Tuesday, January 15, 2019

କଖାରୁ ଚଟଣି

ସରୋଜିନୀ ଚୌଧୁରୀ


ଉନବିଂଶ ଶତାବ୍ଦୀର ଜାପାନର କଳାକୃତି (ୱିକିମିଡିଆ କମନ୍ସ୍)

ଉପକରଣ - କଖାରୁ ଭଲ ମିଠା ରକମ ଦେଖି ଖଣ୍ଡେ, ଲୁଣ ଅନ୍ଦାଜ ମୁତାବକ, ପିଆଜ ଦୁଇଟା କିମ୍ବା ତିନିଟା, କଞ୍ଚା ମରିଚ ଦୁଇଟା ଓ ତେଲ ପଳେ ।

ପ୍ରଣାଳୀ - କଖାରୁ ଖଣ୍ଡରୁ ଚୋପା ଛଡ଼ାଅ । ଅନ୍ତି ଭଲ କରି କାଢ଼ି ପକାଅ ଏବଂ ଧୋଇ ଧାଇ ଭାତରେ ପକାଅ । ଭାତରେ ନ ପକାଇ ଡାଲିରେ ପକାଇଲେ ସ୍ୱାଦୁ ଅପେକ୍ଷାକୃତ ଭଲ ହୁଏ । ଭାତ ଠାରୁ ଡାଲିରୁ କାଢ଼ିବାକୁ ମଧ୍ୟ ସୁବିଧାଜନକ । ଭାତରୁ କାଢ଼ିବାବେଳେ ଯଦି ଭାଙ୍ଗି ଯାଏ ତେବେ ଭାତରେ ତାହାର ଗୁଣ୍ଡ ବା ଖଣ୍ଡ କୋରାକୋରାମାନ ବାହାରିବାରୁ ବିରକ୍ତିକର ହୁଏ । 

ସିଝା କଖାରୁ ଭଲ କରି ଚକଟି ତେଲ, ଲୁଣ, ପିଆଜ ସରୁସରୁ କାଟି ଓ ଗୋଟାଏ ଲଙ୍କାମରିଚ ଟିକିଟିକି କରି କାଟି ଦେଇ ଏକାଠି ସବୁ ମିଶାଇବ । ଗୋଳା ଗୋଳା କରି ରଖ, ବାକି ଥିବା ଲଙ୍କାମରିଚକୁ ଚେକିଚେକି କାଟି ମଞ୍ଜି ଯେତେ ଥିବ ଝାଡ଼ି ପକାଇ ଗୋଳାର ଉପରେ ବସାଇ ଦିଅ ।

ଗୁଣାଗୁଣ - କଖାରୁ ମଧୁରରସ, ଉଷ୍ଣବୀର୍ଯ୍ୟ, ଗୁରୁପାକ, ଅଗ୍ନିମାନ୍ଦ୍ୟକାରକ, ପିତ୍ତବର୍ଦ୍ଧକ, ବାୟୁ କୋପକ ଓ ଶ୍ଲେଷ ନାଶକ ।


ବି.ଦ୍ର. - କଖାରୁ ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment