Saturday, February 10, 2018

ବୈଷ୍ଣବ ପାଣିଙ୍କ ମଧ୍ୟ-ପଶ୍ଚିମ ଓଡ଼ିଶା ଗସ୍ତ


ଗଡ଼ଜାତ ମାହାଲର ମାନଚିତ୍ର (୧୯୦୯:ଇମ୍ପିରିଆଲ ଗେଜେଟିଅର ଅଫ ଇଣ୍ଡିଆ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ନିଜ ଦଳ ସହ ଓଡ଼ିଶା ରାଇଜ ସାରା ବୁଲି ଯାତରା ପରିବେଷଣ କଲା ବେଳେ ଥରେ ଦଶପଲ୍ଲାରୁ ବିଫଳ ମନୋରଥ ହୋଇ ବୈଷ୍ଣବ ପାଣି ପହଞ୍ଚନ୍ତି ଯାଇଁ ତତ୍କାଳିନ ବଉଦ ରାଜ୍ୟରେ । କିଲ୍ଲା ଦଶପଲ୍ଲାର କନ୍ଧ ଗାଁ ଛାମୁଡ଼ିଆରୁ ବାହାରି ମଣିଭଦ୍ରା ଗିରି ଓ ମହାନଈ ମଧ୍ୟସ୍ଥ ପଥ ଦେଇ ଯାତରା ଦଳଟି ଯାଇ ପହଞ୍ଚନ୍ତି ସୂର୍ଯ୍ୟାସ୍ତ ସମୟରେ ବୌଦ ରାଇଜର ଉପଖଣ୍ଡ ହରଭଙ୍ଗାରେ । ସେଠି ସେତେବେଳେ ପୋଲିସ ଥାନାଟିଏ ଓ ବିଦ୍ୟାଳୟ ଗୋଟିଏ ଥାଏ । ଦାରୋଗାଙ୍କ ଆଗ୍ରହ ଯୋଗୁଁ ସେଠାରେ ପାଞ୍ଚ ରାତି ନାଟ ଚାଲେ ।

ନାନାଦି କାରଣରୁ ପାଣିଙ୍କ ଦଳଟି ଆଉ ବଉଦ ସଦର ଠାରେ ଥିବା ରାଜଉଆସକୁ ଗସ୍ତ କଲା ନାହିଁ । ହରଭଙ୍ଗାଠାରେ ହିଁ ଦଳଟି ମହାନଈ ପାରହୁଏ । ତାହା ପରେ ସେମାନେ ଯାଇ ପହଞ୍ଚନ୍ତି ନଈ ସେପାରି ଆଠମଲ୍ଲିକ ରାଜ୍ୟର ଅହିଡ଼ା ଠାରେ । ସେଠାରେ ପ୍ରାଥମିକ ବିଦ୍ୟାଳୟଟିଏ ଥାଏ । ସେଇଠାରେ ଦଳଟି ରହେ । ରାତିକୁ ନାଟର ଆୟୋଜନ ହୁଏ । ପରଦିନ ଆଠମଲ୍ଲିକ ସଦର ଯାଇଁ ପାଣିଏ ରଜାଙ୍କ ସହ ଦେଖାକରନ୍ତି । ରାଜାନୁଗ୍ରହରୁ ବଙ୍ଗଳାରେ ଆସ୍ଥାନ ମିଳେ । ରାଜାସାହେବଙ୍କର ଅତିଶୟ ଆଗ୍ରହ ଯୋଗୁଁ ଦଳଟି ସେଠି ଗୋଟିଏ ପକ୍ଷ ରହିଯାଆନ୍ତି । ଉଭୟ ଉଆସ ଓ ବଜରା ଆଦିରେ ନାଟ୍ୟାଭିନୟର ପ୍ରଦର୍ଶନ ହୁଏ । ଆଠମଲ୍ଲିକର ତତ୍କାଳିନ ନରପତି ବନ୍ଧୁକ ଚାଳନାରେ ଧୁରନ୍ଧର ଓ ଶୀକାରବିଳାସୀ ଥିଲେ । ଏଣୁ ମଣିମାଙ୍କ ସୌଜନ୍ୟରୁ ପାଣି ମହାଶୟ ଏହି ଗସ୍ତରେ ଅନେକ ଥର ହରିଣ ଓ ସମ୍ବର ଆଦି ବନ୍ୟପଶୁଙ୍କର ମାଂସ ଭୋଜନ କରିବାର ସୁଯୋଗ ପାଇଲେ । ଶେଷକୁ ରାଜା ଲରିଟିଏରେ ବୈଷ୍ଣବଙ୍କୁ ବସାଇ ବଉଦ ରାଜବାଟୀକୁ ପଠ‌ାଇଦେଲେ ।

