Thursday, May 03, 2018

ବୈଷ୍ଣବ ପଦାବଳୀ - 'ବାତ୍ସଲ୍ୟ'

କବି - ଜଗବନ୍ଧୁ ସିଂହ


ବଳରାମଙ୍କର ସହ ବାଳକୃଷ୍ଣଙ୍କର ଚିତ୍ର (ୱିକିମିଡିଆ କମନ୍ସ୍)


ଦଧିମନ୍ଥା ଧ୍ୱନି ଶୁଣି ଧୀରେ ଆସେ ନୀଳମଣି଼
ସଙ୍ଗେ ଆସେ ଭାଇ ବଳରାମ

ଯଶୋମତୀ ଦେଖି ସୁଖ ମରମେ ପାଇଣ ସୁଖ
ଚୁମ୍ୱଇ ଶ୍ରୀ ଚନ୍ଦ୍ରମା ବଦନ । ୧।

ବୋଲେ ଶୁଣ ଯଦୁମଣି ଦେବି ମୁଁ ସର ଲବଣୀ
ଖାଇ ନାଚ ବାବୁ ମୋର ଆଗେ

ଚାହିଁ ଜନନୀ ବଦନ ଗେଲେ ବୋଲଇ ବଚନ
କର ପାତି ନବନୀତ ମାଗେ । ୨।

ଦେଏ ମା' ଦେଏ ମା' ବୋଲି ଅଳି କରେ ବନମାଳୀ
ଆଗେ ଦେଲେ ପଛେ ମୁଁ ନାଚିବି

ନ ଦେଲେ ନାଚିବି ନାହିଁ ଯାଉଛି ଯିବି ପଳାଇ
ଆଉ ତୋ' ଘରକୁ ନ ଆସିବି । ୩।

ଏମନ୍ତ ଅଝଟ ବାଣୀ ଶୁଣି ମୋଦେ ନନ୍ଦରାଣୀ
କର ଭରି ଦେଲେ ନବନୀତ ।

ମୁଖେ ନବନୀତ ଭରି ନାଚେ ନାନା ରଙ୍ଗେ ହରି
ଢଳି ଢଳି ଗାଏ ରଙ୍ଗେ ଗୀତ । ୪।

କଟିରେ ବାଜେ କିଙ୍କିଣୀ ଶ୍ରୀପଦେ ନୂପୁର ଧ୍ୱନି
କିଣି କିଣି ବାଜିଲା ସଘନ ।

କିଣି ନେଲା ରାଣୀ ମନ ମନ୍ଥନ ଦଣ୍ଡ ଛାଡ଼ିଣ
କରତାଳି ଦିଏ ଘନ ଘନ । ୫।

ନାଚ ଦେଖି ନନ୍ଦରାଣୀ ବୋଲେ ଦେଖ ଲୋ ରୋହିଣୀ
ଆନନ୍ଦରେ ହେଲେ ଗଦ ଗଦ ।

ଦୀନ ଜଗବନ୍ଧୁ ବୋଲେ ମହା ପୁଣ୍ୟ କରିଥିଲେ
ମିଳେ ସିନା ଏ ଶିରୀ ସମ୍ପଦ । ୬।

ଶବ୍ଦାର୍ଥ

ସୁରପତି ଇନ୍ଦ୍ର 

ଇଷିତେ ଅନାୟାସରେ

No comments:

Post a Comment