Thursday, January 11, 2018

ବିଶ୍ୱାସଏକ ଲୋକତାତ୍ତ୍ୱିକ ଅବଧାରଣା - ୪


ସଞ୍ଜୟ କୁମାର ବାଗ


ପମ୍ପେଇ ନଗରର ଏକ କାନ୍ଥଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ବିଶ୍ୱାସ ପ୍ରକ୍ରିୟାର ବିଭିନ୍ନ ଆୟାମ


ବିଭିନ୍ନ ପ୍ରସଙ୍ଗରେ ଆମ ଭିତରେ ବିଶ୍ୱାସର ନିର୍ମାଣ ହୋଇଥାଏ । ସେହିପରି, ବିଶ୍ୱାସର ପ୍ରକରଣ ପାଇଁ ବିଭିନ୍ନ ପ୍ରକାରକର ଭୂମିକା ଦେଖିବାକୁ ପାଇଥାଉ । ଏବଂ, ଏହା ଆମର ସାମାଜିକ ସାଂସ୍କୃତିକ ଜୀବନକୁ ବହୁଭାବରେ ପ୍ରଭାବିତ କରିଥାଏ । ଏହି ପ୍ରଭାବ ଯେତେବେଳେ ନକରାତ୍ମକ ହୋଇଥାଏ ଏହାର ନିବାରଣ ପାଇଁ ଆମେ ପ୍ରଚେଷ୍ଟା କରିଥାଉ । କେତେକ କ୍ଷେତ୍ରରେ ଏଥିପାଇଁ ବିଶେଷ ବ୍ୟକ୍ତିଙ୍କ ଭୂମିକା ଅନିବାର୍ଯ୍ୟ ହୋଇଥାଏ ଯାହାଙ୍କୁ ଆମେ ନିବାରକ ବା ନିବାରଣକାରୀ ଭାବରେ ଗ୍ରହଣକରିପାରିବା; ଅତଏବ, ବିଶ୍ୱାସର ବିଭିନ୍ନ ଆୟାମକୁ ନିମ୍ନଭାବରେ ଆଲୋଚନା କରିପାରିବା

ପ୍ରସଙ୍ଗ 


ପ୍ରସଙ୍ଗକୁ ଆମେ ବିଶ୍ୱାସର ମୂଳ ଉତ୍ସଭାବରେ ଗ୍ରହଣକରିପାରିବା । ଉଦାହରଣସ୍ୱରୂପ, କାଉରାବିବା ଏକ ପ୍ରକ୍ରିୟା, କିନ୍ତୁ କାଉଟିଏ ରାବିଲେ ହୁଏତ କେହି ଧ୍ୟାନ ଦେଇନପାରେ ତେବେ, ଯଦି ସେଇଠି କେହି ଜଣେ ତାହାକୁ ଅନୁଧ୍ୟାନକରିବା ସହିତ କହେ ଯେ, ‘ଆଜି କାଉରାବୁଛି କେହି ଆସିପାରେ ବା କିଛି ଖବର ମିଳିପାରେସେଇଠାରେ ଏକ ପ୍ରସଙ୍ଗର ଉତ୍ପତ୍ତି ହୁଏ ବା ଘଟଣାଟି ପ୍ରାସଙ୍ଗିକ ହୋଇପଡେ । ଆମେ ମଧ୍ୟ ପାରମ୍ପରିକ ଭାବରେ ଏଥିପ୍ରତି ଅବଗତ, ଏଣୁ ଆମେ ସେତେବେଳେ ଭାବିଥାଉ ଯେ ଏପରିକିଛି ହେବ । ହାତରୁ ବାସନ ଖସିପଡିଗଲେ ମଧ୍ୟ ଅନୁରୂପ ଏକ ଅବଧାରଣା କେତେକ ଲୋକଗୋଷ୍ଠୀରେ ସୃଷ୍ଟି ହୋଇଥାଏ । 

ପ୍ରକାରକ 


କାଉ ରାବିବା ଏକ ପ୍ରକ୍ରିୟା ଯେଉଁଠି ପ୍ରକାରକ ହେଉଛି କାଉ । ସେହିପରି, ବିଲେଇଟିଏ ରାସ୍ତା ଅବରୋଧ କରିବାରେ ଯେଉଁ ବିଶ୍ୱାସ ଆମ ମନରେ ଆସେ ତାହାର ପ୍ରକାରକ ହେଉଛି ବିଲେଇ । କିନ୍ତୁ ଶୋଇବା ଖଟରୁ ଛୋଟ ଶିଶୁଟି ପଡିଯିବାକ୍ଷେତ୍ରରେ ପ୍ରକାରକ ହେଉଛନ୍ତି ତାହା ଅଶୁଭ ବୋଲି ଘୋଷଣା କରୁଥିବା ସମ୍ପୃକ୍ତ ଲୋକଗୋଷ୍ଠୀର ସଦସ୍ୟ । ସେହିପରି, ରାଣପକାଇବା କ୍ଷେତ୍ରରେ ରାଣଦେଉଥିବା ବ୍ୟକ୍ତି ହିଁ ବିଶ୍ୱାସର ପ୍ରକାରକ ବା ପ୍ରକରଣକାରୀ । ଅତଏବ, ଯେଉଁ ବସ୍ତୁ, ବ୍ୟକ୍ତି, ବା ପ୍ରାଣୀ ଆମଭିତରେ ବିଶ୍ୱାସସୃଷ୍ଟିର କାରଣ ହୋଇଥାଆନ୍ତି ତାହାଙ୍କୁ ଆମେ ସମ୍ପୃକ୍ତ ବିଶ୍ୱାସର ପ୍ରକାରକଭାବରେ ଗ୍ରହଣକରିପାରିବା । ଆମକୁ ଏ ପ୍ରସଙ୍ଗରେ ମନେରଖିବାକୁହେବ ଯେ ବିଶ୍ୱାସର ଏ ପ୍ରକରଣ ଅନେକତଃ ପାରମ୍ପରିକ କୌଣସି ବ୍ୟକ୍ତି ଏହାକୁ ତତ୍କାଳ ତଥା ନୂତନ ଭାବରେ ସୃଷ୍ଟି କରିବାରେ ସକ୍ଷମ ହୋଇନଥାଆନ୍ତି । ତେବେ, କେତେକ ଘଟଣା ଓ ପ୍ରକ୍ରିୟାରେ ପ୍ରସଙ୍ଗକ୍ରମେ ଏହା ନୂତନ ଭାବରେ ମଧ୍ୟ ସୃଷ୍ଟିହୋଇଥାଏ ଏବଂ, ଏଥିପ୍ରତି ସମ୍ପୃକ୍ତ ଲୋକଗୋଷ୍ଠୀର ଅନ୍ୟ ସଦସ୍ୟଙ୍କ ସହମତି ଆବଶ୍ୟକ । ଶୁକ୍ରବାର ଦିନ ଖଟାନଖାଇବାକୁ ଆମେ ଏହାର ପ୍ରକୃଷ୍ଟ ଉଦାହରଣଭାବରେ ନେଇପାରିବା ।

ପ୍ରଭାବ


କୌଣସି ପ୍ରକ୍ରିୟା ବା ଘଟଣାକ୍ରମେ ଯାହା ହୁଏ, ବା ହେବାର ସମ୍ଭାବନାଥାଏ ବୋଲି ଆମେ ବିଶ୍ୱାସ କରିଥାଉ ତାହାହେଉଛି ଆମ ବିଶ୍ୱାସର ପ୍ରଭାବ । ଯେପରି, ବିଲେଇ ରାସ୍ତାସାମ୍ନାକୁ ଆସିଲେ ଆଗକୁ ଅଘଟଣ ଘଟିପାରେ, ବା କାଉରାବିଲେ ଭଲ କିମ୍ବା ମନ୍ଦ ଖବରମିଳିପାରେ, ଘରକୁ ଅତିଥି ଆସିପାରନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଏହା ଆମ ସମସ୍ତଙ୍କର ବିଶ୍ୱାସ ଏପରି ଏକଥା ମଧ୍ୟ କୁହାଯାଇନପାରେ । ପୁନଶ୍ଚ, ଗୋଟିଏ ପ୍ରକ୍ରିୟା ବା ଘଟଣାର ପ୍ରଭାବ ସବୁବେଳେ ନକରାତ୍ମକ ଏହା ମଧ୍ୟ ନୁହେଁ ସ୍ଥଳବିଶେଷରେ ତଥା ପ୍ରସଙ୍ଗକ୍ରମେ ଏହା ସକାରାତ୍ମକ ମଧ୍ୟ ହୋଇଥାଏ ଯେପରିଦ୍ୱିତୀୟା ଜହ୍ନ ଦର୍ଶନ, ଯାତ୍ରାସମୟରେ ପୂର୍ଣ୍ଣକୁମ୍ଭ ଦର୍ଶନ, ସେହିପରିଗୁରୁବାର ଦିନ ଟେରା ପକ୍ଷୀ ଦେଖିବା ।

ନିବାରଣ ଓ ବାରଣ


କୌଣସି ପ୍ରକ୍ରିୟା ବା ଘଟଣାକ୍ରମେ ଯେତେବେଳେ ଆମଭିତରେ ନକାରାତ୍ମକ ଅବଧାଣା ସୃଷ୍ଟିହୋଇଥାଏ ସେତେବେଳେ ଆମେ ତାହାକୁ ଦୂରକରିବାକୁ ଚେଷ୍ଟା କରିଥାଉ । ଯାତ୍ରାକାଳରେ ବିଲେଇ ସାମ୍ନାକୁ ଆସିଲେ ଆମେ ଭାବୁ ଆଗକୁ କିଛି ଦୁର୍ଘଟଣା ଘଟିପାରେ, ଅତଏବ ଟିକିଏ ଅଟକିଯାଉ, ନହେଲେ ଟିକିଏ ପଛକୁ ବୁଲିପଡିଥାଉ । ସେହିପରି, ଶୋଇବା ଖଟରୁ ଶିଶୁଟି ପଡିଗଲେ ଯେଉଁ ଅମଙ୍ଗଳହେବାର ଆଶଙ୍କା କରାଯାଏ, ତାହାର ନିବାରଣ ପାଇଁ ସାତଘରୁ ପାଣିଆଣି ତାକୁ ଗାଧୋଇଦେବା ହେଉଛି ଏହାର ନିବାରଣ । ତେବେ, ସମସ୍ତ ଘଟଣା ପ୍ରକ୍ରିୟାରେ ନିବାରଣଥାଏ ତାହାନୁହେଁ, କେତେକସ୍ଥଳରେ କେବଳ ବାରଣହିଁ ଥାଏ । ମନେକରନ୍ତୁ, ମାଟିରେ ଅଙ୍ଗାରରେ ଲେଖିବା ବା ଗାରକାଟିବା ଅଶୁଭବୋଲି ବିବେଚନା କରାଯାଏ; କେହିଜଣେ ଯଦି ଗାରକାଟିଲା ତେବେ ମୂଳତଃ ଏହାକୁ କେବଳ ବାରଣ ହିଁ କରାଯାଏ ନଚେତ୍ ତାହାକୁ ତତ୍କାଳ ଲିଭାଇଦିଆଯାଏ । ସେହିପରି, ପନିପରିବାକୁ ତର୍ଜନୀ ଦେଖାଇଲେ ତାହା ପଚିଯାଏ ବୋଲି ବିଶ୍ୱାସକରାଯାଏ, ଏବଂ ଏଥିପାଇଁ ବାରଣକରାଯାଏ । କିନ୍ତୁ କେହିଜଣେ ଯଦି ତର୍ଜନୀ ଦେଖାଇଦିଏ ତେବେ, ସେଥିପାଇଁ କୌଣସି ନିବାରଣ ବିଧିନଥାଏ । 

No comments:

Post a Comment