ପାଣି କିଆକେଣ୍ଟାଠାରେ ମହାନଦୀ ପାର ହୋଇ ବୌଦ ରାଜ୍ୟରେ ପ୍ରବେଶ କଲେ । ସେଇ ଦେଶର ଉଆସରେ ତିନି ରାତି ନାଟ ପରିବେଷଣ କରି ରାଜ୍ୟତ୍ୟାଗ କଲେ । ପାଣିଙ୍କ ମତରେ ବଉଦ ରାଜ୍ୟର ନାରୀମାନେ ଯେଉଁ ପ୍ରକାରର ଅପଭାଷା ବା ଗାଳିଗୁଲଜ ପ୍ରୟୋଗ କରନ୍ତି, ତାହାକୁ ନା ଶୁଣିହେବ ନା କହିହେବ । ସେ ଏହା ମଧ୍ୟ ପର୍ଯ୍ୟବେକ୍ଷଣ କରନ୍ତି ଯେ, ସେହି ରାଜ୍ୟର ଶୋଷିତ ଜାତିମାନଙ୍କର କାଇଅଣ୍ଡା ଏକ ଆଦରର ଖାଦ୍ୟ । ଆଉ ସେ ଏହି ତଥ୍ୟଟିକୁ ବଉଦବାସୀମାନଙ୍କର ‘ଜଘନ୍ୟ’ତାର ଉଦାହରଣ ଭାବରେ ପରିବେଷଣ କରନ୍ତି ।

ବୌଦରୁ ଆରମ୍ଭ ହୁଏ ସୋନପୁର ଯାତ୍ରା । ବାଟରେ ତେଲ ସରିଯାଇଥାଏ । ଶୁଖିଲା ଭାବରେ ଗାଧୋଇବାକୁ ପଡ଼େ । ବାଟ ସାରା ଛୋଟିଆ ଗାଉଁଲି ଦୋକାନ ବା ଗୋଦାମଟିଏ ମଧ୍ୟ ଦିଶେ ନାହିଁ । ଏଣୁ ସମସ୍ତଙ୍କର ଖାଡ଼ାଖାଡ଼ା ଓପାସ । ସୋନପୁର ରାଇଜର ସୁବଳୟାଠାରେ ପହଞ୍ଚିଲା ବେଳକୁ ପାଣିଙ୍କୁ ସହସା ଜର ହେଲା । ଗଙ୍ଗାଧର ମେହେରଙ୍କର ଦିଅଁଘରେ ବିଶ୍ରାମ କରିବାର ବେବସ୍ତା ହେଲା । ହେଲେ ବିନା ଉପଯୁକ୍ତ ଚିକିତ୍ସାରେ ଏହି ଜର କ୍ରମେ ନିମୋନିଆଁ ଆଡ଼କୁ ଗତି କଲା । ଏଣେ କୁବଳୟାରେ ନଅ ରାତି ରହି ବିନା ଦଳପତିଙ୍କର ଉପସ୍ଥିତିରେ ନାଟ ଦଳଟି ନଅ ରାତି ଅଭିନୟ ଚଳାଇଥାଏ ।

ନଅ ଦିନ ବିତିଗଲା ପରେ ମଧ୍ୟ ବୈଷ୍ଣବଙ୍କର ଦେହ ଭଲ ହୋଇ ନଥାଏ । ସେହି ପରି ବାଧିକି ପଡ଼ିଥିବା ଅବସ୍ଥାରେ ଦଳଟି ସହ ପାଣି ସୋନପୁର ସଦରସ୍ଥ ଉଆସ ପ୍ରତି ଯାତ୍ରାରମ୍ଭ କଲେ । ସେଠି ପହଞ୍ଚି ଦଳଟି ଦୁଇ ସପ୍ତାହ ପର୍ଯ୍ୟନ୍ତ ନାଟ ଦେଖାଇଲା । ହେଲେ ପାଣିଙ୍କ ଦେହର ଅବସ୍ଥା ‘ଯଥା ପୂର୍ବଂ ତଥା ପରମ୍’ । ହେଲେ ପାଣିଙ୍କର ଇଚ୍ଛା ଥାଏ ସୋନପୁର ଯାତ୍ରା ସାରି ତରଭା, ବଲାଙ୍ଗୀର ଆଡ଼େ ଯିବାର । ହେଲେ ପଛିମ ଓଡ଼ିଶାରେ ଖରାଦିନର ଅସହ୍ୟ ଗରମ କଥା ସ୍ମରଣ କରି ଦଳର ଅନ୍ୟମାନେ ସେଆଡ଼ି ଯିବାକୁ ରାଜି ହେଲେ ନାହିଁ । ସେଇଠୁ ଦଳଟି ପଛିମ ଓଡ଼ିଶାର ଅନ୍ୟ ଆଡ଼େ ଆଉ ନ ଯାଇ ଲେଉଟି ଆସିବାର ନିଷ୍ପତ୍ତି ନେଲା ।

ଶେଷକୁ ନିଷ୍ପତ୍ତି ହେଲା ମହାନଈ ବାଟ ଦେଇ ନଉକାରେ ଉପକୂଳ ଓଡ଼ିଶାକୁ ଫେରିବା ପାଇଁ । ରନ୍ଧାବଢ଼ା କାମ ନଈ କୂଳର ବାଲିରେ କରାଯାଉଥାଏ । ସେତେବେଳକୁ ଖାଇବା ସାମଗ୍ରୀର ଅଭାବ ଦେଖାଦେଲାଣି । ଥରେ ବାଂଶମୂଳୀ ଠାରେ ରନ୍ଧାବଢ଼ା ସାରି ଖାଇ ବସିଲା ବେଳେ ସହସା ଏକ ଝଞ୍ଜା ମାଡ଼ି ଆସିଲା । ପାଖରେ ଥିଲା ଏକ ମଇଁଷି ଗୋଠ । ସେଠୁ ଗୋବର ଧୂଳି ଓ ନଈ ପଠାରୁ ଶୁଖିଲା ବାଲି ଉଡ଼ି ଆସିଲା । ଶେଷକୁ ହାତରେ ପତର ଧରି, ଠିଆ ହୋଇ, ଭୋଜନ କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଲା ।

ଖାଇ ସାରି, ନଈ ପାଣିରେ ହାତ ମୁହଁ ଧୋଇ ପୁଣି ନଉକାରେ ଯାତ୍ରାରମ୍ଭ କରାଗଲା । ଖରାଦିନେ ନଦୀଟିର ଛାତି ଶୁଖିଲା । ହେଲେ ତଥାପି ଯେତିକି ବା ପାଣିଥାଏ, ସେଥିରେ ଲୁଚିଥାଏ ଅନେକ ପଥରଖଣ୍ଡ । ଛୋଟିଆ ନଉକାଟି ସେଥିରେ ବାଡ଼େଇ ହୋଇଗଲେ କଥା ସରିଲା । ଅତି ସାବଧାନତାର ସହ ନଉକା ବାହିବାକୁ ହୁଏ । ହେଲେ ପଥରକୁ ଜଗିଲା ବେଳକୁ ସିଆଡ଼େ ବାଲିଚଡ଼ାରେ ଡଙ୍ଗାଟି ଚଢ଼ିଯାଏ । ସେଇଠୁ ନଉକାରୁ ସମେତେ ଓହ୍ଲାଇ କସରତ କରି ଡଙ୍ଗାଟିକୁ ପୁଣି ପାଣିକୁ ଓହ୍ଲାଇବାର କଥା । ଏଣୁ ମହାନଦୀର ବକ୍ଷରେ ଦଳଟିର ଗତି ଥିଲା ମନ୍ଥର ।

ଶନୈଃଶନୈଃ ଆସି ନାଟୁଆମାନେ ପହଞ୍ଚନ୍ତି ଆଠମଲ୍ଲିକର ଉତ୍ସ୍ନପ୍ରସ୍ରବଣ ପାଖ ଠାକୁରଡ଼ିହ ପାଖେ । ସେଠି ରଜାଙ୍କ ସହ ଭେଟ ହୁଏ । ଆଠମଲ୍ଲିକପତି ତ ପାଣିଙ୍କ ଉପରେ ପ୍ରସନ୍ନ ଥାଆନ୍ତି । ଏଣୁ ଖାଇବାପିଇବା ଓ ରହିବାର ସମସ୍ତ ସୁବନ୍ଦୋବସ୍ତ କରାଇଦେଲେ । ସେତେବେଳେ ପ୍ରାୟତଃ ସମସ୍ତ କରଦ ରାଜ୍ୟର ପ୍ରଜାମାନେ ବେଠି ଖଟି ରାସ୍ତା ତିଆରି ଥାଆନ୍ତି । ହେଲେ ଏହି ପଥରେ ସାଧାରଣ ଲୋକ ବିନା ରାଜାନୁମତିରେ ଚାଲି ଯିବାର କିମ୍ବା ବଳଦଗାଡ଼ି ଇତ୍ୟାଦି ନେବାର ଅନୁମତି ନଥିଲା । ଏପରି କଲେ ନାନାଦି ଦଣ୍ଡ ପାଞ୍ଚ ଆଇନରେ ଭୋଗିବାକୁ ପଡ଼ୁଥିଲା । ଓଡ଼ିଶାର ପ୍ରାକ୍ତନରାଜା ମାନେ ଅତ୍ୟନ୍ତ ପ୍ରଜାନୁରଞ୍ଜକ ଥିଲେ ଓ ପରଜାଙ୍କୁ ନିଜର ପିଲାପିଚିକା ଭଳି ନିଶ୍ଚୟ ଦେଖୁଥିଲେ । ଏଣୁ ଏହି ବିବେକବାନ ନରପତିମାନେ ବୋଧହୁଏ ‘ଲାଲୟେତ୍ ପଞ୍ଚ ବର୍ଷାଣି ଦଶ ବର୍ଷାଣି ତାଡ଼ୟେତ୍’ ଭଳି ଆପ୍ତବାକ୍ୟର ପ୍ରୟୋଗ କରି ପ୍ରଜାମାନଙ୍କୁ ତାଙ୍କର ନିଜର ଭଲ ପାଇଁ କଠୋର ଅନୁଶାସନ ଭିତରେ ରଖୁଥିଲେ । ଅବଶ୍ୟ ବେଳେବେଳେ ତାଡ଼ନାଟି ସ୍ତ୍ରୀ ଧର୍ଷଣ ଓ ଗୁଳି ବା ଲାଠି ବର୍ଷଣ ଆଦି ଉଗ୍ର ରୂପ ମଧ୍ୟ ନେଉଥିଲା ।

ଏସବୁ କହିବାର କାରଣ ହେଲା ଯେ, ଆଠମଲ୍ଲିକର ରାସ୍ତାରେ ବଳଦଗାଡ଼ି ଚଲାଇ ଆଣିଥିବାରୁ ରାଜ୍ୟର ଦେୱାନ ସାହେବ ଇତି ମଧ୍ୟରେ ପାଣିଙ୍କର ଦଳକୁ ପାଞ୍ଚ ଆଇନିରେ ପକାଇ ସାରିଥାଆନ୍ତି । ରାଜାସାହେବଙ୍କୁ ଏ ବିଷୟରେ ଜଣାଇବାରୁ କରୁଣାସାଗର, ଧାର୍ମିକ ରାଜା ନିଜ ଆଇନିର ନିଜେ ଉଲ୍ଲଙ୍ଘନ କରି, ପାଞ୍ଚ ଆଇନିର ରିପୋର୍ଟଟିକୁ ଦୀପନିଆଁରେ ଜଳାଇଦେଲେ । ପାଣିଙ୍କୁ ଆଇନିର ତାଡ଼ନାରୁ ନିଷ୍କୃତ୍ତି ମିଳିଲା, ଯଦିଓ ନିୟମ ବହିର୍ଭୁତ ଭାବରେ । ଏହା ପରଦିନ ଆଠମଲ୍ଲିକ ସଦର ଛାଡ଼ି ପୁଣି ଯାତ୍ରା ଆରମ୍ଭ ହେଲା ।

ବାଟରେ ସନ୍ଧ୍ୟା ହେବାରୁ ବିଦ୍ୟାଳୟଟିଏ ଦୁଶିବାରୁ ଦଳଟି ଯାଇଁ ଅନୁସନ୍ଧାନ କଲା । ହେଲେ ସେଠିକାର ଶିକ୍ଷକ ଜଣକ କହିଲେ କି, ସ୍ଥାନୀୟ ଲୋକେ କିରାସିନି ବ୍ୟବହାର କରନ୍ତି ନାହିଁ । ଏବଂ ଗରୀବ ଲୋକେ, ଯେଉଁମାନେ ଜନସଙ୍ଖ୍ୟାର ସିଂହଭାଗ, ସେମାନେ ଖାଇବା ତେଲ ଇତ୍ୟାଦିର ବ୍ୟବହାର ଜାଣନ୍ତିନି । ଏଣୁ ସେସବୁ ସେଠାରେ ମିଳିବାର କିଛି ସମ୍ଭାବନା ନାହିଁ । ଉପାୟହୀନ ହୋଇ କିଛି କାଷ୍ଠାଦି ଶୁଷ୍କ ଜାଳ ସାହାଯ୍ୟରେ ଗୋଟିଏ ପୋଖରୀ କୂଳରେ ରୋଷେଇର ଆୟୋଜନ କରାଗଲା । ସେହି ଗଡ଼ିଆଟିରୁ ଦଳର ପିଲାଏ କିଛି ଛୋଟଛୋଟ ମାଛ ଧରିଆଣିଲେ । ଲୁଣ ଓ ଲଙ୍କାମରିଚରେ ସେସବୁ ନିଆଁରେ ପୋଡ଼ି ତାହାର ସଦ୍‌-ବ୍ୟବହାର କରାଗଲା । ରାତିଟି ସେଇଠି କଟାଇ ଅନୁଗୋଳ ଆଡ଼କୁ ଗସ୍ତ ଆରମ୍ଭ ହେଲା ।

ସେତେବେଳେ ଅନୁଗୋଳ ମୋଗଲବନ୍ଦୀର ଗୋଟିଏ ଜିଲ୍ଲା । ହେଲେ ଚାରିଆଡ଼େ ଗଡ଼ଜାତମାନଙ୍କ ଦ୍ୱାରା ଘେରା । ଏହା ସ୍ୱାଧୀନତା ପରେ ଢ଼େଙ୍କାନାଳ ରାଇଜ ସହ ଅନୁଗୋଳକୁ ମିଶାଇ ବୃହତ ଢେଙ୍କାନାଳ ଜିଲ୍ଲା ଗଠନ ଆଗର କଥା । ଅନୁଗୋଳ ସଦର ମହକୁମାରେ ସେତେବେଳେ ଗୋଟିଏ ଜିଲ୍ଲା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଥାଏ । ସେହି ପାଠଶାଳା ପାଖ ହାଡ଼ିଆ ପାନରଙ୍କ ଘରେ ରହଣି କରାଗଲା । ସେତେବେଳେ ଅନୁଗୋଳ ଥାନାଧୀଶ ଥାଆନ୍ତି ନୀଳକଣ୍ଠ ମହାପାତ୍ର । ତାଙ୍କର ଆଗ୍ରହରେ ଥାନାରେ ନାଟଦଳ ଅଭିନୟ ପ୍ରଦର୍ଶନ କଲେ । ତାହା ପର ଦିନ ଜିଲ୍ଲା ଚିକିତ୍ସାଳୟରେ ନାଟ ହେଲା । ତୃତୀୟ ଦିନ ଟାଉନ୍‌ର ମାରୁଆଡ଼ିମାନଙ୍କ ଫରମାସରେ ତାଙ୍କରି ଚଉମୁହିଁରେ ଅଭିନୟ ପ୍ରଦର୍ଶନ କରାଗଲା ।

