଅନୁରୂପ ଭାବରେ, ଗ୍ରାମାଞ୍ଚଳରେ ଏବେ ବି କାଉ ରାବିଲେ କୌଣସି ଖବର ମିଳିବାର ବା ଅତିଥି ଆସିବାର ସମ୍ଭାବନା ଥାଏ ବୋଲି ବିଶ୍ୱାସ କରାଯାଏ ।

୧୯୭୫ ମସିହାର ହିନ୍ଦୀ ଚଳଚିତ୍ର 'ଜୟ ସନ୍ତୋଷୀ ମା'ର ପୋଷ୍ଟର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସେହିପରି, କର୍ମ ପରିସରରେ ମଧ୍ୟ ବିଭିନ୍ନ ବିଶ୍ୱାସଗତ ଆଚରଣ ଦେଖାଯାଏ, ଯେପରି— କାମ ଆରମ୍ଭ କରିବା ପୂର୍ବରୁ କେହି ଜଣେ କାଗଜରେ ଓଁ ଲେଖିଥାଏ । କେହିକେହି ଅଫିସ୍‌ରେ ନିଜ ଟେବୁଲରେ ବସିବା ଆଗରୁ ହାତ ଯୋଡି ନମସ୍କାର କରିବା ଦେଖାଯାଏ, କିଛି ଲେଖିବା ଆଗରୁ କଲମ ମୁଣ୍ଡ ଉପରକୁ ଉଠେଇବା ମଧ୍ୟ ଦେଖିବାକୁ ମିଳେ । ଅତଏବ, ବିଶ୍ୱାସ ହେଉଛି— ଗୋଟିଏ ଗୋଷ୍ଠୀର ଏକ ସାମାଜିକ, ସାଂସ୍କୃତିକ ତଥା ରୀତିନୀତିଗତ ଅବଧାରଣା, ଯାହାକୁ ସେହି ଗୋଷ୍ଠୀର ସଦସ୍ୟ ଦ୍ୱିଧାହୀନ ଭାବରେ ଗ୍ରହଣ କରିନେଇ ଥାଆନ୍ତି । ଏହାର ସଂରଚନା, ପାଳନ, ଏବଂ ପରିବେଷଣର ପୃଷ୍ଠପଟ୍ଟରେ ସାଧାରଣତଃ ସମ୍ପୃକ୍ତ ଲୋକଗୋଷ୍ଠୀର ପାରମ୍ପରିକ ଜ୍ଞାନ ତଥା ଅନୁଭୂତି କାମକରିଥାଏ ବେଳେବେଳେ ଗୋଟିଏ ଗୋଷ୍ଠୀର ବିଶ୍ୱାସକୁ ଅନ୍ୟ ଗୋଷ୍ଠୀର ସଦସ୍ୟ ଅନ୍ଧବିଶ୍ୱାସ ଭାବରେ ଗ୍ରହଣ କରିଥାନ୍ତି । କ୍ରାପ୍ପେଙ୍କ ମତରେ ‘‘ସାଧାରଣ ଭାଷାରେ ଅନ୍ଧବିଶ୍ୱାସ ଆମ ଠାରୁ ଭିନ୍ନ ଜନଗୋଷ୍ଠୀରେ ସାଧାରଣ ଭାବରେ ପ୍ରଚଳିତ ବିଶ୍ୱାସ ଓ ଆଚରଣ ଗୁଡ଼ିକର ସମଷ୍ଟିକୁ ଦର୍ଶାଇଥାଏ । ଆମର ନିଜର ବିଶ୍ୱାସ ଆଚରଣ ଗୁଡ଼ିକ ତ ନିଶ୍ଚିତ ଭାବରେ ଧର୍ମମତ ମାତ୍ର ।”

ଅତଏବ, କୌଣସି ଗୋଷ୍ଠୀର ଏକ ବିଶ୍ୱାସ ସେ ଯାହା ବି ହେଉ ତାକୁ ଭ୍ରାନ୍ତଧାରଣା, ଅମୂଳକ ବା ଅନ୍ଧବିଶ୍ୱାସ କୁହାଯାଇ ନ ପାରେ ବରଂ, ସମ୍ପୃକ୍ତ ଗୋଷ୍ଠୀର ସଦସ୍ୟ ଏହାକୁ ଉପଯୁକ୍ତ ମନେ କରି ଥାଆନ୍ତି ତଥା ଏସବୁ ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ।

No comments:

Post a Comment