Sunday, January 14, 2018

ଅଧୀନର କିଛି ଦେବୋତ୍ତର ସମ୍ପତ୍ତି

ଜ୍ୟୋତି ନନ୍ଦ




ଏଇ ଶୀର୍ଷକଟି ଏକ ପ୍ରକାର ଚୌର୍ଯ୍ୟବୃତ୍ତି ର ପରିଚୟ।

ଏହି ଶୀର୍ଷକଟିର ମୂଳରଚୟିତା ହେଉଛନ୍ତି ବିଶିଷ୍ଟ ଅଜ୍ଞାତ ଭାରତୀୟ ନିରଦ ସି ଚୌଧୁରୀ । ତାଙ୍କର ଶୀର୍ଷକକୁ ଉପସ୍ଥିତ ଚରିତ୍ରଟି ଏଇଠେ ବ୍ୟବହାର କରିବାର କାରଣ ହିସାବରେ ଯାହା ଉପସ୍ଥାପନ କରିବ, ତାହା ଅନେକ ପରିମାଣରେ ହାସ୍ୟକର । ଚରିତ୍ରଟିର କହିବା ଅନୁସାରେ ତାହାର ଜୀବନର ଯେଉଁ ସାମଗ୍ରିକ ରୂପଟି ଦେଖାଯାଏ, ଚଳଣି ହେଉ କି ଚିନ୍ତା ହେଉ, ତାହା ସବୁ କାହାରି ନା କାହାରି ଠାରୁ ଚୋରିମାଲ୍ । ତେଣୁ ଚରିତ୍ରଟି ଏମିତିରେ ଦେଖିବାକୁ ଗଲେ ଚୋରାମାଲର ଏକ ଭବ୍ୟ ଚାଇନା ମାର୍କେଟ୍ ।

ଚରିତ୍ରଟି ଭାରି ଯୁକ୍ତିଖୋର୍ । ଚୋରି କରିବା ସପକ୍ଷରେ ସେ ଲହୁଣୀ ଚୋରିଠୁ ଆରମ୍ଭ କରି ନଟୁଚୋରି ପର୍ଯ୍ୟନ୍ତ ଶିଶୁକାଳରୁ ପ୍ରାପ୍ତ ବୟସ ଯାଏଁ ନାନାବିଧ ଖେଳରେ ଚୋରି କ୍ରିୟାର ଧାର୍ମିକ ଉଦାହାରଣ ଦେଇପାରିବ । ପୁଣି ନଜିର ଆକାରରେ ତିନୋଟି ଉଦ୍ଧୃତି ପେଶ୍ କରିବ ।ଟି.ଏସ୍.ଇଲିଅଟ୍ କହିଛନ୍ତି, "ଅପରିଣତ କବିମାନେ ଅନୁକରଣ କରନ୍ତି, ପରିଣତ କବିମାନେ ଚୋରି କରିଥାନ୍ତି ।" ଇଗର୍ ଷ୍ଟ୍ରାଭିନସ୍କି କହିଛନ୍ତି, "ଅଖ୍ୟାତ କଳାକାର ମାନେ ଋଣ ନିଅନ୍ତି, କିନ୍ତୁ ବିଖ୍ୟାତ ମାନେ ଚୋରି କରିଥାନ୍ତି ।" ସେହି କଥାକୁ ସମାନ ଭାବରେ କହିଛନ୍ତି ମହାନ କଳାକାର ପାବଲୋ ପିକାସୋ, "ଭଲ କଳାକାର ଅନୁକରଣ କରେ । ବିଖ୍ୟାତ କଳାକାର ଚୋରି କରେ ।" ପିକାସୋଙ୍କ ଏଇ ଉଦ୍ଧୃତିଟିକୁ ପ୍ରସିଦ୍ଧ କରିଥିବା କାରଣରୁ ବିଶ୍ୱ ପ୍ରସିଦ୍ଧ ଷ୍ଟିଭ୍ ଜୋଭସ୍ ଚୋରିବିଦ୍ୟାର ଦୃଢ ସମର୍ଥକ ବୋଲି କହିଲେ ଭୁଲ ହେବ ନାହିଁ ।

ତେଣୁ "ନେଇ ଆଣି ଥୋଇ ଜାଣିଲେ ଚୋରିବିଦ୍ୟା ଭଲ" ବୋଲି ପ୍ରବାଦ ସହିତ ଏକ ଜେନ ଗୁରୁଙ୍କର ପହଳି ତଥା "କୋଆଁ", "ରାସ୍ତାରେ ତମେ ଯଦି କେଉଁ ସାଧୁକୁ ଦେଖିଲ ତେବେ ତାହାଙ୍କୁ ହତ୍ୟାକର;  ଯଦି ବୁଦ୍ଧଙ୍କୁ ଦେଖିଲ ତେବେ ଅବିଳମ୍ବେ ହତ୍ୟାକର"କୁ ତାତ୍ତ୍ୱିକ ଭାବରେ ଏକାଠି କରି, ଉପସ୍ଥିତ ଚରିତ୍ରଟି ସମସ୍ତ ଚୌର୍ଯ୍ୟବୃତ୍ତିର ଜୟଗାନ ପୂର୍ବକ ଚୌର୍ଯ୍ୟଦେବ କାର୍ତ୍ତିକେୟଙ୍କୁ ସୁମରଣା କରୁଅଛି ।

ଯାବତୀୟ ଚୋରିମାଲର ଚାଇନା ବଜାର ସ୍ୱରୂପ ଗୋଟିଏ ସାଧାରଣ ଚରିତ୍ରର ଜନ୍ମଦିନ ଗଲା ଡିସେମ୍ବର ପନ୍ଦର ତାରିଖ ଦିନ ପଡିଥିଲା ।ଦୃଶ୍ୟ ଅଦୃଶ୍ୟ ବନ୍ଧୁମାନେ ସେହି ସାଧାରଣ ଜନ୍ମଦିନଟିକୁ ଏମିତି ଅସାଧାରଣ ଭାବରେ ସଜାଇଦେଲେ ଯେ, ସେଇ ସାଧାରଣ ଚରିତ୍ରଟି ଏକ ପ୍ରକାର ବାକରୁଦ୍ଧ ହୋଇଗଲା । ତାକୁ ଲାଗିଲା ସମସ୍ତଙ୍କୁ ଧନ୍ୟବାଦ ଲେଖିବା କାମଟି ଯେମିତି ଏକ ପ୍ରକାର ଯାନ୍ତ୍ରିକତାରେ ପରିଣତ ହୋଇଯାଉଛି । କେମିତି ଏହି ଉଦାରତାର ପ୍ରତ୍ୟୁତ୍ତର ଦେଇହେବ ? ଦେଇହେଲା ନାହିଁ । ସାଧାରଣ ଚରିତ୍ରଟି ଅକ୍ଷମ । ତାହାର ଅକ୍ଷମତାକୁ ସମସ୍ତ ଉଦାର ବନ୍ଧୁମାନେ ବେଶ୍ ଚିହ୍ନିଛନ୍ତି ।

ସମସ୍ତଙ୍କର ଆତ୍ମୀୟତାର ପୃଥିବୀକୁ ନିହାତି ସ୍ୱାର୍ଥପର ଭାବରେ ଭୋଗିବାର ଆନନ୍ଦ, ଏକ ନିରୋଳା ଓ ଭିନ୍ନ ଆନନ୍ଦ । ସେଇ ଆନନ୍ଦର ସୁଯୋଗଟିକକକୁ ବାରମ୍ବାର ପାଇବା ପାଇଁ ଚରିତ୍ରର କାମନା ରହିଛି । ତେଣୁ ଏଇ ସ୍ୱାର୍ଥପର ଚୋରିମାଲ ଭରା ଭଣ୍ଡାରର ପାଳଭୂତ ଚରିତ୍ରଟି ନିଜର ଜନ୍ମଦିନଟି ସହଭାଗ କରୁଛି ଜଣେ ବିଶ୍ୱବିଖ୍ୟାତ ସ୍ୱାର୍ଥପର ନିର୍ମମ ନରପତିଙ୍କ ସହ, ଯାହାଙ୍କୁ ଆପଣମାନେ ସବୁବେଳେ ଅଶ୍ରଦ୍ଧାର ସହ ସ୍ମରଣ କରନ୍ତି । ସେ ହେଉଛନ୍ତି ରୋମୀୟ ସମ୍ରାଟ "ନିରୋ"।

ଆପଣମାନଙ୍କର ସହୃଦୟତାର ପୃଥିବୀକୁ ନିରଙ୍କୁଶ ଭୋଗିବାର ସ୍ୱାର୍ଥପରତାକୁ ଚରିତ୍ରର ମହାର୍ଘ ଦେବୋତ୍ତର ସମ୍ପତ୍ତି ବୋଲି ଚୋରିକରା ଭାଷାରେ କହିଲେ ସେତେ ଭୁଲ୍ ହେବ ନାହିଁ ।

ଏବେ ଆଉ ଗୋଟିଏ ଦେବୋତ୍ତର ସମ୍ପତ୍ତିର କଥା । ଆଜି ।

ଚରିତ୍ରଟି ଠିକ୍ ଆଜିକୁ କୋଡିଏ ବର୍ଷ ତଳେ ଜୀବନର ଯେଉଁ ସର୍ବପ୍ରଥମ ଆନୁଷ୍ଠାନିକ ସ୍ୱୀକୃତିଟି ନିଜର ସାରସ୍ୱତ କର୍ମ ପାଇଁ ଗ୍ରହଣ କରିବାର ସୁଯୋଗ ପାଇଥିଲା, ତାହା ହେଉଛି "ଅଖିଳମୋହନ ସ୍ମୃତି ସମ୍ମାନ" । ଓଡିଆ କଥାସାହିତ୍ୟର ବିଚିତ୍ର ବିନ୍ଧାଣୀ ଅଖିଳମୋହନ ସ୍ମୃତି ସହିତ ଜଡିତ ଏଇ ସମ୍ମାନଟିକୁ ଚରିତ୍ରଟି ତାହାର ମହାର୍ଘ ସମ୍ପଦ ବୋଲି ସବୁବେଳେ ବିଚାର କରେ ।

କଥାକାର ଅଖିଳମୋହନଙ୍କ ସତୁରି ତମ ଜନ୍ମଦିବସରେ ଏଇ ସମ୍ମାନର ମୁକୁଟଟିରେ ଅଭିଷିକ୍ତ ହେବା ସମୟରେ ଏଇ ସାଧାରଣ ଚରିତ୍ର ଯାହା କହିଥିଲା ତାହା ଏଇଲେ ଆପଣ ମାନଙ୍କର ଆଗରେ ।


ସୁଧୀବୃନ୍ଦ,

ଆଜି ସନ୍ଧ୍ୟାଟି ବିଶିଷ୍ଟ ଓଡିଆ କଥାଶିଳ୍ପୀ ଅଖିଳମୋହନଙ୍କ ସ୍ମରଣ ପାଇଁ ଉଦ୍ଦିଷ୍ଟ । ଏଥିରେ ମୁଁ ସାମାନ୍ୟ ଏକ ଉପଲକ୍ଷ ମାତ୍ର । ସଚରାଚର ସମସାମୟିକ କଥାକାରଗଣ ଗୋଟିଏ ଦୃଷ୍ଟିରୁ ଦେଖିଲେ ସେମାନଙ୍କର ପୂର୍ବଜ କଥାକାରମାନଙ୍କର ଉପଲକ୍ଷ ହିଁ ହୋଇଥାନ୍ତି । ଏବଂ ଏହା ଦ୍ୱାରା କଥା ସାହିତ୍ୟର ପ୍ରବହମାନତା ହିଁ ନିରୂପଣ କରାଯାଇଥାଏ । ଓଡିଆ କଥା ସାହିତ୍ୟର ଜଣେ ବିଶିଷ୍ଟ ସ୍ଥପତି ଅଖିଳମୋହନଙ୍କର ସ୍ମରଣ ପର୍ବରେ ମୁଁ ସାମାନ୍ୟ ଏକ ଉପଲକ୍ଷର ଭୂମିକା ଆଜି ନିର୍ବାହ କଲାବେଳେ ଅତ୍ୟନ୍ତ ଆନନ୍ଦିତ । ମୋତେ ଯେଉଁମାନେ ଏଇଭଳି ଏକ ଭୂମିକା ପାଇଁ ଚୟନ କରିଛନ୍ତି ମୁଁ ସେମାନଙ୍କୁ ମୋର କୃତଜ୍ଞତା ଜଣାଉଛି ।

କଥାଟିଏ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମିଛ । କଥାକାର ଗୋଟିଏ ଚରିତ୍ରକୁ ଯେତେବେଳେ ନାମକରଣ କରିଦେଲା ସେତେବେଳେ ଆପଣମାନେ ତା'କୁ ରକ୍ତମାଂସର ବାସ୍ତବ ଚରିତ୍ର ବୋଲି ଭାବିଲେ ବି ଆପଣଙ୍କର ପୃଥିବୀରେ ତାହାର ସ୍ଥିତି ସମ୍ପର୍କରେ ପ୍ରଥମରୁ କିଛି ପରିମାଣରେ ସନ୍ଦିହାନ ହେଲେ । ସେହି ଚରିତ୍ରଟି ଯେମିତି ଆଉ କେଉଠୁ ଆପଣ ମାନଙ୍କ ପାଖକୁ ବୁଲିବାକୁ ଆସିଛି । ତେଣୁ ସେହି ଚରିତ୍ରର ସ୍ଥିତି ଅନ୍ୟତ୍ର ରହିଛି । ଆଉ ତାହା ପରେ କଥାକାର ସେହି ମିଛ ଚରିତ୍ରକୁ ନେଇ ମିଛ ସମ୍ପର୍କ ଯୋଡିଲା । ମିଛ ପରିବେଶ ନିର୍ମାଣ କଲା । ମିଛ ଘଟଣା ଘଟାଇଲା । ଏବଂ କିଛି ପୃଷ୍ଟା ପରେ ପରିଣତି ବୋଲି ଯେଉଁ ସ୍ଥାନରେ ସେଇ ମିଛ ଚରିତ୍ରକୁ ଛାଡିଦେଲା, ତାହା ବି ଏକ ମିଛ । (ପୃଥିବୀଟି କାହାଣୀମୟ ବୋଲି ହୁଏତ ଆମେ କହୁ ମିଛ ମାୟା ସଂସାର !) 

ଜଣେ କଥାକାର ସହ ଆପଣଙ୍କର ବିଚିତ୍ର ଭ୍ରମଣ ଗୋଟିଏ ମିଛ ସୁଡଙ୍ଗ ରେ କିଛିସମୟ ଘଟିଥାଏ । ମିଛ ସୁଡଙ୍ଗର ଶେଷରେ ଜଣେ ବିଫଳ କଥାକାରର କ୍ଷେତ୍ରରେ ଆପଣଙ୍କର ସ୍ୱତଃସ୍ଫୃର୍ତ୍ତ ମନ୍ତବ୍ୟ ହୋଇଥାଏ, ହଁ ମ, କ'ଣ ଅଛି ଏଥିରେ ? କିନ୍ତୁ ଜଣେ ସଫଳ କଥାକାରର କ୍ଷେତ୍ରରେ ସେହି ମିଛ ସୁଡଙ୍ଗକୁ ଅତିକ୍ରମ କରିବାର ପଶ୍ଚାତ ଓ ଆପଣମାନଙ୍କର ନିଜ ପୃଥିବୀକୁ ପ୍ରବେଶ କରିବାର ଠିକ୍ ପ୍ରାକ୍ କାଳରେ ଆପଣ ଅନୁଭବ କରନ୍ତି ଯେ ଏହାଠାରୁ ଅଧିକ ନିରାଟ ସତ କଥା ଆଉ କିଛି ଘଟିନାହିଁ କିଛି ସମୟ ଆଗରୁ ଆପଣଙ୍କର ନିଜର ବିଶ୍ୱସ୍ତ ଜାଗତିକ ପୃଥିବୀରେ । ସେହି ଆବେଶ ଟିକକରୁ ଆପଣଙ୍କର ନାନାବିଧ ପାର୍ଥିବ ସମ୍ପର୍କ ଆହୁରି ଗଭୀର ହୁଏ । ଆରମ୍ଭରୁ ଶେଷ ଯାଏଁ ଗୋଟିଏ କଥାର ଏମିତି ମିଛକୁ ଆଧାର କରି ତିଷ୍ଠି ରହିବା ହିଁ ତାହାର ସବୁଠୁ ବଡ ଆଶ୍ଚର୍ଯ୍ୟଜନକ ସଫଳତା । 

ଏହି ପ୍ରସଙ୍ଗରେ ଫକୀରମୋହନଙ୍କ ଏକ ଅଳ୍ପଖ୍ୟାତ ଗଳ୍ପ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଛି । ଗଳ୍ପଟିର ଶୀର୍ଷକ "ଅଜା-ନାତି"। ଗପରେ "ଅଜା" ଚରିତ୍ରଟି ଏକ ସାହିତ୍ୟ ପତ୍ରିକାକୁ ଭାବିନେଇଛି ଏକ ଗେଜେଟ୍ ବୋଲି ଏବଂ ସେଥିରେ ବାହାରୁଥିବା ସବୁ ଘଟଣା ସତ ବୋଲି ତାହାର ବଦ୍ଧମୂଳ ଧାରଣା ରହିଅଛି । "ନାତି"ବୋଲି ଚରିତ୍ରଟି କିନ୍ତୁ ତାହାକୁ ବୁଝାଉଛି ଯେ, ସେଇଟି ହେଉଛି ଗୋଟିଏ ସାହିତ୍ୟ ପତ୍ରିକା ଆଉ ସେଥିରେ ଯାହା ବାହାରେ ତାହା ଗପ ଓ ମିଛ । ଫକୀରମୋହନଙ୍କ ଏଇ କାହାଣୀଟି କେବଳ ନାତିଟି ଅଜାକୁ ସତ-ମିଛ କ'ଣ ତାହା ବୁଝାଇବାର ଏକ ପରୀକ୍ଷାଧର୍ମୀ ପ୍ରତି-ଗଳ୍ପ । 

ନାତି ଯେତେବେଳେ ସାହିତ୍ୟ ପତ୍ରିକାରେ ମିଛ ଗପ ବାହାରିଛି ବୋଲି କହିଛି, ଅଜା ଚରମ ପ୍ରଶ୍ନଟିଏ କରିଛି । ଏହି ଭଳି ମିଛ ପଢି ଲାଭ କ'ଣ ? ବରଂ ଶାହାସ୍ତ୍ର ପଢିଲେ ଲାଭ ଅଛି । ନାତି ଉତ୍ତରରେ କହିଛି, ଶାହାସ୍ତ୍ରରେ ଯାହା ଲେଖାଅଛି, ତାହା ବି ମିଛ । ମୋକ୍ଷମ ଉଦାହାରଣଟିଏ ଥୋଇଛି ସେ । କହିଛି, କଂସରାଜା ମରିଗଲା ପରେ ଯଦି ତାହାର ଶବ ଚଉଦଯୋଜନ ବ୍ୟାପୀ ଜାଗାରେ ପଡିରହିଥିଲା ବୋଲି ଶାହାସ୍ତ୍ର ଲେଖିଛି, ତେବେ ମଥୁରା କଟକ ଭଳି ଛୋଟ ରାଜ୍ୟର ପ୍ରଜାକୂଳ ବଞ୍ଚି ରହିଲେ କେମିତି ? ଅଜା ଏହା ପରେ ଆନ୍ଦୋଳିତ ହୋଇଛି । ଚିନ୍ତିତ ଦେଖାଯାଉଛି । ନାତି ଉପସଂହାରରେ କହିଛି, କଥାରେ ହେଉ କି ଶାହାସ୍ତ୍ରରେ ହେଉ, ଏମିତି ସବୁବେଳେ ମିଛ କୁହାଯାଏ ଏବଂ ମିଛ କହିକହି ସତକୁ ଆବିଷ୍କାର କରାଯାଇଥାଏ ।

କଥାର ସ୍ଥାପତ୍ୟ ଏହି ଭଳି ମିଛ । ଅତ୍ୟନ୍ତ ନିଷ୍ଠାର ସହ ଜଣେ କଥାକାର ତାହାର ଜାଗତିକ ପରିବେଶରୁ ଯାହାକିଛି ଆହରଣ କରେ, ତାହାକୁ ମିଛ କରି ଥୋଇଦିଏ ତାହାର କଥାରେ । କୌଣସି କଥାକାରର ଚିନ୍ତାଚେତନା ବା ତାହାର ବାସ୍ତବ ଜୀବନର ସଂଳାପ ସବୁ ସୁସ୍ଥ ସୁନ୍ଦର ବାକ୍ୟ ଅନୁଯାୟୀ ନିୟମମାଫିକ୍ ତର୍କ ଅନୁସାରେ ହୋଇନଥାଏ । ସେଇ ସବୁ କେବେହେଲେ ସଜଡା ହୋଇ ଆସିନଥାଏ, ଯାହା ଆମେ କଥାରେ ଦେଖୁ ବା ଚରିତ୍ରର ମୁହଁରୁ ଶୁଣୁ । ଶବ୍ଦ ପରେ ଶବ୍ଦ । ବାକ୍ୟ ପରେ ବାକ୍ୟ । ସୁସଜ୍ଜିତ । କିନ୍ତୁ ସେହି କଥାକାରର ଚିନ୍ତାଚେତନା ସବୁ ମିଛ ରୂପ ନିଏ କଲମକାଗଜର ପୃଷ୍ଠାରେ ସେଇଥିପାଇଁ, ଏବଂ ପଠନଯୋଗ୍ୟ ଓ ସୁସଜ୍ଜିତ ହୋଇଥାଏ ପାଠକ ନିକଟରେ । 

ଏହିଭଳି କଥାର ଯେଉଁ ମିଛ ସ୍ଥାପତ୍ୟ, ସେଥିରେ ପ୍ରକୃତ ଆରମ୍ଭ ବା ପ୍ରକୃତ ଶେଷ ବୋଲି କିଛି ନାହିଁ । ଜଣେ କଥାକାର ଗୋଟିଏ ଚରିତ୍ରର ଜନ୍ମଠାରୁ ମୃତ୍ୟୁର ବିବରଣୀ ପ୍ରଦାନ କରିଥାଏ, ତାହାର ଲିଖିତ ଗୋଟିଏ କଥାର ପରିସରରେ । କିନ୍ତୁ ସାମଗ୍ରିକ ଉପଲବ୍ଧିର ପରିପ୍ରେକ୍ଷୀରେ ତାହା କୌଣସି ବିଧିବଦ୍ଧ ଆରମ୍ଭ ବା ବିଧିବଦ୍ଧ ଶେଷ ନୁହଁ । କେବଳ ମଧ୍ୟବର୍ତ୍ତୀ ଅଂଶ । ସମଗ୍ର କଥା ବୋଇଲେ ଯାହା ପାଠ କରାଯାଏ, ତାହା କେବଳ ଗୋଟିଏ ମିଛ ଆରମ୍ଭ ଓ ମିଛ ଶେଷ । ଏଥିରେ ସତ କଥାଟି ହେଉଛି ଯେ, କଥାକାରର ଲିଖିତ କଥାଟି ହେଉଛି କୌଣସି ଘଟଣାର ମଝିରୁ ଆରମ୍ଭ ହୋଇ ଶେଷ ହୋଇଥାଏ ମଝିରେ । ସବୁ କଥାକାର ଦେଖିବାକୁ ଖଲେ ଏମିତି ଗୋଟିଏ ମଧ୍ୟବର୍ତ୍ତୀ ଅଂଶରେ ବାସ କରନ୍ତି ।

ଆଜି ସନ୍ଧ୍ୟାରେ କଥାକାର ଅଖିଳମୋହନଙ୍କୁ ସ୍ମରଣ କଲାବେଳେ ମୋର ମନେହେଉଛି ଯେ, ସେହି ବିଶିଷ୍ଟ ସ୍ଥପତି ଯେଉଁ ମଧ୍ୟବର୍ତ୍ତୀ ଅଂଶରେ ବାସ କରୁଥିଲେ, ତାହା ଓଡିଆ କଥା ସାହିତ୍ୟର ଏକ ସନ୍ଧିକ୍ଷଣର ସମୟ । ଅଖିଳମୋହନଙ୍କ ଚରିତ୍ର ସବୁ ସାମାଜିକ ନିୟନ୍ତ୍ରଣରୁ ନିଜକୁ ମୁକ୍ତ କରି ନିଜର ବ୍ୟକ୍ତିସତ୍ତାକୁ ଜାହିର୍ କରିବା ପାଇଁ ଚେଷ୍ଟିତ ଥିଲେ । ତାଙ୍କର ପୂର୍ବ କଥାକାରଗଣ ମଣିଷକୁ ପୂର୍ଣ୍ଣ ମାତ୍ରାରେ ସାମାଜିକ ରୂପରେ ଚିତ୍ରଣ କରୁଥିଲେ ତାହାର ନୈତିକ ଏବଂ ଅନ୍ତର୍ଜୀବନର ଭିତ୍ତିଭୂମିରେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠିତ ହେଲା; ମଣିଷର ବ୍ୟକ୍ତିଗତ ଜୀବନ ଏବଂ ବସ୍ତୁଗତ ଚେତନାର ବିଶ୍ଳେଷଣ କରାଗଲା । ଅଖିଳମୋହନଙ୍କ କଥାସାହିତ୍ୟରେ ଦୃଢ଼ ବ୍ୟକ୍ତି ସତ୍ତାର ଯେଉଁ ପ୍ରତିଫଳନ ଘଟିଥିଲା, ତାହା ପରବର୍ତ୍ତୀ କାଳରେ ବିଶେଷ ସ୍ୱତନ୍ତ୍ର ରୂପ ନେଇଛି । ବର୍ତ୍ତମାନର କଥାକାହାଣୀରେ ଚରିତ୍ର ନିଜର ସାମଗ୍ରିକ ଅନୁଭବକୁ ସଠିକ ଭାବରେ ବ୍ୟକ୍ତ କରିପାରୁନାହିଁ । କଥାକାରର ସେଇଭଳି ଏକ ନିପାରିଲାପଣରେ ଆଜିର କଥାସାହିତ୍ୟ ରୂପବନ୍ତ ।

ଆମେମାନେ ସାଧାରଣତଃ କଥାଟିଏର ମୁଦ୍ରିତ ରୂପ ପାଠ କରିଥାଉ । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ କଥାର ସେହି ସ୍ୱରୂପଟି କ'ଣ ? ସ୍ୱରୂପ କହିଲେ ଏଇଠି କହିବାକୁ ଚାହୁଁଛି ଯେ, ଏହା ମାନେ କଥାଟି ଗୋଟିଏ ଚରିତ୍ର ସମ୍ପର୍କରେ ଏକ ଅନୁସନ୍ଧାନାତ୍ମକ ବିବରଣୀ ? ନା, କିଛି ଘଟଣାର କୌଣସି ଏକ ଫୁଟବଲ୍ ଖେଳ ପରି ଏକ ଧାରାବିବରଣୀ ? ଏହା ଜଣକର ଆତ୍ମଜୀବନୀର କିଛି ଅଂଶ, ନା ଜଣକର ଅନ୍ୟମାନଙ୍କୁ କହୁଥିବା କିଛି ସଂଳାପ ? ଏମିତିବି ହୋଇପାରେ ଲିଖିତ କଥାଟି ଠିକ୍ ଯେପରି ଜଣକର ଚେତନା ସହ ଆମର ଅର୍ଥାତ୍ ପାଠକର କାନ ସହିତ ସଞ୍ଜୁକ୍ତ ହୋଇଛି ୱାକମ୍ୟାନ୍‌ର ଦୁଇଟି ତାର ପରି କିଛି ତାରରେ । ଆଭେ ଯେମିତି ଜଣକର ଚେତନାକୁ ଶୁଣୁଛୁ ସିଧାସଳଖ ତାହାର କଥାରେ । 

ଲିଖିତ କଥାର ଏହିଭଳି ବିଭିନ୍ନ ରୂପ ଭିତରୁ ଆମର କଥାସାହିତ୍ୟରେ ବିବରଣୀମୂଳକ ରଚନା ହିଁ ବିଶେଷ ପ୍ରାଧାନ୍ୟ ପାଉଛି । ତାହା ଫଳରେ ଆଉ ଯାହା ହେଉନା କାହିଁକି ପାଠକମାନେ ପାଠକ ମାନେ ନିଷ୍କ୍ରିୟ ହେବାକୁ ବସିଛନ୍ତି । କଥାକାର ତାହାର ବିବରଣୀମୂଳକ ଲିଖିତ କଥାରେ ସବୁ ଜିନିଷକୁ ବୁଝାଇ ଦେବାକୁ ବସିଛି, ଯେମିତି ଏକ ପ୍ରବନ୍ଧରେ ଯାହା କରିବାର କଥା,  ସେଇଭଳି । ତେଣୁ ପାଠକକୁ କିଛି କରିବାକୁ ପଡୁନାହିଁ । ଦୁଇଆଖିରେ ଖାଲି ଗୋଗ୍ରାସରେ ଗିଳିଯିବା କଥା, ଯାହା ସାମ୍ନାରେ ରହିଛି । ପରେ ତାହାକୁ ପାକୁଳି କରାଯାଉଛି କି ନାହିଁ, ତାହା ମୂଖ୍ୟ ପ୍ରସଙ୍ଗ । 

