ଓଡିଆ ଖିରି
ଆଜିକାଲି ସବୁଠି ଖିରି ଖାଇବାକୁ ମିଳୁଛି । କିନ୍ତୁ ପ୍ରାୟତଃ ତାହା କିଛି ଅଧିକ ଖିର ମିଶିଥିବା ଜାଉ । ଖିରି ଓ ଜାଉର ପ୍ରଭେଦ ପରେ ଦେଖିବା । ଆସନ୍ତୁ ଦେଖିବା ଅସଲ ଖିରି କରିବା କେମିତି ।
ସାମଗ୍ରୀ
ଖିର ଏକ ଲିଟର, ଛୋଟ ଦାନା ଅରୁଆ ଚାଉଳ ତିନି ଗ୍ରାମ୍ (ଚାହା ଚାମୁଚର ଅଧା), ଚିନି ଦଶ ଗ୍ରାମ୍, କାଜୁ ୨୫ ଗ୍ରାମ୍, କିସମିସ୍ ୨୫ ଗ୍ରାମ୍, ଗୁଜୁରାତି ଚାରିଟା (୪ଟା), ଗୁଆ ଘିଅ ଏକ (୧) ଚା ଚାମୁଚ ବା ପାଞ୍ଚ (୫) ଗ୍ରାମ୍, ଲୁଣ ଚିମୁଟାଏ ।
ପ୍ରଣାଳୀ
ଆଲୁମିନିଅମ୍ ବାସନରେ ଖିରକୁ ବିନା ପାଣିରେ ଗ୍ୟାସ୍ ଚୁଲ୍ଲାରେ ଛୋଟ ଆଞ୍ଚରେ ସବୁଠାରୁ ଧିମା ନିଆଁରେ ବସାନ୍ତୁ । ଷ୍ଟିଲ୍ ବାସନରେ ତଳେ ଲାଗିଯିବାର ସବୁବେଳେ ଭୟ ଥାଏ । ମଝିରେ ମଝିରେ ଘାଣ୍ଟୁଥାଅନ୍ତୁ । ଖିର ଘଣ୍ଚାଏ ଫୁଟି ସାରିଲା ପରେ ଅଧ ଚାହା ଚାମୁଚ (ସବୁଠୁ ଛୋଟ ଚାମୁଚ) ଚାଉଳକୁ (୩-ତିନି ଗ୍ରାମ୍) ଧୋଇ ଖିରରେ ପକାନ୍ତୁ । କସ୍ମିନ୍ କାଳେ ଅଧିକ ଚାଉଳ ପକାଇବେ ନାହିଁ ।
ଆହୁରି ଦୁଇ ଘଣ୍ଟା ଖିରକୁ ଫୁଟାନ୍ତୁ । ମଝିରେ ମଝିରେ ଘାଣ୍ଟୁଥିବେ । ନିଆଁ ଉପରେ ଏ ପର୍ଯ୍ୟନ୍ତ ଖିର ତିନି ଘଣ୍ଟା ଫୁଟି ସାରିଥିବ । ଏବେ ୧୦ ଗ୍ରାମ୍ ଚିନି, ଅର୍ଥା୍ତ୍ ଦୁଇ ଚା ଚାମୁଚ ବା ଛୋଟ ଚାମୁଚ ଚିନି, ପକାଇ ଦିଅନ୍ତୁ । ଚିନି ପକାଇ ସାରି, କାଜୁ ଓ କିସମିସକୁ ଗୁଆ ଘିଅରେ ଭାଜି ଖିରରେ ପକାଇ ଦିଅନ୍ତୁ । ଏହା ପରେ ଗୁଜୁରାତିକୁ ଛିଣ୍ଡେଇ ଚୋପା ସହିତ ଖିରରେ ପକାନ୍ତୁ । ଆହୁରି ଘଣ୍ଟାଏ ଖିରକୁ ଘାଣ୍ଟିଘାଣ୍ଟି ଫୁଟାନ୍ତୁ ।
ଖିର ଚାରି ଘଣ୍ଟା ଫୁଟି ସାରିଲା ପରେ ଲୁଣ ଚିମୁଟାଏ ଖିରରେ ପକାଇ ଦିଏନ୍ତୁ । ଏତେ ବେଳକୁ ଏକ ଲିଟର ଖିର ଫୁଟି ପାଏ ବା ୨୫୦ ଗ୍ରାମ୍ ହୋଇ ସାରିଥିବ । ଲୁଣ ପକାଇ ସାରିବାର ପାଞ୍ଚ ମିନିଟ୍ ପରେ ଖିରିକୁ ଓହ୍ଲା୍ଇ ଦିଅନ୍ତୁ ।
ବି.ଦ୍ର.:
୧. ଆଲୁମିନିଅମ୍ ବାସନ ବ୍ୟବହାର କରନ୍ତୁ । କସ୍ମିନ୍ କାଳେ ଷ୍ଟିଲ୍ ବାସନ ବ୍ୟବହାର କରିବେ ନାହିଁ ।
୨. କେବେ ବି ଲିଟର୍ ପିଛା ୩ (ତିନି) ଗ୍ରାମରୁ ଅଧିକ ଚାଉଳ ବ୍ୟବହାର କରିବେ ନାହିଁ ।
୩. କେବେ ବି ଲିଟର୍ ପିଛା ୧୦ (ଦଶ) ଗ୍ରାମରୁ ଅଧିକ ଚିନି ବ୍ୟବହାର କରିବେ ନାହିଁ ।
୪. ଖିରକୁ ନିୟମିତ ଘାଣ୍ଟିବେ ।
୫. ସବୁଠାରୁ ଧିମା ଆଞ୍ଚରେ ସବୁବେଳେ ଖିରକୁ ଫୁଟାଇବେ ।
୬. ଲୁଣ ସବା ଶେଷକୁ ହିଁ ପକାଇବେ । ନ ହେଲେ ଖିରି ପାଣି ଫାଟିଯିବ ।
୬. ଲୁଣ ସବା ଶେଷକୁ ହିଁ ପକାଇବେ । ନ ହେଲେ ଖିରି ପାଣି ଫାଟିଯିବ ।
No comments:
Post a Comment