Thursday, May 31, 2018

ଆଚାର୍ଯ୍ୟ ଅଟଳ ଉପାଖ୍ୟାନ

ଜ୍ୟୋତି ନନ୍ଦ


ନାଜି ମିଥ୍ୟାପ୍ରଚାର ଭିଆଣର ନିର୍ମାତା ଜୋସେଫ ଗେବେଲ୍‌ସ୍
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆଚାର୍ଯ୍ୟ ଅଟଳଙ୍କ ପ୍ରସଙ୍ଗଟିକୁ ଆମର କୌଣସି ଗଣମାଧ୍ୟମ ଦେଖାଇବେ ନାହିଁ । ତାହା ବିଷୟରେ ଚର୍ଚ୍ଚା ତ ବହୁ ଦୂରର କଥା ।ଏହା ପରେ ଆମେ ଗଣମାଧ୍ୟମକୁ ଯେଉଁ 'ଗୋଦି ମିଡିଆ' ଅବା 'ପ୍ରେଷ୍ଟିଚ୍ୟୁଟ୍'  ବୋଲି ଅତ୍ୟନ୍ତ ଘୃଣାର ସହ କହୁଛୁ, ଆଉ ତାହାର ପକ୍ଷଧରମାନେ ନିଜକୁ ଗଣତନ୍ତ୍ରର ଅନିର୍ବାଯ୍ୟ 'ଚତୁର୍ଥ ସ୍ତମ୍ଭ' ବୋଲି ଆତ୍ମାଡ଼ମ୍ବର ଓ ବାଗାଡ଼ମ୍ବରରେ ଆମକୁ ଯେମିତି ମୋହଗ୍ରସ୍ତ କରି ରଖି ଅଛନ୍ତି, ତାହାର ସ୍ପଷ୍ଟ ବିଚାରଟି ଆପଣମାନେ ନିଜେ କରି ପାରିବେ ।

ସମ୍ପ୍ରତି କୋବ୍ରାପୋଷ୍ଟ ବୋଲି ଗୋଟିଏ ଗଣମାଧ୍ୟମ ସଂସ୍ଥା ଏକ ଷ୍ଟିଙ୍ଗ୍ ଅପରେସନ୍ କରିଥିଲେ, ଯାହା ଗଣମାଧ୍ୟମ ସଂସ୍ଥା ଉପରେ ଆଧାରିତ ଥିଲା, ଯାହାକୁ ଆପଣମାନେ ୟୁଟ୍ୟୁବ୍‌ରେ "କୋବ୍ରାପୋଷ୍ଟ ୧୩୬ /ପାର୍ଟ ୧/ ୨" ରେ ଦେଖିପାରିବେ । ପୁଷ୍ପ ଶର୍ମା ବୋଲି କୋବ୍ରାପୋଷ୍ଟର ଜଣେ ସାମ୍ବାଦିକ ନିଜର ବେଶ ବଦଳାଇ, ଆଚାର୍ଯ୍ୟ ଅଟଳ ନାମଧାରଣ କରି, ଭାରତର ଅଠରଟି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା, ଯାହା ମଧ୍ୟରେ ଟାଇମସ୍ ଗ୍ରୁପ୍, ଇଣ୍ଡିଆ ଟୁଡେ, ଏବିପି ଓ ଜୀ-ନେଟୱାର୍କ ଭଳି ସଂସ୍ଥା ରହିଛନ୍ତି, ସେମାନଙ୍କ ସହ କଥାବାର୍ତ୍ତା କରି ଏକ ଷ୍ଟିଙ୍ଗ୍ ଅପରେସନ୍‌କୁ ରୂପରେଖ ଦେଇଥିଲେ । ଏଇ ଷ୍ଟିଙ୍ଗ୍ ଅପରେସନ୍‌ରେ ଆଚାର୍ଯ୍ୟ ଅଟଳ ସେହି ସମସ୍ତ ଗଣମାଧ୍ୟମ ସଂସ୍ଥାର ଉଚ୍ଚପଦାଧିକାରୀଙ୍କ ସହ ଅର୍ଥ ବିନିମୟରେ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ପ୍ରଚାରପ୍ରସାର କରିବା ପାଇଁ କଥାବାର୍ତ୍ତା କରୁଥିବାର ଦେଖାଯାଉଛି । ସେଥିରେ ସମସ୍ତ ଗଣମାଧ୍ୟମର ଉଚ୍ଚ କର୍ମକର୍ତ୍ତାମାନେ ଉତ୍ସାହିତ ହୋଇ ସମ୍ମତି ପ୍ରକାଶ କରୁଛନ୍ତି । ଯେଉଁ ଅର୍ଥ ବିନିମୟରେ ଏହା ସମ୍ଭବ ହେବ, ତାହାର ପରିମାଣ ବି କମ୍ ନୁହଁ । ଚାରି ପାଞ୍ଚ କୋଟି ଠୁ ଆରମ୍ଭ କରି ପାଞ୍ଚ ଶହ କୋଟି । ସମସ୍ତେ ସମ୍ମତ, ସେହି ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣଟିକୁ ନିଜ ଚାନେଲ୍‌ରେ ପ୍ରଚାର କରିବା ପାଇଁ । ତାହା ଏହି ପରି:

ପ୍ରଥମ, ପ୍ରଥମେ ସଫ୍ଟ ହିନ୍ଦୁତ୍ୱ । ଅର୍ଥାତ୍ କୃଷ୍ଣ ବାଣୀ, ମହାଭାରତ ବାଣୀ, ଇତ୍ୟାଦି ଯାହା ଦର୍ଶକଙ୍କୁ ହିନ୍ଦୁ ଧର୍ମ ଆଡ଼କୁ ଆକର୍ଷିତ କରିବାରେ ସହାୟକ ହେବ । ଏହାର ପ୍ରଚାର କାର୍ଯ୍ୟକ୍ରମ ତିନି ମାସ ଧରି ଚାଲିବ ।

ଦ୍ୱିତୀୟ, ତାହା ପରର ପର୍ଯ୍ୟାୟ ଉଗ୍ର ହିନ୍ଦୁତ୍ୱ, ଯେଉଁଠି ହିନ୍ଦୁ ଧର୍ମର ଉଗ୍ରତା ଦର୍ଶକକୁ ଦେଖାଇ ଦିଆଯିବ । ଉଗ୍ର ହିନ୍ଦୁବାଦୀ ନେତାଙ୍କ ଭାଷଣ, ଯାହା ହିନ୍ଦୁ ଓ ଅଣହିନ୍ଦୁଙ୍କ ଭିତରେ ବିଭେଦ ସୃଷ୍ଟି କରି ପାରିବ, ସେହି ଭଳି କିଛି ଉଗ୍ରତା । ଏଇ ପର୍ଯ୍ୟାୟରେ ହିନ୍ଦୁ-ଅଣହିନ୍ଦୁ ବିଦ୍ୱେଷ ତଥା ପୋଲାରାଇଜ୍‌ଡ୍ ପଲିଟିକ୍‌ସ୍ କରାଯିବ ।

ତୃତୀୟ, ଶେଷ ପର୍ଯାୟରେ ବିପକ୍ଷର ନେତାମାନଙ୍କର ଚରିତ୍ର ହନନ କରାଯିବ, ଯେପରିକି ରାହୁଲ ଗାନ୍ଧୀଙ୍କୁ 'ପପ୍ପୁ', ମାୟାବତୀ ଓ ଅଖିଳେଶଙ୍କୁ 'ବୁଆ-ବବୁଆ' ଆଦିର ମାଧ୍ୟମରେ । ଏଇ ଚରିତ୍ର ହନନ କାର୍ଯ୍ୟକ୍ରମକୁ ବେଶ୍ ତୀବ୍ର କରାଯିବ, ଯାହା ଫଳରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିର୍ବାଚନରେ ତାହାର ସୁବିଧା ପାଇ ପାରିବ ।

ଅନେକ ଗଣମାଧ୍ୟମର ପ୍ରମୁଖ କର୍ମକର୍ତ୍ତାମାନେ ଆଚାର୍ଯ୍ୟ ଅଟଳଙ୍କ ସହ ଅର୍ଥ ବିନିମୟରେ ଏଇ ପ୍ରକାର 'ଡିଲ୍ରେ' ନିଜର ଉତ୍ସୁକତା ଓ ସହମତି ଦେଖାଇଛନ୍ତି । କେତେ ଜଣ ସେମାନଙ୍କ ଚାନେଲ୍ ଏଇ ପ୍ରକାର କାର୍ଯ୍ୟକ୍ରମ କରି ଆସୁ ଥିବାରୁ ଏହା ତାଙ୍କ ପାଇଁ ନୂତନ ହେବ ନାହିଁ ବୋଲି କହିଛନ୍ତି ।ଏପରି କି ଗଣମାଧ୍ୟମ ନ ହୋଇ 'ପେଟିଏମ୍' ଭଳି ଏକ ସଂସ୍ଥା ନିଜର 'ଆପ୍ସ' ମାଧ୍ୟମରେ ଏପରି କରିବା ପାଇଁ ରାଜି ହୋଇଛନ୍ତି । କଥାବାର୍ତ୍ତା ବେଳେ 'ପେଟିଏମ୍' ସଂସ୍ଥାର ସିନିଅର୍ ଭାଇସ୍ ପ୍ରେସିଡେଣ୍ଟ ସ୍ତରର ଜଣେ କର୍ମକର୍ତ୍ତା ଉତ୍ସାହ ପରବଶ ହୋଇ ଆଚାର୍ଯ୍ୟ ଅଟଳଙ୍କୁ କହିଛନ୍ତି ଯେ, ଆଗରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୋଟିଏ ଫୋନକଲ୍‌ର ବିନିମୟରେ 'ପେଟିଏମ୍' ତାହାର ଜାମ୍ମୁ-କାଶ୍ମୀରର ଉପଭୋକ୍ତାଙ୍କ ସମସ୍ତ ଗଚ୍ଛିତ ତଥ୍ୟ ହସ୍ତାନ୍ତର କରି ଦେଇ ଥିଲା ।
ଆଚାର୍ଯ୍ୟ ଅଟଳଙ୍କ ଏହି ଷ୍ଟିଙ୍ଗ୍‌ରୁ ଆମକୁ ଯେଉଁ ନିଷ୍କର୍ଷଟି ଆସୁଛି, ତାହା ହେଲା ଏଇ ପ୍ରଜାତି ଭିତରେ ଏମିତି ଘୁଣ ଧରି ଗଲାଣି ଯେ, ସେମାନେ ଅର୍ଥ ବିନିମୟରେ ଯେ କୌଣସି ବିବେକକୁ ବଳିଦାନ ଦେଇ ଏକ 'ହେଞ୍ଚମ୍ୟାନ୍' ହିସାବରେ ସାଧାରଣ ଜନତାକୁ ଦିଗଭ୍ରଷ୍ଟ କରିବା ନିମନ୍ତେ ଶାର୍ପସୁଟର୍‌ର ଭୂମିକା ତୁଲାଇବା ପାଇଁ ପ୍ରସ୍ତୁତ । ଆମର ସାଧାରଣ ଲୋକେ ଯାହା ଦେଖିଲେ, ତାହାକୁ ବିଶ୍ୱାସ କରି ଯାଆନ୍ତି । ପ୍ରତିଦିନ ଆମର ନିୟମିତ କାହାଣୀଭୋଜିଟି ଯେଉଁ ସୁନ୍ଦର ଗଣମାଧ୍ୟମର ଧାରାବାହିକମାନଙ୍କରୁ ଆସେ, ସେଇଠେ ଆଜି ଯେଉଁ ଚରିତ୍ରଟି ଭଲ ଥିଲା କାଲି ଖଳ ପ୍ରକୃତିର ହୋଇ ଗଲାଣି, ଆଉ କାଲିର ଭେଲଟି ଆଜି ଭଲ,ଏଇ ପରି ଚରିତ୍ରମାନଙ୍କୁ 'ସୁ' ଆଉ 'କୁ' ଗଢ଼ିବାରେ ସେମାନେ ମାହିର୍ । ଏଇ କାମଟି ରାଜନୈତିକ ଦଳ ପାଇଁ ବି ସେମାନେ କରୁଛନ୍ତି ଅର୍ଥ ବିନିମୟରେ । ଆଜି ଗୋଟିଏ ଦଳ ଭଲ ତ ଆଉ ଅନ୍ୟ ଦଳଟିଏ ଅନ୍ୟ ଦିନ । କିନ୍ତୁ ଗଣମାଧ୍ୟମର ଅର୍ଥ ବିନିମୟରେ ଏହି ଖେଳର କୌତୁକ ଆମ ପାଇଁ କାଳ ସାଜୁଛି । ସେମାନେ ଆମ ଭିତରେ ଯେଉଁ ଧର୍ମଗତ ବିଦ୍ୱେଷଟି ତିଆରି କରୁଛନ୍ତି, ତାହାର ପରିଣାମର ଭୟଙ୍କର ରୂପ ଆପଣମାନେ ସ୍ୱଚ୍ଛ ଆଉ ସ୍ଥିର ଚିତ୍ତରେ ବୁଝି ପାରୁଥିବେ । ଆମର ଗଣମାଧ୍ୟମରେ 'ମହାକୁମ୍ଭ', 'ଧର୍ମସଙ୍କଟ', 'ଧୃତରାଷ୍ଟ୍ର', 'ମେଳା' ଆଦି ଅନେକ ନିର୍ଦ୍ଦିଷ୍ଟ ଧର୍ମବିଶେଷର ଶବ୍ଦାବଳୀର ଢେର୍ ପ୍ରଚଳନ, ଯାହା ଏକ ପ୍ରକାର ଇଚ୍ଛାକୃତ ।

