Saturday, January 06, 2018

ଏଡୱାର୍ଡ ଡବଲ୍ୟୁ ସଇଦ୍‌ଙ୍କର ପ୍ରବନ୍ଧ 'ବୁଦ୍ଧିଜୀବୀର ପରିଚୟ'ର ପ୍ରଥମ ଭାଗ

ଅନୁବାଦ - ଜ୍ୟୋତି ନନ୍ଦ


ଏଡ଼ୱାର୍ଡ଼ ସଏଦଙ୍କୁ ସମ୍ମାନିତ କରୁଥିବା ଏକ ଫିଲିସ୍ତିନି କାନ୍ଥଚିତ୍ର
(ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)

ବୁଦ୍ଧିଜୀବୀ ମାନେ ଦେଖିବାକୁ କ'ଣ ଖୁବ୍ ଗୋଟିଏ ବଡ ବା ଖୁବ୍ ଗୋଟିଏ ଛୋଟ ଆକାରର ବିଶେଷ-ଗୋଷ୍ଠୀ ବିଶେଷର ଅନ୍ତର୍ଗତ ? ଏଇ କଥାକୁ ନେଇ ବୁଦ୍ଧିଜୀବୀଙ୍କ ସମ୍ପର୍କ ରେ ବିଂଶଶତକରେ ଦୁଇଟି ପରସ୍ପର ବିରୋଧୀ ମତାମତ ଲକ୍ଷ୍ୟ କରାଯାଇଥାଏ । ଇତାଲୀୟ ମାର୍କସବାଦୀ,ଏ କନିଷ୍ଠ କର୍ମୀ, ସାମ୍ବାଦିକ ଓ ମେଧାବୀ ରାଜନୈତିକ ଏବଂ ଦାର୍ଶନିକ ଆଣ୍ଟୋନିଓ ଗ୍ରାମସିଙ୍କ ବକ୍ତବ୍ୟ ଏହି ପ୍ରସଙ୍ଗରେ ବିଶେଷଭାବରେ ଉଲ୍ଲେଖଯୋଗ୍ୟ । ୧୯୨୬-୧୯୩୭ ସମୟ କାଳରେ ଗ୍ରାମସି ଫାସିଷ୍ଠ ସ୍ୱୈରାଚାରୀ ମୁସୋଲିନିଙ୍କ ଯୋଗୁ କାରାଗାରରେ ଥିଲେ । କାରାଗାରରେ ଥିଲାବେଳେ ସେ "ପ୍ରିଜନ୍ ନୋଟବୁକ୍" ଲେଖନ୍ତି । ସେଥିରେ ସେ କହନ୍ତି, ସବୁ ମଣିଷ ହିଁ ବୁଦ୍ଧିଜୀବୀ, ଏଇ କଥା ସମସ୍ତେ କହିପାରିବେ । କିନ୍ତୁ ସମାଜରେ ସବୁ ମଣିଷ ବୁଦ୍ଧିଜୀବୀର କାମ କରନ୍ତି ନାହିଁ । ଗ୍ରାମସି ନିଜ ଜୀବନ କାଳରେ ବୁଦ୍ଧିଜୀବୀର ଭୂମିକା ପାଳନ କରିଛନ୍ତି । ସେ ଥିଲେ ଜଣେ ପ୍ରଶିକ୍ଷିତ ଭାଷାବିଜ୍ଞାନୀ । ସେ ଥିଲେ ଏକାଧାରରେ ଶାସକଶ୍ରେଣୀର ଆନ୍ଦୋଳନର ସଙ୍ଗଠକ ଏବଂ ସାମ୍ବାଦିକ ହିସାବରେ ଜଣେ ଦକ୍ଷ ସମାଜ-ବିଶ୍ଳେଷକ । ତାଙ୍କର ଲକ୍ଷ୍ୟ ରହିଥିଲା ସାମାଜିକ ଆନ୍ଦୋଳନ ଗଢି ତୋଳିବା ସହ ସେହି ଆନ୍ଦୋଳନର ପୁରା ସଂସ୍କୃତି ଓ ସଙ୍ଗଠନକୁ ବି ନିର୍ମାଣ କରିବା ।

