Sunday, July 08, 2018

ହର୍ହେ ଲୁଇସ ବୋର୍ହେସ୍‌ଙ୍କର 'ଆଇନା ଓ ମୁଖା'

ଅନୁବାଦ - ଜ୍ୟୋତି ନନ୍ଦ


ଆଇସଲ୍ୟାଣ୍ଡୀୟ ଯୋଦ୍ଧା (ସପ୍ତଦଶ ଶତାବ୍ଦୀର ଚିତ୍ର)

କ୍ଲୋଷ୍ଠାର୍ଫର ଯୁଦ୍ଧ ଶେଷ, ନରୱେ ହାରି ଯାଇଛି । ଆୟାରଲାଣ୍ଡର ମହାରାଜ ତାଙ୍କର ସଭାକବି ସହ ଖୁସି ଗପ କରୁଛନ୍ତି । କହିଲେ, "ଏତେ ବଡ଼ ଗୋଟିଏ ବିଜୟ ହେଲା, ଏ କଥା ଯଦି ଭାଷାରେ ଲେଖା ନ ହୁଏ ତେବେ ଏହାର ଯେତିକି ସଫଳତା ଅଛି ସବୁ ହଜି ଯିବ ।ଆମର ଏଇ ବିଜୟକୁ ନେଇ ମୁଗ୍ଧତାର ସହ ଗୋଟିଏ ସ୍ତ୍ରୋତ୍ର ରଚନା କର ।ମୁଁ ଚାହିଁବି ତମେ ମୋ ଜୟକାହାଣୀର ଗୀତ ବି ଗାଅ । ମୁଁ ହେବି ଈନିସ୍ ଆଉ ତମେ ହେବ ମୋର ଭର୍ଜିଲ୍ । ତମ ଭିତରେ କ'ଣ ଏତିକି ସାମର୍ଥ୍ୟ ରହିଛି ଯାହା ଆମ ଦି' ଜଣଙ୍କୁ ଅମର କରିଦେଇ ପାରିବ ?"

"ହଁ ମହାରାଜ", ଚାରଣକବି କହିଲେ ।" ମୁଁ ଓଲାନ୍ । ବାରୋଟି ଶୀତଋତୁ ମୁଁ ଅଳଙ୍କାର ଶାସ୍ତ୍ର ଚର୍ଚ୍ଚା କରିଛି । ମୁଖସ୍ଥ କରିଛି ପ୍ରକୃତ କବିତାରେ ଗଢ଼ି ଉଠିଥିବା ତିନି ଶହ ଷାଠିଏ ଉପାଖ୍ୟାନ । ବୀଣାର ତାରରେ ବାନ୍ଧିଛି ଉଲଷ୍ଟାର୍ ଆଉ ମୁନଷ୍ଟାର୍‌ର ଚକ୍ର ଗୁଡ଼ିକୁ ।ଆମ ଭାଷାରେ ଥିବା ପ୍ରାଚୀନ ଶବ୍ଦ, ଆଉ ଜଟିଳ ରୂପକର ବ୍ୟବହାର କରି ସୂତ୍ରଗୁଡ଼ିକୁ ଭଲ ଭାବରେ ସାଧିଛି । ଲେଖାର ଚାବିକାଠି ମୋ ନଖଦର୍ପଣରେ । ମୁଁ ବେଶ୍ ଦକ୍ଷ । ଯେଉଁ ସବୁ ରୀତିରହସ୍ୟ ଦଳେ ସାଧାରଣଙ୍କ ଠାରୁ ଅଲଗା ଏକ ଅଭିନ୍ନ ଦୃଷ୍ଟି ହୋଇ ଶିଳ୍ପକୁ ରକ୍ଷା କରିଥାଏ, ମୁଁ ଆୟତ୍ତ କରିଛି । ଆପ୍ୟାୟନ କରି ପାରିବି ପ୍ରେମକୁ, ଗାଭୀତସ୍କରକୁ, ଭ୍ରମଣକୁ, ଯୁଦ୍ଧକୁ । ଆୟାରଲାଣ୍ଡର ରାଜପ୍ରାସାଦର ସକଳ ପୌରାଣିକ ଭାଷ୍ୟକୁ, ବଂଶ ଇତିହାସକୁ ମୁଁ ଜାଣେ । ମୁଁ ଆୟତ୍ତ କରିଛି ବୈଧ ଫଳିତ ଜ୍ୟୋତିଷୀ ବିଦ୍ୟା, ଗଣିତ, କମାଣନୀତି, ଓ ବୃକ୍ଷଶକ୍ତି । ଯେତେକ ସାଧାରଣ ପ୍ରତିଯୋଗିତାରେ ମୁଁ ପରାସ୍ତ କରିଛି ସବୁ ପ୍ରତିଦ୍ୱନ୍ଦୀଙ୍କୁ । ପ୍ରହସନ ରଚନାରେ ମୁଁ ଦକ୍ଷ, ଏହା ଚମଡ଼ାକୁ ଦୁର୍ବଳ କରିଦେଇ ପାରେ, କୁଷ୍ଠରୋଗୀକୁ ବି । ମୁଁ ଜାଣିଛି କେମିତି ତଲବାର୍ ବୁଲାଇବାକୁ ହେବ, ଆପଣଙ୍କ ଯୁଦ୍ଧ ତାହାର ପ୍ରମାଣ । ମୁଁ କେବଳ ଗୋଟିଏ କଥାରେ ଅଜ୍ଞ ରହିଛି ଏ ଯାଏଁ, ଆପଣ ଯେତେବେଳେ ମୋତେ ପୁରସ୍କୃତ କରନ୍ତି ସେତେବେଳେ କେମିତି ଆପଣଙ୍କୁ ଧନ୍ୟବାଦ ଜଣାଇବା ଉଚିତ ।"

ରାଜା ତ ସହଜେ କ୍ଳାନ୍ତ ହୋଇ ଯାଆନ୍ତି ଏଇମିତି ଦୀର୍ଘ ବକ୍ତୃତାରେ, ବିଶେଷରେ ବାହାରୁ କିଏ ଜଣେ କହିଲେ, ଏବେ ସ୍ୱସ୍ତି ନିଃଶ୍ୱାସ ମାରି କହିଲେ, "ଏ ସବୁ ମୁଁ ଭଲ ଜାଣେ । କହୁଥିଲି ସମ୍ପ୍ରତି ନାଇଟିଙ୍ଗେଲ୍ ଗୀତ ଗାଉଛି ଇଂଲଣ୍ଡରେ । ବର୍ଷା ଆଉ ବରଫ ପଡ଼ିବା ଶେଷ ହୋଇ ଯାଇଛି, ଦକ୍ଷିଣ ଦେଶରୁ ଫେରିଛି ନାଇଟିଙ୍ଗେଲ୍, ଠିକ୍ ଏତିକି ବେଳେ ଦରବାରରେ ସମସ୍ତଙ୍କ ସାମ୍ନାରେ ସବୁ ଚାରଣକବିଙ୍କ ଉପସ୍ଥିତିରେ ତମକୁ ତମର ସ୍ତ୍ରୋତ୍ର ଗୁଡିକୁ ପଢ଼ିବାକୁ ପଡ଼ିବ । ବର୍ଷଟିଏ ସମୟ ତମକୁ ଦେଉଛି । ତମେ ତମର ପ୍ରତିଟି ଶବ୍ଦ ଭାଷା ପରିମାର୍ଜନ କରିବ ।ଆଉ ପୁରସ୍କାର, ଏ ଯାଏଁ ଆମ ରାଜପ୍ରଥା ହିସାବରେ ତମେ ଯାହା ଜାଣିଛ ତାହାଠାରୁ କମ୍ ହେବ ନାହିଁ, ଏପରିକି ତାହା ତମର ବିନିଦ୍ର ରଜନୀ ସମୂହକୁ ଆଦୌ ନିରୁତ୍ସାହ କରିବ ନାହିଁ ।"

"ମହାରାଜ, ଆପଣଙ୍କର ଶ୍ରୀମୁଖ ଦେଖିବାଠାରୁ ଅଧିକ ବଡ଼ ପୁରସ୍କାର କିଛି ନାହିଁ" । କବି କହିଲେ । ସେ କବି ବି ଜଣେ ସଭାସଦ । ମୁଣ୍ଡ ତଳକୁ କଲେ, ଉପରକୁ ମୁଣ୍ଡ ଉଠାଇଲେ ଆଉ ସେହି ଫାଙ୍କରେ ଝଲସି ଉଠିଥିଲା ଗୋଟିଏ ଦୁଇଟି ସ୍ତବକ କାବ୍ୟର ।

ବର୍ଷଟିଏ ଘୁରି ଆସିଲା, ବର୍ଷଟି ଥିଲା ମହାମାରିର ଆଉ ବିପ୍ଳବର, କବି ତାଙ୍କର ରଚିତ ସ୍ତୋତ୍ର ଉପହାର ଦେଲେ । ପାଣ୍ଡୁଲିପିକୁ ନ ଦେଖି ଧିରେ ଅଥଚ ମନ୍ଦ୍ରିତ କଣ୍ଠରେ କାବ୍ୟପାଠ କଲେ କବି । ମୁଣ୍ଡ ହଲାଇ ସମ୍ମତି ଜଣାଉଥିଲେ ରାଜା ନିଜ ସିଂହାସନରୁ । ତାଙ୍କର ଅଭିବ୍ୟକ୍ତିକୁ ଅନୁକରଣ କରୁଥିଲେ ସମସ୍ତ ସଭାସଦ । ଏପରିକି ଝରକା ବାହାରେ ଜମା ହୋଇଥିଲେ ସେତେବେଳେ ଯେଉଁମାନେ, ଗୋଟିଏ ବର୍ଣ୍ଣ ନ ବୁଝି ପାରିବା ସତ୍ତ୍ୱେ ବି, ସେମାନେ ନିଜନିଜର ମୁଣ୍ଡ ହଲାଇ ସମର୍ଥନ ଜଣାଉ ଥିଲେ । ଶେଷରେ ରାଜା କହିଲେ, 

"ମୁଁ ତମର ପରିଶ୍ରମକୁ ସ୍ୱୀକାର କରୁଛି । ଏହା ଆଉ ଏକ ବିଜୟ । ତମେ ପ୍ରତିଟି ଶବ୍ଦର ପ୍ରକୃତ ଅର୍ଥ ଦେଇଛ, ପ୍ରତିଟି ବାସ୍ତବ ଅସ୍ତିତ୍ୱର ବିଶେଷଣକୁ ପ୍ରାଚୀନ କବିଙ୍କ ରୀତି ଅନୁସାରେ ପ୍ରୟୋଗ କରିଛ । ତମର ସ୍ତ୍ରୋତ୍ରରେ ଏମିତି କିଛି କଳ୍ପନା ନାହିଁ ଯାହା ଧୃପଦୀ ଲେଖକଙ୍କ ଲେଖାରେ ନ ଥିଲା । ଯୁଦ୍ଧ ହେଉଛି ମଣିଷର ସୁନ୍ଦର ବୁଣାକାରୀଟିଏ, ଆଉ ରକ୍ତ ହେଉଛି ତରବାରୀର ପାନୀୟ । ସମୁଦ୍ର ତାହାର ଦେବଦେବୀ ଓ ମେଘମାଳା ତାହାର ଭବିଷ୍ୟ କହିବାରେ ସନ୍ତୁଷ୍ଟ । ସୁଦକ୍ଷ ଭାବରେ ବ୍ୟବହାର କରିଛ ଶ୍ଳୋକ, ଅନୁପ୍ରାସ, ଧ୍ୱନୀସାମ୍ୟ ତାହାର ସାଦୃଶ୍ୟ, ପରିମିତି; ସୁଚାରୁ ଭାବେ ବ୍ୟବହାର କରିଛ ଅଳଙ୍କାର, ନାନାବିଧ ଚାତୁର୍ଯ୍ୟମୟ ବାକମୟତା । ଯଦି ଆୟାରଲାଣ୍ଡର ସମସ୍ତ ସାହିତ୍ୟ ଧ୍ୱଂସ ହୋଇଯାଏ - ଧ୍ୱଂସ ହେଉ - ତେବେ ତମର ଧୃପଦୀ ଗୀତରୁ ଏହାର ଅବିକଳ ପୁନର୍ନିମାଣ ସମ୍ଭବ । ତିରିଶ ଜଣ ଲେଖକ ପ୍ରତ୍ୟକେ ବାର ଥର ଲେଖାଏଁ ତମର କାବ୍ୟର ଅନୁଲିପି ପ୍ରସ୍ତୁତ କରିବେ ।"

ସମସ୍ତେ ଚୁପ୍ । ରାଜା କହି ଚାଲିଥିଲେ, "ସବୁ ଭଲ, ତେବେ ଯେମିତି କିଛି ବି ଘଟିନାହିଁ । ଆମର ଶିରାଧମନୀରେ ରକ୍ତ ଆଉ ଟିକିଏ ଜୋରରେ ବହୁ ନାହିଁ । ଆମର ହାତ ଧନୁଶର ଖୋଜୁ ନାହିଁ । ଭୟରେ କାହାର ମୁହଁ ନୀଳ ପଡ଼ିନି । କେହି ଗର୍ଜନ କରୁନି ଯୁଦ୍ଧ ପାଇଁ ଅଥବା ଛାତି ପାତି ଦେଉ ନାହିଁ କେଉଁ ଭାଇକିଂ ସାମ୍ନାରେ । ବର୍ଷଟିଏ ଶେଷ ହେବା ଆଗରୁ, କବି, ଆମେ ଆଉ ଗୋଟିଏ ପ୍ରଶଂସା ଶୁଣିବାକୁ ଚାହିଁବୁ । ଆମ ସମ୍ମତିର ସୂଚକ ହିସାବରେ ଗ୍ରହଣ କର ଏହି ଦର୍ପଣ, ଦର୍ପଣଟି ରୂପାରେ ।

"ଧନ୍ୟବାଦ, ମୁଁ ବୁଝିଲି ମହାରାଜ", କହିଲେ ଚାରଣକବି ।

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆକାଶରେ ନକ୍ଷତ୍ରମାନେ ସେମାନଙ୍କର ଉଜ୍ଜଳ କକ୍ଷପଥରେ । ଆଉ ଥରେ ସାକ୍ସୋନ୍ ଅରଣ୍ୟରେ ନାଇଟିଙ୍ଗେଲ୍‌ର ଗୀତ, କବି ଫେରିଆସନ୍ତି ହାତରେ ତାଙ୍କର ସଦ୍ୟ ପାଣ୍ଡୁଲିପି,ସଦ୍ୟ ପାଣ୍ଡୁଲିପିଟି ପୂର୍ବ ଅପେକ୍ଷା ଆକାରରେ ଛୋଟ।ସ୍ମୃତିରୁ ଗାଇଯାଉନଥିଲେ କବି ଆଗ ଭଳି, ପାଣ୍ଡୁଲିପି ଦେଖିଦେଖି ପଢୁଥିଲେ,ଅନେକ ପରିମାଣରେ ଦ୍ୱିଧାଗ୍ରସ୍ତ ଥିଲେ କବି ଏଥର।କେତୋଟି ଅନୁଚ୍ଛେଦକୁ ସେ ବାଦ୍ ଦେଇଥିଲେ ସେଥିରୁ, ଯେମିତି ସେ ଏଗୁଡିକୁ ବୁଝିପାରି ନାହାଁନ୍ତି ବା ସେଗୁଡିକୁ ଅପବିତ୍ର କରିବାକୁ ଚାହୁଁ ନାହାଁନ୍ତି।କାବ୍ୟଟି ବିସ୍ମୟକର ଥିଲା।ଏଥିରେ ଯୁଦ୍ଧର ବର୍ଣ୍ଣନା ନଥିଲା,ଏହାହିଁ ଥିଲା ଏକ ଯୁଦ୍ଧ।ଏଇ ଯୁଦ୍ଧ ଭଳି କୋଳାହଳ ଜଣେ ଭିନ୍ନ ଦେବତାର ସଂଗ୍ରାମ।ଗୋଟିଏ ପଟରେ ତିନିଜଣ,ଆର ପଟରେ ଜଣେ,ଆୟାରଲାଣ୍ଡର ତଳସ୍ତରର ଧର୍ମୀୟ ଦେବତା,ଏଲଡର୍ ଏଡା ଆରଂଭ ହେବା ପରେ ଶହଶହ ବର୍ଷ ଧରି ଯେଉଁମାନେ ଯୁଦ୍ଧ ଚଳାଇ ଯାଇଛନ୍ତି।କାବ୍ୟର ଆଙ୍ଗିକଟି ମୋଟେ ଅଦ୍ଭୁତ ନଥିଲା।ଏକ ବଚନ ବିଶେଷ୍ୟଟି ବହୁବଚନର କ୍ରିୟାପଦକୁ ପରିଚାଳନା କରୁଥିଲା।ପଦାନ୍ୱୟୀ ଅବ୍ୟୟଟି ସାଧାରଣ ପ୍ରଥା ଠାରୁ ଭିନ୍ନ ଥିଲା,ଯେମିତି ଅଜଣା।ଯାବତୀୟ କର୍କଶତା ବଦଳି ଯାଇଛି ମଧୁରତାରେ।ରୂପକ ଗୁଡିକ ମୁକ୍ତ ବା ମନେହେଉଥିଲା ଯେମିତି ସେମାନେ ମୁକ୍ତ।

ରାଜା ନିଜ ଚାରିପଟରେ ବେଢ଼ି ରହିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ କିଛି କଥା ବିନିମୟ କଲେ । ତାହା ପରେ ଚାରଣକବିଙ୍କୁ କହିଥିଲେ, "ତମର ପ୍ରଥମ କାବ୍ୟ ସମ୍ପର୍କରେ ଏତିକି କୁହାଯାଇ ପାରିବ ଯେ, ଏଯାଏଁ ଆୟାରଲାଣ୍ଡରେ ଯାହା ଲେଖା ହୋଇ ରହିଛି, ଏହା ସେସବୁର ଏକ ସଂକ୍ଷିପ୍ତ ସାର । ଏହା ସେସବୁଠାରୁ ଭିନ୍ନ, ଯେମିତି ଆଗରୁ ଯାହା ଘଟି ଯାଇଛି, ତାହା ତୁଳନାରେ କିଛି ନୁହଁ ହୋଇ ବାହାରି ଆସିଛି ଏଇଟି । ସ୍ତମ୍ଭିତ କରୁଛି, ଦୃଷ୍ଟି ଆକର୍ଷଣ କରୁଛି, ବିସ୍ମୟକାରୀ । ଅଜ୍ଞାନୀମାନେ ଏହାର ଯଥାଯୋଗ୍ୟ ମୃଲ୍ୟ ଦେବେ ନାହିଁ, ସମସ୍ତ ବିଜ୍ଞାନୀ ମାନେ ବି, ସେମାନଙ୍କ ମଧ୍ୟରୁ ମାତ୍ର କେତେଜଣଙ୍କୁ ବାଦ୍ ଦେଇ । ଏହାର ଗୋଟିଏ ଅନୁଲିପି ହାତୀଦାନ୍ତର ଗହଣାବାକ୍ସରେ ରଖାଯିବ । ଆଉ ଯେଉଁ କଲମରୁ ଏହି ମହାନ କର୍ମଟି ବିରଚିତ, ସେଥିରୁ ଅଧିକ ଉଚ୍ଚମାନର ମହିମାମଣ୍ଡିତ ସୃଜନକର୍ମର ଆଶା ଓ ଅପେକ୍ଷା ରଖୁଛୁ।" ସ୍ମିତ ହାସ୍ୟ ଖେଳାଇ ରାଜା ପୁଣି କହିଲେ, "ଆମେମାନେ ହେଲୁ ଉପକଥାର ମଣିଷ । ସ୍ମରଣ କରିବା ଶ୍ରେୟସ୍କର ଯେ. ଭଲ ଉପକଥାକୁ ତିନୋଟି ସଙ୍ଖ୍ୟା ପ୍ରଭାବିତ କରିଥାଆନ୍ତି ।"

"ଡାହାଣୀର ତିନୋଟି ଉପହାର, ତ୍ରୟୀ , ଆଉ ପ୍ରଶ୍ନାତୀତ ଟ୍ରିନିଟି (ପିତା,ପୁତ୍ର ଓ ପବିତ୍ର ଆତ୍ମା, ଖ୍ରୀଷ୍ଟାନ୍‌ଙ୍କ ଟ୍ରିନିଟି)", ସାହସ ବାନ୍ଧି କହିଥିଲେ କବି ଜଣକ ଆସ୍ତେ ।

ରାଜା କହିଲେ, "ଆମର ସ୍ୱୀକୃତି ସ୍ୱରୂପ ଏହି ସ୍ମାରକୀଟି ପ୍ରଦାନ କରା ଯାଉଛି, ନିଅ, ଏହା ସୁନାରେ ତିଆରି ମୁଖାଟିଏ" ।

"ଧନ୍ୟବାଦ, ବୁଝିପାରିଲି", କହିଥିଲେ ଚାରଣ କବି।

ବର୍ଷପୂର୍ତ୍ତି ପୁଣି ଲେଉଟି ଆସିଲା । ରାଜପ୍ରାସାଦର ରକ୍ଷୀମାନେ ଦେଖିଲେ କବି ସାଥିରେ ଆଣି ନାହାନ୍ତି କୌଣସି ପାଣ୍ଡୁଲିପି । ରାଜା ବିସ୍ମିତ । ଚାରଣ କବି ଭିନ୍ନ ମଣିଷଟିଏ । ସମୟ ବ୍ୟତୀତ ଅନ୍ୟ କିଛି ତାହାର ଛାପ ଯେମିତି ଛାଡ଼ିଯାଇଛି ତାଙ୍କ ଉପରେ, ଢେର୍ ବଦଳି ଯାଇଛି ତାଙ୍କର ବୈଶିଷ୍ଟ୍ୟ । ତାଙ୍କର ଆଖି ଦୁଇଟି ଯେମିତି କେଉଁ ସୁଦୂର ଦିଗବଳୟରେ ନିବଦ୍ଧ ରହିଛି ବା ହୁଏତ ସେ ଅନ୍ଧ । ରାଜାଙ୍କ ସହ କିଛି ଏକାନ୍ତ ବାର୍ତ୍ତାଳାପର ଅନୁମତି ପ୍ରାର୍ଥନା କରିଥିଲେ କବି । କ୍ରୀତଦାସମାନେ କକ୍ଷ ପରିତ୍ୟାଗ କରିଥିଲେ ।

"ତମେ କ'ଣ ଗୀତ ଲେଖିନ", ପଚାରିଲେ ରାଜା ।
"ହଁ" କବିଙ୍କ ଉତ୍ତରଟି ବେଶ୍ କରୁଣ ।" ତାହା କରିବାରେ ପ୍ରଭୂ ଯୀଶୁଙ୍କ ନିଷେଧ ଅଛି ଯେ!"
"ଆଉ ଥରେ କହି ପାରିବ ?"
"ମୋର ସାହସ ନାହିଁ"
"ତମକୁ ସାହସ ଦେଉଛି, ଯେତିକି ଲୋଡ଼ାଯିବ", ରାଜା କହିଲେ।

ଚାରଣ କବି କବିତାଟିକୁ ଆବୃତ୍ତି କଲେ।କବିତାଟି ମାତ୍ର ଗୋଟିଏ ପଂକ୍ତିରେ ଲିଖିତ ।

ଉଚ୍ଚଗଳାରେ ନୁହଁ, ଖୁବ୍ ଆସ୍ତେ ଆଉ ଥରେ ପଢ଼ିଲେ କବିତାକୁ କବି । ରାଜା ଆଉ କବି ଦୁଇ ଜଣ ଏହାକୁ ଆସ୍ୱାଦନ କରିଥିଲେ, ଯେମିତି ଏଇଟି ଗୋଟିଏ ଗୋପନ ପ୍ରାର୍ଥନା ଅବା ଗୋଟିଏ ଈଶ୍ୱର-ଦ୍ରୋହ । ରାଜା ଯେମିତି କବିଙ୍କ ଭଳି ନିଜର ସନ୍ତ୍ରାସକୁ ଅତିକ୍ରମ କରି ବାହାରି ଆସିଛନ୍ତି । ଉଭୟେ ପରସ୍ପରକୁ ଦେଖିଲେ, ଖୁବ୍ ବିଷନ୍ନ ।

ରାଜା କହିଲେ, "ଯୌବନରେ ନୌକାରେ ପାଲଟାଣି ଯାତ୍ରା ଆରମ୍ଭ କରିଥିଲି ସୂର୍ଯ୍ୟାସ୍ତକୁ । ଗୋଟିଏ ଦ୍ୱୀପରେ ଦେଖିଲି ରୂପେଲି ଡାହାଳ କୁକୁର ଦଳ, ଯେଉଁମାନେ ଝାମ୍ପି ପଡ଼ୁଥିଲେ ସୁନେଲି ଭାଲୁମାନଙ୍କ ଉପରକୁ ମରଣ ଭଳି । ଆଉ ଏକ ଦ୍ୱୀପରେ ଆମେ ନିଜକୁ ଭୁଞ୍ଜାଉଥିଲୁ ଜାଦୁ ଆପେଲ୍‌ର ସୁବାସ । ତୃତୀୟଟିରେ ଦେଖିଲୁ କାନ୍ଥ ନିଆଁର । ସବୁଠାରୁ ଦୂରବର୍ତ୍ତି ଦ୍ୱୀପରେ ଦେଖିଲୁ ଗୋଟିଏ ଅର୍ଦ୍ଧ ବୃତ୍ତାକାର ଝୁଲନ୍ତ ନଈଟିଏ ଆକାଶକୁ ଚିରି ଏପାରି ସେପାରି ଯାହାର ଜଳଧାରାରେ ଚାଲିଛନ୍ତି ମାଛ ଓ ବୋଇତ । ଏଗୁଡିକ ବିସ୍ମୟକର, ତମ କବିତା ସହ ଏହାର ତୁଳନା ନାହିଁ, ଏହି ସମସ୍ତ ତମର କବିତାରେ ସମାହିତ । କେଉଁ ସମ୍ମୋହନୀ ତମକୁ ଅଯାଚିତ ଅର୍ପଣ କରି ବସିଛି ଏ ସମସ୍ତ ?"

"ଉଷାକାଳରେ ଶବ୍ଦର କିଚିରିମିଚିରିରେ ଉଠି ପଡ଼ିବା ପରେ କିଛି ହେଲେ ବୁଝି ପାରିଲି ନାହିଁ" କହିଲେ ଚାରଣ କବି ।" ସେଇ ଶବ୍ଦ ସବୁ ଗୋଟିଏ କବିତା । ମନେହେଲା ପାପ କରିଛି, ଏଇ ଗୋଟିକ ପାପ, ସମ୍ଭବତଃ ହୋଲି ଘୋଷ୍ଟ ଏହାକୁ କ୍ଷମା କରିବ ନାହିଁ ।"

"ସେହି ଗୋଟିକୁ ଆସ ଆମେ ଦୁଇଜଣ ଭାଗବାଣ୍ଟି ନେବା", ଫିସଫିସ୍ କରି କହିଥିଲେ ରାଜା ।" ସୌନ୍ଦର୍ଯ୍ୟକୁ ଜାଣିବା ପାପ । ଏହି ଉପହାରଟି ମଣିଷ ପାଇଁ ନିଷିଦ୍ଧ । ଆମକୁ ଏହାର ଉପଯୁକ୍ତ ପ୍ରାୟଶ୍ଚିତ୍ତ କରିବାକୁ ହେବ । ଆଗରୁ ମୁଁ ତମକୁ ଦେଇଛି ରୂପାର ଦର୍ପଣ ଆଉ ସୁନାର ମୁଖାଟିଏ । ଏଇ ନିଅ ମୋର ତୃତୀୟ ଉପହାର । ଏଇଟି ମୋର ଶେଷ" ।

କବିଙ୍କ ଡାହାଣ ହାତରେ ରାଜା ରଖି ଦେଇଥିଲେ ନିଜ ଶାଣରେ ଚକଚକ ଛୁରୀଟିଏ । ତାହା ପରେ ।

କବିଙ୍କ ବିଷୟରେ ଆମର ସବା ଶେଷ ସମ୍ବାଦ, ରାଜପ୍ରାସାଦ ଛାଡ଼ିଲା ପରେ କବି ଆତ୍ମଘାତୀ ହେଲେ, ଆଉ ସେଇ ରାଜା ଜଣକ ଯାହାର ସମଗ୍ର ଆୟାରଲାଣ୍ଡ ଥିଲା ଏକଦା ରାଜ୍ୟକ୍ଷେତ୍ର, ତାହା ଚାରିପଟେ ଘୁରି ବୁଲୁଥିଲେ ଭିକାରିଟିଏ ହୋଇ; ଆଉ କହିବା ବାହୁଲ୍ୟ, କେବେ ହେଲେ ସେ ଆଉ ଥରେ ପାଠ କରି ନାହାନ୍ତି ସେହି କବିତାଟିକୁ ।

