Friday, March 02, 2018

କବିତା - 'ମୁକତିର ସୂର୍ଯ୍ୟ ପରା ଉଇଁଲା'


କବି - ମନମୋହନ ମିଶ୍ର


'ତାରକାଙ୍କିତ ଲଙ୍ଗଳ' - ଆୟାରଲାଣ୍ଡ ନାଗରିକ ସେନାର ୧୯୧୪ ମସିହାର ଚିହ୍ନ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତୋର ମୁକତିର ସୂର୍ଯ୍ୟ ପରା ଉଇଁଲା,
ଉଇଁଲା, ଆଖି ତୋର କିଆଁ ଛଳଛଳ ।
ଯାହା ଲାଗି ଲଢ଼ିଲୁ ତୁ, କାରାଗାରେ ସଢ଼ିଲୁ ତୁ
ଫାସି ମଞ୍ଚେ ଚଢ଼ିଲୁ
ପାଇଛୁ କି ତାରେ ଅବିକଳ ।୧।

ଛୁଞ୍ଚିମୁନ ଭୂମି ପାଇଁ ଘୁଞ୍ଚିଲାନି କୁରୁସାଇଁ
ବଞ୍ଚିତ ସେ ଭାବଗ୍ରାହୀ, ସାରଥି ହୋଇଲେ ଯାଇ,
ଗୀତା ଛଳେ ଉଲୁସାଇ ଅରଜୁନ ବଳରେ
ଆଖି ତୋର କିଆଁ ଛଳଛଳ ।୨।

ବସ୍ତ୍ର ମାଗୁ ସେ ତ ବହୁ ଦୂର
ଅନ୍ନ ମାଗୁ ଗୁଳି ତ ପ୍ରଚୁର
ଯୋଡ଼ି ହାତ ଗୋଡ଼ ଛୁଇଁ
ମାଗ ଭାତ, ମାଗ ଭୂଇଁ
ଦାନୀଷଣ୍ଢ ରାଜ୍ୟ ମହାବଳ ରେ
ଆଖି ତୋର କିଆଁ ଛଳଛଳ ।୩।

କଳି ଯୁଗେ ପରା, ଧରମ ସ୍ୱରାଜ !
ବଳି-ଦାନୀ ହେଲେ, ରଜା ମହାରାଜ !
ଉଡ଼ିଗଲା ଲିୟା ହେଲା
ଗୋବିନ୍ଦାୟ ସ୍ୱାହା ରେ ।
ହେଣ୍ଡି ମାରେ ଅହିଂସା-ମାଦଳ
ଆଖି ତୋର କିଆଁ ଛଳଛଳ ।୪।

ନୋହୁ ଯଦି ଭାଗ୍ୟବାନ
ନାହିଁ ଜମି ଦେବୁ ଦାନ
ପେଟ ପାଳିବାକୁ ତୋର
ନଅଣ୍ଟ କାଳରୁ
ଲଭ ବେଠି-ଶ୍ରମଦାନ ପୂଣ୍ୟ ଫଳରେ
ଆଖି ତୋର କିଆଁ ଛଳଛଳ ।୫।

ଏ ବୁଦ୍ଧି ଦୁର୍ଲଭ ବଡ଼ ଶୋଷଣର ଇତିହାସେ
ଏ ଶୁଦ୍ଧି ସୁଲଭ ବଡ଼ ପାମର ଅରଥ-ଦାସେ
ପ୍ରଜା ସାମ୍ୟବାଦୀ ଆଉ ରଜା କଙ୍ଗରେସରେ ।
ନେତାଙ୍କୁ ଏ ଛାଇ ସୁଶୀତଳ
ଆଖୁ ତୋର କିଆଁ ଛଳଛଳ ।୬।

ବି.ଦ୍ର. - ୧୯୫୧ ମସିହାରେ କଟକ ଜେଲର ୧୫ ନମ୍ବର ଉଆର୍ଡ଼ରେ ରଚିତ ।

No comments:

Post a Comment