ସମାଜରେ ଯେଉଁମାନେ ବୁଦ୍ଧିଜୀବୀର କାମ କରନ୍ତି ଗ୍ରାମସି ସେମାନଙ୍କୁ ଦୁଇଟି ଶ୍ରେଣୀରେ ଭାଗ କରିଛନ୍ତି । ପ୍ରଥମତଃ ଐତିହ୍ୟଗତ ବୁଦ୍ଧିଜୀବୀ । ଏମାନଙ୍କ ଭିତରେ ରହିଛନ୍ତି ଶିକ୍ଷକ, ଧର୍ମପ୍ରଚାରକ ଏବଂ ପ୍ରଶାସକଗଣ । ଏମାନେ ବଂଶ ପରଂପରାରେ ଗୋଟିଏ ପ୍ରକାରର କାମ କରୁଥାନ୍ତି । ଦ୍ୱିତୀୟରେ ରହିଛନ୍ତି ଜୈବିକ ବୁଦ୍ଧିଜୀବୀ । ଗ୍ରାମସି ସେମାନଙ୍କୁ ପୂର୍ଣ୍ଣତଃ ଶ୍ରେଣୀ ସହ ସମ୍ପର୍କିତ ବୋଲି କହିଛନ୍ତି ।ସେମାନଙ୍କୁ ନିଜର ସ୍ୱାର୍ଥ ହାସଲ, ଅଧିକ ଶକ୍ତି ଅର୍ଜନ ଓ ଅନ୍ୟକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ କାମରେ ଲଗାଯାଇଥାଏ । ଏଇ ଭାବରେ ଗ୍ରାମସି ଜୈବିକ ବୁଦ୍ଧିଜୀବୀ ସମ୍ପର୍କରେ କହିଛନ୍ତି, ସେମାନେ ହେଉଛନ୍ତି ପୁଞ୍ଜିବାଦର ଉଦ୍ୟୋକ୍ତା, ଶିଳ୍ପ ପ୍ରଯୁକ୍ତିବିତ୍, ରାଜନୈତିକ ଅର୍ଥନୀତି ବିଶେଷଜ୍ଞ । ସେମାନେ ନୂତନ ସଂସ୍କୃତି ଓ ନୂତନ ବୈଧ ବ୍ୟବସ୍ଥାର ସଙ୍ଗଠକମାନଙ୍କୁ ତିଆରି କରିଥାଆନ୍ତି ।

ଗ୍ରାମସିଙ୍କ ମତରେ ଆଜିକାଲି ଯିଏ ବିଜ୍ଞାପନ-କୁଶଳୀ ଅଥବା ଜନସଞ୍ଜୋଗ-କୁଶଳୀ ହୋଇ ଡିଟରଜେଣ୍ଟ ବା ଏୟାରଲାଇନ୍ କମ୍ପାନୀ ପାଇଁ ବେଶି ବଜାର ତିଆରି କରିପାରିବ, ସେ ଜୈବିକ ବୁଦ୍ଧିଜୀବୀ ହିସାବରେ ବିବେଚିତ ହେବ । ସେହି ଜୈବିକ ବୁଦ୍ଧିଜୀବୀମାନେ ଗଣତାନ୍ତ୍ରିକ ସମାଜରେ ସମ୍ଭାବ୍ୟ କ୍ରେତାମାନଙ୍କର ମନୋଯୋଗ ଆକର୍ଷଣ କରିବାର ଚେଷ୍ଟା କରି ସଫଳକାମ ହେବେ ଏବଂ କ୍ରେତା କିମ୍ବା ଭୋଟର୍ ମାନଙ୍କର ମତାମତ ତିଆରି କରିପାରିବେ । ଗ୍ରାମସି ମନେ କରନ୍ତି, ଜୈବିକ ବୁଦ୍ଧିଜୀବୀମାନେ ସକ୍ରିୟ ଭାବରେ ସମାଜ ସହ ଯୁକ୍ତ, ଅର୍ଥାତ୍ ସେମାନେ ଅବିରାମ ଭାବରେ ମଣିଷର ମନର ପରିବର୍ତ୍ତନ ଓ ବଜାର ବୃଦ୍ଧି କରିବାର ପ୍ରଚେଷ୍ଟା କରିଚାଲୁଥାଆନ୍ତି । ଶିକ୍ଷକ ଓ ଧର୍ମପ୍ରଚାରକ ଭଳି ଗୋଟିଏ ଜାଗାରେ ବସି ବର୍ଷବର୍ଷ ଧରି ସମାନ ପ୍ରକାରର କାମ ନ କରି ଜୈବିକ ବୁଦ୍ଧିଜୀବୀମାନେ ସବୁ ସମୟ ଚଳମାନ । ସବୁ ସମୟ କିଛି ନା କିଛି ତିଆରିବାରେ ସେମାନେ ନିଜକୁ ବ୍ୟସ୍ତ ରଖିଥାନ୍ତି।

