Monday, January 22, 2018

କନ୍ଧ ଦେଶକୁ ଗଲି ଯାତରା ବିକି


ଇଂ‌ରାଜ ଶାସନ ସମୟରେ ଦଶପଲ୍ଲା କରଦ ରାଇଜର ମାନଚିତ୍ର (ୱିକିମିଡିଆ କମନ୍ସ୍)


ବୈଷ୍ଣବ ପାଣି ପ୍ରଥମେ ଜଣେ ନାଟୁଆ । ତାହା ପରେ ଯାଇ ଗୋଟିଏ ଲେଖକ । ପ୍ରଥମେ ଯାତରା ଦଳଟିଏ ଆରମ୍ଭ କରି ତହିଁ ପାଇଁ ବଇ ନ ମିଳିଲାଠୁଁ ଯାଇଁ ନିଜେ ନାଟବହି ଲେଖିବା ଆରମ୍ଭ କରନ୍ତି । ଗାଁରୁ ଗାଁ, ସହରରୁ ସହର ଯାତରା ଦଳ ସହ, କଲିକତାରୁ ତିଗିରିଆ ପର୍ଯ୍ୟନ୍ତ ବୁଲି ନାଟ ପରିବେଷଣ କରିବା ଥିଲା ସେତେବେଳର ବିଧି । ଏଥି ସକାଶେ, କେତେବେଳେ ବଳଦଗାଡ଼ିରେ ତ କେବେ ପଦବ୍ରଜରେ ତ ଆଉ କେବେକେବେ ବାଷ୍ପୀୟଶକଟରେ ଯାତ୍ରା କରିବାକୁ ହେଉଥିଲା । ପାଣିଙ୍କର ନିଜର ଆତ୍ମଜୀବନୀରେ ଓଡ଼ିଶାର ଗଳିକନ୍ଦିରେ ବୁଲିବୁଲି ଯାତରା ପରିବେଷଣର ଅନେକ ବର୍ଣ୍ଣନା ଅଛି । ହେଲେ ପ୍ରାୟତଃ ସେଥିରେ ସମୟକାଳର କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ ।

ଏହିପରି ବିବରଣୀରୁ ଆମେ ଅବଶ୍ୟ ଦେଶ ସ୍ୱାଧୀନ ହେବା ଆଗର ଓଡ଼ିଶାରେ ଗମନାଗମନର ପରିସ୍ଥିତି ବିଷୟରେ ବେଶ୍ କିଛି ଜାଣିବାକୁ ପାଉ । ଗୋଟିଏ ଦୀର୍ଘ ଗସ୍ତରେ ବୈଷ୍ଣବ ଆଜ୍ଞା ନରସିଂହପୁର ରାଜବାଟୀରୁ ମହାନଦୀ ଲଙ୍ଘି ଯାଆନ୍ତି କିଲ୍ଲା ଦଶପଲ୍ଲା । ରାସ୍ତା ଅତ୍ୟନ୍ତ ଦୁର୍ଗମ । ଦଳବଳ ଧରି ପାଣି ପହଞ୍ଚନ୍ତି ଦଶପଲ୍ଲାର ଗଣିଆଁରେ । ସେଠି ଥାଏ ବିରାଟ ଏକ ପୋଖରି । ତାହାରି କୂଳରେ, ଥାନା ପାଖରେ, ସେତେବେଳେ ଥାଏ ଗୋଟିଏ ଅତି ମନୋହର ପାନ୍ଥଶାଳା । ସମସ୍ତେ ସେଠି ଆପଣା ହାତରେ ରାନ୍ଧି ଖାଆନ୍ତି । ଥାନା ବାବୁଙ୍କର ଯାତରାରେ ଭାଆରି ଆଗ୍ରହ । ସେଥିକୁ ବୈଷ୍ଣବ ପାଣିଙ୍କ ଦଳର ରାଇଜ ସାରା ନାଆଁଡାକ । ବାବୁଙ୍କର ଆଗ୍ରହରୁ ସେଇଠି ଗୋଟିଏ ରାତି ଅଭିନୟ ପରିବେଷଣ କରାଗଲା ।