ହୋଟେଲରେ ବୋର୍ହେସ୍ (୧୯୬୯ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

[ ଏଇ ଆଲିଗୋରିଟି ବିଶ୍ୱବିଖ୍ୟାତ ହର୍ହେ ଲୁଇ ବୋର୍ହେସ୍‌ଙ୍କ ବିରଚିତ । ତାଙ୍କର ପୁସ୍ତକ 'ଦି ବୁକ୍ ଅଫ୍ ସାଣ୍ଡ୍'ରୁ ଗୃହିତ ଏଇ ଆଲିଗୋରିଟି ବିଶ୍ୱ ସାହିତ୍ୟରେ ଅତ୍ୟନ୍ତ ଚର୍ଚ୍ଚିତ ।

ଆଲିଗୋରିର ଆଖ୍ୟାନ ଭାଗରେ ସାଧାରଣତଃ ଦୁଇଟି କଥା ରହିଥାଏ, ପ୍ରଥମେ ଗୋଟିଏ ସୁଦୃଢ଼ ଆଖ୍ୟାନର ଦୃଶ୍ୟମାନ ପ୍ରଭାମଣ୍ଡଳ, ଆଉ ଦ୍ୱିତୀୟଟି ଏକ ରୂପକାତ୍ମକ ଆଭାସ । ଉଭୟେ ନିଜ ନିଜ ସ୍ଥିତିରେ ସ୍ୱତନ୍ତ୍ର ଆଉ ସେହି ସ୍ୱାତନ୍ତ୍ର୍ୟର ଅଧିଷ୍ଠାନରେ ରହି ଥାଆନ୍ତି ।ଆଖ୍ୟାନ ଓ ରୂପକ ପରସ୍ପରର ଯଥାଯଥ ପରିପୂରକ ହୋଇ ପାରିଲେ ଗୋଟିଏ ଆଲିଗୋରିର ସଫଳତାର ପ୍ରତିପାଦିତ ହୋଇଥାଏ ।

ହର୍ହେ ଲୁଇସ୍ ବୋର୍ହେସ୍‌ଙ୍କ ଏଇ ଆଲିଗୋରିଟିରେ ସୃଜନକ୍ରିୟାର ପ୍ରକାରଭେଦକୁ ସ୍ପଷ୍ଟ ଭାବରେ କୁହା ଯାଇଛି । ଏଠାରେ ଦୁଇଟି ଚରିତ୍ର ଯଥା ଏକ ରାଜା ଓ ଏକ ଚାରଣ କବି ନିଜର ଆଖ୍ୟାୟିକାରେ ଯେମିତି ସାରସ୍ୱତ ସୃଜନର ମୌଳିକ ପ୍ରଶ୍ନଗୁଡ଼ିକର ଏକ ବିଚାରୋତ୍ତେଜକ ଲେଖ ପ୍ରସ୍ତୁତ କରିଛନ୍ତି ।

ରାଜା ନିଜର ମହିମାନ୍ୱିତ ରାଜପଣ ସତ୍ତ୍ୱେ ଆମର ସମଗ୍ର ପାଠକ କୂଳର ପ୍ରତିଭୂ ଆକାରରେ ଅବସ୍ଥାପିତ, ଆଉ ଚାରଣ କବିଟି ଯାବତୀୟ ସୃଜନଲେଖାର ପ୍ରତୀକ ।

ଆଖ୍ୟାନଟିରେ ରାଜା କବିଙ୍କୁ ତିନୋଟି ଉପହାର ଦେଇ ଆମର ସାମଗ୍ରିକ କୃତିକୁ ତିନୋଟି ବିଶିଷ୍ଟ ବିଭାବରେ ବର୍ଗୀକରଣ କରିଛନ୍ତି ।ତାହାର ନିଷ୍କର୍ଷକୁ ତର୍ଜମା କଲେ ଜଣାଯିବ ଯେ, ଜଣକର ଲେଖା ଦର୍ପଣ ସୁଲଭ ଅର୍ଥାତ୍ ତାହାର ଲେଖାରେ କେବଳ ଅତୀତର ଲେଖନ କର୍ମ, ଅର୍ଥାତ୍ ଆଗରୁ ଯେତେ ଯାହା ଲେଖା ଯାଇଛି, ତାହାର କେବଳ ପ୍ରତିଫଳନ ହିଁ ଘଟିଥାଏ । ଏଇ ଜାତୀୟ ଲେଖା କେବଳ ପୁନରାବୃତ୍ତି । ସୁନେଲି ମୁଖା ପିନ୍ଧି ଯେଉଁ ଲେଖକଟି ତାହାର ଲେଖା ସମ୍ପାଦନ କରିଥାଏ, ତାହା ଅତୀତର କ୍ଳାନ୍ତିକର ଚର୍ବିତଚର୍ବଣ ନ ହୋଇ, ନୂତନ ଭାବ ଓ ଘଟଣାର ସଞ୍ଚାର କରାଇ ଥାଏ ପାଠକ ପାଖରେ । ଶେଷ ପର୍ଯ୍ୟାୟର ଲେଖକଟି ନିଜର ଲେଖାରେ ମଗ୍ନ ଯେଉଁଠି ଲେଖା ଓ ଲେଖକ ଭିତରେ କୌଣସି ଫରକ ରହେ ନାହିଁ, ଯାହାକୁ ଅନ୍ୟ ଭାବରେ କହିଲେ ଜଣେ ଲେଖକର ସୌନ୍ଦର୍ଯ୍ୟତାତ୍ତ୍ୱିକ ଆତ୍ମହନନ, ଯେଉଁଠି ଲେଖାଟି ହୁଏତ ରହିପାରେ, ମାତ୍ର ପାଠକ ଆଉ ଲେଖକ ଅପହୃତ ହୋଇଯାଇ ଥାଆନ୍ତି, ତେଣୁ ବୋର୍ହେସ୍‌ଙ୍କ ଏହି ଆଖ୍ୟାନାନୁଯାୟୀ ଛୁରିକାପ୍ରାପ୍ତି ।