ଅନ୍ୟପକ୍ଷରେ ବିଶିଷ୍ଟ ଫରାସୀ ଦାର୍ଶନିକ ଓ ଔପନ୍ୟାସିକ ଜୁଲିଆନ୍ ବେନ୍ଦା ମଧ୍ୟ ବୁଦ୍ଧିଜୀବୀର ସଂଜ୍ଞା ପ୍ରଦାନ କରିଛନ୍ତି । ସେ ସେମାନଙ୍କୁ ଦାର୍ଶନିକ ରାଜାର ଏକ କ୍ଷୁଦ୍ର ଦଳ ବୋଲି ଆଖ୍ୟାୟିତ କରିଛନ୍ତି, ଯେଉଁ କ୍ଷୁଦ୍ର ଦଳଟି ମାନବଜାତିର ବିବେକକୁ ନିୟନ୍ତ୍ରଣ କରୁଥାଏ । ଜୁଲିଆନ୍ ବେନ୍ଦା ତାଙ୍କର 'ଦି ଟ୍ରେଜନ୍ ଅଫ୍ ଇଣ୍ଟେଲେକଟୁଆଲସ୍' ବା 'ବୁଦ୍ଧିଜୀବୀର ବିଶ୍ୱାସଘାତକତା' ବହିରେ ବୁଦ୍ଧିଜୀବୀମାନଙ୍କୁ ଆକ୍ରମଣ କରିଛନ୍ତି । ଯେଉଁସବୁ ବୁଦ୍ଧିଜୀବୀ ବୁଦ୍ଧିବୃତ୍ତିକ ଜୀବନର ପଦ୍ଧତିଗତ ବିଶ୍ଳେଷଣ ଅପେକ୍ଷା ନୀତି ସହିତ ଆପୋଷ ମିଳାମିଶା କରିବାକୁ ଶ୍ରେୟସ୍କର ମଣିଥାଆନ୍ତି, ବେନ୍ଦା ସେମାନଙ୍କୁ ମୂଳତଃ ଆକ୍ରମଣ କରିଛନ୍ତି । ସେ ଅଳ୍ପ କେତେ ଜଣ ବ୍ୟକ୍ତିଙ୍କ ନାଆଁ ଓ ସେମାନଙ୍କର କିଛି ବିଶେଷ ବିଶେଷ ବୈଶିଷ୍ଟ୍ୟକୁ ଆଲୋକିତ କରିଛନ୍ତି । ସେ ସେହି ଅଳ୍ପ କେତେ ଜଣଙ୍କୁ ଯଥାର୍ଥ ବୁଦ୍ଧିଜୀବୀ ବୋଲି ମନେ କରନ୍ତି । ସେ ସକ୍ରେଟିସ୍ ଓ ଯୀଶୁଙ୍କ ନାମ ବାରମ୍ବାର ଉଲ୍ଲେଖ କରିଛନ୍ତି ଏ। ହା ସହିତ ସ୍ପିନୋଜା, ଭଲଟେୟାର ଓ ଆର୍ଣ୍ଣେଷ୍ଟ ରେନାନ୍‌ଙ୍କ ନାଆଁ ବି ଆସିଛି ।

