Wednesday, March 28, 2018

ପାଚିଲା ଓଉର ସିଝା ଚଟଣି

ସରୋଜିନୀ ଚୌଧୁରୀ




ପ୍ରଣାଳୀ - ପାଚିଲା ଓଉ ଆଣ । ପାଖୁଡ଼ା ପାଖୁଡ଼ା କାଟି ଛଡ଼ାଅ । ଦରକାର ମୁତାବକ ଛଡ଼ା ଓଉ ନେଇ ଭାତରେ ପକାଅ । ସିଝିଗଲେ ବାହାର କରି ଶୀତଳ ହେବାକୁ ଦିଅ । 

ବର୍ତ୍ତମାନ ଏହାକୁ ଶିଳରେ ଛେଚି ଅଳ୍ପ ଲୁଣ, ଚିନି, ସୋରିଷ ତେଲ ଏବଂ କଞ୍ଚାମରିଚ (ପାଚିଥିଲେ ଆହୁରି ସୁନ୍ଦର) ସରୁ ସରୁ ଲମ୍ବ ଲମ୍ବ କାଟି ଛେଚା ଓଉରେ ମିଶାଅ । ସର୍ବଶେଷରେ ହାଣ୍ଡିଫୁଟା ଭାଜି ଗୁଣ୍ଡା କରି ତହିଁରେ ଗୋଳାଇ ଢାଙ୍କି ରଖ । 

ଏଥିରେ ରସୁଣ ଛେଚି ଦେଇ ପାର (ରୁଚି ଅନୁଯାୟୀ) ।

ଗୁଣାଗୁଣ - କଞ୍ଚା ଓଉର ଗୁଣ ଅମ୍ଳ-ମଧୁର-କଷାୟରସ, ରୁଚିକର, ମୁଖପରିଷ୍କାରର, କଫ-ପିତ୍ତନାଶକ ଏବଂ ଶାନ୍ତି ଓ ଶୂଳ ରୋଗରେ ଉପକାରକ ।

ପାଚିଲା ଓଉର ଗୁଣ - ମଧୁରାମ୍ଳରସ, ଗୁରୁପାକ, ମଳରୋଧକ ଓ ବିଷ ଦୋଷନାଶକ । 


ବି.ଦ୍ର. - ପାଚିଲା ଓଉର ସିଝା ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment