Thursday, July 12, 2018

ଦେଉଳତୋଳା କଥା

ଜ୍ୟୋତି ନନ୍ଦ


ହୁମାୟୁଁପୁର ଗୁମ୍‌ଟି (ୱିକିମିଡିଆ କମନ୍ସ୍)

ଈଶ୍ୱର କରନ୍ତୁ ଭାରତବର୍ଷ ଆଉ ଗୋଟିଏ ମନ୍ଦିର ଆଉ ମସଜିଦ ବିବାଦ ଭଳି ବିବାଦର ସାମ୍ନା କେବେ ନ କରୁ ।
ମନ୍ଦିର-ମସଜିଦ୍ ବିବାଦ ଆମର ସାମାଜିକ ଜୀବନକୁ ତଥା ଆମର ରାଜନୈତିକ ଜୀବନକୁ କେଉଁ ପରି ଆଉ କେତେ ମାତ୍ରାରେ ପ୍ରଭାବିତ କରି ଆସିଛି ତାହା ଆମେ ସମସ୍ତେ ଜାଣୁ । ତେଣୁ 'ଅଉର୍ ଏକ୍ ଧକ୍କା ଦୋ' ଭଳି କୌଣସି ଗୈରିକବସ୍ତ୍ରାବୃତ୍ତା ସାଧ୍ୱୀର ରଣହୁଙ୍କାରରୁ ଆମେ ସବୁବେଳେ ଢେର୍ ଦୂରରେ ରହିବୁ ଆମର ପ୍ରିୟ ତ୍ରିରଙ୍ଗା ତଳେ ।
ଦୟାକରି ଏଇ ଲେଖା ଉପରେ କୌଣସି ବିଭେଦକାରୀ ବା ଉତ୍ତେଜନାପ୍ରବଣ ବିଦ୍ୱେଷମୂଳକ ବା ଅସହିଷ୍ଣୁତାମୂଳକ ମନ୍ତବ୍ୟ ଦେବେ ନାହିଁ ବୋଲି ଅନୁରୋଧ କରୁଛି ।
ପ୍ରସଙ୍ଗଟି ଆମର ବିବିଧତାକୁ ନେଇ ।
ଚିତ୍ରଟି ଦିଲ୍ଲୀର ସଫଦରଜଙ୍ଗ୍ ଏନକ୍ଲେଭ୍‌ର ହୁମାୟୁନପୁର ନାମକ ଗାଆଁରେ ଗୋଟିଏ ପରିତ୍ୟକ୍ତ ମସଜିଦ୍ । ମସଜିଦ୍‌ଟି ଭାରତର ତୁଗଲକ୍ ବଂଶର ଶାସନ କାଳର ।
ଇଣ୍ଡିଆନ ଏକ୍ସପ୍ରେସ୍‌ରେ ପ୍ରକାଶିତ ଶ୍ରୀମୟୀ ସୌମ୍ୟା ଲେଖାନୀଙ୍କର ଗତ ମଇ ଚାରିତାରିଖ ଦୁଇ ହଜାର ଅଠରର ଏକ ବିବରଣୀର ଆଧାରରେ ଏହି ଲେଖାଟି ପ୍ରସ୍ତୁତ ।