ପ୍ରକୃତ ବୁଦ୍ଧିଜୀବୀମାନେ ଯାଜକ ସମ୍ପ୍ରଦାୟର ଅନ୍ତର୍ଗତ ଏବଂ ଏମାନେ ଖୁବ୍ ଦୁର୍ଲଭ । ସେମାନେ ଯେଉଁ ବିଷୟଗୁଡିକ ଉନ୍ମୋଚନ କରିଥାନ୍ତି ସେଗୁଡିକ ଚିରନ୍ତନ ସତ୍ୟ ଓ ନ୍ୟାୟ ବିଚାରର ମାନଦଣ୍ଡ । ସେଗୁଡିକ ଏଇ ପୃଥିବୀର ବିଷୟ ନୁହଁ । ଏଇଠି ବୁଦ୍ଧିଜୀବୀଙ୍କ କ୍ଷେତ୍ରରେ ବେନ୍ଦାଙ୍କ ଧର୍ମୀୟ ପ୍ରତ୍ୟୟର ଏକ ବିଶେଷତ୍ୱ ଫୁଟି ଉଠିଛି । ସେ ସର୍ବଦା ହିଁ ସାଧାରଣ ଜନଗଣଙ୍କ ବିରୁଦ୍ଧରେ କହିଛନ୍ତି । ବିଶେଷଭାବରେ ସେହିସବୁ ସାଧାରଣ ମାନବ ସମ୍ପ୍ରଦାୟ, ଯେଉଁମାନେ ବସ୍ତୁଗତ ସୁବିଧା, ବ୍ୟକ୍ତିଗତ ଉନ୍ନୟନ ଏବଂ ଯଦି ସମ୍ଭବ ହୁଏ, ତେବେ ଇହଜାଗତିକ ଶକ୍ତି ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହୀ ଥାଆନ୍ତି, ସେଇମାନଙ୍କ ବିରୁଦ୍ଧରେ ସେ ମୁଖର । ଜୁଲିଆନ୍ ବେନ୍ଦାଙ୍କ ଅନୁସାରେ ପ୍ରକୃତ ବୁଦ୍ଧିଜୀବୀର କର୍ମକାଣ୍ଡ କୌଣସି ବ୍ୟବହାରିକ ଉଦ୍ଦେଶ୍ୟସାଧନର ଲକ୍ଷ୍ୟ ହେବା ଉଚିତ ନୁହଁ । ପ୍ରକୃତ ବୁଦ୍ଧିଜୀବୀ ଆନନ୍ଦ ଖୋଜନ୍ତି ଶିଳ୍ପ, ବିଜ୍ଞାନ କିମ୍ବା ଦର୍ଶନ ଭିତରେ । ଅନ୍ୟ ଭାବରେ କହିଲେ, ସେମାନେ ଅବସ୍ତୁଗତ ସୁଯୋଗ ସୁବିଧା ଅନୁସନ୍ଧାନ କରୁଥାଆନ୍ତି । ଏଠାରେ ବେନ୍ଦା ବିଶେଷ ଭାବରେ କହିଛନ୍ତି ଯେ, ଯେଉଁ ରାଜାର ଛୋଟ ଦଳଟି ହେଉଛନ୍ତି ଆମର ବୁଦ୍ଧିଜୀବୀ, ସେଇ ରାଜାଟି କିନ୍ତୁ ପୃଥିବୀର ନୁହଁ ।

