Tuesday, July 17, 2018

ପ୍ରେମ : ଦୁଇଟି ସଂକ୍ଷିପ୍ତ ବିଚାର

ଜ୍ୟୋତି ନନ୍ଦ


କାମଦେବ (ୱିକିମିଡିଆ କମନ୍ସ୍)


ଆମେ ଅଧିକାଂଶ ସମୟରେ ପ୍ରେମ କହିଲେ ପ୍ରକୃତରେ ନିଜର ଆଧିପତ୍ୟକୁ ଜାହିର୍ କରିବାର ଅଥବା ନିଜର ଆନୁଗତ୍ୟକୁ ପ୍ରତିଷ୍ଠିତ କରିବାର ପ୍ରବଣତା ତଥା ନିଜର ଭାଗ୍ୟକୁ ନିଜେ ନିର୍ଦ୍ଧାରଣ କରୁଥିବାର ଏକ ସକ୍ରିୟ କାରକ ହିସାବରେ ଅନ୍ୟର ସମ୍ମାନଜନକ ସହମତକୁ ବୁଝିଥାଉ ।


ପ୍ରେମ ସବୁବେଳେ ଶ୍ରଦ୍ଧା ବା ବିସ୍ମୟ, ସମବେଦନା ଅବା କରୁଣା । ଜଣେ ହୁଏତ ଏହି ପରି ଦୁଇ ଜଣ ସମର୍ଥଙ୍କ ମଧ୍ୟରେ ଅବିଶ୍ୱାସ୍ୟ ପ୍ରେମର ମାନବିକ ଟ୍ରାଜେଡ଼ିର କଥା କହି ପାରେ । ମାତ୍ର ସେହି ଟ୍ରାଜେଡ଼ିର ଅସଲ ସ୍ଥିତିଟି ଅନ୍ୟତ୍ର, ଉଦାହାରଣ ସ୍ୱରୂପ ଆଧୁନିକତାର ଆତ୍ମା ପ୍ରେମକୁ ସମସ୍ତ ମର୍ଯ୍ୟାଦାର ଉପରେ ଓ ପ୍ରେମରେ ପଡ଼ିବାର କାମନାକୁ ସମ୍ମାନୀତ ହେବାର କାମନାର ଉପରେ ଏକ ଆସ୍ଥାନରେ ରଖିଥାଏ ।

ଆମେ ସବୁବେଳେ ଅତି ସହଜରେ ଯେତେବେଳେ ଆମର ଇଚ୍ଛା ହେବ ସେତେବେଳେ 'ପ୍ରେମ' ଶବ୍ଦଟିକୁ ବ୍ୟବହାର କରିଥାଉ ।

ଅଧିକାଂଶ ସମୟରେ ଲାଗେ ଯେମିତି ଆମର ସମ୍ପର୍କରେ କେଉଁଠି ଶୂନ୍ୟ ସ୍ଥାନଟିଏ ଦେଖିଲେ, ତାହାକୁ ଖୁବ ଶୀଘ୍ର ପୂରଣ କରିବା ପାଇଁ ଆମ ପାଖରେ ପ୍ରସ୍ତୁତ ହୋଇ ରହିଥାଏ ଏଇ ଚମତ୍କାର ଶବ୍ଦଟି, 'ପ୍ରେମ' । ଶୂନ୍ୟସ୍ଥାନଟି ମାନ ପୂରଣ କରିବା ପାଇଁ ଏହାଠୁ ବଳି ଭଲ ଶବ୍ଦ ଆମ ପାଖରେ ନାହିଁ । ତେଣୁ ଶୂନ୍ୟସ୍ଥାନଟିର ସ୍ୱରୂପଟି କ'ଣ ଆମେ ବୁଝୁ ବା ନ ବୁଝୁ ତାହା ମାକ୍ରୋ ନା ମାଇକ୍ରୋ ତାହାର ବିଶେଷ ତର୍ଜମା ନ କରି ଆମେ 'ପ୍ରେମ'ର ବାଉଁଶ ପୋଲଟିଏ ହଠାତ ଗଢ଼ି ସାମ୍ନାର ଖାଲ ଖମାକୁ ଅତିକ୍ରମ କରି ଖସି ଯାଉ ।

