Tuesday, May 01, 2018

ମଇ ଦିବସ ଉପଲକ୍ଷରେ କବିତା - 'ହୁଅ ଆଗୁସାର'

ବିପ୍ଲବୀ କବି ମନମୋହନ ମିଶ୍ର ( ୧୯୨୦ - ୨୦୦୦)


ନୈରାଜ୍ୟବାଦୀ ସମାଜବାଦର ଚିହ୍ନ (ୱିକିମିଡିଆ କମନ୍ସ୍)

ହୁଅ ଆଗୁସାର, ହୁଅ ଆଗୁସାର
ହୁଅ ଆଗୁସାର, ହୁଅ ଆଗୁସାର,
ବାଜେ ତୂର୍ଯ୍ୟ; ଜାଗେ ସୂର୍ଯ୍ୟ
ନବୀନ ଉଷାର ।

ଆରେ ଦୂର୍ମଦ ଜାତି
ଦେଶ ଦେଶାନ୍ତରେ, ମୁକତି ମନ୍ତ୍ରରେ
ଧରଣୀ ପଡ଼ୁଛି ଫାଟି,
ଭାତ ଲୋଡ଼ି ପାଇଲୁ ଯେବେ ଗୁଳି, ଲାଠି
ଜମି ଲୋଡ଼ି ପାଇଲୁ ତୁ ମଶାଣୀର ମାଟି
ଧମନୀରେ ତୋର ରକ୍ତର ତାତି
ଏବେ କି କରିନି ପୁକାର ।

ହୁଅ ଆଗୁସାର, ହୁଅ ଆଗୁସାର
ହୁଅ ଆଗୁସାର, ହୁଅ ଆଗୁସାର,
ବାଜେ ତୂର୍ଯ୍ୟ; ଜାଗେ ସୂର୍ଯ୍ୟ
ନବୀନ ଉଷାର ।

କମାଣର ଭୋଜ ଲାଗି ଖୋଜେ 
ତୋତେ ଆମେରିକା
ହେବୁ କି ବଣିଆ ଗଣିକା,
ହେବୁ କିରେ କିଣା ବିକା;
ଆରେ ଦୁର୍ମଦ ଜାତି
ମୋର ଜନମ ମାଟି,
କୋରିଆ, ମାଳୟ, ଇନ୍ଦୋଚୀନ
କଲୋନୀର ଜନତାର ଅଗ୍ରଜ ଚୀନ
ମୁକ୍ତିର ରକ୍ତ ଶିଖା,
ଶତ ସଂସ୍କୃତି ଶାଳିନୀ ଜନନୀ
ମନ୍ଦିର, ମୀନାର ବିନ୍ଧାଣି ଜନନୀ
ମୁକତି ପାଗଳ ଶତ ଭାଷା ବାଣୀ
ମୁଖରିତ ଦରବାର ।

ହୁଅ ଆଗୁସାର, ହୁଅ ଆଗୁସାର
ହୁଅ ଆଗୁସାର, ହୁଅ ଆଗୁସାର,
ବାଜେ ତୂର୍ଯ୍ୟ; ଜାଗେ ସୂର୍ଯ୍ୟ
ନବୀନ ଉଷାର,
ହୁଅ ଆଗୁସାର, ହୁଅ ଆଗୁସାର ।

No comments:

Post a Comment