ଜୁଲିଆନ୍ ବେନ୍ଦାଙ୍କ ଉଦାହାରଣରୁ ଏହା ପରିଷ୍କାର ହେଉଛି ଯେ, ସେ ସମ୍ପୂର୍ଣ୍ଣ ବିଛିନ୍ନ ବାସ୍ତବତା ବର୍ଜିତ ଚିନ୍ତାବିତ୍‌ମାନଙ୍କ ଧ୍ୟାନଧାରଣାକୁ ସମର୍ଥନ କରନ୍ତି ନାହିଁ । ଏହିସବୁ ଚିନ୍ତାବିତ୍‌ମାନେ ଅତିମାତ୍ରାରେ ବ୍ୟକ୍ତିକୈନ୍ଦ୍ରିକ ଏବଂ ଗୂଢ ବିଷୟ ପ୍ରତି ଅନୁରକ୍ତ । ପ୍ରକୃତ ବୁଦ୍ଧିଜୀବୀ କେବେ ହେଲେ ଅଧିବିଦ୍ୟା ଓ ନ୍ୟାୟ ଓ ସତ୍ୟର ଅନାକାଙ୍କ୍ଷିତ ନୀତି ଦ୍ୱାରା ପ୍ରରୋଚିତ ହୋଇ ନିଜକୁ ନେଇ ବ୍ୟସ୍ତ ରହନ୍ତି ନାହିଁ । ସେମାନେ ଦୁର୍ନୀତିକୁ ନିନ୍ଦା କରନ୍ତି । ଦୁର୍ବଳକୁ ରକ୍ଷା କରିଥାଆନ୍ତି । ଅନ୍ୟାୟ ଓ ଶୋଷଣମୂଳକ ଶାସନର ବିରୋଧିତା କରନ୍ତି । ବେନ୍ଦା କହନ୍ତି, ଆମର ସ୍ମରଣ କରିବାର ପ୍ରୟୋଜନ ରହିଛି ଯେଉଁଭଳି ଫେନିଲନ୍ ଓ ମେସିଲନ୍ ଚତୁର୍ଦ୍ଦଶ ଲୁଇଙ୍କ ଭଳି ଦୁର୍ଦ୍ଧଷ ଫରାସୀ ସମ୍ରାଟର କେତୋଟି ଯୁଦ୍ଧର ନିନ୍ଦା କରିଥିବା ପ୍ରସଙ୍ଗକୁ । ଯେଉଁ ଭଳି ଭଲଟେୟାର୍ ପାଲାଟିନେଟ୍ ହତ୍ୟାର ସମ୍ବାଦକୁ ଧିକ୍କାର କରିଥିଲେ, ସେଇ କଥାକୁ । ବାକଲେ ଫରାସୀ ବିପ୍ଳବ ପ୍ରତି ଇଂଲଣ୍ଡର ଅସହନୀୟତାକୁ ନିନ୍ଦା କରିବା କଥାକୁ । ଏବଂ ବର୍ତ୍ତମାନ ଆମ ସମୟରେ ଫରାସୀମାନଙ୍କ ପ୍ରତି କେଉଁ ଭଳି ନାଜୀ ଜର୍ମାନୀ ନିଷ୍ଠୁର ଆକ୍ରମଣ ଚଳାଇଛନ୍ତି, ସେଇ କଥାକୁ ।

ବେନ୍ଦାଙ୍କ ମତରେ ,ଆଜିର ବୁଦ୍ଧିଜୀବୀର ସମସ୍ୟା ହେଉଛି, ସେମାନେ ନିଜର କର୍ତ୍ତୃତ୍ୱକୁ କ୍ଷୁଦ୍ରଦଳଭୂକ୍ତ, ଗଣବୋଧ ଓ ଜାତୀୟବାଦୀତାର ଓ ଶ୍ରେଣୀସ୍ୱାର୍ଥ ଭଳି ଗୋଷ୍ଠୀ-ଉତ୍ତେଜକ ସଙ୍ଗଠନ ନିକଟରେ ଆତ୍ମସମର୍ପଣ କରିଦେଇଛନ୍ତି । ବେନ୍ଦା ଏହା ଲେଖିଥିଲେ ୧୯୨୭ ମସିହାରେ । ସେତେବେଳେ ଗଣଯୋଗାଯୋଗର ଯୁଗ ଆରମ୍ଭ ହୋଇନାହିଁ । କିନ୍ତୁ ସେ ବୁଝିଥିଲେ ସରକାର ପକ୍ଷରେ କର୍ମଚାରୀ ହିସାବରେ ବୁଦ୍ଧିଜୀବୀ ରହିବା ଖୁବ୍ ଜରୁରୀ ଯିଏ ନେତୃତ୍ୱ ଦେଇ ପାରିବ ନାହିଁ କିନ୍ତୁ ସରକାରର ନୀତିମାଳା ପ୍ରଣୟନରେ ସାହାଯ୍ୟ କରିପାରିବ ।ସରକାରୀ ଶତ୍ରୁମାନଙ୍କର ସୁଭାଷଣ ଓ ବ୍ୟାପକ ପରିସରରେ ଅରୱେଲିଆନ୍ (ଜର୍ଜ ଅରୱେଲ୍‌ଙ୍କ) ବକ୍ତବ୍ୟ ସମୃଦ୍ଧ ସାମଗ୍ରିକ ବ୍ୟବସ୍ଥା ବିରୁଦ୍ଧରେ ମିଛ ପ୍ରଚାରକୁ ପ୍ରତିରୋଧ କରିପାରିବ । ପ୍ରାତିଷ୍ଠାନିକ ସ୍ୱାର୍ଥ ହାସଲ ପାଇଁ ସୁବିଧାଜନକ କିମ୍ବା ଜାତୀୟ ସମ୍ମାନ ରକ୍ଷା ପାଇଁ ଏଇ ସବୁ ବକ୍ତବ୍ୟ ଅସଲ ସତ୍ୟକୁ ଢାଙ୍କି ରଖିଥାଏ ।

