ହାର୍ଟା ମ୍ୟୁଲର୍ଙ୍କର 'ଆମ ଘରଲୋକେ'
ଅନୁବାଦକ - ଜ୍ୟୋତି ନନ୍ଦ
![]() |
ଚତୁର୍ଦ୍ଦଶ ଶତାବ୍ଦୀର ଜେରିକୋ ନଗରୀର କାନ୍ଥଗୁଡ଼ିକର ମାନଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଆମ ମାଆର ଗଳାରେ ସମସ୍ୟା । ଚିଁ ଚିଁ କରି କଥା କହେ ।
ଜେଜେମାର ଆଖିରେ ମୋତିଆବିନ୍ଦୁ ବଢ଼ିବଢ଼ି ସେ ଅନ୍ଧ । ତାହାର ଗୋଟିଏ ପଟ ଆଖିରେ ଧୂସର ପରଳ ଆଉ ଆରଟି ନୀଳାଭ ।
ଜେଜେବାପାଙ୍କ ସ୍କୃଟାଲ୍ ହାର୍ନିଆ ।
ଅନ୍ୟ ଜଣେ ନାରୀର ଗର୍ଭରୁ ଆଉ ଗୋଟିଏ ସନ୍ତାନକୁ ଜନ୍ମ ଦେଇଛନ୍ତି ଆମ ବାପା । ସେହି ଅନ୍ୟ ନାରୀଜଣକୁ ମୁଁ ଚିହ୍ନି ନାହିଁ, ସେହି ସନ୍ତାନଟିର ବି କିଛି ଖବରଅନ୍ତର ମୋ ପାଖରେ ନାହିଁ । ଖାଲି ଏତିକି ଜାଣେ ଯେ, ସେ ମୋ ଠୁ ବୟସରେ ଟିକିଏ ବଡ଼, ଆଉ ସେଇଥି ପାଇଁ ଲୋକେ କୁହାକୁହି ହୁଅନ୍ତି, ଆମ ବାପା ଅସଲରେ ଆଉ ଜଣେ କିଏ ।
ବଡ଼ଦିନ ଆସିଗଲେ ଆମ ବାପା ସେହି ସନ୍ତାନକୁ ଉପହାର କିଣି ଦିଅନ୍ତି ଆଉ ଆଉ ଆମ ମାଆକୁ କହନ୍ତି, ସେଇ ଆର ସନ୍ତାନର ବାପ ଅସଲରେ ଅନ୍ୟ ଆଉ ଜଣେ କିଏ ।
ପ୍ରତି ନୂଆ ବର୍ଷରେ ଡାକପିଅନ ଆସି ଶହେ 'ଲୁଇ' ନୋଟରେ ଭରା ଖାମ୍ଟିଏ ମୋ' ହାତକୁ ବଢ଼ାଇ ଦେଇ କହେ, ସାନ୍ତାକ୍ଲସ୍ ପଠେଇଛି । ତଥାପି ମାଆ କହେ, ନା, ଆମର ଆଉ ଅନ୍ୟ କିଏ ବାପା କେଉଁଠି ନାହାଁନ୍ତି ।
ଲୋକେ କହନ୍ତି, ଆମ ଜେଜେମା ଆମ ଜେଜେବାପାକୁ ଢେର୍ ଜମିଜମାର ମାଲିକ ବୋଲି ବାହା ହୋଇଥିଲା, ହେଲେ ତାହାର ଅସଲ ପ୍ରେମିକ ଥିଲା ଆଉ ଜଣେ, ଆଉ ସେ ତାହାର ପ୍ରେମିକକୁ ବାହା ହୋଇଥିଲେ ବେଶ୍ ଭଲ କରିଥା'ନ୍ତା, କାରଣ ଆମ ଜେଜେବାପା ଆମ ଜେଜେମାଆ ଭିତରେ ଆତ୍ମୀୟ ସମ୍ପର୍କଟି ଏତେ ନିବିଡ଼ ଥିଲା ଯେ, ଏଇ ବିବାହ ଟି ପ୍ରାୟତଃ ଏକ ନିଷିଦ୍ଧ ପର୍ଯ୍ୟାୟର ଥିଲା ।
ଲୋକେ ଆହୁରି ମଧ୍ୟ କୁହାକୁହି ହେଉଥିଲେ, ଆମ ଅଜା କୁଆଡେ ଆମ ମାଆର ସତରେ ବାପା ନୁହଁ । ଆଉ ଆମ ମାଆର ସତ ବାପା ଅସଲରେ ଆଉ ଜଣେ, ସେଇ ଆର ଜଣକ ପୁଣି ଆମ ମାଆର ସତ ବାପା ବୋଲି ଲୋକଟି ନୁହଁ । ସେଇ ଆର ଜଣକ ଅସଲରେ 'ଆଉ ଜଣେ' ।
ଆଉ ଏଇ କାରଣରୁ ଅପର ଏକ ସନ୍ତାନର ଜେଜେବାପା ଅସଲରେ ଆମର ସତ ଜେଜେବାପା, ଆଉ ଲୋକେ କହନ୍ତି, ଆମ ଜେଜେବାପା ଅସଲରେ ଅନ୍ୟ ଗୋଟିଏ ସନ୍ତାନର ଜେଜେବାପା । ଗୋଟିଏ 'ଅନ୍ୟ ଏକ' ସନ୍ତାନ ନୁହଁ, 'ଅନ୍ୟ ଏକ' ଅପର ସନ୍ତାନ । ଲୋକେ ପୁଣି କହନ୍ତି, ଆମ ଜେଜେମାଆର ମାଆ ଖୁବ୍ କମ୍ ବୟସରେ ପ୍ରାଣତ୍ୟାଗ କରିଥିଲେ, ଧରି ନିଆଯାଉ ଥଣ୍ଡା ଲାଗି, କିନ୍ତୁ ତାହା ଜମାରୁ ସ୍ୱାଭାବିକ ମୃତ୍ୟୁ ନ ଥିଲା । ସେଇଟି ଥିଲା ଆତ୍ମହତ୍ୟା ।
ଆଉ ଦଳେ ପାଦେ ଆଗେଇ ଯାଇ କହୁଥିଲେ, ରୋଗରେ ପଡ଼ି ମରଣ ନ ଥିଲା ଏଇଟି, ଏଇଟି ଥିଲା ହତ୍ୟା ।
ସ୍ତ୍ରୀ ମଲା ପରେ ଆମ ଜେଜେବାପାଙ୍କ ବାପା ଆଉ ଡେରି ନ କରି ଆଉ ଗୋଟିଏ ବାହା ହୋଇ ପଡ଼ିଲେ । ତାଙ୍କର ସେଇ ପତ୍ନୀର ଆଗରୁ ପିଲାଟିଏ ଥିଲା ଆଉ ସେଇ ପିଲାଟି ଯାହା ଔରସରୁ ତାହା ସହିତ ତାଙ୍କର ବିବାହ ସମ୍ପର୍କ ନ ଥିଲା । ତେବେ ସେଇ ଗର୍ଭଧାରଣ ସମୟରେ ସେ ପୁଣି ଅବିବାହିତା ନ ଥିଲେ । ଆମ ଜେଜେବାପାର ବାପାଙ୍କ ସହ ବିବାହ ମଣ୍ଡପରେ ବସିବା ପରେ ତାଙ୍କର ଆଉ ଗୋଟିଏ ସନ୍ତାନ ହୁଏ । ଲୋକେ କହନ୍ତି, ଏଇ ସନ୍ତାନର ସତ ବାପା ଆଉ ଜଣେ କିଏ, ଆମ ଜେଜେବାପାଙ୍କ ବାପା ନୁହନ୍ତି ।
ବର୍ଷ ପରେ ବର୍ଷ ଧରି ଲଗାତାର ଆମ ବାପା ଆଉ ଗୋଟିଏ ଛୋଟ ସହରକୁ ଯାଆନ୍ତି ପ୍ରତି ଶନିବାର ଦିନ, ସେଇ ସହରଟି ଜଳବାୟୁ ପରିବର୍ତ୍ତନକାରୀଙ୍କ ପସନ୍ଦର ସହର ।
ଲୋକେ କହନ୍ତି ସେଇ ଛୋଟ ସହରରେ ଅନ୍ୟ ଜଣେ ନାରୀ ସହିତ ତାଙ୍କର ସମ୍ପର୍କ ଥିଲା ।
ସେହି ସହରରେ ପ୍ରକାଶ୍ୟରେ ଆମ ଜେଜେବାପାଙ୍କ ବାପାକୁ ଅନ୍ୟ ଗୋଟିଏ ଶିଶୁର ହାତ ଧରି ଯିବା ଆସିବାର ଦେଖା ଯାଇଛି, ଏପରିକି ସେଇ ଶିଶୁଟି ସହ ସେ ଆଉ ଗୋଟିଏ ଭାଷାରେ କଥାବାର୍ତ୍ତା କରୁଥିଲେ ସେ ।
ତେବେ ସେଇ ଆର ନାରୀଟି ସହ କେବେ ହେଲେ ତାଙ୍କୁ କେହି କେବେ ଦେଖି ନାହିଁ । ଲୋକେ କହନ୍ତି, ଆର ନାରୀଟି ସ୍ୱାସ୍ଥ୍ୟକେନ୍ଦ୍ରର ଦାରୀ ଛଡା ଆଉ କିଛି ହେବା ସମ୍ଭବ ନୁହଁ, ଯେହେତୁ ତାହାକୁ ସାଥିରେ ନେଇ ପ୍ରକାଶ୍ୟରେ ବାହାରିବାର ଆଦୌ ଦେଖା ଯାଇନି ଆମ ଜେଜେବାପାଙ୍କ ବାପାଙ୍କୁ ।
ଲୋକେ କହନ୍ତି, ନିଜ ଗାଆଁ ବାହାରେ ଯେଉଁ ଲୋକର ଆଉ ଗୋଟିଏ ସ୍ତ୍ରୀ ଥାଏ, ଆଉ ଗୋଟିଏ ସନ୍ତାନ ଥାଏ, ସେ ଘୃଣାର ପାତ୍ର, ଆଉ ଏହା ଅନାଚାରଠୁ ଭଲ କାମ ନୁହଁ । କହିବାକୁ ଗଲେ, ଅନାଚାରଠୁ ଆହୁରି ଅଧିକ ଘୃଣିତ କାମ ।
(ରୋମାନିଆ ଜନ୍ମିତ ହାର୍ଟା ମୁଲର ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ୨୦୦୯ ମସିହାରେ ପାଇଛନ୍ତି । ଏଇ ସରଳ କାହାଣୀଟିରେ ଚରିତ୍ରଟିର ଅଳ୍ପ କିଛି ବାସ୍ତବତାର ତଥ୍ୟ ସହ ଭରପୂର କଳ୍ପନାର ନିର୍ମାଣଜନିତ ଯନ୍ତ୍ରଣାରେ ବଞ୍ଚିବାର କଥା ରହିଛି ।)
No comments:
Post a Comment