ହେଲେ ସେତେବେଳକୁ ଅନୁଗୋଳରେ ବସନ୍ତ ରୋଗ ବ୍ୟାପିଥାଏ । ଯେହେତୁ ନାଟ ପ୍ରଦର୍ଶନ ଯୋଗୁଁ ବହୁ ଜନସମାଗମ ହେଉଥାଏ, ପ୍ରଶାସନ ଭାବିଲେ କି ଏଥିରୁ ରୋଗ ଅଧିକ ମାଡ଼ିଯାଇପାରେ । ଚତୁର୍ଥ ଦିନ, ମାଜିଷ୍ଟ୍ରେଟ ସାହେବ ପାଣି ଆଜ୍ଞାଙ୍କୁ ପୋଲିସ ଦ୍ୱାରା ତଲବ କରି, ଲିଖିତ ଭାବରେ ଜମାନବନ୍ଦୀ ଆଦାୟ କରିନେଲେ ଯେ, ଦଳଟି ଆଉ ଅନୁଗୋଳରେ ନାଟ ଦେଖାଇବ ନାହିଁ । ଏଣୁ ଅନୁଗୋଳ ଗସ୍ତର ପଞ୍ଚମ ଦିନ ନାଟୁଆମାନେ ମେରାମୁଣ୍ଡଳି ଷ୍ଟେସନ ଅଭିମୁଖେ ଗଲେ । ଦିନକ ସେଇଠେଁ ରହିଲେ ।

ସେତେବେଳେ ମେରାମୁଣ୍ଡଳି ଗୋଟିଏ ଜଳହୀନ, ଶୁଖିଲା ଓ ଟାଙ୍ଗରା ଯାଗା । ଗାଧୋଇବା ପାଇଁ ଜଳ ଖୋଜି ଗୋଟିଏ ବଡ଼, ହେଲେ ଅଳପ ପାଣି ଥିବା ପୋଖରି ମିଳିଲା । ସେଥିରେ ହାତୀ ଘୁଅ, ମଇଁଷି ଗୋବର ଆଦି ଭର୍ତ୍ତି । ସେଇଠି ହିଁ ଶୌଚାଦି କର୍ମ ମେଣ୍ଟାଇବାକୁ ପଡ଼ିଲା । ଯଥାକଥା କଅଣ ଟିକିଏ ଖାଇଦେଇ ଷ୍ଟେସନ ମାଷ୍ଟରଙ୍କ ପାଖକୁ ଟିକଟ କିଣିବା ପାଇଁ ଗଲା ବେଳକୁ ଜଣାପଡ଼ିଲା କି, ସେ ଜଣେ ନାଟ୍ୟରସିକ । ବିନା ଯାତରା ପ୍ରଦର୍ଶନରେ ଟିକଟ କାଟି ଦେବା ପାଇଁ ନାରାଜ । ଯେତେ ଅନୁରୋଧ କଲେ ମଧ୍ୟ ଏଥିରୁ ନିଷ୍କୃତି ମିଳିଲା ନାହିଁ । ଦଳଟିକୁ ରାତିରେ ମେରାମୁଣ୍ଡଳି ଷ୍ଟେସନରେ ରହି ନାଟ ଦେଖାଇବାକୁ ହିଁ ପଡ଼ିଲା । ଅବଶ୍ୟ ଏହା ଫଳରେ ଦଳର ଚବିଶ ଜଣ ଓ ନାଟ୍ୟଉପକରଣ ସବୁ ବିନା ଟିକଟରେ ପହଞ୍ଚିଗଲେ ମେରାମୁଣ୍ଡଳିରୁ କଟକ । ସେଠୁ ବଇରି ଷ୍ଟେସନକୁ ବିନା ଟିକଟରେ ଯାତ୍ରା କରି ଚାଲିଚାଲି ବୈଷ୍ଣବ ପାଣି ପହଞ୍ଚିଲେ ନିଜ ଗାଁ କୋଠପଦାରେ ।

ବି.ଦ୍ର. - ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା ।

No comments:

Post a Comment