ବୁଦ୍ଧିଜୀବୀମାନଙ୍କର ପ୍ରତାରଣା ବିରୁଦ୍ଧରେ ଜୁଲିଆନ୍ ବେନ୍ଦାଙ୍କ ଏଇ ଶୋକକାହାଣୀର ଶକ୍ତି ତାଙ୍କର ବକ୍ତବ୍ୟର ସୂକ୍ଷ୍ମତା ନୁହଁ । ଏପରିକି କୌଣସି ସ୍ୱୈରଶାସନର ବିରୁଦ୍ଧରେ ବୁଦ୍ଧିଜୀବୀର ଆପୋଷହୀନ ରହିବା ସମୟର ବି ନୁହଁ । ବେନ୍ଦାଙ୍କ ସଂଜ୍ଞା ଅନୁସାରେ, ପ୍ରକୃତ ବୁଦ୍ଧିଜୀବୀମାନେ ସମାଜ-ବିଚ୍ଛିନ୍ନତା ଆଉ ନିଷ୍ଠୁରତା ଭିତରେ ଝୁଙ୍କି ନେବେ । ବ୍ୟବହାରିକ ବିଷୟଠାରୁ ଦୂରରେ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତୀକି ବିଷୟକୁ ଚିହ୍ନିତ କରିବେ । ଆଉ ସେଇ କାରଣରୁ ସେମାନେ ସଙ୍ଖ୍ୟାରେ ବେଶି ହୋଇପାରିବେ ନାହିଁ, କିମ୍ବା ନିୟମିତ ଭାବରେ ସେମାନଙ୍କର ବିକାଶ ଘଟେନାହିଁ । ସେମାନଙ୍କୁ ଆପୋଷହୀନ ବ୍ୟକ୍ତି ହେବାକୁ ପଡିବ । ସେମାନଙ୍କର ବ୍ୟକ୍ତିତ୍ୱ ହେବ ଉଚ୍ଚ କ୍ଷମତାସମ୍ପନ୍ନ ।

ସର୍ବୋପରି ସେମାନଙ୍କୁ ବର୍ତ୍ତମାନର ସାମାଜିକ ମର୍ଯ୍ୟାଦାର ବିରୋଧିତା କରିବାକୁ ପଡିବ । ଏଇ ସବୁ କାରଣରୁ ଜୁଲିଆନ୍ ବେନ୍ଦାଙ୍କ ବୁଦ୍ଧିଜୀବୀମାନେ ସାଧାରଣତଃ କ୍ଷୁଦ୍ର ସମ୍ପ୍ରଦାୟଭୁକ୍ତ ମଣିଷ । ସେ ଏହା ଭିତରେ କେତେବେଳେ କୌଣସି ନାରୀକୁ ସାମିଲ୍ କରିବାକୁ ଦେଇନାହାଁନ୍ତି । ନାରୀମାନଙ୍କର ଉଚ୍ଚକଣ୍ଠ ଓ ଗାଳି ମାନବଛାତି ପ୍ରତି ଧମକ ବୋଲି ତାଙ୍କର ବିଚାର । ବେନ୍ଦା କେତେବେଳେ କହିନାହାନ୍ତି ଯେ ଲୋକମାନେ କେଉଁ ପରି ସତକୁ ଜାଣିପାରିବେ ବା ଡନ୍ କୁଇଜଟ୍ (ଡନ୍ କୁସ୍ତି ବୋଲି ଆମେ ପିଲାଦିନେ ପଡିଥିବା ସର୍ଭାଣ୍ଟିସ୍‌ଙ୍କ ପବନକଳ ସହ ଯୁଦ୍ଧ କରିବାକୁ ଯାଉଥିବା ବିଶ୍ୱ ସାହିତ୍ୟର ଚିରକାଳର ଅନୁପମ ଚରିତ୍ର) ଭଳି ବ୍ୟକ୍ତିଗତ ଅଳିକ କଳ୍ପନା ଠାରୁ ଚିରନ୍ତନ ନୀତି ପ୍ରତି ସେମାନଙ୍କର ସ୍ୱଳ୍ପ ଅନ୍ତର୍ଦୃଷ୍ଟି କଦାପି ସେମିତି ବେଶି କିଛି ନୁହେଁ । ବେନ୍ଦାଙ୍କ ରକ୍ଷଣଶୀଳ ଲେଖନୀରେ ବୁଦ୍ଧିଜୀବୀକୁ ଅଲଗା ସତ୍ତା ହିସାବରେ ଦେଖାଯାଏ । ସେ ଏମିତି ଜଣେ ବ୍ୟକ୍ତି ଯିଏ ସତକଥା କହି ପାରିଛନ୍ତି । ସେଇ ବଦରାଗୀ ସାହସୀ ଲୋକଟି ଆଗରେ କୌଣସି ପାର୍ଥୀବ ଶକ୍ତି ଏତେ ବଡ ବା ପ୍ରଭାବଶାଳୀ ବିଷୟ ନୁହେଁ, ଯାହାକୁ ସମାଲୋଚନା କରାଯାଇ ପାରିବନାହିଁ, ଏବଂ ଯେଉଁଥିରେ ଅଭ୍ୟସ୍ତ ହେବାକୁ ପଡିବ ନାହିଁ । - କ୍ରମଶଃ....

