Friday, January 12, 2018

ବିଶ୍ୱାସଏକ ଲୋକତାତ୍ତ୍ୱିକ ଅବଧାରଣା - ୫


ସଞ୍ଜୟ କୁମାର ବାଗ


ଉଡ୍‌କଟ୍ ଚିତ୍ର - 'ଡାହାଣୀମାନେ' (୧୫୦୮)
ଜର୍ମାନ ଚିତ୍ରକର ହାନ୍‌ସ୍ ବାଲ୍‌ଡୁଙ୍ଗ୍ (୧୪୮୪-୧୫୪୫)ଙ୍କର କାମ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ବିଶ୍ୱାସର ପରିବେଷଣ


ଲୋକଧାରାର ପ୍ରତ୍ୟେକ ଉପାଦାନ ଆଦାନପ୍ରଦାନ ତଥା ପରିବେଷଣ ଉପରେ ନିର୍ଭର କରେ । ପ୍ରତ୍ୟେକ ଲୋକଗୋଷ୍ଠୀରେ ପ୍ରଚଳିତ ବିଶ୍ୱାସ ଏକଏକ ପରିବେଷଣ ମଧ୍ୟରେ ହିଁ ତାହା ସମକାଳୀନ ହୋଇଥାଏ ତଥା ତାହାର ଗୁରୁତ୍ୱ ରହିଥାଏ । ପ୍ରତ୍ୟେକ ଲୋକଗୋଷ୍ଠୀରେ ଆମେ ବ୍ୟକ୍ତିଗତ ଏବଂ ସାମାଜିକ ଭାବରେ ବିଶ୍ୱାସ ପ୍ରକରଣ ସହିତ ପାଳନ ଏବଂ ପରିବେଷଣ ଦେଖିବାକୁ ପାଇଥାଉ । ସେହିପରି, ଅନେକ ରୀତିନୀତିଗତ ବିଶ୍ୱାସ ତଥା ସାମାଜିକ କର୍ମକର୍ମାଣିଆଧାରିତ ବିଶ୍ୱାସର ଧାରା ଦେଖିବାକୁମିଳେ । ଏଠାରେ ବିଶ୍ୱାସର ପରିବେଷଣ ସହିତ ଏହାର ବିଭିନ୍ନ ଆୟାମ ତଥା ନିବାରଣ ପ୍ରକ୍ରିୟା ଉପରେ ସଂକ୍ଷେପରେ ଆଲୋଚନା କରିପାରିବା— 


ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ପରିବେଷଣ 


ଗୋଟିଏ ଲୋକଗୋଷ୍ଠୀରେ ଆମେ ଉଭୟ ବ୍ୟକ୍ତିଗତ ଏବଂ ସାମାଜିକସ୍ତରରେ ବିଭିନ୍ନ ବିଶ୍ୱାସର ପ୍ରଚଳନ ଦେଖିବାକୁ ପାଇଥାଉ । ପ୍ରକୃତରେ, ବିଶ୍ୱାସ ସବୁବେଳେ ସମ୍ପୃକ୍ତ ଲୋକଗୋଷ୍ଠୀକୁ ଆଧାରକରିଥାଏ, ଅତଏବ ଏହା ପ୍ରାୟତଃ ଗୋଷ୍ଠୀଗତ । ତେବେ, ଅନେକ ବିଶ୍ୱାସର ପରିପାଳନ, ପରିବେଷଣ ସମ୍ପୃକ୍ତ ବ୍ୟକ୍ତିବିଶେଷ ଉପରେ ହିଁ ନିର୍ଭର କରିଥାଏ । ଉଦାହରଣସ୍ୱରୂପ, ଯାତ୍ରାକାଳରେ ବିଲେଇ ଦେଖିଲେ ଟିକିଏ ପଛକୁ ବୁଲିପଡିବାକୁ କେହିକେହି ଗୁରୁତ୍ୱ ଦେଇନପାରନ୍ତି, ସେହିପରି ଗୋଟିଏ ଭୌଗୋଳିକ ପରିସରରେ ଶୁକ୍ରବାର ଦିନ ଖଟା ନଖାଇବା ମଧ୍ୟ ଏକ ବ୍ୟକ୍ତିଗତ ବିଶ୍ୱାସ । କିନ୍ତୁ, ନୂଆଖାଇ ପୂର୍ବରୁ ନୂଆଚାଉଳର ଭାତ ନଖାଇବା, କାଉରାବିଲେ ଭଲ କିମ୍ବା ମନ୍ଦ ଖବର ମିଳିବାର, ଘରକୁ ଅତିଥି ଆସିବାର ସମ୍ଭାବନାଥିବା ଆଦି ବିଶ୍ୱାସ ସମ୍ପୃକ୍ତ ସାମାଜିକ ଗୋଷ୍ଠୀର ବ୍ୟକ୍ତିଗତ ବିଶ୍ୱାସନୁହେଁ ପ୍ରାୟ ସଦସ୍ୟଙ୍କ ଭିତରେ ଏହି ଅବଧାରଣା ଆମେ ଦେଖିବାକୁ ପାଇଥାଉ । 

ରୀତିନୀତିଗତ ପରିବେଷଣ 


ପ୍ରତ୍ୟେକ ଲୋକଗୋଷ୍ଠୀରେ ପର୍ବପର୍ବାଣି, ସାମାଜିକ ରୀତିନୀତି ପାଳନ ସମୟରେ ଅନେକ ପ୍ରକ୍ରିୟା ବିଶ୍ୱାସ ଆଧାରିତ ହୋଇଥାଏ । ଏହା ପ୍ରାୟତଃ ଗୋଷ୍ଠୀଗତ ଏବଂ ଏକପ୍ରକାର ବାଧ୍ୟତାମୂଳକହେବାସହ ଏହାକୁ ଉପେକ୍ଷାକରିବା ବେଳେବେଳେ ଅସମ୍ଭବ । ବିହନଛିନା ଦିନ ବିହନ ଛିନିବା, ମୃତବ୍ୟକ୍ତିର ଶୁଦ୍ଧିକ୍ରିୟାରେ ବିଭିନ୍ନ ଲୋକଗୋଷ୍ଠୀର ସଦସ୍ୟ ମୁଣ୍ଡନ କରେଇବା, ପଶ୍ଚିମ ଓଡିଶାରେ ନୂଆଖାଇ ଦିନ ନବାନ୍ନକୁ ନିଜର ପିତୃପୁରୁଷା, ଡୁମା-ଦେବତାକୁ ପ୍ରଥମେ ଅର୍ପଣ କରିବା, କେତେକ ଗୋଷ୍ଠୀରେ ଗାଈଶାଳ, ରୋଷେଇ ଘରେ ରଜସ୍ୱଳା ନାରୀର ପ୍ରବେଶ ଜନିତ ନିଷେଧାଜ୍ଞା’— ଏହିସବୁ ବିଶ୍ୱାସର ପାଳନ ବା ପରିବେଷଣକୁ ଆମେ ରୀତିନୀତିଗତ ପରିବେଷଣ ଭାବରେ ଗ୍ରହଣ କରିପାରିବା ।

ଆଙ୍ଗିକ ପରିପ୍ରକାଶ


ଗାଈଶାଳ, ରୋଷେଇ ଘରେ ରଜସ୍ୱଳା ନାରୀର ପ୍ରବେଶ ଜନିତ ନିଷେଧାଜ୍ଞା, ନୂଆଖାଇ ଦିନ ନିଜର ପିତୃପୁରୁଷା, ଡୁମା-ଦେବତାକୁ ପ୍ରଥମେ ନବାନ୍ନ ଅର୍ପଣକରିବା, ମୃତବ୍ୟକ୍ତିର ଶୁଦ୍ଧିକ୍ରିୟାରେ ବିଭିନ୍ନ ଲୋକଗୋଷ୍ଠୀର ସଦସ୍ୟ ମୁଣ୍ଡନ କରେଇବାଏକଏକ ଆଙ୍ଗିକ ପରିପ୍ରକାଶ ବା ପ୍ରକ୍ରିୟା ଯୋଉ ମାଧ୍ୟମଦେଇ ଆମେ ଆମର ବିଶ୍ୱାସର ପ୍ରଦର୍ଶନ ଓ ପ୍ରକରଣ କରିଥାଉ । ସେହିପରି, ‘କିରିଆ ଭାଙ୍ଗିବାପାଇଁ ଓଳିତଳେ ଠିଆହୋଇ ପାଣିପକେଇବା, ବିଲେଇ ସାମ୍ନାକୁଆସିଲେ ଟିକିଏ ଅଟକିଯିବା, ନହେଲେ ଟିକିଏ ପଛକୁ ବୁଲିପଡି ପୁଣି ଗନ୍ତବ୍ୟ ପଥରେ ବାହାରିବା ଆଦି ବିଶ୍ୱାସ ପରିବେଷଣର ଏକଏକ ଆଙ୍ଗିକ ପରିପ୍ରକାଶ ।