ଗଣମାଧ୍ୟମ ବିଷୟକ ଏହି ଘଟଣାଟି ଅତ୍ୟନ୍ତ ଦୁଃଖଦାୟୀ । ସେମାନେ ଆମର ଭାବାବେଗ ଓ ଚିନ୍ତାଧାରାର ଉଦାରବାଦୀ ପକ୍ଷଟିକୁ ଯେମିତି ଅର୍ଥ ବିନିମୟରେ ହତ୍ୟା କରିବାକୁ ବସିଛନ୍ତି, ତାହାର ପ୍ରତିହତ କରିବାକୁ ପଡ଼ିବ । ଉଦାରବାଦଟି ଆମ ଭିତରେ ନ ରହିଲେ, ଆମେ କଥାକଥାକେ ଅସହିଷ୍ଣୁତା ପ୍ରକାଶ କରୁଥିବା । ଏଥି ପାଇଁ ଗଣମାଧ୍ୟମ ମାନେ ଆମକୁ ଯାହା କହୁଛନ୍ତି, ସେମିତି କହିବା ପାଇଁ ସେମାନେ ଅର୍ଥ ବିନିମୟରେ ନିର୍ଦ୍ଦେଶିତ । ଆମେ ସେମାନଙ୍କର ବିଚାରଠାରୁ ନିଜକୁ ଦୂରରେ ରଖି ସେମାନଙ୍କୁ ଫେସ୍‌-ଭାଲ୍ୟୁରେ ଗ୍ରହଣ ନ କରି, ନିଜର ବିଚାରବୁଦ୍ଧି ପ୍ରୟୋଗ କରି, ସେମାନଙ୍କର ଗ୍ରହଣଯୋଗ୍ୟତାକୁ ବିଚାର କରିବା ପରେ ଗ୍ରହଣ କରିବା ଆବଶ୍ୟକ ।

ଆଚାର୍ଯ୍ୟ ଅଟଳଙ୍କ ଏହି ଷ୍ଟିଙ୍ଗ୍ ଅପରେସନ୍‌ଟି ଆମର ଭାରତୀୟବୋଧକୁ ଉଜାଗର କରିବାରେ ସମର୍ଥ ହେବ ବୋଲି ମୋର ବିଶ୍ୱାସ । କଲିକତାର ଦୁଇଟି ଗଣମାଧ୍ୟମ ସଂସ୍ଥା ଯଥା 'ବର୍ତ୍ତମାନ ପତ୍ରିକା' ଓ 'ଦୈନିକ ସମ୍ବାଦ', ଆଚାର୍ଯ୍ୟ ଅଟଳଙ୍କ ଉପରବର୍ଣ୍ଣିତ ପ୍ରସ୍ତାବ ଓ ପ୍ରଲୋଭନରେ ଆଦୌ ରାଜି ହୋଇ ନ ଥିଲେ । ଏହି ଦୁଇଟି ଆଞ୍ଚଳିକ ଗଣମାଧ୍ୟମର ଅବସ୍ଥାନ ଆମକୁ ସ୍ଫଷ୍ଟ ଭାବରେ କହୁଛି ଯେ, ସବୁ କିଛି ଶେଷ ହୋଇ ଯାଇ ନାହିଁ । ଏବେ ବି ଅନ୍ଧାର ଭିତରେ ବିନ୍ଦୁଏ ଆଲୋକ ରହିଛି ।

ଆମେ ଭାରତୀୟ, ଆମେ ବିବିଧତାର ସହ ଆଲୋକର ସନ୍ଧାନୀ ।

ପ୍ରଚାର ଓ ଭବ୍ୟତାରେ ସ୍ୱୈରାଚାରୀଟିଏ କିଛି କାଳ ମହାକାଳକୁ ଅତିକ୍ରମ କରିଛି ବୋଲି ଉଚ୍ଚ କଣ୍ଠରେ କହେ । ଆଉ ତାହାର ଶହ ଶହ ଅନୁଗାମୀ ପୁଙ୍ଗାମାନେ ସେଇ କଥାକୁ କହୁ ଥାଆନ୍ତି । ମାତ୍ର ତାହା କିଛି କାଳର କଥା । ସେତିକି ସମୟର କଷ୍ଟ ଆମକୁ ସବୁ କାଳରେ ସହିବାକୁ ପଡ଼ିଛି ।

No comments:

Post a Comment