ମାଥିଉଙ୍କର ମଙ୍ଗଳ ସମାଚାର - ୩୨
ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ
![]() |
ସନ୍ଥ ପୀଟରଙ୍କର ବାସିଲିକାରେ ସ୍ଥାନିତ ସୂର୍ଯ୍ୟ ଦେବତା ହିଲିଓସ୍ ରୂପୀ ଯୀଶୁ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ତେତେବେଳେ ଜଣେ ଭୂତଗ୍ରସ୍ତ ଅନ୍ଧ ଓ ଘୁଙ୍ଗା ମନୁଷ୍ୟ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାକୁ ସୁସ୍ଥ କଲେ, ତହିଁରେ ସେହି ଘୁଙ୍ଗା କଥା କହିଲା ଆଉ ଦେଖିବାକୁ ପାଇଲା । ଏଥିରେ ସମସ୍ତେ ଚମତ୍କାର ଜ୍ଞାନ କରି କହିଲେ, ଏ କି ସେହି ଦାଉଦ-ସନ୍ତାନ ? ମାତ୍ର ଫାରୁଶିମାନେ ତାହା ଶୁଣି କହିଲେ, ଏଇଟା କେବଳ ଭୂତଗଣର ରାଜା ବାଲଜିବୁବ୍ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ । ଯୀଶୁ ସେମାନଙ୍କର ମାନସ ଜାଣି ସେମାନଙ୍କୁ କହିଲେ, କୌଣସି ରାଜ୍ୟ ଆପଣା ବିପକ୍ଷରେ ଭିନ୍ନ ହେଲେ ବିଛିନ୍ନ ହୁଏ; ପୁଣି ଯେ କୌଣସି ନଗର କି ଅବା ପରିବାର ଆପଣା ବିପକ୍ଷରେ ଭିନ୍ନ ହୁଏ, ତାହା ସ୍ଥିର ରହି ପାରିବ ନାହିଁ । ଶୟତାନ ଯେବେ ଶୟତାନକୁ ବାହାର କରେ ସେ ତ ଆପଣା ବିପକ୍ଷରେ ଭିନ୍ନ ହୁଏ; ତେବେ ତାହାର ରାଜ୍ୟ କି ପ୍ରକାରେ ସ୍ଥିର ରହିବ ? ଆଉ ଆମ୍ଭେ ଯେବେ ବାଲଜିବୁବ୍ ଦ୍ୱାରା ଭୂତମାନଙ୍କୁ ଛଡ଼ାଉଁ, ତେବେ ତୁମ୍ଭମାନଙ୍କର ସନ୍ତାନମାନେ କାହା ଦ୍ୱାରା ଛଡ଼ାନ୍ତି ? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ । ପୁଣି ଆମ୍ଭେ ଯେବେ ଇଶ୍ୱରଙ୍କ ଆତ୍ମା ଦ୍ୱାରା ଭୂତମାନଙ୍କୁ ଛଡ଼ାଉଁ, ତେବେ ଈଶ୍ୱରଙ୍କ ରାଜତ୍ୱ ଅବଶ୍ୟ ତୁମ୍ଭମାନଙ୍କର ସନ୍ନିକଟ ହେଲାଣି । ଯେହେତୁ କେହି ପ୍ରଥମେ ବଳବାନ୍ ମନୁଷ୍ୟକୁ ନ ବାନ୍ଧିଲେ କି ପ୍ରକାରେ ତାହାର ଘରେ ପ୍ରବେଶ କରି ଧନ ଲୁଟି ପାରେ ? ବାନ୍ଧିଲେ ତେବେ ସେ ତାହାର ଘର ଲୁଟି କରି ପାରିବ । ଯେ କେହି ଆମ୍ଭର ସପକ୍ଷ ନୁହେ, ସେ ଆମ୍ଭର ବିପକ୍ଷ; ପୁଣି ଯେ ଆମ୍ଭ ସହିତ ସାଉଣ୍ଟାଇ ନାହି, ସେ ବିଞ୍ଚି ପକାଏ ।
ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।
No comments:
Post a Comment