ଆପଣମାନେ ଆମ ଲେଖାର ଲେଖକକୁ ନିଜ ବିଚାରରେ କେଉଁ ପୁରସ୍କାର ଦେବେ, ତାହା ଆପଣମାନଙ୍କର ଏକାନ୍ତ ବ୍ୟକ୍ତିଗତ ନିର୍ଣ୍ଣୟ । ମାତ୍ର ଏଠାରେ ଏଇ ପୁରସ୍କାରଟିରେ ଅବଶ୍ୟ ଆପଣମାନଙ୍କର ପଦ୍ମବିଭୂଷଣ ବା କୌଣସି ଦୈବୀକ ଶୃତଲିଖନର ଯଥେଷ୍ଠ ସମ୍ମାନମୁଦ୍ରାର ପାରିତୋଷିକ ହେବା ଭଳି ନମନୀୟତାର ଅବସର ବୋର୍ହେସ୍ ଆମକୁ ଦେଇ ନାହାନ୍ତି । ଆମକୁ ବାଛିବାକୁ ହେବ ରୁପେଲି ଦର୍ପଣ ବା ସୁନେଲି ମୁଖା ବା ଏକ ଧାରୁଆ ଛୁରୀ, ଏଇ ତିନୋଟିରୁ ଗୋଟିଏ ।

ମୋର ନିଜର ବ୍ୟକ୍ତିଗତ ପସନ୍ଦ ନୂଆ ଶାଣ ଦିଆ ଚକମକ ଛୁରୀ।

ହର୍ହେ ଲୁଇସ୍ ବୋର୍ହେସ୍‌ଙ୍କ 'ଦି ବୁକ୍ ଅଫ୍ ସାଣ୍ଡ୍', ଯେଉଁଥିରୁ ଏଇ ଆଖ୍ୟାନଟି ଗୃହିତ ହୋଇଛି, ତାହା ଏକ ଅତ୍ୟନ୍ତ ପ୍ରଭାବଶାଳୀ କ୍ଷୁଦ୍ର କଳେବରର ପୁସ୍ତକ । ମୋର ସାମର୍ଥ୍ୟ ଥିଲେ ମୁଁ ଏହାର ଏକ ଅନୁବାଦ (ପୁଣି ମୋ ସାମର୍ଥ୍ୟ ଅନୁସାରେ) ପ୍ରସ୍ତୁତ କରି ସମସ୍ତ ପାଠକଙ୍କୁ ବିନା ମୂଲ୍ୟରେ ବିତରଣ କରି ଥାଆନ୍ତି ।

ଏହି ଆଖ୍ୟାନଟିର ଅନୁବାଦ ବିଶିଷ୍ଟ କବି ଓ ସିନେମା ଗୀତିକାର ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ସମ୍ବାଦର କେଉଁ ଏକ ସଙ୍ଖ୍ୟାରେ କରିଛନ୍ତି ବୋଲି ଗତ ପନ୍ଦର ତାରିଖ ଦିନ ସମ୍ଭ୍ରାନ୍ତ ଗଳ୍ପ ପତ୍ରିକା 'କଥା'ର ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ହିସାବରେ ସମ୍ବୋଧନ କଲାବେଳେ କହିଛନ୍ତି, ଯାହା ମୋ ଦୃଷ୍ଟିକୁ ଆସି ନାହିଁ ।

ଏଇ ଅନୁବାଦର ତୃଟିଭାଗ ମୋର, ଏକାନ୍ତ ଭାବରେ ମୋର । ଶ୍ରୀଯୁକ୍ତ ଛୋଟରାୟକୃତ ଅନୁବାଦଟି ଯଦି ଆପଣଙ୍କ ଦୃଷ୍ଟିକୁ ଆସେ, ତାହାକୁ ଅବଶ୍ୟ ପଢ଼ିବେ, କାରଣ ଜଣେ ଲୋକପ୍ରିୟ ଗୀତିକାରଙ୍କର ଶବ୍ଦ ଯୋଜନାର ଲାଳିତ୍ୟ ଆଉ କାହାର କେଉଁଠୁ ଆସିବ ?

ନେପାଳର ପାରମ୍ପରିକ ଖୁକ୍ରି ଛୁରି

No comments:

Post a Comment