Saturday, May 05, 2018

ଜଗମୋହନ ଲାଲାଙ୍କ ଦ୍ୱାରା 'ଉତ୍କଳ ଦୀପିକା'କୁ 

୧୮୬୬ ମସିହାରେ ପ୍ରେରିତ ସମ୍ପାଦକଙ୍କୁ ପତ୍ର 


ସେଫିଲ୍‌ଡ଼୍‌ଠାରେ ସୋସିଆଲ ସାଇନ୍ସ କଙ୍ଗ୍ରେସଠାରେ ସାର୍ ମାକୋଞ୍ଜି କର୍ସେଟ୍‌ଜିଙ୍କର ଅଭିଭାଷଣ
ଅଭିଭାଷଣର ବିଷୟ ଓ ସମୟ - ଭାରତରେ ଶିକ୍ଷା, ୧୮୬୫ ମସିହା
'ଇଲୁଷ୍ଟ୍ରେଟେଡ଼ ଲଣ୍ଡନ ନିଉଜ' ପତ୍ରିକାର ୧୮୬୫ ମସିହାର ୧୧ ଅକ୍ଟୋବର ସଂସ୍କରଣରୁ ଆନୀତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ମହାଗ୍ରାମ ଈସ୍କୁଲ ଓ ଶ୍ରୀଯୁତ୍ ଢେଙ୍କାନାଳର ରାଜାବାହାଦୁର -
ମାନ୍ୟବର ଶ୍ରୀଯୁତ୍ ଶ୍ରୀ ଉତ୍କଳ ଦୀପିକା ସମ୍ପାଦକ ମହାଶୟ ସମୀପେଷୁ ।

ଆମ୍ଭ ନିବାସଭୂମି ମହାଗ୍ରାମ କି ଯାହା ମାହାଙ୍ଗା ନାମରେ ସଚରାଚର ବିକ୍ଷାତ ଅଛି । ସେଠିକାର ଗୋଟିଏ ଇଙ୍ଗରାଜୀ ବଙ୍ଗୋତ୍କଳ ଈସ୍କୁଲ ଗଲ ଦୁଇ ବର୍ଷରୁ ସ୍ଥାପନ ହୋଇଥିବାର ଆପଣଙ୍କୁ ମଧ୍ୟ ଗୋଚର ଥିବ ।  ଆମ୍ଭମାନଙ୍କର ବିଦ୍ୟୋତ୍ସାହୀ ଗଭରମେଣ୍ଟରୁ ମାସିକ ଟ୨୦ଙ୍କା ଏ ଈସ୍କୁଲ ନିମନ୍ତେ ସାହାଯ୍ୟ ଦାନ ମିଳୁଅଛି । ମାତ୍ର ଗ୍ରାମସ୍ଥ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଯେ ଏ ଈସ୍କୁଲ ସକାଶେ ମାସିକ ଟ୨୦ଙ୍କା ଚାନ୍ଦା ଆପଣା ମଧ୍ୟରେ କରିଥିଲେ ତାହା କେତେକ ମାସ ସମ୍ପୂର୍ଣ୍ଣ ଅସୁଲ ହୋଇଥିଲା ତଦନନ୍ତର ଚାନ୍ଦା କ୍ରମେ କ୍ରମେ ନ୍ୟୁନ ହୋଇ ଅତି କଷ୍ଟରେ ଅସୁଲ ହେବାରୁ ଈସ୍କୁଲ ଦୁରାବସ୍ଥାରେ ପତିତ ହେବାର ଦେଖି ଆମ୍ଭେ କତିପୟ ବିଦେଶୀୟ ଧନାଢ଼୍ୟ ମହାଶୟଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କରିଥିଲୁଁ ମାତ୍ର ସେମାନେ ଆମ୍ଭ ପ୍ରାର୍ଥନାରେ କର୍ଣ୍ଣପାତ ସୁଦ୍ଧା ନ କଲେ ।