ପ୍ରେମ ଯେହେତୁ ଏକ ଆବେଗର ପରିମାପକ, ସେ ଦୃଷ୍ଟିରୁ ଏହାକୁ ମାକ୍ରୋ ଭଳି ଧରି ନେଇ ଆମେ କୌଣସି ଜଟିଳତା ଭିତରକୁ ପ୍ରବେଶ ନ କରିବାର ସହଜ ବାଟଟିକୁ ବାଛି ନେଉଛୁ । ଆମ ଭିତରେ ଯେଉଁ ସରଳ ତର୍କ ରହିଛି ତାହା ହେଉଛି, ଯଦି ଆମେ ଆବେଗକୁ ଟିକିନିଖି ବିଚାର କରି ବସୁ, ତେବେ ସେହି ଆବେଗଟି କେତେ ପରିମାଣର ଆଉ ଆବେଗ ହୋଇ ରହିବ ? ପ୍ରେମିକ ଆଉ ପ୍ରେମିକା ଭିତରେ ଯଦି ଜଣକର ମୁଣ୍ଡଟି ଅସଜଡା ରୁବ୍ୟିକ୍ କ୍ୟୁବ୍ ଆଉ ଆର ଜଣକର ମୁଣ୍ଡଟି ଯଦି ବ୍ଲାକବୋର୍ଡ଼ ହୋଇ ଥିବ, ତେବେ ଆମେ ସେହି ପ୍ରେମ କାହାଣୀଟିରେ କେତେ ପ୍ରେମ ଦେଖି ପାରିବା ? ପ୍ରେମ କ'ଣ ଗୋଟିଏ ଜଟିଳ ପାଟିଗଣିତ, ଯାହାର ଏକ ନିଷ୍କର୍ଷରେ ପାଇଁ ଆମକୁ ଦିସ୍ତା ପରେ ଦିସ୍ତା କାଗଜ ଦରକାର ହେବ ?

ମୋର ଜଣେ ସାଙ୍ଗ ଦିସ୍ତାଏ କାଗଜ ପରିମିତ ଖଣ୍ଡିଏ ପ୍ରେମ ପତ୍ର ଲେଖି ତାହାର ପ୍ରେମିକାକୁ ଦେବାର ମୁଁ ପ୍ରତ୍ୟକ୍ଷ କରିଛି ।  ମୋର ସେହି ବିଶିଷ୍ଠ ପ୍ରେମପତ୍ର ଲିଖନରେ ଖୁବ୍ ଅଳ୍ପ ଭୂମିକା ଥିଲା । ନା, ମୁଁ ସେହି ବନ୍ଧୁଙ୍କ ପ୍ରେମପତ୍ର ରଚନାର ମୌଳିକତାକୁ ଅପମିଶ୍ରଣ କରି ନାହିଁ, ନିଜର ଯତ୍‌ଚକିଞ୍ଚିତ ସାହିତ୍ୟ ପ୍ରତିଭାର ସହଯୋଗ ଦେଇ ନାହିଁ ବା ମଝିରେ ମଝିରେ ସେଇ ପ୍ରେମପତ୍ରକୁ ଶୁଣି ଉତ୍ସାହବ୍ୟଞ୍ଜକ ଦୁଇ ଶବ୍ଦ କେବେ କହି ନାହିଁ । ମୋର ଭୂମିକାଟି ଏକ ବାଧକର ।

ମୁଁ ବାରମ୍ବାର ବନ୍ଧୁକୁ କହିଛି ଯେ, ଏହା ବଦଳରେ ଫରାସୀ ରାଷ୍ଟ୍ର ବିପ୍ଳବ ଉପରେ ଧ୍ୟାନ ଦେଲେ ପ୍ରଥମ ଶ୍ରେଣୀଟି ମିଳିବା ଥୟ । ମୋ'ର ବାଧକ ପଣଟି ବନ୍ଧୁକୁ ଉତ୍ସାହିତ କରିଛି । ମୁଁ ନୀରବରେ ସେହି ଐତିହାସିକ ପ୍ରେମପତ୍ର ଲେଖନକୁ ଲକ୍ଷ୍ୟ କରିଛି । ଟେବୁଲଲ୍ୟାମ୍ପ ତଳେ କ୍ଲିପ୍ ବୋର୍ଡ଼ ଉପରେ ପୃଷ୍ଠା ପରେ ପୃଷ୍ଠାର ବଦଳି ଯାଉଥିବା ପ୍ରେମପତ୍ରର ମଝିରେ ସେହି ଲେଖକର ବେପରୁଆ ଦୃଷ୍ଟିର ବର୍ଚ୍ଛାମାନ ମୋତେ ଭୋଗିବାକୁ ହୋଇଛି । ମୁଁ ଯେମିତି ସେତେବେଳେ ସେହି ସମୟର ପ୍ରେମ ଚୋପରା, ଆକ୍ଷରିକ ଅର୍ଥରେ ପରିବେଶକୁ ଧୂମ୍ରପାନରେ ପ୍ରଦ୍ୟୁଷିତ କରିବା ମୋର ଅଧିକାର । ତାହା ପରେ ଦିନେ ବନ୍ଧୁ ଉଠିଲେ ତାଙ୍କ ଟେବୁଲଲ୍ୟାମ୍ପ ପାଖରୁ । ମୁଁ ବି ଥିଲି ଟିକିଏ ଦୂରରେ ସେତେବେଳେ ।  ଆସି ମୋ କାନ୍ଧରେ ହାତ ପକାଇଲେ ସେ । କହିଲେ,ହେଲା । ପୂରା ଦିସ୍ତାଏ । ଦେଖ୍ ।

