Friday, July 31, 2015

ଓଡିଆ ବାବା 



ପୂଜ୍ୟ ସ୍ୱାମୀଜୀ ଶ୍ରୀ ଓଡିଆ ବାବା (୧୮୭୫ - ୧୯୪୮) ବିଂଶ ଶତାବ୍ଦୀର ସବୁଠାରୁ ମହତ୍ତମ ଅଦ୍ୱେତ ବେଦାନ୍ତର ସନ୍ୟାସୀମାନଙ୍କ ମଧ୍ୟରୁ ଜଣେ ।  ଏଣୁ ନିଜର ଇହଲୀଳା ଦୃଷ୍ଟିରୁ  ସେ ରମଣ ମହର୍ଷିଙ୍କର ସମସାମୟିକ ଥିଲେ । ଜଣେ ବ୍ରହ୍ମନିଷ୍ଠ ପରମହଂସ ଭାବରେ ସେ ଉତ୍ତର ଭାରତରେ ଖ୍ୟାତ ଥିଲେ - ସେ ଥିଲେ ଜ୍ଞାନୀଙ୍କର ଜ୍ଞାନୀ । ହେଲେ ବୋଧେ ହୁଏ ଏହି ବ୍ଲଗର ଅଧିକାଂଶ ପାଠକ ଓ ଅନ୍ୟ ଶିକ୍ଷିତ ଓଡିଆ ମାନେ ଓଡିଆ ବାବା କିଏ ଜାଣି ନ ଥିବେ । ଓଡିଆ ମାନଙ୍କ ପାଇଁ ଗାଁ କନିଆଁ ସିଙ୍ଗାଣାନାକି । 

ଯଦିଓ ସେ ଓଡିଆ ବାବା ଭାବରେ ଖ୍ୟାତ ଥିଲେ, ତାଙ୍କର ସନ୍ୟାସାଶ୍ରମର ନାମ ଥିଲା ଶ୍ରୀ ପୂର୍ଣାନନ୍ଦ ତୀର୍ଥ ମହାରାଜଜୀ । ତାଙ୍କର ପିତୃଦତ୍ତ ନାମ ଥିଲା ଶ୍ରୀ ଆର୍ତ୍ତତ୍ରାଣ ମିଶ୍ର । ତାଙ୍କର ଜନ୍ମ ପୁରୀର ରାଜଗୁରୁ ବଂଶର ଏକ ଓଡିଆ ବ୍ରାହ୍ମଣ ପରିବାରରେ । ସ୍ୱାମୀଜୀଙ୍କର ଜଣେ ପୂର୍ବଜ ଶ୍ରୀକାଶୀ ମିଶ୍ର ଚୈତନ୍ୟ ମହାପ୍ରଭୂଙ୍କର ଅନ୍ତରଙ୍ଗ ଥିଲେ । ସ୍ୱାମୀଜୀଙ୍କର ପିତାଙ୍କର ନାମ ଥିଲା ଶ୍ରୀ ବୈଦନାଥ ମିଶ୍ର, ମାତାଙ୍କର ନାମ ଶ୍ରୀମତି ଲକ୍ଷ୍ମୀଦେବୀ । ତାଙ୍କର ଜନ୍ମ ଜନ୍ମାଷ୍ଟମୀ ଦିନ ।  


ବ୍ରତପୋନୟନ ପରେ ସେ ଘରେ ବିଦ୍ୟାଧ୍ୟୟନ କଲେ । ଏହାପରେ ଶିକ୍ଷାଲାଭ ପାଇଁ ସେ ମୟୁରଭଞ ଯାତ୍ରା କଲେ । ମାତ୍ର ମୟୁରଭଞରେ  ବେଶୀ ଦିନ ନ ରହି ସେ ବାଲ୍ୟାୱେଡାରେ ଅଧ୍ୟୟନ ଆରମ୍ଭ କଲେ । ଅଧ୍ୟୟନ ସମୟରେ ଜଣେ ଘନିଷ୍ଠ ବନ୍ଧୁ ଗଙ୍ଗାଧର ମିଶ୍ରଙ୍କର ଆକସ୍ମିକ ମୃତ୍ୟୁପରେ ତାଙ୍କର ବୈରାଗ୍ୟ ଜାତ ହେଲା । ମାତ୍ର ସେ ନିଜର ଅଧ୍ୟୟନ ଜାରୀ ରଖିଲେ, ଓ କାବ୍ୟତୀର୍ଥ ଉପାଧି ଲାଭ କରି ଘରକୁ ଲେଉଟି ଆସିଲେ । ଏହି ସମୟରେ ଓଡିଶାରେ ପଡିଥିବା ଦୁର୍ଭିକ୍ଷରୁ ଲୋକଙ୍କୁ ରକ୍ଷା କରିବା ପାଇଁ  ଅକ୍ଷୟପାତ୍ର ଲାଭ କରିବା ନିମନ୍ତେ ସେ ଆସାମର କାମାକ୍ଷାଠାରେ ସାଧନାରତ ଥିବା ସମୟରେ ତାଙ୍କର ନିଷ୍କାମଭକ୍ତି ଜାତ ହେଲା । ସେ ଏହା ପରେ ମୟୁରଭଞରେ କିଛିଦିନ ରହି କାଶୀ ଯାତ୍ରା କଲେ । ଏହାପରେ ପୁରୀକୁ ଫେରି ଆସି, ସେ ପୁରୀର ଶଙ୍କାରାଚାର୍ଯ୍ୟ ସ୍ୱାମୀ ମଧୁସୂଦନ ତୀର୍ଥଙ୍କଠାରୁ ନୈଷ୍ଠିକ ବ୍ରହ୍ମଚର୍ଯ୍ୟ ଦିକ୍ଷା ଗ୍ରହଣ କଲେ ଓ ବ୍ରହ୍ମଚାରୀ ବାସୁଦେବ ସ୍ୱରୂପ ନାମ ଗ୍ରହ‌ଣ କଲେ । ଜଣେ ସିଦ୍ଧଗୁରୁଙ୍କୁ ଖୋଜୁଥିବା ସମୟରେ, ଅନେକ ସାଧନା ପରେ, ବତିଶି ବର୍ଷ ବୟସରେ ସ୍ୱାମୀ ମଧୁସୂଦନ ତୀର୍ଥଙ୍କଠାରୁ ହିଁ ସେ ସନ୍ୟାସ ଦିକ୍ଷା ଗ୍ରହଣ କଲେ । 

ସନ୍ୟାସ ଦିକ୍ଷା ଗ୍ରହଣ ପରେ, ସେ ମୂଖ୍ୟତଃ ଉତ୍ତର ଭାରତରେ ଏକ ପରିବ୍ରାଜକ ରୂପେ ଜୀବନ ଅତିବାହିତ କଲେ । ସେ ୧୯୩୮ ମସିହାରେ ବୃନ୍ଦାବନଠାରେ ଶ୍ରୀକୃଷ୍ନ ଆଶ୍ରମର ସ୍ଥାପନା କଲେ ।  ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ  ସ୍ୱାମୀ ଅଖଣ୍ଡାନନ୍ଦ ସରସ୍ୱତୀ ବୋଧେହୁଏ ସର୍ବପ୍ରସିଦ୍ଧ ।  ସେ ୧୯୪୮ ମସିହାରେ ଇହଲୀଳା ସମ୍ବରଣ କଲେ । 

No comments:

Post a Comment