Friday, May 11, 2018

ପଲ୍ କାରୁସ୍‌ଙ୍କର 'ବୁଦ୍ଧ ଗାଥା' - ୬୯

ଅନୁବାଦକ - ସୁଜାତା ମିଶ୍ର


ଜାପାନର ନିହୋଞ୍ଜି ମନ୍ଦିରରେ ସ୍ଥାପିତ ତଥାଗତ ବୁଦ୍ଧଙ୍କର ପ୍ରତିମା (ୱିକିମିଡିଆ କମନ୍ସ୍)

କୌଶାମ୍ବୀରେ ଜଣେ ବ୍ରାହ୍ମଣ ରହୁଥିଲେ । ସେ ଥିଲେ ବେଦଗୁଡ଼ିକର ଜ୍ଞାତା ଏବ‌ଂ ବିବାଦପ୍ରିୟ । ଶାସ୍ତ୍ରାର୍ଥରେ ତାହାକୁ ନିଜର ସମକକ୍ଷ ନ ପାଇ ସେ ହାତରେ ଜଳୁଥିବା ଏକ ମଶାଲ ନେଇ ଚାଲୁଥିଲେ ଏବଂ ଏହି ଆଶ୍ଚର୍ଯ୍ୟ ଆଚରଣର କାରଣ ପଚାରିବାରୁ ସେ ଉତ୍ତର ଦିଅନ୍ତି: "ସଂସାର ଏତେ  ଅନ୍ଧକାରପୂର୍ଣ୍ଣ ଯେ ଯେଉଁ ପର୍ଯ୍ୟନ୍ତ ସମ୍ଭବ ତାକୁ ଆଲୋକ ଦେଖାଇବା ପାଇଁ ମୁଁ ଏହି ମଶାଲ ନେଇ ଚାଲୁୁଛି ।"

ରାସ୍ତାରେ ବସିଥିବା ଜଣେ ସନ୍ୟାସୀ ଏପରି କଥା ଶୁଣି କହିଲେ: "ମିତ୍ର । ଯଦି ତୁମର ଆଖି ଦିନର ସର୍ବବ୍ୟାପ୍ତ ପ୍ରକାଶକୁ ମଧ୍ୟ ଦେଖି ପାରୁନାହିଁ, ତେବେ ସଂସାରକୁ ଅନ୍ଧକାରପୂର୍ଣ୍ଣ କୁହ ନାହିଁ । ତୁମର ମଶାଲ ସୂର୍ଯ୍ୟଙ୍କ ପ୍ରତାପ ତୁଳନାରେ ବ୍ୟର୍ଥ ଅଟେ । ଅନ୍ୟର ହୃଦୟକୁ ଆଲୋକିତ କରିବା ପାଇଁ ତୁମର ସଂକଳ୍ପ ବ୍ୟର୍ଥ ଅଟେ କାରଣ ଏହା ଅହଂକାର ଛଡ଼ା ଆଉ କିଛି ନୁହେଁ ।"

ବ୍ରାହ୍ମଣ ପଚାରିଲେ : "ସେହି ସୂର୍ଯ୍ୟ କେଉଁଠାରେ ? ଯାହା କଥା ତୁମେ କହୁଛ ? ସନ୍ୟାସୀ ଉତ୍ତର ଦେଲେ: "ତଥାଗତଙ୍କ ପ୍ରଜ୍ଞା, ଚିତ୍ତର ସୂର୍ଯ୍ୟ ଅଟେ । ଏହାର ଦୀପ୍ତି ଦିନ ଓ ରାତିରେ ସର୍ବଦା ଅଦ୍ଭୁତ ଅଟେ । ଯାହାର ବିଶ୍ୱାସ ପ୍ରବଳ, ତାଙ୍କର ନିର୍ବାଣ ପଥରେ କେବେ ମଧ୍ୟ ପ୍ରକାଶର ଅଭାବ ହୋଇ ନ ଥାଏ ଏବଂ ନିରନ୍ତର ଆନନ୍ଦକୁ ସ‌େ ଉତ୍ତରାଧିକାରୀ ସୂତ୍ରରେ ପାଇବେ ।"

ବି.ଦ୍ର - ପଲ୍ କାରୁସ୍ କୃତ "ଗସ୍‌ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା  ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।

No comments:

Post a Comment