ପ୍ରେମରେ ସଫଳ ଅନେକ କାହାଣୀ ମୁଁ ପଢ଼ିଛି । ପ୍ରେମିକ ପ୍ରେମିକା ମାନଙ୍କର ବାଧକହୀନ ସମୟରେ ଆକାଶୀ ଉଡ଼ାଣ ଦେଖିଛି, କଳ୍ପନା କରିଛି । କିନ୍ତୁ ଏଇ ଗୋଟିଏ ଥିଲା ମୋର ଜଣେ ପ୍ରେମପତ୍ର ଲେଖକର ସଫଳତାର ଝଲମଲ ଦୃଶ୍ୟଟିଏ ସ୍ୱଚକ୍ଷୁରେ ଦେଖି ପାରିବାର ଏକମାତ୍ର ବିରଳ ଅବସର ।

ପ୍ରେମର ଦେବତା, କ୍ୟୁପିଡ଼ (ୱିକିମିଡିଆ କମନ୍ସ୍)

କହିବାର କଥା ହେଉଛି ଏଠାରେ ଏକ ପ୍ରେମପତ୍ରର ବାଧକ ପରି ସମସ୍ତ ପ୍ରେମରେ ବାଧକଟି ଯେତିକି ଯେତିକି ଦୁର୍ଦ୍ଦାନ୍ତ ହେବ, ପ୍ରେମ କାହାଣୀଟି ସେତିକି ସେତିକି ଆକର୍ଷଣୀୟ ହେବ । ଠିକ୍ ଯେମିତି ଗୋଟିଏ ଗୋଇନ୍ଦାର ଦକ୍ଷତା ଅପରାଧିର ଚତୁରତା ଉପରେ ସାଧାରଣତଃ ନିର୍ଭର କରୁଥାଏ । ଅପରାଧିର ଚତୁରପଣର ଗୋଲକଧନ୍ଦା ହେଉଛି, ଆମ ଗୋଇନ୍ଦା କାହାଣୀର ସାମଗ୍ରିକ ଶିଳ୍ପ କର୍ମ, ସୌଷ୍ଠବ ।

ପ୍ରେମର ଏହି ବାଧକତତ୍ତ୍ୱକୁ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି, ପ୍ରେମ ଭଳି ସବୁ କ୍ଷେତ୍ରରେ ବାଧକକୁ ବୁଝିବା ଆଉ ବାଧକକୁ ଅତିକ୍ରମ କରିବାର ପନ୍ଥା ଓ ସାହସ ସଞ୍ଚୟ କରିବା ।

ଦୁଃଖର କଥା, ଆପଣମାନେ ଦୟା କରି ଏହାକୁ କାହାକୁ ଆକ୍ଷେପ ବା ନିଜ ଦେହକୁ ନ ନେଲେ କହିବି, ବାଧକତତ୍ତ୍ୱର ନିହାତି କୁପୋଷଣ ଯୋଗୁ ଆମର ପ୍ରେମ ଓ ଆମର ସବୁ ପ୍ରେମ କଥା ଓ ଅନ୍ୟାନ୍ୟ କଥା ମାନ ସାହିତ୍ୟିକ ଦୁରାବସ୍ଥା ଭୋଗୁଛନ୍ତି । ଆମର ଚରିତ୍ରମାନେ ସବୁବେଳେ ସତ୍, ନଷ୍ଟାଲଜିଆ ଗ୍ରସ୍ତ । ସେମାନଙ୍କୁ ସେହି ଚିରାଚରିତ ଶଗଡ଼ଗୁଳାରୁ ବାହାର କରି ଆଣିବାକୁ ପଡ଼ିବ । ତାହା ହେଲେ ଆମେ ବିବିଧତା ଦେଖିବା । ବୈଚିତ୍ର୍ୟକୁ ଅନୁଭବ କରିବା । ଏହା ଲେଖିବାର ଉଦ୍ଦେଶ୍ୟ କଦାପି ନୁହଁ ଯେ, ଆମ ପ୍ରେମ କଥାରେ ସବୁଆଡ଼ କେବଳ ଅନ୍ଧାର ହିଁ ଅନ୍ଧାର ।

