Saturday, January 26, 2019

ଆମ ହାତେ ଦେଇ ଭିକାରୀ ଥାଳ

ମନମୋହନ ମିଶ୍ର


ଭୀମରାଓ ଆମ୍ବେଦକର ରାଜେନ୍ଦ୍ରପ୍ରସାଦଙ୍କୁ ସମ୍ବିଧାନର ପ୍ରତି ପ୍ରଦାନ କରୁ ଥିବାର ଚିତ୍ରଣ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆମ ହାତେ ଦେଇ ଭିକାରୀ ଥାଳ ହୋ
ତୁମେ ପାଲଟିଛ ରାଜା
ହେ ବାବୁ ! ତୁମେ ପାଲଟିଛ ରାଜା
ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।

ଆମେ ଫଳାଇଲୁ ସୁନାର ଫସଲ
ତୁମେ ନେଲ ତାହା କାଟି
ଆମ ପୁଅ ଝିଅ ଭୋକେ କଲବଲ
ମରନ୍ତି ପତର ଚାଟି;
ଆମ ହାଡ଼େ ତୁମେ ପଲଙ୍କ ଗଢ଼ିଛ
ମାରୁଛ ସଉକ ମଜା ।

ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।
ଆମ ହାତେ ଦେଇ ଭିକାରୀ ଥାଳ ହୋ
ତୁମେ ପାଲଟିଛ ରାଜା ।

ଆମର ଜୀବନ ହୁଡ଼ ରସ ତୁମେ
ଆମକୁ ପରଦା କର
ଆମ କୁଡ଼ିଆରେ ଅନଳ ଲଗାଇ
ପୀୟୁଷେ ଗରଳ ଭର,
ଛାତିର ମାଉଁସ ଛେଲା ଛେଲା ନେଇ
କଲ ପାଉଁରୁଟି ଭଜା ।

ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।
ଆମ ହାତେ ଦେଇ ଭିକାରୀ ଥାଳ ହୋ
ତୁମେ ପାଲଟିଛ ରାଜା ।

ଶିଳ ଶିଳୁପୁଆ ଗଗନେ ଉଡ଼ନ୍ତି
ଜମିଦାର ଦେଖେ ଚାହିଁ,
ଚରଚା କରିବୁ ଯେତେକ ଶୋଷକେ
ଏକତାର ଗାଇ,
ଚୁରୁଟ ଖସିବ ଚୋଚଲା ମୁହଁରୁ
ନିକାଲିବୁ ସବୁ ମଜା ।

ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।
ଆମ ହାତେ ଦେଇ ଭିକାରୀ ଥାଳ ହୋ
ତୁମେ ପାଲଟିଛ ରାଜା ।

ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।

No comments:

Post a Comment