Thursday, January 03, 2019

ମୂଳା ସିଝା

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ପ୍ରଣାଳୀ - ଗୋଟାଏ ନରମ ମୂଳାର ପଛ ଆଡ଼ୁ ଦୁଇ ଆଙ୍ଗୁଳି କାଟି ପକାଅ ଏବଂ ଉପର ଆଡ଼ର ବଡ଼ ବଡ଼ ପତ୍ରଗୁଡ଼ିକ ସବୁ ଛିଣ୍ଡାଇ ପକାଅ । ଛୋଟ ଛୋଟ ଦୁଇ ତିନିଟି ପତ୍ର ରଖି ଉତ୍ତମ ରୂପେ ଘସି ଧୋଇବ; ତାହାର ପରେ ପଛ ଆଡ଼ୁ ବରାବର ଚାରି ଫାଳ କରି କାଟି ଯାଅ, ମୁଣ୍ଡି ଆଡ଼କୁ ଯେମନ୍ତ ଗୋଟା ରହିବ ।


ଡାଲିରେ ପକାଇ ସିଝାଅ । ସିଝି ଗଲେ ବାହାର କରି ଛୁରିରେ ପାତଳା ପାତଳା କରି ଚୁନେଇ କାଟି ତେଲ ଲୁଣ ଗୋଳାଅ । ତତ୍ପରେ ଖଣ୍ଡିଏ ରେକାବିରେ ସଜାଡ଼ି ରଖ । ଉପରେ ଗୋଲମରିଚ ଗୁଣ୍ଡି ଛିଞ୍ଚି ଦିଅ; ଅଦା ଛଡ଼ାଇ ଗୋଲ ଚେକତି ଚେକତି କିମ୍ବା ସରୁ ସରୁ ଲମ୍ବା ଲମ୍ବା କାଟି ଉପରେ ସଜାଡ଼ି ରଖ ।

ଗୁଣାଗୁଣ - ମୂଳା କଟୁ ରସ, ଉଷ୍ଣବୀର୍ଯ୍ୟ, ତୀକ୍ଷ୍ମ, ଗୁରୁପାକ, ରୁଚିକର, ଅଗ୍ନିବର୍ଦ୍ଧକ ଏବଂ ବାୟୁ, ଅର୍ଶ, ଗୁଳ୍ମ, ହୃଦରୋଗ, ଶ୍ୱାସ, ପୀନସ ଓ ଚକ୍ଷୁ ରୋଗରେ ଉପକାରକ ।

ବି.ଦ୍ର. - ମୂଳା ସିଝା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment