Wednesday, January 10, 2018

ବିଶ୍ୱାସଏକ ଲୋକତାତ୍ତ୍ୱିକ ଅବଧାରଣା - ୩

ସଞ୍ଜୟ କୁମାର ବାଗ


ଜାପାନର ଶିଣ୍ଟୋ ମତର ଉପାସକ ପ୍ରାର୍ଥନା କରୁଥିବାର ଦୃଶ୍ୟ (ୱିକିମିଡିଆ କମନ୍ସ୍)


ବିଶ୍ୱାସର ସ୍ୱରୂପ, ଏବଂ ଏହାର ବିଭିନ୍ନ ଦିଗ 

ଉପର୍ଯ୍ୟୁକ୍ତ ବିଶ୍ୱାସଗୁଡିକୁ ଅଧାରକରି ଆମେ ଏଠାରେ ଏଗୁଡିକର ସ୍ୱରୂପ ତଥା ଏହାର ବିଭିନ୍ନ ଆୟାମ ସମ୍ପର୍କରେ ଲୋକତାତ୍ତ୍ୱିକଦୃଷ୍ଟିରୁ ଆଲୋଚନା କରିପାରିବା

ବିଶ୍ୱାସର ସ୍ୱରୂପ 



ବିଶ୍ୱାସର ବିଭିନ୍ନସ୍ୱରୂପ ଆମେ ଦେଖିବାକୁ ପାଇଥାଉ । କେତେବେଳେ ବିଶ୍ୱାସ ଏକ ଘଟଣାପ୍ରକ୍ରିୟା ଭାବରେ ଆମ ସାମ୍ନାକୁ ଆସିଥାଏ ତ କେତେବେଳେ ଏହା କୌଣସି ଏକ ଘଟଣା ମଧ୍ୟରୁ ଜନ୍ମ ନେଇଥାଏ । ଅନୁରୂପଭାବରେ, ଅନେକ ବିଶ୍ୱାସ ଆମର ସାମାଜିକ ରୀତିନୀତିଆଧାରିତ ହୋଇଥାଏ । ସେହିପରି, କେତେକ ବିଶ୍ୱାସ ପ୍ରକ୍ରିୟାକୁ ଆମେ ଗ୍ରହଣକରିନଥାଉ କିନ୍ତୁ ଆମର ନିକଟତମ ସଦସ୍ୟ ଆମକୁ ସେପରି କରିବାକୁ ପ୍ରରୋଚିତ କରିଥାନ୍ତି । ବେଳେବେଳେ ଦେଖାଯାଏ ଯେ ଆମ ଗୋଷ୍ଠୀରେ ଗୋଟିଏ ଘଟଣାପ୍ରତି ସେମିତି କିଛି ଅବଧାରଣାନାହିଁ ତଥାପି ଆମେ ଆମଭିତରେ ଏକ ନିର୍ଦ୍ଦିଷ୍ଟ ଅବଧାରଣା ସୃଷ୍ଟିକରିବା ସହିତ ତାହାକୁ ବିଶ୍ୱାସକରୁ; ଆମର ଶିକ୍ଷା, ପରିବେଶ, ତଥା ପରିସ୍ଥିତିରୁ ଏହି ପ୍ରକାରର ଅବଧାରଣା ଆମ ଭିତରେ ଦେଖାଯାଇଥାଏ ଯାହାକୁ ବିଶ୍ୱାସର ବିକାଶଭାବରେ ଲୋକତତ୍ତ୍ୱରେ ଗ୍ରହଣକରାଯାଏ । ଅତଏବ, ବିଶ୍ୱାସର ବିଭିନ୍ନସ୍ୱରୂପକୁ ଏଠାରେ ନିମ୍ନଭାବରେ ଆଲୋଚନା କରାଯାଇପାରେ

ପ୍ରକ୍ରିୟା


କାଉ ରାବିବା ଏକ ସ୍ୱାଭିବିକ ପ୍ରକ୍ରିୟା । କିନ୍ତୁ ତାହାକୁନେଇ ଆମେ ବିଭିନ୍ନ ଅବଧାରଣା ସୃଷ୍ଟି କରିଥାଉ ଯେ, କିଛି ଖବରଆସିବ, କେହି ଅତିଥି ଆସିବେ । ସେହିପରି, ଅନେକ ସମୟରେ ଆମେ କଥାବାର୍ତ୍ତା କଲାବେଳେ ଝିଟିପିଟିଟିଏ ଟିକ୍‌ଟିକ୍ କରିବା ମଧ୍ୟ ଏକ ସାଧାରଣ ପ୍ରକ୍ରିୟା; କିନ୍ତୁ, ଆମେ ସେହି ପ୍ରକ୍ରିୟାରୁ ଆମର ପାରମ୍ପରିକ ଅବଧାଣାକୁ ଆଧାରକରି ମନେକରିଥାଉ ଯେ ଯାହାକୁହାଗଲା ତାହା ସତ । ଅତଏବ, ଏହିପରି ଅନେକ ସାଧାରଣ ଏବଂ ସ୍ୱାଭାବିକ ପ୍ରକ୍ରିୟାରୁ ଆମେ ଆମର ବିଶ୍ୱାସ ନିର୍ମାଣ କରିଥାଉ ।

ଘଟଣାକ୍ରମ 


ଆମେ ଯାତ୍ରା କଲାବେଳେ ରାସ୍ତାସାମ୍ନାକୁ ବିଲେଇଟିଏ ଆସିବା ଏକ ଘଟଣାକ୍ରମ, କିମ୍ବା ଛୋଟଶିଶୁଟିଏ ରାତିରେ ଶୋଇବାଖଟରୁ ପଡିଯିବା ଏକ ଦୁର୍ଘଟଣା ହୋଇାପାରେ । ଅନୁରୂପଭାବରେ, କୌଣସି ଶୁଭକାର୍ଯ୍ୟବେଳେ ଛିଙ୍କ ଆସିବା, ତେଲ ଲଗାଇଲାବେଳେ ତେଲ ବୋତଲ ଗଡିଯାଇ ତେଲ ମାଟିରେ ପଡିଯିବା ପ୍ରଭୃତି ମଧ୍ୟ ଏକଏକ ଘଟଣା, କିନ୍ତୁ ଆମେ ଏଥିରୁ ଆମର ପାରମ୍ପରିକ ଦୃଷ୍ଟିକୋଣରୁ ବିଭିନ୍ନ ଅବଧାରଣା ସୃଷ୍ଟି କରିଥାଉ ଆଉ ସେସବୁକୁ ବଳବତ୍ତର ରଖୁ । ଆମେ ଆମର ଦୈନନ୍ଦିନ ଜୀବନର ନାନା ଘଟଣା-ଦୁର୍ଘଟଣାକୁ ଆଧାରକରି ମଧ୍ୟ ବିଭିନ୍ନ ଅବଧାରଣାର ବିକାଶ କରିଥାଉ ଯେପରିକେହିକେହି ଦୋକାନୀ ନିର୍ଦ୍ଦିଷ୍ଟ ଏକ ଗ୍ରାହକ ପ୍ରଥମେ ବଇନିକଲେ ସେଦିନ ଭଲବେପାର ହେବବୋଲି ଭାବିବା ।

ରୀତିନୀତି


ଆମର ସାମାଜିକ ସାଂସ୍କୃତିକ ରୀତିନୀତିରେ ଅନେକ ଅବଧାରଣା ପରମ୍ପରାକ୍ରମେ ଚାଲିଆସିଛି, ଏହାକୁ ଆମେ ସହଜଭାବରେ ପ୍ରତ୍ୟାଖ୍ୟାନକରିବା ସମ୍ଭବନୁହେଁ । ଜନ୍ମ-ମୃତ୍ୟୁ-ବିବାହ ଅବସରରେ ପାଳନ କରାଯାଉଥିବା ବିଭିନ୍ନ କ୍ରିୟାକର୍ମ ତଥା ବିଭିନ୍ନ ପର୍ବପର୍ବାଣି ଅବସରରେ ପାଳନ କରାଯାଉଥିବା ଅନେକ ନୀତିନିୟମଜନିତ ଆମର ଅବଧାରଣା, ଆମର ବିଶ୍ୱାସକୁ ଆମେ ଉପେକ୍ଷା କରିପାରିନଥାଉ । ଅତଏବ, ଆମର ସାମାଜିକ ରୀତିନୀତି, ସାଂସ୍କୃତିକ ପ୍ରକ୍ରିୟା ଆମଭିତରେ ଅନେକ ବିଶ୍ୱାସ ସୃଷ୍ଟିକରିବାରେ ସହାୟକ ହୋଇଥାଏ । 

ଆରୋପଣ 


ବେଳେବେଳେ ଦେଖାଯାଏ ଆମେ ଆମର ଶିକ୍ଷା ତଥା ସ୍ୱ-ଅବଧାରଣାକୁନେଇ ଅନେକ ପ୍ରକ୍ରିୟାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତନଥାଉ କିନ୍ତୁ ଆମ ସମାଜ ତଥା ଆମ ପରିବାରର ନିକଟତମ ସଦସ୍ୟ ଆମକୁ ସେସମ୍ପର୍କରେ ବାରମ୍ବାର ପ୍ରରୋଚିତ କରିବା ସହିତ ସେସବୁକୁ ବିଶ୍ୱାସ କରିବାକୁ ଏକରକମ ବାଧ୍ୟକରିଥାନ୍ତି, ଅନେକ ସମୟରେ ଆମର ପରିବେଶ ଓ ପରିସ୍ଥିତି ମଧ୍ୟ ଏଥିପାଇଁ ଆମକୁ ବାଧ୍ୟକରିଥାଏ । ଉଦାହରଣସ୍ୱରୂପ, ଅମାବାସ୍ୟା ଏବଂ ପୂର୍ଣ୍ଣିମାଦିନ ଘରଛାଡି ଦୂରସ୍ଥାନକୁ ଯାତ୍ରାକରିବା ଅଶୁଭ । ଜଣେ ସଦସ୍ୟ ଏହାକୁ ଗ୍ରହଣକରିନପାରନ୍ତି କିନ୍ତୁ ପରିବାରର ଅନ୍ୟମାନେ ଏହାକୁ ବିଶ୍ୱାସକରୁଥିଲେ ସେମାନେ ତାହାଙ୍କୁ କେବେବି ଯାତ୍ରାକରିବାକୁ ଦେବେନାହିଁ । ଅନୁରୂପଭାବରେ, ପଶ୍ଚିମ ଓଡିଶାରେ ନୂଆଖାଇ ପୂର୍ବରୁ କେହି ନୂଆଚାଉଳର ଭାତ ଖାଆନ୍ତିନାହିଁ, ଏ କ୍ଷେତ୍ରରେ ଜଣେ ଉଚ୍ଚଶିକ୍ଷିତ ବୋହୂଟିଏ ନୂଆଚାଉଳ ରୋଷେଇକଲେ ଅସୁବିଧା କଣ ଭାବି ଯଦି ସେପରି କରିବାକୁ ଯିବ ତେବେ ପରିବାରର ଅନ୍ୟ ସଦସ୍ୟ କେବେ ବି ତାହା କରିବାକୁଦେବେନାହିଁ । ଅତଏବ, କିଛିକିଛି ଅବଧାରଣା ଆମ ଉପରେ ଆମ ଗୋଷ୍ଠୀର ଅନ୍ୟ ସଦସ୍ୟ ଆରୋପିତ ମଧ୍ୟ କରିଥାନ୍ତି, ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରିବା ଅନେକ ସମୟରେ ସମ୍ଭବ ହୋଇ ନ ଥାଏ ।

ଆହରଣ


ବିଶ୍ୱାସର ଆହରଣ ବା ପରିବେଶ ପରିସ୍ଥିତି ଓ ପ୍ରସଙ୍ଗକ୍ରମେ ଅନୁରୂପ ନୂତନ ବିଶ୍ୱାସର ବିକାଶ ଆମ ପାରମ୍ପରିକ ଅବଧାରଣାରେ ଆମର ଶିକ୍ଷା ତଥା ଅନ୍ୟଗୋଷ୍ଠୀ ଅନ୍ୟସଂସ୍କୃତିର ଅନ୍ତଗ୍ରର୍ହଣକୁ ସୂଚାଇଥାଏ, ତଥା ଆମରଚିନ୍ତା ଆମର ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣଗତ ସ୍ୱ-ଅବଧାରଣାକୁ ପ୍ରକାଶିତ କରିଥାଏ । ପ୍ରବନ୍ଧର ପ୍ରାରମ୍ଭରେ ଧନତେରାସରେ ସୁନାକିଣିବା ଏବଂ ଗୃହରେ ଲାଫିଙ୍ଗ ବୁଦ୍ଧ ରଖିବା କଥା ଉଲ୍ଲେଖ କରାଯାଇଛି ଯାହା ଆମର ଶିକ୍ଷା ତଥା ଆହରିତ ବିଶ୍ୱାସର ପରିଚାୟକ । ସେହିପରି, ଶୁକ୍ରବାର ଦିନ ସନ୍ତୋଷୀ ମାଆଙ୍କୁ ବିଶ୍ୱାସକରି ଖଟା ନଖାଇବା ମଧ୍ୟ ଓଡିଶାର ଲୋକଗୋଷ୍ଠୀ ପାଇଁ ଏକ ଆହରିତ ବିଶ୍ୱାସ । ଅତଏବ, ଗୋଟିଏ ଲୋକଗୋଷ୍ଠୀ ଆଉ ଗୋଟିଏ ଲୋକଗୋଷ୍ଠୀର ସଂସ୍ପର୍ଶରେଆସିଲେ ପରସ୍ପର ମଧ୍ୟରେ ବିଶ୍ୱାସର ଆହରଣ ମଧ୍ୟ ସମ୍ଭବ ହୋଇଥାଏ । 

No comments:

Post a Comment