କବିତା - 'ଆଉ କେଉଁ ଆଶେ'
ଲକ୍ଷ୍ମୀକାନ୍ତ ମହାପାତ୍ର
![]() |
'ସୌଗନ୍ଧିକ ପରିଣୟ' ଗ୍ରନ୍ଥରେ ବ୍ୟବହୃତ ଚିତ୍ର (୧୮୨୧ ମସିହା) ଗ୍ରନ୍ଥକାର - ମହୀଶୂର ମହାରାଜ ମୁମ୍ମଦି କୃଷ୍ଣରାଜ ୱାଡ଼େୟାର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଆଉ କେଉଁ ଆଶେ ଆସୁଛ ହେ ସଖା
ଆଜି ଏ ରଜନୀ ଶେଷେ,
ସାରିତ ଦେଇଛି ପୂଜାର ସମ୍ଭାର
ନାହିଁ କିଛି ଆଉ ଲେଶେ । (ଘୋଷା)
ସବୁ ରସ ମୋର ଚିପୁଡ଼ି ହୃଦୟ,
ତୁମ ସୁଖ ଲାଗି କରିଅଛି କ୍ଷୟ,
ଅଞ୍ଜଳି ଭରି ସବୁତକ ଫୁଲ
ସମ୍ପିଛି ତବ ଉଦ୍ଦେଶେ ।୧।
ଯେତେକ ଅଶୃ, ଯେତେକ ହାସ୍ୟ,
ଯେତେ ଗୀତ, ଯେତେ ରାଗିଣୀ,
ନିଃଶେଷ କରି ଅଜାଡ଼ି ଦେଇଛି
ପ୍ରତିଦାନ ତା'ର ମାଗିନି;
ତଥାପି ଯେବେଟି ବଳିଅଛି ଆଶା,
ନ ମେଣ୍ଟିଛି ଯେବେ ମୋ ଠେଇଁ ପିପାସା,
ନବରସେ ଭରି ସଜାଇ ଦିଅ ହେ
(ମୋତେ) ପୁଣି ନବ-ବଧୂ ବେଶେ ।
ବି.ଦ୍ର. - ସୃଜନିକା ଅନୁଷ୍ଠାନ ଦ୍ୱାରା ଡିଜିଟାଲକରଣ ହୋଇଥିବା ହାତଲେଖା ପତ୍ରିକା 'କୁଙ୍କୁମ'ର ପ୍ରଥମ ବର୍ଷର ପ୍ରଥମ ସଙ୍ଖ୍ୟା (ଅକ୍ଟୋବର ୧୯୪୮)ରୁ ଆହୃତ । ପତ୍ରିକାଟି ବମ୍ବେରୁ ପ୍ରକାଶିତ ହେଉଥିଲା । ସମ୍ପାଦକ ଥିଲେ ଦେବ ମହାପାତ୍ର । ପରିଚାଳନା ସମ୍ପାଦକ ଥିଲେ ଧୀରେନ୍ ଦାଶ ।