Monday, January 15, 2018

ଏକ ଲେଖକୀୟ ଉପକରଣର ବ୍ରାହ୍ମଣବାଦୀ ଲେଖା


ଲେଖକ - ଜ୍ୟୋତି ନନ୍ଦ


ହାନସେନ ଲେଖନୀ ଗୋଲକ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ସଂଲଗ୍ନ ଛବିଟି ଗୋଟିଏ ଲେଖକୀୟ ଉପକରଣ ।

ଏହାର ପୁରା ନାଆଁଟି ସେମିତି ମଧୁର ଭାବରେ ଉଚ୍ଚାରଣ ହେବା କଷ୍ଟ । ଏହାର ପୂରା ନାଆଁଟି ହେଉଛି,ମାଲିଙ୍ଗ-ହାନସେନ୍ ରାଇଟିଙ୍ଗ୍ ବଲ ବା ମାଲିଙ୍ଗ-ହାନସେନ୍ ଲେଖନୀ ଗୋଲକ ।

ଏହା ଏକ ପ୍ରକାର ଲେଖନୀ । ଏହା ଦେଖିବାକୁ ଗୋଲାକାର ହୋଇଥିବାରୁ ଏହା ଲେଖନୀ-ଗୋଲକ । ଏବଂ ଏହି ଲେଖନୀ-ଗୋଲକଟି ପୃଥିବୀର ଆଦ୍ୟ ଯାନ୍ତ୍ରିକ ଲେଖକୀୟ ଉପକରଣ । ଲେଖକ କର୍ମଟିକୁ ସହଜସାଧ୍ୟ କରିବାପାଇଁ ଯୁକ୍ତିର ଆଧାରରେ ଏହି ପ୍ରଯୁକ୍ତିଟିକୁ ପ୍ରସ୍ତୁତ କରାଯାଇଥିଲା ଉନବିଂଶ ଶତାବ୍ଦୀର ଶେଷ ଭାଗରେ । ଲେଖକ-କର୍ମ କଲାବେଳେ ଗୋଟିଏ ଅକ୍ଷରକୁ କାଗଜରେ ଚିତ୍ରାଙ୍କନ କରିବାପାଇଁ ପ୍ରୟୋଜନ ହେଉଥିବା ଲେଖକର ଶାରିରୀକ ଶ୍ରମକୁ କିଛି ପରିମାଣରେ ଲାଘବ କରିବା ପାଇଁ ଓ ସେହି ପରିଶ୍ରମ ପାଇଁ ବ୍ୟୟିତ ହେଉଥିବା ସମୟକୁ ସଙ୍କୁଚିତ ଓ ଅଧିକ ମୂଲ୍ୟଯୁକ୍ତ କରିବା ପାଇଁ ଏହି ଲେଖନୀର ଯାନ୍ତ୍ରିକ ବିଧାନଟି ପ୍ରସ୍ତୁତ ହୋଇଥିଲା ।

ଅଧୁନା ବହୁବ୍ୟବହୃତ ଟାଇପରାଇଟର୍‌ର ଆଦ୍ୟରୂପରେ ଏହା ହେଉଛି ପ୍ରଥମ ବ୍ୟବସାୟିକ ଉତ୍ପାଦ ।

ଏହିଭଳି ଯନ୍ତ୍ର-ଲେଖନୀଟିଏ ବ୍ୟବହାର କରିବାର ଆବଶ୍ୟକତା ବିଶେଷତଃ ସାହିତ୍ୟ-ଶୁଦ୍ର ମାନଙ୍କ ପକ୍ଷରେ ପରମାନନ୍ଦର କଥା ହେବ ବୋଲି ଅଧୀନର ବିଚାର ।

ସାହିତ୍ୟ-ବ୍ରାହ୍ମଣମାନଙ୍କର ହୁଏତ ଏହାର ପ୍ରୟୋଜନ ରହିନପାରେ । କହିବା କଥା ହେଉଛି ସାହିତ୍ୟରେ ସେତେ ଉଗ୍ର ବର୍ଣ୍ଣବାଦୀ ବିଚାର ଉପସ୍ଥିତ ଚରିତ୍ରଟିର ନଥିଲେ ବି ଚରିତ୍ରଟି ଅନେକ ପରିମାଣରେ ସାହିତ୍ୟଗତ ବର୍ଣ୍ଣବାଦରେ ଆକ୍ରାନ୍ତ । ଚରିତ୍ରଟିର କୌଣସି ରାଜନୈତିକ ସମ୍ପୃକ୍ତି ନଥିବାରୁ ତାହା ବିତର୍କର ପରିସର ହେବାର ସମ୍ଭାବନା ଆଦୌ ନାହିଁ । ଆପଣମାନେ ଜାଣନ୍ତି ଶ୍ରମକୁ ନିୟାମକ କରି ଆମର ସାମାଜିକ ବର୍ଣ୍ଣବ୍ୟବସ୍ଥାର ଢାଞ୍ଚାଟି ପ୍ରସ୍ତୁତ ହୋଇଛି ଅର୍ଥାତ୍ ଯିଏ ଯେତିକି ଶାରିରୀକ ଶ୍ରମ କରିଥାଏ ତାହାର ସ୍ଥାନ ତଦନୁସାରେ ନିର୍ଦ୍ଧାରିତ ହୋଇଥାଏ । ଅଧିକ ଶାରିରୀକ ଶ୍ରମ କରିବା ଅର୍ଥ ବର୍ଣ୍ଣବ୍ୟବସ୍ଥାରେ ତଳକୁ ତଳକୁ ଖସିବା । 

ଏବେ ଯେତେବେଳେ "ଆପଣ ସକାଳୁ ଚାଲୁଛନ୍ତି କି ନାହିଁ ଆଗ କୁହନ୍ତୁ" ବୋଲି ପ୍ରଥମେ ପଚାରୁଥିବା ଡାକ୍ତରଙ୍କୁ ନିଜର ଦୋଷଯୁକ୍ତ ଫୁଟାଣିରେ କହିବାକୁ ଇଚ୍ଛା ହୁଏ,"ମୁଁ ବ୍ରାହ୍ମଣବାଦରେ ବିଶ୍ୱାସୀ, ମୋତେ ଆପଣ ବର୍ଣ୍ଣବ୍ୟବସ୍ଥାରେ ତଳକୁ ଥୋଇବାରେ ଏତେ ଆଗ୍ରହୀ କାହିଁକି ସାର୍" । ଏମିତି ସତରେ କହିହୁଏ ନାହିଁ । ଶରୀରର ବୟସ ଭାର ଓ ଶିରା-ଧମନୀରେ ମାତ୍ରାତିରିକ୍ତ ମିଠାପଣକୁ ପ୍ରତିହତ କରିବା ପାଇଁ ଖାଲି ଡାକ୍ତର କାହିଁକି ପରିବାରର ଅନ୍ୟମାନଙ୍କ ଯୋଗୁ ଟ୍ରାକ୍ ସୁଟ୍ ଆଉ ରନିଙ୍ଗ୍ ଶୁ ଆଉ ମୁଣ୍ଡରେ ମର୍କଟ-ଶିରସ୍ତ୍ରାଣଟି ସହ ଆମକୁ ଶୁଦ୍ର ହୋଇ ଯିବାକୁ ପଡେ ରାସ୍ତାକୁ ଖୁବ୍ ସକାଳୁ । "ଭାରି ଶୀତ ହେଉଛି" ବୋଲି ଯେଉଁ ବ୍ରାହ୍ମଣ ବିଚରାଟି ରେଜେଇକୁ ଟାଣିଆଣୁଥାଏ ନିଜ ଦେହ ଉପରକୁ, ତାହାକୁ କମ୍ କକର୍ଥନା ଦିଅନ୍ତି ନାହିଁ ଅନ୍ୟମାନେ ।

ଶରୀରକଥାରୁ ସାହିତ୍ୟକୁ ଫେରିଲେ, ଆମେ ଦେଖିବା ସାହିତ୍ୟରେ କେବଳ ଦୁଇଟି ବୋଲି ବର୍ଣ୍ଣ ରହିଛି, ଅର୍ଥାତ୍ ସାଧାରଣତଃ କମ୍ ଶାରିରୀକ ଶ୍ରମ କରନ୍ତି ବୋଲି ଯେତେସବୁ କବି ଅଛନ୍ତି ସେମାନେ ସବୁ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ଣଣ ଆଉ ସବୁ ଗଦ୍ୟକାରମାନେ ଅଧିକ ପରିମାଣରେ ଶାରିରୀକ ଶ୍ରମଜୀବୀ ହୋଇଥିବାରୁ ଶୁଦ୍ର । ଭାରତ ଲେଖିଥିବା ଶୁଦ୍ରମୁନୀ କ'ଣ କବିତା ଲେଖିଛନ୍ତି କି ? ତେଣୁ ସେ ହେଲେ ଶୁଦ୍ରମୁନୀ, ଆଉ ଆମେ ଯେତେ ଛୋଟକାଟର ଶୁଦ୍ର ମାନେ ଏଇଠି ଗଦ୍ୟ ଲେଖୁଛୁ ସେମାନେ ସବୁ ତାଙ୍କର ପ୍ରପୌତ୍ର । ଆମ ସାହିତ୍ୟରେ ବ୍ରାହ୍ମଣମାନଙ୍କର ଜୟଜୟକାର ସର୍ବତ୍ର । ବରୁଣେଇ ହେଉ କି ଦାରିଙ୍ଗିବାଡିର ନୀରବ ଉପତ୍ୟକା ହେଉ, ସର୍ବତ୍ର ବ୍ରାହ୍ମଣମାନଙ୍କର ଜୈତ୍ରନାଦର ପଟୁଆରରେ ଆମେ ଶୁଦ୍ରଦଳ ମୁଣ୍ଡରେ ପଞ୍ଚୁଲାଇଟମାନ ମୁଣ୍ଡାଇ ସାମିଲ୍ ହେଉଛୁ ଆନନ୍ଦରେ ।

ଆମର ଖୁଣ ଧରିବେ ନାହିଁ ଅବଧାନେ । ଆମେ ଆନନ୍ଦରେ ଅଛୁ । ଆମର ଶ୍ରମକୁ ଲାଘବ କରିବା ପାଇଁ ଦେଖୁନାହାଁନ୍ତି ଏଇ ଯନ୍ତ୍ର-ଲେଖନୀଟି ତିଆରି ହୋଇଛି । ଯିଏ ଏଇଟି ତିଆରି କଲା ତାହାର ନିଶ୍ଚିତ କାମନାଟି ହୁଏତ ଥିଲା ଆମେ ଯେତେ ଶୁଦ୍ର ଯିଏ ଯେଉଁଠି ଅଛୁ ଅଧିକରୁ ଅଧିକ ଲେଖା ଲେଖିପାରୁ କମ୍‌ରୁ କମ ପରିଶ୍ରମରେ ।

ସାହିତ୍ୟ ଦୃଷ୍ଟିରୁ ପୃଥିବୀ ଏବେ ଶୁଦ୍ରମାନଙ୍କର ଯେ !

ଯନ୍ତ୍ର-ଲେଖନୀରେ ସାହିତ୍ୟ ଲେଖିବା ପାଇଁ ଆଗ୍ରହ ସମସ୍ତଙ୍କର ରହିବ । ୧୯୦୫ ଖ୍ରୀଷ୍ଟାବ୍ଦରେ "ଦି ଫାଷ୍ଟ ଟାଇପିଙ୍ଗ୍ ମେସିନ୍" ବୋଲି ଗୋଟିଏ ପ୍ରବନ୍ଧରେ ପ୍ରସିଦ୍ଧ ଆମେରିକୀୟ ଲେଖକ ମାର୍କ ଟ୍ୱେନ୍ ଲେଖନ୍ତି, "ମୁଁ ବର୍ତ୍ତମାନ, ଯେ ପର୍ଯ୍ୟନ୍ତ ସିଂହାସନାଚ୍ୟୁତ ନ ହୋଇଛି, ସେଯାଏଁ ଦାବୀ କରିପାରେ ଯେ ମୁଁ ପୃଥିବୀର ସର୍ବପ୍ରଥମ ସାହିତ୍ୟିକ ଯିଏ ସାହିତ୍ୟରେ ଟାଇପ୍-ମେସିନ୍‌ର ବ୍ୟବହାର କରିଅଛି । ସେହି ବହିଟି ହୁଏତ "ଦି ଆଡଭେଞ୍ଚର ଅଫ୍ ଟମ୍ ସୟାର୍" ।

ସାମୁଏଲ ଲାଙ୍ଗହର୍ଣ୍ଣ କ୍ଲେମେନ୍ସ୍ ବା ମାର୍କ ଟ୍ୱାଏନ‌୍‌ଙ୍କ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

କିନ୍ତୁ ଡାରେନ୍ ୱେରସଲର୍-ହେନରୀ ଭଳି ଆଲୋଚକ ଯେଉଁମାନେ ସାହିତ୍ୟରେ ଟାଇପରାଇଟିଙ୍ଗ୍‌ର ଇତିହାସ ଉପରେ ଗବେଷଣା କରିଛନ୍ତି, ସେମାନେ ମାର୍କ ଟ୍ୱେନ୍‌ଙ୍କ ସ୍ମୃତିଶକ୍ତିକୁ ପ୍ରଶ୍ନ କରିଛନ୍ତି । ସେମାନଙ୍କ ମତରେ "ଦି ଆଡଭେଞ୍ଚର ଅଫ୍ ଟମସାୟର୍(୧୮୭୬) "ନୁହଁ ବରଂ ତାଙ୍କର ତାହାର ଅନେକ ପରର ଲେଖା "ଲାଇଫ୍ ଅନ୍ ଦି ମିସିସିପି (୧୮୮୩)" କୁ ଟାଇପ୍ କରାଯାଇଛି ।

ଏଇଠି ୧୮୮୩ ମସିହାଟି ଅତୀବ ଗୁରୁତ୍ୱପୂର୍ଣ୍ଣ । ସେତେବେଳକୁ ଟାଇପମେସିନ୍‌ର ଏକ ନୂତନ ସଂସ୍କରଣ ବାହାରି ଆସିଥିଲା ପୂର୍ବରୁ ଉଦ୍ଭାବିତ "ମାଲିଙ୍ଗ-ହାନସେନ୍ ରାଇଟିଙ୍ଗ୍ ବଲ୍"କୁ ଆଧାର କରି, ଯାହାର ବ୍ୟବହାର ମାର୍କ ଟ୍ୱେନ୍‌ଙ୍କର ଅଗୋଚରରେ ଥିଲା । କାରଣ ଏଇ ଲେଖନୀ-ଗୋଲକଟିର ସ୍ୱତ୍ୱାଧୀକାର ସହ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଥିଲା ପ୍ରାୟ ୧୭୭୮ ମସିହା ବେଳକୁ । ଏଇ ଯନ୍ତ୍ର-ଲେଖନୀର ଉତ୍ପାଦନଭିତ୍ତିକ ତଥ୍ୟ ସବୁର ଇତିହାସକୁ ଆଲୋଚନାକୁ ନେଲେ ମାର୍କ ଟ୍ୱେନ୍ ପୃଥିବୀର ସର୍ବ ପ୍ରଥମ ଟାଇପମେସିନ୍ ବ୍ୟବହାରକାରୀ ସାହିତ୍ୟିକ ହିସାବରେ ସ୍ୱଘୋଷିତ ସିଂହାସନରେ ଅଧିଷ୍ଠିତ ହୋଇ ରହିପାରିବେ ନାହିଁ ।