ସଏଦ୍‌ଙ୍କର ବହି ଓରିଏଣ୍ଟାଲିଜମ୍‌ରେ ବ୍ୟବହୃତ ଚିତ୍ର 'ଦି ସ୍ନେକ୍ ଚାର୍ମର୍' (୧୮୬୯)
ଚିତ୍ରକର - ଜଁ ଲିଅଁ ଜିରମ୍‌ (ଫ୍ରାନ୍ସ୍ : ୧୮୨୪-୧୯୦୪)

[ଏଡୱାର୍ଡ ଡବଲ୍ୟୁ ସଇଦ୍ (୧୯୩୫-୨୦୦୩) ବିଶ୍ୱର ଜଣେ ଅଗ୍ରଣୀ ଚିନ୍ତାବିତ୍ । ସଇଦ୍ ତାଙ୍କ ଜୀବନର ମୂଖ୍ୟ ଅଂଶ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଇଂରେଜୀ ସାହିତ୍ୟ ଓ ତୁଳନାମୂଳକ ସାହିତ୍ୟର ଶିକ୍ଷକତା କରିଛନ୍ତି । ପରିବର୍ତ୍ତିତ ପୃଥିବୀକୁ ସଇଦ୍ ନିଜର ତୁଳନାମୂଳକ ସାହିତ୍ୟର ଆଧାରରେ କ୍ରମାଗତ ଏକ ଧାରାଭାଷ୍ୟ ପ୍ରଦାନ କରି ଚିନ୍ତାଜଗତକୁ ଆଲୋକିତ କରିବାର ପ୍ରଚେଷ୍ଠା କରିଯାଇଛନ୍ତି । ତେଣୁ ଯେ କୌଣସି ସାମାଜିକ, ରାଜନୈତିକ ଓ ବୈଶ୍ୱିକ ସ୍ଥିତିର ଏକ ଭିନ୍ନଧାରାର ବିଶ୍ଳେଷକ ହିସାବରେ ତାଙ୍କର ଲେଖନୀରେ ସେ ସମସ୍ତଙ୍କୁ ଉଦ୍ଦୀପିତ କରିଯାଇଛନ୍ତି ।

