କବିତା - 'ମାଗୁଣି'
କବି - ଦେବହୂତି ଦେଈ
ଯୁକ୍ତରାଜ୍ୟ ଆମେରିକାର ଟେକ୍ସାସ ଠାରେ ୧୯୩୫ ମସିହାରେ ଧୂଳି ଝଡ଼ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଦିଅ ଜ୍ଞାନ ଦିଅ ଧୈର୍ଯ୍ୟ ହେ ପରମ ପିତା
ଏତିକି ମାଗୁଣି ଶ୍ରୀଚରଣେ
ପବିତ୍ର ନିର୍ମଳ ହେଉ ମୋର ଅନ୍ତରାତ୍ମା
ତବ ପଦ ତୁଳସୀ ଯେସନେ ।
ଶତ ପ୍ରଲୋଭନେ ପଡ଼ି ହୃଦୟେ ମୋହର
ନ ଘଟୁ କେବେ ହେଁ ଧୈର୍ଯ୍ୟ ଚ୍ୟୁତି
ବିଶ୍ୱ ପ୍ରାଣେ ପ୍ରାଣ ମୋର ହୋଇ ଯାଉ ଏକ
ସ୍ୱାର୍ଥ ହୋମେ ପଡ଼ୁ ପୂର୍ଣ୍ଣାହୂତି ।
ଅବଳା ହୃଦୟେ ବଳ ସାହସ ଅଭାବ,
ନଦୀ ମଧ୍ୟେ ତରଣୀ ସମାନ
ଘୂର୍ଣ୍ଣିବାୟୁ ମଧ୍ୟେ ପଡ଼ି ଘୂରଇ ଚୌଦିଗେ
କ୍ଷଣେକ୍ଷଣେ ବିପନ୍ନ ଜୀବନ ।
ଢାଳ କୃପା ବାରି ମୋର ହୃଦୁ ଚଞ୍ଚଳତା
ଭାସି ଯାଉ ହେ ପ୍ରଭୁ ଅଚିରେ
ହେଉ ପ୍ରଭୁ ଅଗ୍ରସର ଜୀବନ ମୋହର
କର୍ମପଥେ ସଦା ଧୀରେ ସ୍ଥିରେ ।
ବି.ଦ୍ର. - ଏହି ଲେଖାଟି 'ବାରୁଣୀ' ପତ୍ରିକାର ପ୍ରଥମ ବର୍ଷର ପ୍ରଥମ ସଙ୍ଖ୍ୟାରେ, ୧୩୩୧ କଳିଙ୍ଗାବ୍ଦରେ ପ୍ରକାଶିତ ହୋଇଥିଲା । ପତ୍ରିକାର ଏହି ପ୍ରତିଟି 'ସୃଜନିକା' ସଂସ୍ଥାର ସୌଜନ୍ୟରୁ ପ୍ରାପ୍ତ ହୋଇଥିବାରୁ, ଆମେ ତାଙ୍କ ନିକଟରେ କୃତଜ୍ଞ ।
No comments:
Post a Comment