ରାଇଜଟି ସେ ସମୟରେ କନ୍ଧ ଓ କୋହ୍ଲ ଜନଜାତିଙ୍କର ଦେଶ । ଆଉ ବୈଷ୍ଣବ ବାବୁ ବିଶୁଦ୍ଧ ଆମିଷ ଭକ୍ଷକ । ସ୍ଥାନୀୟ ଅଧିବାସୀଙ୍କ ଠାରୁ ଅତି ଶସ୍ତାରେ ଦୁଇଟି ଛେଳି କିଣି ସେଠାରେ ତତ୍କାଳ ରନ୍ଧାଗଲା । ଖାଇପିଇ ଖବର ନେଲା ବେଳକୁ ଜଣା ପଡ଼ିଲା ଯେ, ଦଶପଲ୍ଲା ରାଜବାଟୀରେ ସେତେବେଳକୁ ରାମନବମୀ ଯାତରା ପାଇଁ ପ୍ରସ୍ତୁତି ଚାଲିଛି । ସେଠାରେ ନିଜର ଅଭିନୟ ପରିବେଷଣ କରିବାର ସୁଯୋଗ ମିଳିବନାହିଁ ବୋଲି ଆଶଙ୍କା କରି, ରାଜବାଟୀ ଉଦ୍ଦେଶ୍ୟରେ ଗସ୍ତ ବଦଳାଇ କରି, ଗଣିଆଁର ପାନ୍ଥଶାଳା ତ୍ୟାଗ କରାଗଲା ।

ଯାତରା ଦଳଟି ଯାନବାହନ ସହ ମଣିଭଦ୍ରା ପର୍ବତର ଉପତ୍ୟକା ପାର ହୋଇ ପହଞ୍ଚିଲା ଛାମୁଡ଼ିଆ ବୋଲି ଗୋଟିଏ କନ୍ଧ ଗାଁରେ । ସେଠି ମହାନଦୀର ପାଣି ତୋଳି ଆଣି ରାନ୍ଧିବା କାମ ଆରମ୍ଭ ହେଲା । ତରକାରିରେ ଜୀରା ବାଟି ଦିଆଗଲା । ସେତେବେଳକୁ ସେହି ପାଖରେ ବସିଥିବା ଜଣେ କନ୍ଧ ଲୋକ ଜୀରା ବାସନା ବାରି ରୋଷେଇରେ କଅଣ ପଡ଼ୁଛି ବୋଲି ପଚାରିଲେ । ଜୀରା କଥା ଶୁଣି ସେକଥା ଜାଣି ନାହାନ୍ତି ବୋଲି କହିଲେ । ତାଙ୍କ ଅନୁସାରେ ସେମାନେ ଗନ୍ଧ ତେଲ ବା କିରାସିନିରେ ରାନ୍ଧୁନଥିଲେ । କାଠରେ ହିଁ ସେମାନଙ୍କର ରୋଷେଇ ବଢ଼ୁଥିଲା । ସେହି କନ୍ଧ ଲୋକ ଜଣକ ଆହୁରି ମଧ୍ୟ କହିଲେ କି, ଜୀରା ଛଡ଼ା ସେ ଦିନର ରୋଷେଇରେ ବ୍ୟବହାର ହୋଇଥିବା ଅନେକ ଜିନିଷ ସେ ନୂଆ କରି ଦେଖୁଛନ୍ତି । ସେଥିକୁ ବୈଷ୍ଣବ ପାଣି ତାଙ୍କୁ ପଙ୍ଗତରେ ବସିବା ପାଇଁ ନିମନ୍ତ୍ରଣ କଲେ । ଏଥି ଉତ୍ତାରୁ ସେ ନିଜ ଗାଁକୁ ଯାଇ କେତେଗୁଡ଼ିଏ ଶୁଖିଲା ମାଛ ଆଣି ଦେଲେ । ସେତେବେଳେ ଦଶପଲ୍ଲାର କନ୍ଧମାନେ ମହାନଦୀରୁ ଧରାହୋଇଥିବା ବଡ଼ ମାଛଗୁଡ଼ିକୁ ଚୁଲିର ନିଆଁ ଓ ଧୂଆଁ ସାହାଯ୍ୟରେ ଶୁଖାଇ ରଖନ୍ତି । ସେହି ମାଛ ସେ ଦିନର ରୋଷେଇରେ ବଡ଼ କାମରେ ଆସିଲା ।


ଖାଇବା ସରିଲା ବେଳକୁ ସନ୍ଧ୍ୟା । ହାତ ଧୋଇବାକୁ ଗଲା ବେଳକୁ ଦେଖିଲେ ଯେ ହାଣ୍ଡିରେ ଆଉ ଜଳ ନାହିଁ । ଅତଏବ, ମହାନଦୀରୁ ପାଣି ଆଣିଲେ ହିଁ ହାତ ଧୋଇବାର ସମ୍ଭାବନା । କିଛି ଲୋକ ପାଣି ଆଣିବାକୁ ଗଲା ବେଳକୁ ଗୋଟିଏ ଜନ୍ତୁର ରଡ଼ି ନିକଟସ୍ଥ ପାହାଡ଼ର ମୁଣ୍ଡିଆ ଉପରୁ ଶୁଣାଗଲା । ଜନ୍ତୁ ଡରରେ କିଏ ଶଗଡ଼ ତଳେ, କିଏ ବା ମହାନଦୀର ନୋଳିଆଙ୍କ ଅଗଣାରେ, ତ ଆଉ କିଏ କନ୍ଧ ପଲ୍ଲୀରେ ରାତିଟି ବିତାଇଲେ ।

ସକାଳେ ନିତ୍ୟକର୍ମ ସାରି ବାଟରେ ସମସ୍ତେ ମିଶି ଏକାଠି ଚାଲିବାକୁ ଆରମ୍ଭ କଲା ପରେ ଆଠ-ଦଶ ଜଣଙ୍କର ଆଉ ଗୋଟିଏ ଦଳକୁ ଭେଟିଲେ । ସେମାନଙ୍କ ସହ ମିଶି ମହାନଦୀ ଓ ମଣିଭଦ୍ରା ମଝିରେ ଯାତ୍ରା କରିବା ଠିକ ହେଲା । କାରଣ ପାହାଡ଼ରେ ବାଘ ଓ ନଈରେ କିମ୍ଭିର । ବାଟରେ ଇଆଡ଼େ ସିଆଡ଼େ କନ୍ଧମାନଙ୍କର ଗାଁ । ଅନେକ ବାଟ ଗଲା ପରେ ଭୋକ ଲାଗିବାରୁ ମହାନଦୀ କୂଳର ଗୋଟିଏ ତେନ୍ତୁଳି ତୋଟାରେ ରୋଷେଇର ଆୟୋଜନ ହେଲା । ଅଠରଟି ତମ୍ବା ପଇସା ଦେଇ ଗୋଟିଏ ବଡ଼ ରୋହି ମାଛ କିଣି ଠାଆ ଟିଏର ବନ୍ଦୋବସ୍ତ ଯାଇଁ ହେଲା । ନହେଲେ ନିରୋଳା ଭାତ ଖାଇ ଉଦର ଶାନ୍ତ କରିବାକୁ ପଡ଼ିଥାଆନ୍ତା । ଖାଇବା ଦରବ କିଣିବାକୁ ସିନା ତିରୋଟ । ହେଲେ ବାଟ ସାରା ବନ୍ୟପଥରେ ବଳିଆ କୁକୁରଙ୍କର ଦଳ, ମୟୁରଙ୍କର କୁହାଟ, ହାତୀଙ୍କର ଡାକ । ଜଣେ ନାଟୁଆ ପାଇଁ ଆଉ କଅଣ ବେଶୀ ଦରକାର ?

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପାଯାଇଥିଲା । ଆଲେଖ୍ୟଟିରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା । 

No comments:

Post a Comment