ଏଡୱାର୍ଡ ସଇଦ୍‌ଙ୍କ କଥା ଉଠିଲେ ମନକୁ ଆସୁଛି ତୁଳନାତ୍ମକ ସାହିତ୍ୟର କଥା । ପୁଣି ଏକ ଅପଦାର୍ଥର ଅରଣ୍ୟରୋଦନ । ଆମ ରାଜ୍ୟରେ ଯଥେଷ୍ଟ ଭାରତପ୍ରଭାବୀ (ବିଶ୍ୱ ପ୍ରଭାବୀ ହୋଇଥାଇପାରନ୍ତି ମୋର ଧାରଣା ନାହିଁ) କୃତବିଦ୍ୟ କବି ସାହିତ୍ୟରଥୀ ରହିଛନ୍ତି ।ଆମର ବିଶ୍ୱବିଦ୍ୟାଳୟମାନ ଶୈକ୍ଷିକ ମାନରେ ଅଉଲ୍, ଏ ଗ୍ରେଡ୍ । ତେଣୁ ସ୍ଵତନ୍ତ୍ର ଭାବରେ ତୁଳନାମୂଳକ ସାହିତ୍ୟର ଆବଶ୍ୟକତାକୁ କେହି ଆବଶ୍ୟକ କରିବେ ନାହିଁ । ସେ ବିଷୟରେ ସେଥିପାଇଁ କୌଣସି ଚର୍ଚ୍ଚା ହୁଏ ନାହିଁ କବିଠୁ ବିଦ୍ୱାନ୍ ଯାଏଁ । ତାହାର ଅର୍ଥ ନୁହଁ ଯେ, ଆମ ଲେଖକ ମାନେ ନିଜ ରାଜ୍ୟ ଭିତରେ ନିଜ ସାହିତ୍ୟକୁ ଘେରାବନ୍ଦୀ କରି ରଖିବାରେ ବିଶ୍ୱାସୀ । ସେମାନଙ୍କର ଲେଖା ଅନ୍ୟଭାଷାରେ ଅନୁବାଦ ହୁଏ । ସେଥିପାଇଁ ଅନୁବାଦକମାନେ ପ୍ରସ୍ତୁତ ଅଛନ୍ତି । ଆଉ କିଛି ଲେଖକଙ୍କୁ କିଛି ଅନୁବାଦକ ଅନୁବାଦରେ ସାହାଯ୍ୟ କରିଛନ୍ତି ବୋଲି ଲେଖାଯାଇଛି । ଏଇ ଅନୁବାଦରେ ସାହାଯ୍ୟ କଥାଟି ମୋର ସେତେ ବୋଧଗମ୍ୟ ନୁହଁ ।

ସେ ଯାହାହେଉ ଆମ ଲେଖାମାନ ଯେତେବେଳେ ଅନ୍ୟଭାଷାରେ ଅନୁଦିତ ହେଉଛି, ତେଣୁ ଆମେ ଅନ୍ୟଭାଷାର ଉପସ୍ଥିତିକୁ ସ୍ୱୀକାର କରୁଛୁ । କିନ୍ତୁ ନିଜ ଲେଖାଟି ଅନ୍ୟଭାଷାରେ ଅନୁଦିତ ହେବାର ଭାବଟିକୁ କେବଳ ବ୍ୟକ୍ତିଗତ କୁତୁକୁତୁରୁ ଉର୍ଦ୍ଧ୍ୱକୁ ନେଇ ଏକ ପୂର୍ଣ୍ଣାଙ୍ଗ ତୁଳନାମୂଳକ ସାହିତ୍ୟର ଅଧ୍ୟୟନର ରୂପ ଦେବାର ପ୍ରଚେଷ୍ଠାରେ ଆମର ଅନାଗ୍ରହ ରହିଛି କାହିଁକି ?

ଆପଣମାନେ ମୋ ସହିତ ଏଇ ଗୋଟିଏ କଥାରେ ସହମତ ହେବେ ଯେ, ଅଧ୍ୟୟନ ହେଉଛି ଏକ ଶ୍ରେଷ୍ଠ ଅହିଂସକ କାର୍ଯ୍ୟ । ଆମେ ଏଇଠି ସଇଦ୍‌ଙ୍କ ବିଚାରକୁ ପଢିବା । ଏଇ ଆଲେଖ୍ୟଟି ତାଙ୍କର 'ରିପ୍ରେଜେଣ୍ଟେସନ୍ ଅଫ୍ ଦି ଇଣ୍ଟେଲେକ୍ଟୁଆଲସ୍' ବୋଲି କେତୋଟି ଭାଷଣର ସମାହାରର ପ୍ରଥମ ଅନୁଚ୍ଛେଦର ମର୍ମାନୁବାଦ । ବୁଦ୍ଧିଜୀବୀମାନେ ସବୁବେଳେ ଆମପାଇଁ ବିସ୍ମୟ । ଏଇ ବିସ୍ମୟକୁ ଚର୍ଚ୍ଚା କରାଯାଉ ।
ଏଇ ମର୍ମାନୁବାଦରେ ସମ୍ଭାବିତ ତୃଟିଭାଗ ପାଇଁ ଦୁଃଖପ୍ରକାଶ କରୁଛି ।]

No comments:

Post a Comment