ଏହି ପରିତ୍ୟକ୍ତ ମସଜିଦ୍‌ଟିକୁ ଦୁଇ ମାସ ତଳେ ଗୈରିକ ରଙ୍ଗରେ ରଙ୍ଗିନ କରି ସେଠାରେ ଭଗବାନ ଶିବଙ୍କ ମୂର୍ତ୍ତି ସ୍ଥାପନା କରା ଯାଇଛି ।
ସଚରାଚର ସଂସାରର ବିଷପାନକାରୀ ଶଙ୍କର ମହାଦେବଙ୍କ ଏହିଭଳି ପୂଜାର୍ଚ୍ଚନା ପାଇଁ ଏକ ପରିତ୍ୟକ୍ତ ମସଜିଦ୍‌କୁ ବାଛି ତାହାକୁ ମନ୍ଦିରରେ ବଦଳାଇ ଦେବା ପଛରେ ଆମର ଭକ୍ତି ଓ ବିଶ୍ୱାସର ପରିମାଣ କେତେ ଆଉ ସମାଜର ସଂହତିରେ ବିଷ-ବିକ୍ଷେପଣଟି କେତେ, ତାହାର ପରିମାଣର ବିଚାର ଆପଣମାନଙ୍କର ।
ପୂରାତତ୍ତ୍ୱ ବିଭାଗର ସିଟିଜେନ୍ ଚାର୍ଟର୍ ବା ଜନସାଧାରଣଙ୍କର ପ୍ରାଚୀନ ସ୍ଥାପତ୍ୟ ସମ୍ବନ୍ଧୀୟ ଯେଉଁ ଆବଶ୍ୟକୀୟ ବ୍ୟବହାର ତଥା ଆଚରଣବିଧିଟି ରହିଛି, ତାହା ଅନୁସାରେ ସେମାନେ କୌଣସି ସ୍ଥାପତ୍ୟକୁ କୌଣସି ରଙ୍ଗରେ ରଙ୍ଗାଇ ପାରିବେ ନାହିଁ ତଥା ସ୍ଥାପତ୍ୟଟି ଯେଉଁ ଭଳି ରହିଛି ସେହି ଭଳି ସ୍ୱାଭାବିକତାରେ ଅବିକୃତ ରଖିବାକୁ ଚେଷ୍ଟା କରିବେ ।
ଏଠାରେ ତାହାର ବିରୁଦ୍ଧାଚରଣ କରା ଯାଇଛି । ଗୈରିକ ରଙ୍ଗରେ ରଙ୍ଗିନ କଲା ପରେ ତାହା ନିକଟରେ ସେହି ବିଶେଷ ରଙ୍ଗପ୍ରେମୀ ରାଜନୈତିକ ଦଳର ମାନନୀୟ ବିଧାୟକଙ୍କ ନାଆଁ ବି ଲିପିବଦ୍ଧ ହୋଇ ରହିଛି ।
ଏହା ଭାରତୀୟ ମହାନ ପରମ୍ପରା, ଯାହା ବହୁଳବାଦ ଉପରେ ଆଧାରିତ ତାହାର ବିରୁଦ୍ଧାଚରଣ କରୁଛି । ଏହା ସଙ୍ଖ୍ୟାବଳର ଅଂହକୁ ସୂଚିତ କରୁଛି ।

ସମାଜକୁ ବିଭେଦ ଆଉ ବିଦ୍ୱେଷରେ ଭାଗଭାଗ କରି ଆମର ଭାରତୀୟତାର ସଂହତିକୁ ବିପନ୍ନ କରୁଥିବା ଏହି ଜାତୀୟ ସମସ୍ତ ଉପଚାରକୁ ଆମକୁ ପ୍ରତିହତ କରିବାକୁ ହେବ ।

ଆମେ ଆମର ତ୍ରିରଙ୍ଗା ତଳେ ସମସ୍ତେ ଏକାଠି ଶେଷ ଯାଏଁ ।
କାହାକୁ ଆଘାତ କାହିଁକି ? ଅସୂୟା କାହିଁକି ?
ଆଉ ଥରେ ଲେଖୁଛି, ସଂସାରଯାକର ବିଷପାନ କରି ନୀଳକଣ୍ଠ ସାଜିଥିବା ଦେବତାର ଉପାସନା ବେଳେ ଆମକୁ ସେହି ଦେବତାଠୁ କିଛି ଶିଖିବା ନିତାନ୍ତ ଆବଶ୍ୟକ ।
କାମନା କରୁଛି ଆମେ କଦାପି ଆଉ ଏକ ମନ୍ଦିର-ମସଜିଦ ବିବାଦର ମୂଳଦୁଆ ପକାଇବା ନାହିଁ । ଏବଂ ଯେତେବେଳେ ନିଜର ଦୁଇ ହାତରେ ତାଳି ମାରି ନିତାନ୍ତ ଅଶୋଭନୀୟ ଭାବରେ ମଞ୍ଚରୁ ଅନବରତ ମିଛ, ନିଜର ଅସଫଳତାକୁ ଏଡ଼ାଇବା ପାଇଁ ଇତିହାସର ନିର୍ବାଚିତ ଉଲ୍ଲେଖ ଓ ଧାର୍ମିକ ବିଭେଦର ଯେଉଁ ସୁକ୍ଷ୍ମ 'ଟୁ ନେସନ୍ ଥିଓରି'ର ରାଜନୈତିକ ବଖାଣ ଚାଲିଛି, ତାହାକୁ ଏବଂ ତାହାର କ୍ଷମତାସୀନ ଅହଙ୍କାରକୁ ପ୍ରତିହତ କରିବା ପାଇଁ ଜଣେ ଭାରତୀୟ ହିସାବରେ ଆମକୁ ସତର୍କ ରହିବାକୁ ପଡ଼ିବ ।
ଆମେ ସାଧାରଣ ଶକ୍ତିହୀନ ଲୋକ ସେମାନଙ୍କର ପ୍ରଚାରର ଭେଳିକିରେ ଆଛନ୍ନ ହୋଇଯାଉ । ଆମକୁ ବୁଝିବାକୁ ହେବ, ସେମାନେ ନିଜ ଛାତିରେ ନିଜ ଦଳର ଚିହ୍ନଟିଏ ଖଞ୍ଜି ଅତ୍ୟନ୍ତ ପ୍ରଭାବୀ ଭାଷାରେ ଯେଉଁ ଅଭିନୟଟି କରି ଚାଲିଛନ୍ତି, ତାହା ଅସଲରେ କ'ଣ ? କେବଳ ଅନ୍ୟର ଅସଫଳତାର ବିସ୍ତୃତ ଆଲୋଚନାର ଶ୍ଳେଷରେ ଆମେ ଆମୋଦିତ ହେଉଥିବା, କିନ୍ତୁ ତାହା କେବେ ହେଲେ ସେହି ପ୍ରଭାବୀ ବକ୍ତା ଜଣକର ସଫଳତାର ନିୟାମକ ବୋଲି ବିଚାର୍ଯ୍ୟ ନୁହଁ । ମାନେ ଅନ୍ୟର ସମାଲୋଚନାରେ ମୁଁ ଯେତେ ମୁଖର, ତାହା ସମାନ ଭାବରେ ମୁଁ କ'ଣ କରିଛି ବୋଲି କହିବ ନାହିଁ ।

ତେଣୁ ଆମକୁ ଆମର ଏହି ପୋଷାକପ୍ରିୟ ଅଭିନେତାର ରାଜନୈତିକ ଭାଷଣକୁ ଏକ ଅଭିନୟାଂଶ ବା 'ପରଫର୍ମେଟୋରୀ ପାର୍ଟ ଅଫ୍ ପଲିଟିକ୍ସ' ବୋଲି ଧରି ନେଇ ହାତତାଳି ଦେବାକୁ ପଡ଼ିବ । ଅଭିନୟଟିକୁ ମୁଣ୍ଡକୁ ନେଲେ ସବୁ ଅସୁବିଧା । ସବୁ ବିଚାରରେ ବିଭ୍ରାନ୍ତି ।

ଆମ ମୁଣ୍ଡରେ କେବଳ ଗୋଟିଏ ଆକୁମାରୀ ହିମାଳୟର ଭାରତବର୍ଷଟିଏ ତାହାର ସମସ୍ତ ବିବିଧତା ସହିତ ରହିବା ବାଞ୍ଛନୀୟ, ଯାହା ଆମର ଏକମାତ୍ର ଦେବସ୍ଥାନ ।

No comments:

Post a Comment