ନିୟତି ଆଉ କାଳକୁ ବାଧକ ହିସାବରେ ଆମ କାହାଣୀରେ ଆଉ କେତେ ମାକ୍ରୋ-ମାନେଜମେଣ୍ଟ କରି ଆମେ ସନ୍ତୁଷ୍ଟ ରହିବା ? ଏମିତିରେ ଆମ ସାହିତ୍ୟରେ ଆବେଗ ଆଉ କେବଳ ଲୋଡ଼ିବାପଣକୁ ନେଇ କବି ରମାକାନ୍ତଙ୍କ ବିଖ୍ୟାତ ଶୃତଲିଖନଟି ଆମ ସାମ୍ନାରେ ଉପଲବ୍ଧ, 'ଶ୍ରୀରାଧା' । ମୋର ବିଚାରରେ 'ଶ୍ରୀରାଧା'ରେ ଯେଉଁ ପ୍ରେମକାହାଣୀଟି ଆମକୁ ବିହ୍ୱଳ କରି ଏତେ ଦିନ ରଖି ଆସିଛି, ସେଥିରେ 'ବାଧକତତ୍ତ୍ୱ'ଟି ଅର୍ଥାତ୍ ଆଣ୍ଟାଗୋନିଷ୍ଟଟି କେତେ ସ୍ପଷ୍ଠ, ଆଉ କେତେ ପ୍ରାଞ୍ଜଳ ? ଏହାର ସବିଶେଷ ବିଚାର ଆପଣମାନଙ୍କର ।

"ସଖୀ ବେଦନା କାହାରେ ବଲେ,
ତୋମରା ଯେ ବଲୋ ଭାଲୋବାସା ଭାଲୋବାସା,
ସଖୀ ଭାଲୋବାସା କାରେ କୟେ ?"

ଆପଣମାନେ ଅସହମତି ବ୍ୟକ୍ତ କରି ପାରନ୍ତି, କିନ୍ତୁ ମୋର ବିଚାରରେ ଆସନ୍ତାକାଲି 'ଶ୍ରୀରାଧା'ର ପୁନର୍ମୂଲ୍ୟାୟନ ହେବ ଆଉ 'ଶ୍ରୀରାଧା' ରହିବେ ନାହିଁ । କବି ରମାକାନ୍ତ ନିଶ୍ଚୟ ରହିବେ, ତାଙ୍କର 'ସପ୍ତମ ଋତୁ' ଓ ଅନ୍ୟାନ୍ୟ ଆଗର କୃତି ସହ ।

ପ୍ରେମକୁ ବୁଝିବାକୁ ହେଲେ ଆମକୁ ପ୍ରେମର ବାଧକତତ୍ତ୍ୱକୁ ବେଶି ବୁଝିବାକୁ ହେବ । ଯେଉଁ ଦୁଇଟି ସଂକ୍ଷିପ୍ତ ବିଚାର ସହ ଏଇ ଲେଖାଟି ଆରମ୍ଭ ହୋଇଅଛି, ସେଥିରେ ଆପଣ ଦେଖିବେ ପ୍ରେମର ବାଧକପଣକୁ ବେଶି ଉଜାଗର କରା ଯାଇଛି । ସେଇ ଦୁଇଟି ବିଚାର ବିଶିଷ୍ଠ ଆମେରିକାନ୍ ମନସ୍ତତ୍ତ୍ୱବିତ୍ ଥମାସ୍ ସାସ୍‌ଙ୍କ ପୁସ୍ତକ 'ଦି ସେକେଣ୍ଡ ସିନ୍'ରୁ ଉଦ୍ଧାର କରା ଯାଇଛି । କବିଗୁରୁ ରବୀନ୍ଦ୍ର ଏକଦା ଲେଖିଛନ୍ତି:

"ସଖୀ ଭାବନା କାହାରେ ବଲେ"

ସବୁ ବିଚାର ସତ୍ତ୍ୱେ ଆମେ କବିଗୁରୁଙ୍କ ଭଳି ପୁଣି ଫେରିବା ଗ୍ରାଉଣ୍ଡ ଜିରୋକୁ । ପ୍ରେମ କହିଲେ କ'ଣ ବୁଝିବା ଆମେ ?

No comments:

Post a Comment