ଭାଷିକ, ପରା-ଭାଷିକ, ନୈର୍ବାଚିକ ପରିପ୍ରକାଶ 


ରାଣଖାଇବା, ଉଲ୍‌କାପାତ ସମୟରେ ମନସ୍କାମନା କରିବା, ମନ୍ତ୍ର ଉଚ୍ଚାରଣ କରିବା ଆଦିକୁ ଭାଷିକ ପରିପ୍ରକାଶ ଭାବରେ ଗ୍ରହଣ କରିବା । ସେହିପରି, ରୋଗ ବା ଡାଆଣୀ ଭଲକରିବାକୁଯାଇ ଗୁଣିଆ ବା ଦିଶାରୀର ଝାଡଫୁଙ୍କ ପ୍ରକ୍ରିୟା, ଭୁତପ୍ରେତଦାଉରୁ ରକ୍ଷାକରିବା ପାଇଁ ଗୁଣିଆ ସମ୍ପୃକ୍ତ ଗୃହକର୍ତ୍ତାଙ୍କ ଘରକିଳିବା; ଅନୁରୂପଭାବରେ, ଝିଟିପିଟିର ଟିକ୍‌ଟିକ୍, ଫଳନ୍ତି ଗଛକୁ ତର୍ଜନୀ ଦେଖାଇବା, କାଉରାବିବା, କାଳିସୀଲାଗିବା ଆଦିକୁ ଆମେ ପରାଭାଷିକ ଏବଂ ନୈର୍ବାଚିକ ପରିପ୍ରକାଶ ଭାବରେ ଗ୍ରହଣକରିପାରିବା । 

ନିବାରଣ 


ପୂର୍ବରୁ ଉଲ୍ଲେଖକରାଯାଇଛି ଯେ ଯେତେବେଳେ କୌଣସି ଘଟଣା ପ୍ରକ୍ରିୟାରେ ଆମ ଭିତରେ ନକାରାତ୍ମକ ବା ଋଣାତ୍ମକ ବିଶ୍ୱାସର ପ୍ରକରଣହୁଏ ସେତେବେଳେ ଆମେ ଏହାର ନିବାରଣପାଇଁ ଚେଷ୍ଟାକରିଥାଉ । ଉଦାହରଣସ୍ୱରୂପ, ଡାଆଣିଲାଗିଛି ବୋଲି ଭାବିଲେ ଗୁଣିଆକରିବା, ଗ୍ରହଦୋଷର ବିଶ୍ୱାସରୁ ଟଲାଭଙ୍ଗାକରିବା, ବସନ୍ତ ବିସୂଚିକାରେ ଗାଁ ଠାକୁରାଣୀଙ୍କ ପାଖରେ ଅଧିଆପଡିବା ତଥା ମାନସିକକରିବା ଆଦି ପ୍ରକ୍ରିୟାକୁ ନିଆଯାଇପାରେ । ସେହିପରି, ସାପକାମୁଡାରେ ଡାକ୍ତରୀ ଚିକିତ୍ସାନକରି ଝାଡଫୁଙ୍କ କରିବା ମଧ୍ୟ ଏହାର ଏକ ପ୍ରକୃଷ୍ଟ ଉଦାହରଣ । ଏହି ନିବାରଣ ପ୍ରକ୍ରିୟାରେ ବେଳେବେଳେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଥାଆନ୍ତି ତ କେତେବେଳେ ସମ୍ପୃକ୍ତ ସାମାଜିକ ଗୋଷ୍ଠୀର ଯେକୌଣସି ସଦସ୍ୟ ଏହି ପ୍ରକ୍ରିୟା ସମ୍ପାଦନ କରିପାରନ୍ତି । ଉଦାହରଣସ୍ୱରୂପଡାଆଣି ତଥା ଝାଡଫୁଙ୍କପାଇଁ ଗୁଣିଆ, ବସନ୍ତବିସୂଚିକାରେ ଗାଁ ପୂଜାରୀ ବା ଦିଶାରୀ, ଶିଶୁ ଖଟରୁପଡିଯିବା କ୍ଷେତ୍ରରେ ଶିଶୁର ମାଆ, କିରିଆଭାଙ୍ଗିବା କ୍ଷେତ୍ରରେ ଯେକୌଣସି ହୁରିଆ ସମ୍ପର୍କୀୟ ।

