Sunday, March 11, 2018

ରାଗ ପଡ଼ିରେ ଜଣାଣ - 'ଶ୍ୟାମ ହେ ମୋହନ ରାଧାରମଣ'


କବି - ରାଜା ସୁଢ଼ଳ ଦେବ (୧୮୫୧-୧୯୦୩)


ବାମନାବତାରରେ ତ୍ରିବିକ୍ରମ ବିଷ୍ଣୁ (ୱିକିମିଡିଆ କମନ୍ସ୍)

ଶ୍ୟାମ ହେ ମୋହନ ରାଧାରମଣ
ଅଗତିକୁ ଗତି ଦେଇ କର ତାକୁ ତାରଣ
ଶ୍ୟାମ ସୁନ୍ଦର ମନ୍ଦରଧର ଆନନ ଅତି ଶୋଭନ
ନନ୍ଦନନ୍ଦନ ଛନ୍ଦ ନ କର ସୁନ୍ଦର ମୁଖ ଲୋଚନ ।୧।

ହରି ହେ, ବଳିକୁ ଛଳି ଆପଣ
ମହାଦାନୀ ପଣ ତାର କର୍ଣ୍ଣ ଶୁଣିଣ
ବାମନ ହେଲ ଦାନ ମାଗିଲ ବଳିର ଶିର ଚାପିଣ
ପାତାଳ ପୁର ଦ୍ୱାର ତାହାର ଜଗି ବସିଲ ଆପଣ ।୨।

ହରି ହେ, ଶ୍ୟାମଳ ଶାନ୍ତ ମୂରତି
ଶ୍ରୀ ଜାନକି ଦେବୀଙ୍କର ପ୍ରାଣର ପତି
କାକୁସ୍ଥ କୁଳ ମଣ୍ଡନକାରୀ ପରଶୁରାମ ଦର୍ପ ସଂହାରୀ
ବିଶ୍ୱାମିତ୍ର ଜାଗରକ୍ଷକ ତାଡ଼କୀକୁ କଲ ନିଧନ ।୩।

ହରି ହେ, ଯୁଦ୍ଧ ଦେଖି ତୁମ୍ଭର -
ପରାକ୍ରମେ ଜମ୍ବେବ କଲା ବିଚାର
ସମର ମନ ଜାଣି ଆପଣ ହରଷ ହେଲ ତକ୍ଷଣ
ଯୋଗ ଅନ୍ତରେ ବାହୁ ଯୁଦ୍ଧ ଦେଇ ଜମ୍ବୁବତୀ କଲ ହରଣ ।୪।

ବାମଣ୍ଡା ବାସୁଦେବ ନୃପତି
ନିତି ଶରଣ ମାଗେ କରି ବିନତି
ଆରତ ତ୍ରାଣ ଦୁଃଖ ନାଶନ ଦୁଃଖକୁ କର ମୋଚନ
ଦାସ ଗଲେ ନାଶ ଲଭିବ କି ଯଶ ନିନ୍ଦା ବହିବ ଆପଣ ।

No comments:

Post a Comment