ଅନନ୍ତର ଶ୍ରୀଯୁତ ଶ୍ରୀ ଢେଙ୍କାନାଳାଧିପତି ରାଜା ବାହାଦୁରଙ୍କର ବିଦ୍ୟାନୁରାଗ ଓ ଦାନ‌ଶୀଳତା ବିଷୟ ଶ୍ରବଣ କରି ତାଙ୍କ ଛାମୁରେ ପ୍ରାର୍ଥନା କଲା ମାତ୍ରକେ ରାଜା ବାହାଦୁର ଅତି ଅନୁଗ୍ରହପୂର୍ବକ ମାସିକ ଟ୩ଙ୍କା ଲେଖାଏଁ ଚାନ୍ଦା ଓ ଈସ୍କୁଲ ଗୃହ ନିର୍ମାଣାର୍ଥେ ଟ୧୦ଙ୍କା ଦାନ କରିଅଛନ୍ତି । ଏହା ଦ୍ୱାରା ଯେ ସେ ଆମ୍ଭଙ୍କୁ ଓ ଆମ୍ଭ ଗ୍ରାମସ୍ଥ ଲୋକଙ୍କୁ କି ପର୍ଯ୍ୟନ୍ତ ଆନନ୍ଦିତ ଓ କୃତକାର୍ଯ୍ୟ କରିଅଛନ୍ତି ତାହା ବର୍ଣ୍ଣନାତୀତ । ଏମନ୍ତେ ଆମ୍ଭେ ନିଷ୍କପଟ ଚିତ୍ତ ଓ ସରଳ ହୃଦୟରେ ତାଙ୍କୁ ସହଶ୍ର ସହଶ୍ର ଧନ୍ୟବାଦ ପ୍ରଦାନ କରୁ ଅଛୁଁ ।

ଯଦ୍ୟପି ଏହି ପରି ଉତ୍କଳବାସୀ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ବିଦ୍ୟାପ୍ରଚାର ସକାଶେ ମୁଦ୍ରାଦାନ ଓ ଯତ୍ନ କରନ୍ତେ ତେବେ ଅବଶ୍ୟ ଅଳ୍ପ କାଳ ମଧ୍ୟରେ  ଉତ୍କଳ ଦେଶର ଗୌରବ ବୃଦ୍ଧି ହୋଇ ସଭ୍ୟ ଦେଶ ମଧ୍ୟରେ ଗଣନୀୟ ହୁଅନ୍ତା ଏଥିରେ ସନ୍ଦେହ ନାହିଁ । ଅତଏବ ବିଦ୍ୟାର ଉନ୍ନତି ଓ ପ୍ରଚାର ବିଷୟରେ ସମସ୍ତଙ୍କୁ କାୟମନବାକ୍ୟେ ବହୁ ଯତ୍ନ କରିବାର ଉଚିତ ।

ଉପରୋକ୍ତ ବିଷୟ ସର୍ବସାଧାରଣଙ୍କ ଗୋଚରାର୍ଥେ ନିବେଦନ ପତ୍ର ଆପଣ ଅନୁଗ୍ରହପୂର୍ବକ ଆପଣଙ୍କ ପତ୍ରିକାରେ ପ୍ରକାଶ କରି ଆମ୍ଭଙ୍କୁ ବାଧିତ କରିବା ହେବେ ।

ମୁ---କଟକ                                                                                         ଶ୍ରୀ ଜଗମୋହନ ଲାଲ
ତା୭ରିଖ ମାହେ ଅଗସ୍ତ ସ୍ନ ୧୮୬୬ ମସିହା                                                     ଈସ୍କୁଲ ସେକ୍ରେଟରୀ

ବି.ଦ୍ର. - ଏହି ପତ୍ରଟିର ବନାନ ଆଦି, ଯେପରି ମିଳିଅଛି, ସେହିପରି ଦିଆ ଯାଇଅଛି । ଏହି ଲେଖାଟି ଉତ୍କଳ ଦୀପିକାର ଅଗଷ୍ଟ ଏଗାର, ୧୮୬୬ ମସିହାର ସଂସ୍କରଣରେ ଛପାହୋଇଥିଲା । ଲେଖାଟି ସୃଜନିକା ସଂସ୍ଥାଙ୍କର ସୌଜନ୍ୟରୁ ମିଳିଅଛି । 

No comments:

Post a Comment