ମାର୍କ ଟ୍ୱେନ୍‌ଙ୍କ ସ୍ଥାନ ଦ୍ୱିତୀୟ ଏବେ ।

ଏହି ପ୍ରସଙ୍ଗରେ ଯିଏ ପ୍ରଥମ ଲେଖକ ହେବେ, ସେ ପୃଥିବୀର ଜଣେ ପ୍ରସିଦ୍ଧ ଲେଖକ । ୧୮୮୨ ମସିହାରେ ସେ ନିଜର ସେହି ନିର୍ଦ୍ଦିଷ୍ଟ ରଚନାଟିରେ ପୃଥିବୀର ଚିନ୍ତାରାଜ୍ୟରେ ପ୍ରବଳ ଆଲୋଡନ ସୃଷ୍ଟି କରିପାରିଥିଲେ । ସେହି ନିର୍ଦ୍ଦିଷ୍ଟ ରଚନାଟି ଯେ ଆଦ୍ୟନ୍ତ ମାଲିଙ୍ଗ୍-ହାନସେନ୍ ରାଇଟିଙ୍ଗ୍ ବଲ୍‌ରେ ଟାଇପ୍ କରାଯାଇଥିଲା, ତାହାର ରୋଚକ ତଥ୍ୟଟି ପୁସ୍ତକଟିର ବିଚାରର ପ୍ରସିଦ୍ଧି ତୁଳନାରେ ଅନେକଙ୍କର ଅଜ୍ଞାତ । ନିଜର ଏହି ନୂତନ ଯନ୍ତ୍ର-ଲେଖନୀଟିର କ୍ରୀଡାରେ ମସଗୁଲ୍ ଲେଖକ ଲେଖିଥିଲେ:

"ରାଇଟିଙ୍ଗ୍ ବଲ୍ ଟି ଦେଖ ମୋଭଳି
ଲୁହାରେ ତିଆରି,
ସମସ୍ତ ଯାତ୍ରାରେ ଯାହାକୁ ଘୁରାଯାଇ ପାରିବ
ଆରାମରେ ।
ପ୍ରଚୁର ଧୈର୍ଯ୍ୟ ଆଉ କୌଶଳ ଲୋଡା ।
ଆଉ ଶକ୍ତ ଆଙ୍ଗୁଳୀ ଟିପ,ବ୍ୟବହାର ପାଇଁ ।"

ଏଇମିତି ଟାଇପ୍ କରାଯାଇଥିଲା ପୂରା "ଦସ୍ ସ୍ପେକ୍ ଜରାଥୁଷ୍ଟ୍ରା" । ଧୈର୍ଯ୍ୟ ଓ କୌଶଳର ଅଭାବ ଅଥବା ଆଙ୍ଗୁଳୀ ଟିପର ବ୍ୟବହାରର ନିରାନନ୍ଦ ଯୋଗୁ ଏଇ ଲେଖାଟିର ସମାପ୍ତି ପରେ ନିଜର ପୁରୁଣା ଅଭ୍ୟାସକୁ ଫେରିଯାଇଥିଲେ ଫ୍ରେଡରିକ୍ ନିଚେ ।

ଦସ୍ ସ୍ପେକ୍ ଜରୁଥିଷ୍ଚ୍ରା ବହିର ପ୍ରଥମ ସଂସ୍କରଣର ଶୀର୍ଷକ ପୃଷ୍ଠା
ଜର୍ମାନ ଭାଷାରେ ୧୮୮୩ରେ ପ୍ରକାଶିତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

"ମୋର ଈଶ୍ୱର ମୃତ" ବଳି ଆପ୍ତବାକ୍ୟଟିଏ ଏଇ ଯନ୍ତ୍ର-ଲେଖନୀରୁ ଉଦ୍ଭବ ବୋଲି ଭାବିବାରେ ଆନନ୍ଦ ଅଛି । ଯେଉଁମାନେ ବିକଳ୍ପ ଈଶ୍ୱର ନିର୍ମାଣ କରିପାରିବାର ସାମର୍ଥ୍ୟ ରଖନ୍ତି, ସେମାନେ କେବଳ ଏହିଭଳି ଦୃପ୍ତ ଉଚ୍ଚାରଣ ହିଁ କରିପାରିବେ ।

ସେମାନେ ଅର୍ଥାତ୍ ଶୁଦ୍ରମାନେ । ଶୁଦ୍ରମାନଙ୍କର ଜୟ ହେଉ ସାହିତ୍ୟରେ ।

No comments:

Post a Comment