ନିବାରଣର ଉପକରଣ/ଆନୁଷଙ୍ଗିକ 


ବିଶ୍ୱାସ ପ୍ରକ୍ରିୟାରୁ ଯେତେବେଳେ ଋଣାତ୍ମକ ତଥା ନକାରାତ୍ମକ ଅବଧାରଣା ଆସେ ଏବଂ ତାହାର ନିବାରଣ ପ୍ରକ୍ରିୟା ପାଳନ କରାଯାଏ ସେତେବେଳେ କେତେକ କ୍ଷେତ୍ରରେ ବିଭିନ୍ନ ଉପକରଣର ଉପଯୋଗ ଅନିବାର୍ଯ୍ୟ ହୋଇଥାଏ । ଏବଂ, ବିଶ୍ୱାସ ପ୍ରକ୍ରିୟାର ପାଳନ ଓ ପରିବେଷଣରେ ଏହାର ଭୂମିକା ସମ୍ପୃକ୍ତ ଲୋକଗୋଷ୍ଠୀରେ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ମନେହୁଏ । ଶିଶୁ ଖଟରୁପଡିଯିବା କ୍ଷେତ୍ରରେ ପଡିଶା ଘରର ସାତଢାଳ ପାଣି, ରୋଗବହଲାରେ ରୋଗଭାର, ଡାଆଣିଖେଦାରେ ଗୁଣିଆର ପୂଜାପାଠ ତଥା ମନ୍ତ୍ର, ‘ହରାଲି ଉଆସଁ‍ ଦିନ ସୁନାରୀ, ବନହଳଦୀ, ଖଏଁସ ଡାଳ ଏବଂ ଲହୁାଗୁଁ ଆଦିକୁ ଏହାର ନିବାରକ ଉପକରଣ ଭାବରେ ଗ୍ରହଣକରାଯାଇପାରେ ।

ଯେକୌଣସି ବିଶ୍ୱାସ ସେ ନକାରାତ୍ମକ ବା ସକାରାତ୍ମକ ହେଉ, ସବୁ ଗୋଟିଏ ଗୋଟିଏ ପାରମ୍ପରିକ ଗୋଷ୍ଠୀର ଜୀବନଧାରା । ଏହା ସହିତ ଆମର ସାମାଜିକ-ସାଂସ୍କୃତିକତା ଜଡିତ ତଥା ଆମର ଦୈନନ୍ଦିନ ଜୀବନକୁ ବିଭିନ୍ନଭାବରେ ପ୍ରଭାବିତ କରିଥାଏ । ଏସବୁକୁ ଆମେ ଅନ୍ଧବିଶ୍ୱାସ ଭାବରେ ଗ୍ରହଣକରି ଏହାର ଅଧ୍ୟୟନକୁ ଉପେକ୍ଷା କରିପାରିବାନାହିଁ । ଲୋକଧାରାର ଅନ୍ୟାନ୍ୟ ଲୋକ ଉପାଦାନଭଳି ବିଭିନ୍ନ ବିଶ୍ୱାସର ପାଳନ ଏବଂ ପରିବେଷଣ ସମ୍ପୃକ୍ତ ଲୋକଗୋଷ୍ଠୀର ସଦସ୍ୟଙ୍କ ଭିତରେ ଆଦାନପ୍ରଦାନ, ଗୋଷ୍ଠୀଜୀବନପ୍ରତି ପ୍ରତିବଦ୍ଧତା, ପାରସ୍ପରିକ ଗ୍ରହଣଶୀଳତା, ସାମାଜିକ-ସାଂସ୍କୃତିକ ବିଧିବଦ୍ଧତା, ‘ସାମାଜିକତାର ପ୍ରତିଷ୍ଠାପନ, ସାଂସ୍କୃତିକ ପରିଚିତି ନିର୍ମାଣ ତଥା ଏହାର ପୁନଃପ୍ରତିଷ୍ଠା ଆଦିରେ ସହାୟକ ହୋଇଥାଏ, ଏଣୁ ଏସବୁର ବିଧିବଦ୍ଧ ଲୋକତାତ୍ତ୍ୱିକ ଅଧ୍ୟୟନ ଆବଶ୍ୟକ ମନେହୁଏ । (ସମାପ୍ତ)

No comments:

Post a Comment