କୌଣସି କଥାସାହିତ୍ୟର ସମୃଦ୍ଧି ପାଇଁ କିଛି ସକ୍ରିୟ ପାଠକ ଅର୍ଥାତ୍ ପରେ ପାକୁଳି କରିବା ଭଳି ପାଠକ ସୃଷ୍ଟି ହେବାର ଆବଶ୍ୟକତା ରହିଛି । ବିଶେଷତଃ ଆନ୍ତର୍ଜାତିକ କଥାସାହିତ୍ୟରେ ଯେତେବେଳେ ସ୍ପାସିଆଲ୍ ଫର୍ମ୍‌ର ପ୍ରାଧାନ୍ୟ । ସ୍ପାସିଆଲ୍ ଫର୍ମ୍ କହିଲେ ଅନେକ ଅନ୍ତଃସଂଲଗ୍ନ ଚିତ୍ରରୂପ ବା ମୋଟିଫ୍ ଦ୍ୱାରା ରଚନାକୁ ଏକ ନୀରବ ଐକ୍ୟ ପ୍ରଦାନ କରିବା ।
ସେହି ନୀରବ ଐକ୍ୟ ଗୋଟିଏ ରଚନାକୁ ବାରମ୍ବାର ପଢିବା ଦ୍ୱାରା ସମ୍ଭବପର ହୋଇଥାଏ । ଏଥିରେ ପାଠକ ହଠାତ୍ କିଛି ଆବିଷ୍କାର କରିପାରିବାର ଉତ୍ତେଜନାରେ ଆବିଷ୍ଟ ହୋଇଥାଏ । କିନ୍ତୁ ବିବରଣୀମୂଳକ ସ୍ଥାପତ୍ୟରେ ପାଠକ ସେହି ଉତ୍ତେଜନା ଟିକକରୁ ବଞ୍ଚିତ ହେଉଛି । ଏବଂ ପାଠକ କଥା ପାଠ କଲା ପରେ, ପଠିତ କଥାକୁ ଭୁଲି ଯାଉଛି ଆଉ ଭୁଲି ଯାଉଛି କଥାକାରକୁ ।

ଆଗରୁ କହିଛି କଥାର ସ୍ଥାପତ୍ୟ ମିଛ । ମିଛର ନିର୍ମାଣ । ମିଛର ନିର୍ମାଣ ଯଦି ଅତି ସହଜରେ ହୋଇଗଲା, ତାହାହେଲେ ସେହି ମିଛଟି ଅଳ୍ପସ୍ଥାୟୀ ହୁଏ । ତେଣୁ ଆମର କଥାସାହିତ୍ୟରେ ଦୀର୍ଘକାଳ ବଞ୍ଚିରହିବାର ମିଛ ନିର୍ମାଣ ହେବା ଆବଶ୍ୟକ । ଶେଷରେ ଏତିକି ସତ କଥା କହିବାର ଧୃଷ୍ଟତା ରଖୁଛି ।

ନମସ୍କାର ।

ରାଜସ୍ଥାନୀ ଲୋକକଥନିକାରେ ବ୍ୟବହୃତ ପାବୁଜୀଙ୍କର କାହାଣୀ ପେଡ଼ିର ଚିତ୍ର
ଫଟୋ କ୍ରେଡ଼ି଼ଟ୍ - ୱିକିମିଡିଆ କମନ୍ସ୍

ଉପସ୍ଥିତ ଚରିତ୍ରର ଆଉ ଏକ ଦେବୋତ୍ତର ସମ୍ପତ୍ତିର କଥା ଏଇଠି ସରିଲା । ସରିଲା ପରେ ଫୁଲଗଛକୁ ଆଉ ଆଜି କିଏ ମାରିବାକୁ ଦେବ ଯେ ?

କୋଡିଏ ବର୍ଷ ତଳର ଏଇ ଲେଖାଟି ସେଦିନ ଗୋଟିଏ ମୁଦ୍ରିତ ରୂପରେ ବିତରିତ ହୋଇଥିଲା । ସେଇ ମୁଦ୍ରିତ ରୂପଟି ଆଜି ଚରିତ୍ର ପାଖରେ ନାହିଁ । ଏଇ ହାତ ଲେଖାଟି ଯେ ଯତ୍ନର ସହ ସଂରକ୍ଷିତ ହୋଇ ରହିଥିଲା, ତାହା ବି ନୁହଁ । ଏଇ ଲେଖକଟି ସ୍ୱାର୍ଥପର ଆଉ ମିଥ୍ୟାବାଦୀ ହେବା ସହ ଆଉ ଗୋଟିଏ ଗୁଣରେ ବି ବିଭୂଷିତ । ତାହା ହେଉଛି ଅହଂକାର । ତାହାର ଅହଂକାରଟି ଏତେ ପ୍ରବଳ ଯେ, ସେ ଭାବେ ତାହାର ଲେଖାମାନେ ଅତ୍ୟନ୍ତ ମୂଲ୍ୟବାନ ହୋଇଥିବାରୁ ଅନ୍ୟମାନେ ତାହାକୁ ସୁରକ୍ଷିତ କରି ରଖିଥିବା କାରଣରୁ ନିଜେ ତାହାର କୌଣସି ଯତ୍ନ ନେବା ବାଞ୍ଛନୀୟ ନୁହଁ ।

ଏଇ ଲେଖାଟି ଅନ୍ୟ କାହାର ଯତ୍ନରୁ ମିଳିନାହିଁ । ସରକାରୀ କର୍ମରୁ ସେବାନିଃବୃତ୍ତ ଏଇ ଚରିତ୍ରର ଏହି ଲେଖାଟି ହଠାତ୍ ଇୟୁରେକା କ୍ଷଣ ଭଳି ପ୍ରକଟ ହୋଇଥିଲା ଡୁପ୍ଲିକେଟ୍ ସର୍ଭିସ୍ ବୁକ୍ ଭିତରୁ । ସେହି ଡୁପ୍ଲିକେଟ୍ ସର୍ଭିସ୍ ବୁକ୍ କହିବାକୁ ଗଲେ ନାମକୁ ମାତ୍ର ଡୁପ୍ଲିକେଟ୍ ସର୍ଭିସ୍ ବୁକ୍ । ସେଥିରେ ଲେଖାହୋଇଛି ମାତ୍ର ଦୁଇଟି ପୃଷ୍ଠା । ଯଦି ହଜାରେ ବର୍ଷପରେ ଉପସ୍ଥିତ ଚରିତ୍ରଟି ଏକ ଐତିହାସିକ ଚରିତ୍ର ହୋଇଯାଏ, ତେବେ ତାହାକୁ ନେଇ ଗୋଟିଏ ବିବାଦ ଥୟ ।ଏଇ ଡୁପ୍ଲିକେଟ୍ ସର୍ଭିସ୍ ବୁକ୍ ଆଧାରରେ କେହି ବିଦ୍ୱାନ ଗବେଷକ କହିପାରନ୍ତି ଯେ ଶ୍ରୀ ଅମୁକ ପୂରା ସରକାରୀ କାମ କରି ଅବସର ନେବା କଥାଟି ମିଛ । ସେ ମାତ୍ର ଛଅ ବର୍ଷ ଚାକିରୀ କରି କୁଆଡେ ଉଭାନ୍ ହୋଇଗଲେ ତେଣୁ ଶ୍ରୀ ଅମୁକ ପ୍ରକୃତରେ ଜଣେ ହୋଇ ନପାରନ୍ତି ।

ହଜାର ବର୍ଷ ଆଗରୁ ସ୍ୱସ୍ଥାନକୁ ପ୍ରତ୍ୟାଗମନ କରିବା ।

କୋଡିଏ ବର୍ଷ ତଳର ଏଇ ଗଳ୍ପଭାବନାଟି ଉପସ୍ଥିତ ଚରିତ୍ରର ଏବେବି ରହିଛି । ତେଣୁ ସେ ଏହାକୁ ଅବିକଳ ସେମିତି ସହଭାଗ କରିବାକୁ ଇଛା କରୁଛି । ତୃଟି ସଂଶୋଧନ ଆପଣଙ୍କର ।

ଏଇ କିଛି ଦିନ ତଳେ, ଅଠର ଡିସେମ୍ବର ଦୁଇହଜାର ସତର ସକାଳେ, ଅଖିଳମୋହନଙ୍କର ନବେତମ ଜନ୍ମଦିବସ ପାଳନ ହେଲା ।ସମ୍ମାନିତ ହେଲେ ଖ୍ୟାତନାମା ଗାଳ୍ପିକା ସୁପ୍ରିୟା ପଣ୍ଡା, କବି ପ୍ରହଲ୍ଲାଦ ଶତପଥୀ, କଥାକାର ଅମରେଶ ବିଶ୍ୱାଳ ଓ କବି ଭାରତ ମାଝି ।ଅଖିଳମୋହନଙ୍କ ଉପରେ ନିଜର ଅନନୁକରଣୀୟ ଶୈଳୀରେ ଏକ ଅନ୍ତରଙ୍ଗ ଆଲେଖ୍ୟ ଉପସ୍ଥାପନ କରିଥିଲେ ପ୍ରଖ୍ୟାତ କବି ଓ କଥାକାର ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ।

ନିମନ୍ତ୍ରିତ କବିଙ୍କ କାବ୍ୟପାଠ ଆଉ ସୁସ୍ୱାଦୁ ଓଡିଆ ଭୋଜନରେ ଶେଷ ହେଲା ଆଜିର ସୁନ୍ଦର ଦିନଟି, ଜଣେ କଥାକାରର ସ୍ମୃତିର ଦିନଟି ।
ସବୁଦିନ ଏମିତି ଉତ୍ସବ ମୁଖର ହୁଏ ନାହିଁ । ଆମେ ପୃଥିବୀରେ କିଛିକିଛି ଅସୁନ୍ଦରତାକୁ ଦାନ୍ତକାମୁଡି ପଡିରହିଥାଉ । ଉପସ୍ଥିତ ସ୍ୱାର୍ଥପର, ମିଥ୍ୟାବାଦୀ ଆଉ ଅହଂକାରୀ ଚରିତ୍ରଟି ସମେତ ସମସ୍ତଙ୍କର ଭଲ କଥା କହିପାରିବାର ସାମର୍ଥ୍ୟ ରହିଛି । କାହାଣୀର ସବାଶେଷରେ ଯେଉଁ ଫୁଲଗଛଟି ଆପଣଙ୍କୁ ଯଦି କେଉଁ ଅଧାଫାଙ୍କ ଝର୍କା ଭିତରୁ ଉଙ୍କି ଦେଉଥିବାର ଦେଖିବେ ତାହାକୁ ବଞ୍ଚେଇରଖିବାର ଦାୟିତ୍ୱ ଆପଣମାନଙ୍କର ।

No comments:

Post a Comment