Friday, March 18, 2016

ପିଲାଙ୍କ ଗୀତ - ଧୂଳିଘର 


କବି - ଚିନ୍ତାମଣି ମହାନ୍ତି (୧୮୬୭ - ୧୯୪୩)



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଆସ ଆସ କିଏ ଦେଖିବ ଧୂଳିଘର ମୋହର 
ସରୁ କୁଟିକମଗୁଡ଼ିକ ଆହେ କେଡ଼େ ସୁନ୍ଦର !

ଏଇ ଘରଟିରେ ଖେଳିବି ମୁହିଁ ନିତି କଣ୍ଢେଇ 
ଏ ଘର ଗୁହାଳ, ଏଘର ହେବ ଧାନ ମରେଇ ।

ଶୋଇବାଘର ଏ ହୋଇବ ହାଣ୍ଡିଶାଳ ତେଣିକି ।
ଏହି ଯେ ଚାଳିଆ ଖଣ୍ଡିକ ଏଠି ପଡ଼ିବ ଢେଙ୍କି ।

ଏଘରେ ବସି ମୁଁ ପଢ଼ିବି ଏକୁଟିଆ ନିରୋଳେ 
ବିଭୁଙ୍କୁ ପ୍ରାର୍ଥନା କରିବି ପ୍ରେମ ଭକତି ଭୋଳେ । 

ଧୂଳିଘର ଦେଖି ମୋହର ପରିହାସ କରନା 
ଲୁଚିଅଛି ଏହା ଭିତରେ ମୋର ଶିଶୁ କଳ୍ପନା ।

ଲୁଚିଥାଏ ଯଥା କୁସୁମହାର ମଧ୍ୟରେ ସୂତା
ଅଥବା ସୁକୀର୍ତ୍ତି ମଧ୍ୟରେ ଯଥା ସତ୍ୟ ସାଧୁତା ।

ସ୍ୱଭାବେ ଶିଶୁ ମୁଁ ବିଭୁଙ୍କ ଭାବେ ସଦା ମଗନ 
ତେଣୁ ତାଙ୍କ ବିଶ୍ୱ ସର୍ଜନା କରେ ଅନୁକରଣ । 

ଚିନ୍ତାମଣି ମହାନ୍ତି ଗ୍ରନ୍ଥାବଳୀ । ଶ୍ରା ମହେଶ୍ୱର ମହାନ୍ତି ସଙ୍କଳିତ  ଓ ସମ୍ପାଦିତ (ପ୍ରକାଶକ - କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ : ନୂଆ ଦିଲ୍ଲୀ) ଓ ୨୦୧୫ ପନ୍ଦର ମସିହାରେ ପ୍ରକାଶିତ ସଙ୍କଳନ 'ଓଡ଼ିଆ ଶିଶୁ-କିଶୋର କବିତା' ରୁ ଆହୃତ । 

No comments:

Post a Comment